ପୁନରାବୃତ୍ତି

 

 

 

 

 

 

 

 

 

ପୁନରାବୃତ୍ତି

ଗୌରହରି ଦାସ

 

ସୂଚୀପତ୍ର

 

୧.

ମୋକ୍ଷ

୨.

ଝଡ଼

୩.

ପାହାଡ଼

୪.

ରବର କଣ୍ଢେଇ

୫.

ଭିନ୍ନ ରାସ୍ତା

୬.

ପଳାତକ

୭.

ମୁକ୍ତି

୮.

ଦକ୍ଷିଣା ପବନ

୯.

ପୁନରାବୃତ୍ତି

୧୦.

ବିଲେଇ

୧୧.

ଚମ୍ପାଫୁଲ ଓ ଚଢ଼େଇ

୧୨.

ପ୍ରଥମା

୧୩.

ଅନନ୍ତ ଅପେକ୍ଷା

Image

 

ନିଜକଥା

 

ନାରୀକୁ ନେଇ ଅନେକ ଗଳ୍ପ ଅତୀତରେ ଲେଖାଯାଇଛି, ଏବେ ବି ଲେଖା ହେଉଛି ଓ ଭବିଷ୍ୟତରେ ମଧ୍ୟ ଲେଖା ହେବ । ଏଇ ସଂକଳନରେ ନାରୀର ଯୋଉ ଯୋଉ ସମସ୍ୟାକୁ ନେଇ ମୁଁ କିଛି ଲେଖିବାର ପ୍ରୟାସ କରିଛି, ସେସବୁ ତେଣୁ ସାହିତ୍ୟର ପ୍ରଥମ ପ୍ରୟାସ ନୁହେଁ, ବରଂ ପୁନରାବୃତ୍ତି । ମାତ୍ର ଏହି ପୁନରାବୃତ୍ତିର ପ୍ରୟୋଜନ ମୋ ପାଇଁ ଏଇ ଦୃଷ୍ଟିରୁ ଜରୁରୀ, କାରଣ ସାହିତ୍ୟର ନିରବଚ୍ଛିନ୍ନ ପ୍ରୟାସ ସତ୍ତ୍ୱେ ସମସ୍ୟାର ସମାଧାନ ତ ଦୂରର କଥା, ସମସ୍ୟା ସମ୍ବନ୍ଧରେ ମଧ୍ୟ ସବୁ କଥା କୁହାଯାଇପାରି ନାହିଁ ।

 

ମହାଭାରତର ଦ୍ରୌପଦୀ କୁରୁ ରାଜସଭାରେ ବିବସନା ହେବାର ଅବ୍ୟବହିତ ପୂର୍ବରୁ ଗୋଟେ ପ୍ରଶ୍ନ ଉତ୍‌ଥାପନ କରିଥିଲେ । ସେ ପ୍ରଶ୍ନଟି ହେଲା–ନାରୀ ଏକ ବ୍ୟକ୍ତି ନା ବସ୍ତୁ ? ସେହି ରାଜସଭାରେ ଧର୍ମରାଜ ଯୁଧିଷ୍ଠିରଙ୍କ ଠାରୁ ନେଇ ପିତାମହ ଭୀଷ୍ମ, ମହାବୀର ଦ୍ରୋଣ, ବିଚକ୍ଷଣ ବିଦୂର ଓ ରାଜା ଧୃତରାଷ୍ଟ୍ର ପ୍ରମୁଖ ବହୁ ମାନୀ, ଜ୍ଞାନୀ ଓ ଗୁଣୀ ବ୍ୟକ୍ତି ଉପସ୍ଥିତ ଥିଲେ । ମାତ୍ର ତା ସତ୍ତ୍ୱେ ଦ୍ରୌପଦୀ ତାଙ୍କ ପ୍ରଶ୍ନଟିର ଉତ୍ତର ପାଇପାରି ନ ଥିଲେ । ମୋର ମନେହୁଏ, ଦ୍ରୌପଦୀଙ୍କର ସେହି ପ୍ରଶ୍ନଟି ଆଜି ସୁଦ୍ଧା ଅନୁତ୍ତରିତ ଅବସ୍ଥାରେ ଆମ ସମାଜର ରାଜସଭା ସମ୍ମୁଖରେ ଝୁଲି ରହିଛି-। ସେ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମର ସବୁ ପ୍ରୟାସ ଦୁର୍ବଳ ସାବ୍ୟସ୍ତ ହୋଇଛି । ନାରୀ ଏ ପର୍ଯ୍ୟନ୍ତ ବ୍ୟକ୍ତିର ମର୍ଯ୍ୟାଦା ପାଇ ନାହିଁ, ତାର ସ୍ୱାତନ୍ତ୍ର୍ୟ ସ୍ୱୀକୃତ ହୋଇ ନାହିଁ–ଯୋଉଠି କିଛି କିଛି ପରିମାଣରେ ତାକୁ ସ୍ୱାଧୀନତା ମିଳିଛି, ମର୍ଯ୍ୟାଦା ମିଳିଛି, ସେଠି ସେହି ସ୍ୱାଧୀନତା ବା ମର୍ଯ୍ୟାଦା ସାଙ୍ଗରେ ମିଶି ରହିଛି ନିଷ୍ଠୁର ଅନୁକଂପା ଅଥବା ଅହଙ୍କାରୀ ନମ୍ରତା ।

 

ଏଭଳି ଏକ ପୃଷ୍ଠଭୂମିରେ ନାରୀ କେବଳ ପ୍ରୟୋଜନୀୟ ବସ୍ତୁଟେ ଭାବେ ଗୃହୀତ ହୋଇ ରହିବା ଅତ୍ୟନ୍ତ ସ୍ୱାଭାବିକ । କୋଉଠି ଉପଭୋଗ ତ କୋଉଠି ଉପଯୋଗର ବସ୍ତୁ ରୂପେ ଜିଇରହିବା ଯେମିତି ନାରୀର ଭାଗ୍ୟ । ଏଥିପାଇଁ ସାମାଜିକ ଦୃଷ୍ଟିଭଙ୍ଗୀ ଯେତିକି ଦାୟୀ, ନାରୀର ଅସାମର୍ଥ୍ୟ ସେତିକି ପରିମାଣରେ ଦାୟୀ । ଏବେ ନାରୀମୁକ୍ତି ଆନ୍ଦୋଳନର ସ୍ଳୋଗାନ ଭିନ୍ନ ଭିନ୍ନ ସ୍ଥାନରେ ଶୁଣିବାକୁ ମିଳୁଛି । ମାତ୍ର ଏଇ ସ୍ଳୋଗାନର ଶବ୍ଦ ରାସ୍ତାରେ ଚାଲୁଥିବା ମୁଷ୍ଟିମେୟ ନାରୀଙ୍କ କାନରେ ସିନା ପଡ଼ୁଛି, ଯୋଉ ସଂଖ୍ୟାଗରିଷ୍ଠ ନାରୀ ଘରକରଣାର ଗମ୍ଭୀରି ଭିତରେ, ସୁନା ପଞ୍ଜୁରିରେ ହେଉ କି ଲୁହା ପଞ୍ଜୁରିରେ ହେଉ ଛନ୍ଦିମନ୍ଦି ହୋଇ ରହିଛନ୍ତି, ସେମାନଙ୍କ କାନରେ କିପରି ପଡ଼ିବ ? ପୁଣି ଅଧିକାଂଶ କ୍ଷେତ୍ରରେ ଏଇ ଧରଣର ଆନ୍ଦୋଳନ କେବଳ ଆନ୍ଦୋଳନ ପାଇଁ ଆନ୍ଦୋଳନ ବୋଲି ମୋର ମନେ ହୋଇଛି । ବର୍ଷ ବର୍ଷ ଧରି ଭାରତୀୟ ନାରୀସମାଜ ଯୋଉ ପ୍ରକାର ମାନସିକ ଦାସତ୍ୱ ଓ ନିର୍ମମ ଭାଗ୍ୟବାଦକୁ ମୁଣ୍ଡରେ ମୁଣ୍ଡେଇ ଚାଲିଛି, ତାହାକୁ ଓହ୍ଲାଇବା ଢେର୍‌ କଷ୍ଟ ଓ ସମୟ ସାପେକ୍ଷ ।

 

ଏସବୁ ଉଲ୍ଲେଖ କରିବାର ଅର୍ଥ ନୁହେଁ ଯେ ‘ପୁନରାବୃତ୍ତି’ ସଂକଳନର ଗଳ୍ପ ଗୁଡ଼ିକରେ ଏଇ ଧରଣର ଆନ୍ଦୋଳନର ପ୍ରତିଧ୍ୱନି ରହିଛି । ବସ୍ତୁତଃ ଏ ଗଳ୍ପର ଚରିତ୍ରମାନେ ସିଧାସଳଖ ଢଙ୍ଗରେ କିଛି କହିପାରି ନାହାନ୍ତି । ସେମାନେ ପ୍ରାୟତଃ ଭାଗ୍ୟବାଦୀ ନ ହେଲେ ଉଦାର କ୍ଷମାଶୀଳ-। ସେମାନଙ୍କ ପାଦରେ ଅଦୃଶ୍ୟ ବନ୍ଧନ ଓ ଚକ୍ଷୁରେ ଅଦ୍ଭୁତ ପ୍ରକାରର ମାୟାଞ୍ଜନ କିଏ ଯେପରି ନେସି ଦେଇଛି । ବାରମ୍ବାର ପ୍ରତାରିତା ହେବା ସତ୍ତ୍ୱେ ସେମାନେ ପ୍ରତିରୋଧ କି ପ୍ରତିବାଦ କରୁ ନାହାନ୍ତି, ବରଂ ଏ ସବୁକୁ ଭାଗ୍ୟର ଖେଳ କହି ଗ୍ରହଣ କରିନେଉଛନ୍ତି, ହସି ହସି ଲୁହତଳକୁ ଢୋକିଦେଉଛନ୍ତ । ଚେମି ବାଉରାଣୀ, ପାର୍ବତୀ ଦେଈ, ପାର ଅପା, ଶାନ୍ତା ନାୟକ ଓ କୁମ ଭାଉଜ ପରି ଚରିତ୍ରମାନଙ୍କୁ ମୁଁ ନିଜ ଜୀବନରେ ଭେଟିଛି, ଆପଣମାନେ ମଧ୍ୟ କୋଉଠି ନା କୋଉଠି ଭେଟିଥିବେ । ଅଦ୍ଭୁତ ପ୍ରକାରର ମଣିଷ ଏମାନେ । କେହି କେହି ଅନ୍ଧାରିଆ କୋଣରେ ପଡ଼ିରହିଥିବା ଅଇନା ପରି–ଦିନ ପରେ ଦିନ ଗଡ଼ିଗଲେ ମଧ୍ୟ ସେମାନଙ୍କ ଉପରେ ସୂର୍ଯ୍ୟକିରଣ ପଡ଼େ ନାହିଁ ।

 

ଭାରତୀୟ ନାରୀର ମନସ୍ତତ୍ତ୍ୱ ଅଧ୍ୟୟନ ଏକ ଦୁଃସାଧ୍ୟ କାର୍ଯ୍ୟ । ଯେତେବେଳେ ସେ ଝିଅଟି ହୋଇ ବାହାରକୁ ଦିଶୁଥାଏ, ସେତେବେଳକୁ ସେ ଭିତରେ ଭିତରେ ମାଆ ପରି ଦାୟିତ୍ୱସମ୍ପନ୍ନ ହୋଇସାରିଥାଏ ଓ ଯେତେବେଳେ ସେ ମାଆ ହୋଇ ଘରକରଣାର ମାଲିକାଣୀପଣିଆ ଜାହିର କରୁଥାଏ, ସେତେବେଳକୁ ହୁଏତ ତା ଭିତରର ଅଲିଅଳ ଝିଅଟି ସ୍ନେହ-ଶ୍ରଦ୍ଧା ପାଇଁ ତଥାପି ଆଉଟୁ ପାଉଟୁ ହେଉଥାଏ । ନାରୀର ଜାୟା ଓ ପ୍ରେମିକା ଭୂମିକାର କଥା କହିବି ନାହିଁ । ତାର ଜାହିର୍‌ କରିବାର ସଂକୀର୍ଣ୍ଣତା ଓ ମୂରୁଛିପାରିବାର ବ୍ୟାପକତା ଉଭୟ ବିସ୍ମୟକର ।

 

ନାରୀର ସଂପୂର୍ଣ୍ଣ ଚେହେରା ଫୁଟେଇପାରିବ–ଏଭଳି ସାମର୍ଥ୍ୟ ବୋଧହୁଏ କୌଣସି ଚିତ୍ରଶିଳ୍ପୀର ନାହିଁ । ପୁଣି ଯୋଉଠି ଶକ୍ତିଶାଳୀ ଚିତ୍ରମାଧ୍ୟମ ଏତେ ଅସମର୍ଥ, ସେଠି ସାହିତ୍ୟ ତ ଅସଂପୂର୍ଣ୍ଣ ହେବାକୁ ବାଧ୍ୟ । ବସ୍ତୁସ୍ଥିତିର ଏତେ ସବୁ ରୂପ ଓ ଭାବ-ରାଜ୍ୟର ତାହା ଅପେକ୍ଷା ଅଧିକ ଗୁଣ ଓ ଅନୁଭବକୁ କିଛି କିଛି ଶବ୍ଦମାନଙ୍କର ସହଯୋଗରେ ଧରିରଖିବା ବାସ୍ତବରେ କଷ୍ଟସାଧ୍ୟ । ମାତ୍ର କଷ୍ଟ ଜାଣି ସୁଦ୍ଧା ଯଦି ସାହିତ୍ୟ ଜଗତରେ ପଶିଲି ଓ ତାହାଠାରୁ କଷ୍ଟକର କାର୍ଯ୍ୟ ନାରୀର ଚେହେରାକୁ ଫୁଟେଇବାର ଇଚ୍ଛା ପୋଷଣ କଲି, ତାହାହେଲେ ତଜ୍ଜନିତ ଅସାମର୍ଥ୍ୟ ଓ ଅସହାୟତାକୁ ଆଲିଙ୍ଗନ କରିବା ବିଧିନିର୍ଦ୍ଦିଷ୍ଟ ଓ ଅନିବାର୍ଯ୍ୟ । ମୋର ସେହି ଅସାମର୍ଥ୍ୟ ଓ ଅସହାୟତାର ‘ପୁନରାବୃତ୍ତି’କୁ ଆପଣମାନଙ୍କ ସମ୍ମୁଖରେ ଥୋଇଦେଇ ଆଶା କରୁଛି, ମୁଁ ଠିକଣା ଭାବେ ନ କହି ପାରିଲି ନାହିଁ ପଛକେ, ଆପଣ କିନ୍ତୁ ଠିକଣା ଢଙ୍ଗରେ ସେମାନଙ୍କୁ ବୁଝିବେ, ସେଥିପାଇଁ କିଛି ସମୟ ଦେବେ । ସେଇ ହେବ ମୋର ଶ୍ରମର ସାର୍ଥକତା । ତାଠାରୁ ଅଧିକ କିଛି କୋଉ ଲେଖକର ଭାଗ୍ୟରେ ବା ଜୁଟେ !

 

ଗୌରହରି ଦାସ

Image

 

ମୋକ୍ଷ

 

ଲକ୍ଷ୍ମୀ ବୋଉଙ୍କର ସୌଭାଗ୍ୟ ସମ୍ପର୍କରେ ଆମ ଗ୍ରାମବାସୀମାନଙ୍କର କାହାରି କୌଣସି ଦିନ ସନ୍ଦେହ ନ ଥିଲା । ଏତେ ଲୋକଙ୍କ ଭିତରୁ ତାଙ୍କୁ ହିଁ ଯେ ଏକାକୀ ତିନିଶହ କୋଶ ଦୂର ଶ୍ରୀକ୍ଷେତ୍ର ଯାଇ ରଥ ଉପରେ ବିଜେ ତିନି ଠାକୁରଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜିବାର ସୁଯୋଗ ମିଳିବ, ଏ ନେଇ କାହାରି କୌଣସି ଦିନ ଅବିଶ୍ୱାସ ନ ଥିଲା । ଲକ୍ଷ୍ମୀବୋଉ ଥିଲେ ଅତ୍ୟନ୍ତ ଧର୍ମପରାୟଣା ଓ ଶୁଚିନିଷ୍ଠ ନାରୀ । ଦିଅଁ ଦେବତା, ବ୍ରାହ୍ମଣ ବୈଷ୍ଣବଙ୍କ ପ୍ରତି ତାଙ୍କର ଭକ୍ତିର ସୀମା ନ ଥିଲା । ସେଇଥିପାଇଁ ଧନଜନ ଗୋପଲକ୍ଷ୍ମୀ କୋଉଥିରେ ବା ତାଙ୍କର ଊଣା ଥିଲା ଆମର ଏ ଅଭାବୀ ଗାଁରେ ?

 

କେଉଁ ଐତିହାସିକ ଅଥବା ସାମାଜିକ କାରଣ ଯୋଗୁ ଆମ ଗାଁ ଏକ ଦରିଦ୍ର ଗାଁର ଅପଖ୍ୟାତି ପାଇଲା ତାହା ଜ୍ଞାନୀ ଗୁଣୀ ଲୋକମାନେ ଜାଣିଥିବେ । ବର୍ଷରେ ଆଠ ନଅ ଥର ବନ୍ୟା ଆସେ । ଘାସମୂଳ ମଧ୍ୟ ହିଡ଼ ମୁଣ୍ଡରେ ରହେ ନାହିଁ । ତା ସାଙ୍ଗକୁ ମରୁଡ଼ି ଓ ଲୁଣା ଲାଗି ରହିଛି । ତେଣୁ ମୂଲ ମଜୁରି ଲାଗିବା ଗ୍ରାମବାସୀଙ୍କ ସାମ୍ନାରେ ଏକମାତ୍ର ଅବଲମ୍ବନ । ଏ ଓଳି ମଜୁରି ନ ପାଇଲେ ଆର ଓଳି ଓପାସ । ରୋଗ ହେଉ କି ହାତଗୋଡ଼ ଭାଙ୍ଗିଯାଉ, ଭୋକ ସେ କଥା ବୁଝେ ନାହିଁ । ଏପରି ଏକ ଗାଆଁର ଲୋକଙ୍କ ପାଇଁ ଗାଡ଼ି ଭଡ଼ା ଯୋଗାଡ଼ କରି ଶ୍ରୀକ୍ଷେତ୍ର ଦର୍ଶନରେ ଯିବା ଜନ୍ମଜନ୍ମର ସ୍ୱପ୍ନ । ସେ ସ୍ୱପ୍ନ ସହଜରେ ସତ ହୁଏ ନାହିଁ ।

 

ଲକ୍ଷ୍ମୀ ବୋଉ ପିଣ୍ଡା ଉପରେ ଶପଟେ ପାରି ବସି ଥାଆନ୍ତି । ତାଙ୍କ ପାଖରେ ତାଙ୍କ ବୋହୂ, କୋଳରେ ନାତୁଣୀ । ବେଳ ରତରତ ହେଲାଣି । ପଶ୍ଚିମ ଆକାଶରେ ସୂର୍ଯ୍ୟ ଥକି ପଡ଼ିଲେଣି, ଏଇ ଟିକକକୁ ଘରକୁ ଫେରିଯିବେ । ଗୋଠରୁ ଗାଈଗୋରୁ ଫେରୁଛନ୍ତି । ସେମାନଙ୍କ ହମ୍ବାରଡ଼ି, ଖୁରା ଶବ୍ଦରେ ଗାଁଦାଣ୍ଡ ପୂରି ଉଠିଛି ।

 

ଏହା ଭିତରେ ଲକ୍ଷ୍ମୀବୋଉ ଶ୍ରୀକ୍ଷେତ୍ରରୁ ଫେରିବା ଖବରଟି ଗାଁ ସାରା ପ୍ରଚାରିତ ହୋଇ ସାରିଥିଲା । ପିଲା, ମାଇପି ଓ ବୁଢ଼ାବୁଢ଼ୀ କେତେଜଣ ଆସି ଠୁଳ ହୋଇ ଯାଇଥିଲେ । ମୂଲରୁ ଫେରୁଥିବା କେତେଜଣ ମୂଲିଆ ଓ ପୋଖରୀରୁ ପାଣି ନେଇ ଫେରୁଥିବା ସ୍ତ୍ରୀଲୋକମାନେ ଆଉ ଆଗକୁ ନ ଯାଇ ସେଇଠି ଅଟକି ଯାଇଥିଲେ । ସେମାନେ ନିଜ ନିଜର କାଖର କଳସୀ, କାନ୍ଧର କୋଡ଼ି-କୋଦାଳ ଓ ଝୁଡ଼ି ସେଇଠି ରଖିଦେଇ ଲକ୍ଷ୍ମୀବୋଉଙ୍କଠାରୁ ଶ୍ରୀକ୍ଷେତ୍ର ଅନୁଭୂତି ଶୁଣୁଥିଲେ । ତାଙ୍କର ପାଦଛୁଇଁ ପ୍ରଣାମ କରୁଥିଲେ ଓ ପାଦଧୂଳି ନେଇ ମୁଣ୍ଡରେ ବୋଳୁଥିଲେ ।

 

ଅହ୍ୟ ସୁଲକ୍ଷଣୀ ହେଇଥା, ବୁଢ଼ୀଟେ ହେଇଥାଅ, ବୁଢ଼ାଟେ ହେଇଥାଅ–ଲକ୍ଷ୍ମୀବୋଉ ସମସ୍ତଙ୍କୁ ଆଶୀର୍ବାଦ କରୁଥିଲେ । ମଝିରେ ଆଉ କେହି ଆସି ପ୍ରଣାମ କଲେ କଥା ମଝିରୁ ତାକୁ କଲ୍ୟାଣ କରି ପୁଣି ସେ ନିଜ କଥା ଯୋଡ଼ୁଥିଲେ ।

 

...ସେ ଶ୍ରୀକ୍ଷେତ୍ର ମାହାତ୍ମ୍ୟ କଣ କହିବି ? ଦି କୋଶ ଅଛି ଚୈତନ୍ୟ ମୋତେ ଡାକିଦେଲା-। ଦୂରରୁ ମନ୍ଦିର ଚୂଡ଼ାର ନେତ ଫରଫର ହେଇ ଉଡ଼ୁଥାଏ । ମୁଁ ଝରକାବାଟେ ଦି ହାତ ଯୋଡ଼ି ପ୍ରଣାମ କରୁଛି, ଏଣେ ଆଖିରୁ ଲୁହ ବୋହିଯାଉଛି । କେତେ ଜନ୍ମର ପୁଣ୍ୟ ଯୋଗୁ ଜଗନ୍ନାଥ ଦର୍ଶନ ସୁଯୋଗ ପାଇଲି ବୋଲି ଭାବୁଛି, ଏଣେ କାନ୍ଦୁଛି । ରଥଯାତ୍ରା ଭିଡ଼ କଥା କଣ କହିବି ? ସୋରିଷ ଫିଙ୍ଗିଲେ ବି ତଳେ ପଡ଼ିବ ନାହିଁ । ଚୈତନ୍ୟ ମୋତେ ନେଇ ଗୋଟେ କୋଠା ଉପରେ ବସେଇଦେଲାରୁ ମୁଁ ଯାତ ଦେଖିପାରିଲି । ନ ହେଲେ ସେଠି କଣ ମୁଁ କିଛି ଦେଖିପାରିଥାନ୍ତି ?

 

–ତମର ବଡ଼ ପୁଣ୍ୟ ଲକ୍ଷ୍ମୀ ବୋଉ । ଆମେ ତ ହୀନିକପାଳୀ । ସବୁଦିନେ ଏଇଠି ଏଇ ନରକରେ ପଡ଼ି ଘାଣ୍ଟି ହେଉଥିବୁ । ଆମର କି ତମ ପରି ପୁଣ୍ୟ ଅଛି ?

 

ସଦ୍ୟ ଶ୍ରୀକ୍ଷେତ୍ର ପ୍ରତ୍ୟାଗତ ଲକ୍ଷ୍ମୀ ବୋଉ ନିଜ ଗୌରବରେ ଯେ ଢେର୍‌ ଗୌରବାନ୍ୱିତ ତାହା ଜଣାପଡ଼ି ଯାଉଥାଏ । ଦୀର୍ଘ ବସ୍‌ ଯାତ୍ରାଜନିତ କ୍ଳାନ୍ତି ତାଙ୍କଠାରେ ଦେଖିବାକୁ ମିଳୁ ନ ଥାଏ । ଡବାରୁ ଆଉ ଖିଲେ ପାନ କାଢ଼ି କଳରେ ଗୁଞ୍ଜି ଦେବାପରେ ସେ ପୁଣି କଥା ଆରମ୍ଭ କଲେ–

 

...ବଡ଼ଠାକୁରଙ୍କ ରଥ ଆଗରେ ଯାଉଥାଏ । ପଛରେ ଥାଏ ଜଗନ୍ନାଥଙ୍କ ରଥ । ଚୈତନ୍ୟ ମୋତେ ଓହ୍ଲେଇ ବଡ଼ଦାଣ୍ଡକୁ ନେଇଗଲା । ମା ସୁଭଦ୍ରାଙ୍କ ରଥଦଉଡ଼ି ଟାଣିଲି । ସେଠି ବି ସେଇମିତି ଭିଡ଼ । ଦଉଡ଼ିରେ ହାତ ଛୁଇଁଛି କି ନ ଛୁଇଁଛି ଆଗରୁ ପଛରୁ ଲୋକ ଠେଲିଲେଣି । ପାଣିସୁଅ ପରି ଯାତ୍ରୀଙ୍କ ସୁଅ । ପଶ୍ଚିମା ଯାତ୍ରୀଙ୍କ ଭିଡ଼ ତ ବେଶି । ଜଗନ୍ନାଥଙ୍କ ରଥ ଆଡ଼େ ଚାହିଁ କହିଲି ମାହାପ୍ରୁ, ମାଇପି ଜନମ ଦେଇଛ, କର୍ମ ଉପରେ ସଦାବେଳେ ନିର୍ଭର । ଅସାଧ୍ୟ ହାତ ଧରି ମରି, ଅସାଧ୍ୟ ଜନ୍ମ କରି ମରି । ଗେରସ୍ତ ଆଣିଲେ ନାହିଁ କି ପୁଅ ବି ଆଣିଲା ନାହିଁ । ସେଇଠୁ ଚୈତନ୍ୟକୁ ମନେ ମନେ ଢେର୍‌ କଲ୍ୟାଣ କଲି । ତାକୁ ମୋ ଆୟୁଷ ଲାଗିଥାଉ । ଠାକୁରକୁ ମୁଣ୍ଡିଆଟେ ମାରି ସେଇ କୋଠା ଉପରେ ଯାଇ ବସିଲି ।

 

ଲକ୍ଷ୍ମୀ ବୋଉଙ୍କ ମୁହଁରୁ କଥାସବୁ ଶୁଣିଲାବେଳେ ଗ୍ରାମବାସୀମାନେ ସତେ ବା ସେସବୁ ଦୃଶ୍ୟ ନିଜ ନିଜ ଆଖିରେ ଦେଖିବାର ପୁଲକ ଅନୁଭବ କରୁଥିଲେ–ଏହିପରି ଦିବ୍ୟ ଓ ପ୍ରସନ୍ନ ଭାବ ସେମାନଙ୍କ ମୁହଁ, ଆଖିରେ ଦିଶିଯାଉଥିଲା । ଚୈତନ୍ୟର ପ୍ରଶଂସାରେ ଲକ୍ଷ୍ମୀବୋଉ ଶତମୁଖ ହୋଇ ଉଠିଥାନ୍ତି । ଚୈତନ୍ୟ ତାଙ୍କର ଲେଖାଯୋଖାରେ ଭଣଜା । ଏବକୁ ଚାକିରି କରିଛି ।

 

କ୍ରମେ ଆଶୀର୍ବାଦ ଲୋଡ଼ି ଆସୁଥିବା ଗ୍ରାମବାସୀଙ୍କ ଭିଡ଼ ବଢ଼ୁଥାଏ । କେତେଜଣ ନିରୀହ ଶିଶୁ ସେମାନଙ୍କ ମାଆ କୋଳରୁ ଆଖି ଜୁଳୁଜୁଳୁ କରି ଚାହିଁଥାନ୍ତି । କିଏ ପିଣ୍ଡାରେ ଭରା ଦେଇ, କିଏ ବସିପଡ଼ି ତ କିଏ ଶଗଡ଼ଟାକୁ ଆଉଜି ଶୁଣୁଥାଏ । ଏହା ଆଗରୁ ଆମ ଗାଁରୁ ଆଉ କୌଣସି ସ୍ତ୍ରୀ ଲୋକ ଶ୍ରୀକ୍ଷେତ୍ର ଯାଇ ନ ଥିଲେ । ବେହେରା ଘର ଓ ସାମଲ ଘର ବୁଢ଼ା ଦିହେଁ ବହୁବର୍ଷ ତଳେ ପୁରୀ ଯାଇଥିଲେ, କିନ୍ତୁ ତାଙ୍କ ଭିତରୁ କେହି ଏବେ ସଶରୀରେ ନାହାନ୍ତି । ସେ କୋଉ କାଳର କଥା ହେଲାଣି ।

 

ପଡ଼ିଶାଘରର ବୁଢ଼ୀଟିଏ ଚଉଁରା ପାଖରେ ସଞ୍ଜବତି ଦେବାବେଳେ ଗଳବସ୍ତ୍ର ହେବା ପରି ବେକ ଚାରିପଟେ ଲୁଗାକାନି ଗୁଡ଼େଇ ଲକ୍ଷ୍ମୀବୋଉର ପାଦଧୂଳି ନେଉ ନେଉ କହୁଥିଲା, “ଲକ୍ଷ୍ମୀବୋଉ, ତମେ ଆମ ପାଇଁ ମା ସୁଭଦ୍ରା । ସାତ ଜନ୍ମର ଦୋଷ ଧୋଇଦେଇ ତମେ ବଡ଼ଦାଣ୍ଡରୁ ଫେରିଛ । ମୋତେ କଲ୍ୟାଣ କର ।”

 

ନିଜର ଗୌରବକୁ ସେହିପରି ଅକ୍ଷୁଣ୍ଣ ରଖିବା ସାଙ୍ଗେ ସାଙ୍ଗେ ଗ୍ରାମବାସୀ ଓ ପଡ଼ୋଶୀମାନଙ୍କ ଅବସୋସର ଭାରାକୁ କିପରି ଲାଘବ କରିପାରିବେ, ସେ ନେଇ ଶବ୍ଦ ଖୋଜି ହେଉଥିଲେ ଲକ୍ଷ୍ମୀବୋଉ । ସତ କହିବାକୁ ଗଲେ ତାଙ୍କ ଜୀବନକାଳ ଭିତରେ ଯେ ସେ ନିଜେ ଶ୍ରୀକ୍ଷେତ୍ର ଯାଇ ଦିଅଁ ଦର୍ଶନ କରି ଆସିବେ, ଏ ବିଶ୍ୱାସ ନ ଥିଲା । ପୁଣି ରଥଯାତ୍ରା ଭିଡ଼ ଭିତରେ ତାଙ୍କୁ ବା ନେଇଥାନ୍ତା କିଏ ? ସେ କହିଲେ, ‘ସେ କଥା କାହିଁକି କହୁଛ ନେତବୋଉ, ଜଗାର ଡୋର ଲାଗିଲେ ସେ ଛାଆଁକୁ ଛାଆଁ ଟାଣି ନେବ । କେତେ କୁଷ୍ଠୀ, ଛୋଟା, ଅସମର୍ଥ ଦକ୍ଷିଣୀ ଯାତ୍ରୀ ପୁଣି ତ ବଡ଼ଦାଣ୍ଡରେ ଦିଶୁଥାନ୍ତି । ସେମାନେ ତ ବହୁ ଦୂର ରାଇଜରୁ ଆସିଥିବେ । ତା ମାୟା ଲାଗିଲେ କେହି ଅଟକେଇ ପାରିବେ ନାହିଁ । ନା ଘରଜଞ୍ଜାଳ ନା ରୋଗବଇରାଗ । ସେ ଚାହିଁଲେ ତମେ ଆର ସନ ଯାଇ ଦର୍ଶନ କରି ଆସିବ ।’

 

ଆର ସନ ଯେପରି ଆର ମୁହୂର୍ତ୍ତ ପରି ହାତପାଆନ୍ତାର ହୋଇ ଉଠିଥିଲା ନେତବୋଉ ପାଖରେ । ଆର ସନ କାହିଁକି, ଜଗନ୍ନାଥ ଦର୍ଶନର ପ୍ରତିଶ୍ରୁତି ମିଳିଲେ ସେ ଆରଜନ୍ମ ପାଇଁ ଅପେକ୍ଷା କରିଯିବ । ଯେତେ ଡେରି ହେଉ ପଛେ ଦର୍ଶନ ମିଳିବ, ଏଇ ଆଶା ଟିକକ କଣ କମ୍‌!

 

ଏମିତି ବହୁ ଆଶା ନେଇ ବଞ୍ଚି ରହୁଥିବା ଆମ ଗାଁବାସୀଙ୍କ ପାଇଁ ଆଉ ଗୋଟେ ନୂଆ ଆଶା ବଡ଼ କଥା ନୁହେଁ । ପୁଣି ଜଗନ୍ନାଥଙ୍କୁ ଦର୍ଶନ କରିବାର ଆଶା ତ ପ୍ରତି ଓଡ଼ିଆର ଆଜନ୍ମ ଅନ୍ତରଙ୍ଗ । ଲକ୍ଷ୍ମୀ ବୋଉଙ୍କ ତୁଣ୍ଡରୁ ସେଇ ଶ୍ରୀକ୍ଷେତ୍ରର ମାହାତ୍ମ୍ୟ ଶୁଣୁଶୁଣୁ ସେମାନେ ତଲ୍ଲୀନ ହୋଇ ପଡ଼ୁଥିଲେ ।

 

ନିଜର ଅନୁଭୂତିତକ ସବିସ୍ତାରେ କହିସାରିବା ପରେ ଲକ୍ଷ୍ମୀବୋଉ ଏବେ କ୍ଳାନ୍ତ ଅନୁଭବ କରୁଥିଲେ । ଘର ଲେଉଟାଣି ରାସ୍ତାରେ ଏ କ୍ଳାନ୍ତି ନ ଥିଲା । ଚାଲିବାରେ କ୍ଳାନ୍ତି ନ ଥାଏ, ପହଞ୍ଚିଗଲେ ଆସେ । ‘କାଲି ସକାଳୁ ଗାଧୋଇସାରି ନିର୍ମାଲ୍ୟ କୁଡ଼ୁଆ ଭାଙ୍ଗିବି । ତମେ ଯିଏ ଆସିବ ନିରିମାଇଲ ନେଇଯିବ ।’

 

ଢେର୍‌ ବେଳୁ ସଞ୍ଜ ହେଇଯାଇଥିଲା । ବୋହୂ ଚଉଁରାମୂଳେ ସଞ୍ଜବତି ଜାଳି ଦେଇଗଲାଣି-। ପଡ଼ିଶାଘର ଲୋକମାନେ ଜଣେ ଜଣେ ଉଠିକି ଗଲେଣି । ଲକ୍ଷ୍ମୀବୋଉ ମଶିଣା ଗୁଡ଼େଇ ଧରିଲେ । ପାନବଟାଟି ଉଠେଇବାକୁ ଗଲାବେଳେ ନଜର ପଡ଼ିଲା, ଓଳିତଳେ କିଏ ଜଣେ ଛିଡ଼ା ହେଇଛି । ଅନ୍ଧାର ଭିତରେ ଚିହ୍ନି ହେଉ ନାହିଁ ।

 

ଲକ୍ଷ୍ମୀବୋଉ ପଚାରିଲା ‘କିଏ ?’

 

କ୍ଷୀଣ ଉତ୍ତରଟିଏ, ଉତ୍ତର ନୁହେଁ ତ ଗୋଟିଏ ବିକଳ ଆର୍ତ୍ତନାଦ ପିଣ୍ଡା କଡ଼ରୁ ଶୁଭିଲା–ମୁଁ, ମୁଁ, ଚେମୀ ବାଉରାଣୀ ।

 

ଲକ୍ଷ୍ମୀ ବୋଉଙ୍କ ମନରୁ ସବୁ ସରାଗ ତୁଟିଗଲା । ଆଉ ଟିକକ ଆଗର ଯେତେ ଖୁସି, ଆନନ୍ଦ ସେସବୁ ଉପରେ କିଏ ଯେମିତି ପାଣି ଅଜାଡ଼ି ଦେଇଥିଲା । ଆଣ୍ଠୁକୁଢ଼ୀ ରାଣ୍ଡ ବାଉରାଣୀଟା, ସେ ଆସି ପୁଣି ତାଙ୍କ ଦାଣ୍ଡପିଣ୍ଡା ଛୁଇଁଲାଣି ! ବାର ବର୍ଷର ତପ ଶୁଖୁଆ ମୁଣ୍ଡରେ ଚାଲି ଯାଉଥିବା ଦେଖି ଲକ୍ଷ୍ମୀବୋଉ ଚିହିଁକି ଆସିଲେ, “ଖବରଦାର୍‌ କହୁଛି, ଆଗେ ସେ ପିଣ୍ଡା ଛାଡ଼ି ଠିଆ ହ । ରାତିଟାରେ ତୋ ବୋପା କଣ ଆସି ମୋ ଘରଦୁଆର ଧୋଇବ ?”

 

–ମା, ତମେ ପୁରସ୍ତମରୁ ଫେରିବା ଖବର ଶୁଣି ମୁଁ ଧାଇଁଚି । ମୁଁ ତ ପାତକିନୀ, ମୋ ମୁହଁ ଚାହିଁବା ବି ପାପ । ସେଇଯୋଗୁ ସଞ୍ଜ ଅନ୍ଧାରଯାଏ ଅପେକ୍ଷା କରି ଆସିଛି । ମୋତେ ଟିକେ ପା ଧୂଳି ଦିଅନ୍ତ ନାହିଁ ।

 

–ଏଁ !!

 

ଲକ୍ଷ୍ମୀ ବୋଉ ନିଜ ପାଦଯୋଡ଼ିକକୁ ଏମିତି ପଛକୁ ଘୁଞ୍ଚେଇ ଆଣିଲେ, ଯେମିତି ସେ ଦୁଇଟିକୁ କିଏ କାଟି ନେଇଯିବା ପାଇଁ ମାଡ଼ି ଆସୁଛି । ତାଙ୍କ ମୁହଁର ରଙ୍ଗ ବଦଳି ଯାଇ ସାରିଥିଲା । ‘ଛୋଟ ଲୋକଗୁଡ଼ାକଙ୍କର କି ବହପ ! ପାଦ ଧୂଳି ନେବାର ସାହସ କଲାଣି ?’

 

: ଯାଉଛୁ ନା ଏଠୁ ଦେଖିବୁ ! ଆଣ୍ଠୁକୁଢ଼ୀ, ଆଉ କାହାକୁ ପାଇଲୁନି ଯେ ମୋତେ ତୋ ଅଲକ୍ଷଣା ମୁହଁ ଦେଖେଇବାକୁ ଆସିଲୁ ଗୁରୁବାର ସଞ୍ଜଟାରେ । ଯା, ଭାଗ୍‌ ଏଠୁ । ନ ହେଲେ ଗରମପାଣି ଛାଟିଦେବି, କହୁଛି ।

 

ଚେମୀ ବାଉରାଣୀ କିନ୍ତୁ ଏଥିରେ ହାରିଗଲା ପରି ଆଦୌ ଦିଶୁ ନ ଥିଲା । ଆଣ୍ଠୁକୁଢ଼ୀ, ରାଣ୍ଡ, ବାଞ୍ଝ–ଏସବୁ ଗାଳି ତାକୁ ଖରାପ ଲାଗେ ନାହିଁ । ତାର ପିଲାପିଲି ନାହାନ୍ତି ବୋଲି ତାକୁ ସମସ୍ତେ ଆଣ୍ଠୁକୁଢ଼ୀ ଓ ବାଞ୍ଝ କହୁଛନ୍ତି । ଗେରସ୍ତ ବଞ୍ଚିଥିଲେ ସେ କଣ ଦିନକୁ ଶହେ ବାର ଏ ଗାଳି ଶୁଣୁଥାନ୍ତା ? ଦଇବ ମନ୍ଦ । ନ ହେଲେ ସିଏ ବି ପାଣୁ ବାଉରାଣୀ ଝିଅ । ସାତ ପୁଅରେ ସୁନାନାକୀ ଝିଅ ସେ କୁରୁପା ଅଗଣାରେ ଖେଳେଇଥାନ୍ତା । କୋଉ ଜନ୍ମର ପାପ ଯୋଗୁ ତାକୁ ଏସବୁ ଭୋଗିବାକୁ ହେଲା । ତାର ତେଣୁ ମୋକ୍ଷ ଲୋଡ଼ା । ଆଉ କିଛି ଲୋଡ଼ା ନାହିଁ । ତାର ଦରକାର ଏ ପାପୀ ଜନ୍ମରୁ ମୁକ୍ତି । ସେଥିପାଇଁ ସେ ଲକ୍ଷ୍ମୀ ବୋଉର ପାଦଧୂଳି ନେବା ପାଇଁ ଆସିଛି ।

 

ଚେମୀ ବାଉରାଣୀ ଗୋଟେ ନିରିମାଖୀ ମଣିଷ । ମଣିଷ ନୁହେଁ ତ ଆଞ୍ଜୁଳାଏ ହାହାକାର-। କୁରୁପାର ହାତ ଧରି ବାହା ହେଇ ଆସିବାର ଦିନକ ପରେ ସେ ବିଧବା ହେଲା । ଚଉଠି ରାତି ସୁଦ୍ଧା ତା ଜୀବନରେ ଆସିଲା ନାହିଁ । ଆଗରୁ ମା ବାପାଙ୍କୁ ଖାଇଥିଲା । ଗେରସ୍ତ ମରିଯିବା ପରେ ତାର କପାଳ ପୋଡ଼ିଗଲା । ସେଇଠୁ ସେ ଗ୍ରାମବାସୀଙ୍କ ଆଗରେ ପାଲଟିଗଲା ଗୋଟେ ମୂର୍ତ୍ତିମନ୍ତ ଦୁଷ୍ଟ ଗ୍ରହ, ଯାହାର ଛାଇ ପଡ଼ିଲେ କଅଁଳା ଛୁଆ ଦେହରୁ ରକ୍ତ ଶୁଖିଯିବ, ଗଛ ବି ମରିଯିବ । ମଣିଷଖାଇ ଡାହାଣୀ ପାଲଟିଗଲା ଚେମୀ ବାଉରାଣୀ ।

 

ଚେମୀ ବାଉରାଣୀ ଗାଁ ଦାଣ୍ଡ ଦେଇ ଯା ଆସ କରେ ନାହିଁ । ବଡ଼ି ଭୋରରୁ ନ ହେଲେ ମୁହଁସଞ୍ଜ ହେଲେ ସେ କାମକୁ ଯାଏ । କଣ କରେ, କାହା ପାଖେ ମୂଲ ଲାଗେ ଚେମୀ ବାଉରାଣୀ, ତା ଛଡ଼ା ଆଉ କେହି ଜାଣନ୍ତି ନାହିଁ । ମୁହଁ ଅନ୍ଧାର ଥାଉ ଥାଉ ଚେମୀ ଜଙ୍ଗଲ ଭିତରକୁ ଚାଲିଯାଏ ଯେ ଫେରେ ସଞ୍ଜ ଅନ୍ଧାର ହେଲେ । କାଠ କାଟେ, ଚେରମୂଳ ଗୋଟାଏ ନା ବାଘଭାଲୁଙ୍କ ସାଙ୍ଗେ କଥାଭାଷା ହୁଏ–ସେଇଟା ଜାଣିବା ମୁସ୍କିଲ । ମଶାଣି ମୁଣ୍ଡର ଭଙ୍ଗାରୁଜା ଗୋଟାଏ ଝାଟିମାଟି ଘର, ଦୂରରୁ ଦିଶେ ଗୋଟାଏ ଗାତ ପରି । ତାରି ଭିତରକୁ ଚେମୀ ପଶିଯାଏ ଜଙ୍ଗଲରୁ ଫେରି । ସେ ସେଠି କେବେଠୁଁ ରହୁଛି, ୟା ଭିତରେ ମରିହଜି ଗଲାଣି କି ନାହିଁ ସେ ଖବର ଗାଆଁର କେହି ରଖନ୍ତି ନାହିଁ ।

 

ସୁ ସୁ ପବନ ପିଟେ ମଶାଣି ପଦାଟାରେ । ବର୍ଷା ଛାଟେ । ବିଲୁଆ ଓ ହେଟାଙ୍କ ଗର୍ଜନ ଶୁଭେ । ଚେମୀ ତାର ଦରସିଆଁ ଲୁଗାକାନିଟାକୁ ଭିଡ଼ିଆଣି ଦୁଇ ହାତ ଛନ୍ଦି ବସି ରହେ । ତା ଦୁଇ ଆଖିର ଆଲୁଅରେ ଯାହା ଯେତିକି ପାଏ ଗୋଟେଇ ପାଟେଇ ଜଗି ବସେ । ଦୁର୍‌ ଦୁର୍‌ କହି ଘଉଡ଼ାଇ ଦିଏ ବୁଲା କୁକୁର ଓ ବିଲୁଆମାନଙ୍କୁ । ଚେମୀ ବାଉରାଣୀର ପାଟି ଶୁଣି ବିଲୁଆ ଓ କୁକୁର ଧାଇଁ ପଳାନ୍ତି । ଅନ୍ଧାର ଭିତରେ ଚେମୀ ଆଖି ବୁଜିଦିଏ । ସେ ଆଖିରେ ନିଦ ନାହିଁ କି ଲୁହ ନାହିଁ । ଆଞ୍ଜୁଳା ଆଞ୍ଜୁଳା ତତଲା ଦୀର୍ଘଶ୍ୱାସ ବାହାରି ଥଣ୍ଡା ପବନକୁ ଉଷୁମ କରିଦିଏ ।

 

ସେଇ ଚେମୀ । ଆଣ୍ଠୁକୁଢ଼ୀ, ବାଞ୍ଝ, ବିଧବା ଓ ଅଲକ୍ଷଣୀ ଚେମୀ ଲକ୍ଷ୍ମୀ ବୋଉର ପା’ଧୂଳି ନେବା ପାଇଁ ଧାଇଁ ଆସିଛି । ଏଇ ପା’ଧୂଳି ଟିକକ ମିଳିଲେ ସେ ମୋକ୍ଷ ପାଇଯିବ । ଏ ପାପୀ ଜନ୍ମରୁ ତରିଯିବ ।

 

ଲକ୍ଷ୍ମୀବୋଉ ଆହୁରି ବଡ଼ପାଟିରେ ଚିତ୍କାର କଲେ–ଯାଉଛୁ ନା ଅବିକା ଦେଖିବୁ ? ଅଲକ୍ଷଣୀ କୋଉଠିକାର ! ତାଙ୍କର ସବୁତକ ଆନନ୍ଦ ଓ ସରାଗ ବାଉରାଣୀକୁ ଦେଖିବାବେଳଠୁଁ କୁଆଡ଼େ ଚାଲିଯାଇଥିଲା ।

 

ଚେମୀ ବାଉରାଣୀ କିନ୍ତୁ ସେଇଠି ପଥର ଖଣ୍ଡେ ପାଲଟି ଯାଇଥିଲା । ପବନରେ ବି ହଲୁ ନ ଥିଲା ତା ସାତସିଆଁ ଶାଢ଼ିର ପଣତ । ଥରୁଟେ ଖାଲି, ଥରୁଟେ ସେ ପାଦଧୂଳି ନେଇ ଚାଲିଯିବ । ବଡ଼ଦାଣ୍ଡର ଧୂଳି ସେ । ଧୂଳି ନୁହେଁ ତ ବିଭୂତି । ସର୍ବାଙ୍ଗରେ ବୋଳି ହେଇପଡ଼ିଲେ ସେ ମୋକ୍ଷ ପାଇଯିବ । ଦିନରାତି ଏକାକାର କରି, ଛାତି ଉପରେ ପଥର ନଦି, ମଶାଣି ପଦାଟାରେ ଜିଅନ୍ତା ମୁର୍ଦ୍ଦାର ପରି ଆଉ ପଡ଼ି ରହିବାକୁ ହେବ ନାହିଁ । “ତମ ପୁଅ ରାଣ, ମା ସାଆନ୍ତାଣୀ । ମୋତେ ଏ ଜନ୍ମରୁ ମୁକ୍ତି ଦିଅ । ଥରୁଟେ ଏ ନିଆଶ୍ରୀ ଉପରେ ଦୟାକର ମା । ଦୟାକର । ମୁଁ ଆଉ କୌଣସି ଦିନ ତମକୁ କିଛି ମାଗିବି ନାହିଁ । ଥରୁଟେ ମୋ ଆଡ଼େ ଚାହଁ । ମୁଁ ଯେ ଆଉ ସହି ପାରୁନାହିଁ ମା ସାନ୍ତାଣୀ । ମୋତେ ମୁକ୍ତି ଦିଅ ।”

 

ଢେର୍‌ ଦିନ ହେଲାଣି ଚେମୀ ବାଉରାଣୀ ବିଷୟରେ କିଛି ଶୁଣି ନ ଥିଲେ ଲକ୍ଷ୍ମୀବୋଉ । ମଶାଣି ମୁଣ୍ଡରେ କୁକୁର ଓ ବିଲୁଆଙ୍କ ମେଳରେ ସେ ଅଛି, ଏଇ ଖବର ସେ ଜାଣନ୍ତି । ବହୁଦିନ ପରେ ଆଜି ସେଇ ଚେମୀ ବାଉରାଣୀ ଆସି ତାଙ୍କ ଦୁଆରମୁହଁରେ ଛିଡ଼ା ହେବ ସେକଥା ସେ କୌଣସିଦିନ କଳ୍ପନା କରି ନ ଥିଲେ । ତାଙ୍କ ଭିତରଟା କ୍ରୋଧ, ଅସୂୟା ଓ ଘୃଣାରେ ଭର୍ତ୍ତି ହୋଇଯାଉଥିଲା । ସେସବୁ ଭେଦି ଚେମୀ ବାଉରାଣୀର ବିକଳ ପ୍ରାର୍ଥନା ତାଙ୍କ ପାଖେ ଆଦୌ ପହଞ୍ଚୁ ନ ଥିଲା ।

 

ଘର ସାମ୍ନାରେ ବାଟଚଲା ରାସ୍ତା । ରାସ୍ତା କଡ଼ରେ ଦିଇଟା ବଡ଼ ବଡ଼ ଗଛ । ଗୋଟାଏ ତେନ୍ତୁଳି ଓ ଆରଟା ଚାକୁଣ୍ଡା ଗଛ । ଚାକୁଣ୍ଡା ଗଛଟାରେ କେବେ ଫୁଲ ଫଳ ଧରେ ନାହିଁ । କୋଉକାଳୁ ସେଇଟାକୁ ହାଣିଦେବେ ବୋଲି ବିଚାରିଲେଣି ଲକ୍ଷ୍ମୀବୋଉ । ଚାକୁଣ୍ଡା ଛାଇରେ ଅନ୍ୟ ଗଛପତ୍ର ଉଧାଏ ନାହିଁ । ପୁଅ କିନ୍ତୁ ଶୁଣେ ନାହିଁ । ଆଉ ଟିକିଏ ବଡ଼ ହେଇଗଲେ ଯନ୍ତ ହେବ । ଥାଉ, ଖରାବେଳେ ଛାଇ ଅରାକ ମିଳୁଛି ।

 

ଚେମୀ ବାଉରାଣୀ ପରି ଅଲୋଡ଼ା ସେଇ ଚାକୁଣ୍ଡା ଗଛର ଜୀବନ । ତାକୁ କେହି ଲୋଡ଼େ ନାହିଁ କି ତଡ଼େ ନାହିଁ ।

 

ପୁଅ ରାଣ ପକେଇ ଚେମୀ ବାଉରାଣୀ ଲକ୍ଷ୍ମୀବୋଉକୁ ଅଡ଼ୁଆରେ ପକେଇ ଦେଇଥିଲା । ଏଣୁ ମାଇଲେ ବ୍ରହ୍ମହତ୍ୟା, ତେଣୁ ମାଇଲେ ଗୋହତ୍ୟା । ବାଉରାଣୀ ହେଲେ ବି ମଣିଷ । କାଳେ ତା ରାଣ ଯଦି ପୁଅର କିଛି କ୍ଷତି କରେ !

 

ଲକ୍ଷ୍ମୀ ବୋଉ ଶେଷକୁ ସ୍ଥିର କଲେ, ଚେମୀ ବାଉରାଣୀକୁ ସେ ତାଙ୍କ ପାଦ ଛୁଇଁବାକୁ ଦେବେ ନାହିଁ । ସେ କାମ କଲେ ସାତ ଜନ୍ମରେ ବି ତାଙ୍କୁ ପାପରୁ ମୁକ୍ତି ମିଳିବ ନାହିଁ । ତାଙ୍କର ସେ ଅମୋକ୍ଷ ପିଣ୍ଡ ନିଆଁରେ ପୋଡ଼ିବ ନାହିଁ କି ପାଣିରେ ବୁଡ଼ିବ ନାହିଁ । ଶାଗୁଣା କୁକୁର ଝୁଣିଝୁଣି ଖାଇବେ । ସେ ସେପରି ପାପ କରିପାରିବେ ନାହିଁ କଦାପି ।

 

ତେଣୁ ସେ କହିଲେ, “ମୁଁ ଏଇ ଚାକୁଣ୍ଡା ଗଛକୁ ଛୁଇଁଦେଇ ଯାଉଛି । ତୁ ତାକୁ ଇ ଛୁଇଁକି ଯା । ବାଉରାଣୀ ଜନ୍ମ ପାଇଛୁ, ମୋତେ ଛୁଇଁବୁ କେମିତି ? ତୋତେ ପୁଣ୍ୟ ଅର୍ଜିବାକୁ ଦେଇ ମୁଁ ତ ଆଉ ଘୋର ପାତକ କରିପାରିବି ନାହିଁ । ତେଣିକି ତୋ ଭାଗ୍ୟ ।”

 

ନିଜର ଅସହାୟତା ଦର୍ଶାଇବାକୁ ଲକ୍ଷ୍ମୀବୋଉ ଆକାଶକୁ ଅନେଇଲେ । ଚାକୁଣ୍ଡା ଗଛଟାକୁ ଛୁଇଁବାରେ ତାଙ୍କର କୁଣ୍ଠା ସ୍ପଷ୍ଟ ଜଣା ପଡ଼ିଯାଉଥିଲା । କାରଣ କାଲିକି ଯେ ଏ ଚାକୁଣ୍ଡା ଗଛଟା ମରିଯିବ, ଏ ନେଇ ତାଙ୍କର ତିଳେ ହେଲେ ସନ୍ଦେହ ନ ଥିଲା । ଗଛଟା ମରିଯାଉ–ଏକଥା ସେ କେତେବାର ଚାହିଁଥିବେ । ସେଇଟିକୁ କାଟିଦେବା ପାଇଁ ମଧ୍ୟ ବହୁଥର ପୁଅକୁ କହିଥିବେ । ବାଞ୍ଝ ଗଛଟା–ଫୁଲ ନାହିଁ କି ଫଳ ନାହିଁ । ପୁଣି ଚାକୁଣ୍ଡାଗଛଟା ଥାଇ ଯାହା ନ ଥାଏ ସେଇଆ । ମାତ୍ର ଏସବୁ ସତ୍ତ୍ୱେ ଚାକୁଣ୍ଡା ଗଛଟାର ମୃତ୍ୟୁ ପାଇଁ ଯଥେଷ୍ଟ କାରଣ ସେ ଖୋଜି ପାଉ ନ ଥିଲେ । ଗୋଟାଏ ଅଲକ୍ଷଣୀ ବାଉରାଣୀ ପାଇଁ ସେ ଗଛଟାକୁ ମାରିଦେବେ ?

 

ଚେମୀ ବାଉରାଣୀ ସେଇପରି ଲୋଚାକୋଚା ହୋଇ ଦୁଇହାତ ଛନ୍ଦି ଛିଡ଼ା ହୋଇଥିଲା । ତାର ସେ କାକୁସ୍ଥ ଭଙ୍ଗୀରେ ନିଜେ କାକୁସ୍ଥ ଶବ୍ଦ ବି କାତର ବିମର୍ଷ ହେଇଯିବ । “ହଉ ମା ସାନ୍ତାଣୀ ତମ ଦୟା । ତମେ ସେଇ ଗଛରେ ପାଦ ଛୁଆଁଇ ଦିଅ । ତେଣିକି ମୋ ଭାଗ୍ୟ ।”

 

ଲକ୍ଷ୍ମୀ ବୋଉ ତରବରରେ ଡାହାଣ ଗୋଡ଼ ଉଠେଇ ଚାକୁଣ୍ଡାଗଛର ମୂଳକୁ ଗୋଇଠାଏ ଦେଲେ । ଯେମିତି ସେ ଗଛକୁ ନୁହେଁ ଅଲକ୍ଷଣୀ ଚେମୀ ବାଉରାଣୀକୁ ଗୋଇଠାଏ ଦେଉଛନ୍ତି । ତାପରେ ସେ ଘର ଭିତରକୁ ଧାଇଁ ଯାଇ ଘରର ଦାଣ୍ଡକବାଟ କିଳିଦେଲେ ।

 

ଶୁକ୍ଳପକ୍ଷର ଜହ୍ନ ଆକାଶରେ ଛେଉଣ୍ଡ ଛୁଆଟେ ପରି ଘୂରୁଛି ତାରାମାନଙ୍କ ମେଳାରେ । ଚେମୀ ବାଉରାଣୀ ଧାଇଁଯାଇ ସେଇ ଚାକୁଣ୍ଡା ଗଛଟାକୁ ଭିଡ଼ି ଧରିଲା ନିବିଡ଼ ଆଶ୍ଳେଷରେ । ତାର ବାହୁ ପେଶୀ ଟାଣ ହେଇଯାଇଥିଲା । ସତେକି ସେଇ ବିରାଟ ଗଛଟା ତା ଆଲିଙ୍ଗନ ଭିତରେ ପିଷ୍ଟ ହେଇଯିବ ! ବର୍ଷ ବର୍ଷ ଧରି ଯେ ଚେମୀ ବାଉରାଣୀ କାହାକୁ କୋଳେଇ ନାହିଁ, ଆଲିଙ୍ଗନ କରି ନାହିଁ, ବୋକ ଦେଇ ନାହିଁ, କାହାର ଆଖିରୁ ଲୁହ ପୋଛି ନାହିଁ, ଝାଳ ପୋଛି ଦେଇ ନାହିଁ କାହା ଦେହରୁ !

 

ଚାକୁଣ୍ଡା ଗଛର ପତ୍ରମାନେ ଟିକିଏ ଦୋହଲିଗଲେ ପବନରେ । ଚେମୀ ଆଲିଙ୍ଗନ ଶିଥିଳ କରିଆଣି ଏଥର ନିଜର ପଣତକାନିରେ ପୋଛିଦେଲା ସେ ଗଛର ଗଣ୍ଡିଟାକୁ । ଯେମିତି ଗଛ ନୁହେଁ, ଖଟଣିରୁ ଫେରିଥିବା କୁରୁପା ସେ । ଯେମିତି ଅଲୋଡ଼ା ଚାକୁଣ୍ଡା ନୁହେଁ, ତା କୋଳର ସାନପିଲା ସେ । ତାର ମୁହଁ ହାତ ଓ ଛାତି ଆଞ୍ଚୁଡ଼ି ପଡ଼ୁଥିଲା ଚାକୁଣ୍ଡାଗଛର କୁମ୍ଭୀରିଆ ପିଠି ଘଷିହେଇ, ସେଥିକୁ ତାର ନଜର ନାହିଁ । ଭୁଟୁରୁଭାଟୁରୁ ହୋଇ କଣ କହୁଛି ଆଉ ଗଛଟାକୁ କୋଳେଇ ଧରୁଛି । ତାକୁ ଦଣ୍ଡବତ କରୁଛି ପୁଣି ବୋକ ଦେଉଛି ।

 

“ଏଇଟା ବାୟାଣୀ ହେଇଗଲା ପରା !” ଚାକୁଣ୍ଡା ଗଛମୂଳକୁ ଚାହିଁଦେଇ ଲକ୍ଷ୍ମୀବୋଉ ମନକୁ ମନ କହିଲେ ଏବଂ ଝରକା ବନ୍ଦ କରିଦେଲେ ।

 

ଏଥର ଚେମୀ ଘୁଞ୍ଚି ଆସିଲା ଚାକୁଣ୍ଡା ଗଛ ପାଖରୁ । ଭୂଇଁରେ ଆଣ୍ଠୁମାଡ଼ି, ଗଳବସ୍ତ୍ର ହେଇ ପୁଣିଥରେ ପ୍ରଣାମ କଲା । ମୁଣ୍ଡ ବାଡ଼େଇଲା ରାସ୍ତା ଉପରେ ଓ ତାପରେ ଗଛକୁ ଚାହିଁ କହିଲା: “ମୋତେ ମୁକ୍ତି ଦିଅ ଠାକୁରେ । ତମେ ଦାରୁବ୍ରହ୍ମ । ମୋଅରି ପାଇଁ ଏଇ ଅପାଣ୍ଡବା ଗାଆଁକୁ ଆସିଛ ଠାକୁରେ । ଚେମୀକୁ ମୁକ୍ତି ଦିଅ । ସେ ଆଉ ପାରୁ ନାହିଁ । ତାକୁ ମୁକ୍ତି ଦିଅ ।” ଚେମୀ ବାଉରାଣୀର ଆଖିରୁ ଲୁହ ବୋହିଯାଉଛି । କପାଳ ଫାଟି ରକ୍ତ । କୋହରେ ରୁନ୍ଧି ହେଇଯାଉଚି ଶବ୍ଦ । କିନ୍ତୁ ସେ ସେହିପରି ମୁକ୍ତି ଲୋଡ଼ି ଚାଲିଛି । ସେହିପରି ନିବିଡ଼ ଆଶ୍ଳେଷରେ କୁଣ୍ଢେଇ ଧରିଛି ଗଛଟାକୁ, ଦାରୁବ୍ରହ୍ମ ମୋତେ ମୁକ୍ତି ଦିଅ, ଅଲକ୍ଷଣୀ, ପାତକିନୀକୁ ମୁକ୍ତି ଦିଅ, ମୁକ୍ତି ଦିଅ ।

 

ପାହାନ୍ତା ପାହାନ୍ତା ବେଳକୁ ହାଉଳି ଖାଇ ଲକ୍ଷ୍ମୀବୋଉ ବିଛଣାରୁ ଉଠିଲେ । ତାଙ୍କର ସେ ଚମକି ପଡ଼ିବା ଏତେ ଅସ୍ୱାଭାବିକ ଥିଲା ଯେ ଆର ଘରେ ଶୋଇଥିବା ପୁଅବୋହୂ ଏବଂ ବାଡ଼ିପଟେ ଶୋଇଥିବା କୁକୁର ଏକାସାଙ୍ଗରେ ଉଠିପଡ଼ିଲେ । ପୁଅବୋହୂ ଲକ୍ଷ୍ମୀ ବୋଉ ବିଛଣା ପାଖକୁ ଆସି ଦେଖିଲାବେଳକୁ ଗୋଟାପଣେ ସେ ଝାଳ ସରସର । ଦେହ ହାତ କମ୍ପୁଛି । ଡବ ଡବ କରି ଚାହିଁଛନ୍ତି କାନ୍ଥକୁ ।

 

ପୁଅ ଭାବିଲା ଚୋର କି ତସ୍କର ଦେଖି ବୋଉ ହାଉଳି ଖାଇଥିବ । କିନ୍ତୁ କବାଟ ଝରକା ତ ସବୁ ବନ୍ଦ ଅଛି ।

 

: ମୋତେ ଦାଣ୍ଡପିଣ୍ଡାକୁ ନେଇ ଚାଲରେ, ମୋତେ ଦାଣ୍ଡପିଣ୍ଡାକୁ ନେଇ ଚାଲ ! ଲକ୍ଷ୍ମୀ ବୋଉ ଏଇ କଥାପଦକ ଖାଲି ଗୁଣୁଗୁଣଉଛନ୍ତି । କେଶବାସ ବିପର୍ଯ୍ୟସ୍ତ । ପାଟିରୁ ଲାଳ ଓ କପାଳରୁ ଝାଳ ବୋହିଯାଉଛି । ପାନବୋଳଗୁଡ଼ାକ ଓଠ ଦୁଇକଡ଼େ ନିଗିଡ଼ ବିଚିତ୍ର ଦିଶୁଛି ତାଙ୍କର ମୁହଁ ।

 

: କିନ୍ତୁ ଏ ଅନ୍ଧାରରେ କୁଆଡ଼େ ଯିବ ବୋଉ ? –ପନ୍ଦରବର୍ଷର ଘରକରଣା ଭିତରେ ପୂର୍ବରୁ କେବେ ବି ଏଭଳି ଦୃଶ୍ୟ ଦେଖି ନ ଥିବା ବୋହୂ ଡରି ଡରି ପଚାରିଲା ।

 

ଲକ୍ଷ୍ମୀ ବୋଉ କାହାରି କଥା ନ ଶୁଣି ଆଗକୁ ମାଡ଼ି ଯାଉଥିଲେ । ତାଙ୍କର ଲୁଗାକାନି ଭୂଇଁରେ ଘୁଷୁରୁଥିଲା । ପଛେ ପଛେ ଲଣ୍ଠନଟା ଧରି ପୁଅ ବୋହୂ । ଲକ୍ଷ୍ମୀବୋଉ ଦାଣ୍ଡପିଣ୍ଡାରୁ ଓହ୍ଲେଇ ରାସ୍ତାକୁ ଗଲେ । ରାସ୍ତା ସେପଟ ଚାକୁଣ୍ଡା ଗଛ ପାଖେ ପହଞ୍ଚି ଥମ୍‌କରି ଛିଡ଼ା ହେଇଗଲେ-

 

ପୁଅ ଲଣ୍ଠନଟି ଧରି ବୋଉ ପାଖକୁ ଧାଇଁ ଯାଉଥିଲା ବେଳେ ବୋହୂ ପଚାରିଲା, ‘କଣ ହୋଇଛି ମାଆଙ୍କର ? ମୋତେ ଭାରି ଡର ମାଡୁଛି । କାହାକୁ ଟିକିଏ ଡାକନ୍ତ ନାହିଁ ?’

 

ବୁଢ଼ୀ ଦୁଇହାତ ପ୍ରସାରି ଗଛଟାକୁ ଚାହିଁଛନ୍ତି ହାଁ କରି । ‘ଦେଖୁଛୁରେ କୁସୁନି । ଚାକୁଣ୍ଡାଗଛରେ କିମିତି ମୂଳରୁ ଅଗଯାଏ ଫୁଲସବୁ ଭର୍ତ୍ତି ହେଇ ଯାଇଛି । ଚାକୁଣ୍ଡା ଦେହରୁ କିମିତି ଆସୁଛି ଚନ୍ଦନର ବାସ୍ନା । ଆରେ ଇଏ ଦାରୁବ୍ରହ୍ମରେ କୁସୁନି । ମୁଁ କି ପାପ କଲି ? ଦାରୁବ୍ରହ୍ମକୁ ଗୋଡ଼ରେ ଗୋଇଠା ମାଇଲିରେ କୁସୁନି... । ମୁଁ କି ପାପ କଲି ! ଦେଖୁଛୁ ନା ନାହିଁରେ । ଆକାଶର ତାରାସବୁ ଖସିପଡ଼ି ଏ ଗଛଡାଳରେ ଝୁଲୁଛନ୍ତି । ପ୍ରଣାମ କର ରେ କୁସୁନି ।” ଭୂଇଁରେ ଆଣ୍ଠୁମାଡ଼ି ଚାକୁଣ୍ଡା ଗଛଟାକୁ ପ୍ରଣାମ କରିବା ସାଙ୍ଗେ ସାଙ୍ଗେ ଲକ୍ଷ୍ମୀବୋଉ ଚେତା ହରେଇ ଗଛ କାଟିଲା ପରି ପଡ଼ିଗଲେ । ରାତିଟାରେ ଏପରି ବିପଦ ଆସି ପହଞ୍ଚିବ ବୋଲି କୁସୁନି କି ତାର ସ୍ତ୍ରୀ କେହି କଳ୍ପନା କରି ନ ଥିଲେ । ସେମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ, କାହିଁ କେଉଁଠି ଫୁଲ, କେଉଁଠି ତାରା ? କେଉଁଠି ବା ଚନ୍ଦନର ବାସ୍ନା ? ବୋଉ ଏ କଣ ସବୁ କହୁଛି ?

 

ବୋହୂ ଧାଇଁଗଲା କୂଅମୂଳକୁ । ବାଲ୍‌ତିରେ ପାଣି ଆଣି ଶାଶୂଙ୍କ ମୁହଁରେ ପାଣି ଛିଞ୍ଚିଦେଲା । କିଛି ସମୟ ପରେ ବୁଢ଼ୀଙ୍କର ଚେତା ଫେରିଲା । ଚାକୁଣ୍ଡା ଗଛ ଉପରେ ନଜର ପଡ଼ିବାକ୍ଷଣି ସେ ଖାଲି କହିଲେ, “ଚେମୀ ବାଉରାଣୀକୁ ଡାକିଆଣ” ଓ ତାପରେ ପୁଣି ମୂର୍ଚ୍ଛା ଗଲେ ।

 

ଚେମୀ ବାଉରାଣୀ ? ପ୍ରଥମେ କୁସୁନି ନିଜେ ମଧ୍ୟ ନିଜ କାନକୁ ବିଶ୍ୱାସ କରିପାରିଲା ନାହିଁ । ଏପରି ଗୋଟାଏ ଅଲକ୍ଷଣୀର ନାଁ ବୋଉ ତୁଣ୍ଡରେ ଧରିଲା କିପରି ? ସତ କହିବାକୁ ଗଲେ ଚେମୀ ବାଉରାଣୀ ଯେ ଆଜି ପର୍ଯ୍ୟନ୍ତ ବଞ୍ଚିଛି ସେକଥା କୁସୁନି ମନେ ରଖି ନ ଥିଲା ।

 

ବୋଉ ସାମ୍ନାରେ ଅଚେତ ହୋଇ ପଡ଼ି ରହିଛି । ପାହାନ୍ତା ହେଇ ଆସିଲାଣି । ଅନ୍ଧାର ତଥାପି ହଟିନାହିଁ । ଏତେବେଳେ ସେ ଚେମୀ ବାଉରାଣୀକୁ କୋଉଠୁ ପାଇବ ?

 

ଏହାପରେ ପ୍ରତିବେଶୀ କେତେଜଣ ଯୁବକ ଓ ବୟସ୍କ ମଣିଷଙ୍କ ସାଙ୍ଗରେ ମିଶି କୁସୁନି ମଶାଣିମୁଣ୍ଡକୁ ଯାଇଥିଲା । ମଶାଣି ସାରା ସେମାନେ ଚେମୀ ବାଉରାଣୀକୁ ଖୋଜିଥିଲେ । ଭଙ୍ଗା ଆଟିକା, ଖପୁରୀ, ହାଡ଼, ଛିଣ୍ଡା ହେଁସ, କନା, ଛାଞ୍ଚୁଣି, କାଠ ଅଙ୍ଗାରକୁ ନେଇ ମଶାଣିଟା ପଡ଼ିଥିଲା ସେହିପରି । କିନ୍ତୁ ଚେମୀ ବାଉରାଣୀ କାହିଁ ?

 

ଚେମୀ ବାଉରାଣୀର ଘର, ଘର ନୁହେଁ ତ ହାମୁଡ଼ି ପଡ଼ିଥିବା ଗୋଟେ ଖୋଲ ପେଟେଇ ମାଟିରେ ମିଶିଯାଇଥିଲା । ତା ଭିତରେ ଚାପି ହେଇଯାଇଥିଲା ଚେମୀର ଅସହାୟ ଘରକରଣା ।

 

ଚେମୀ ବାଉରାଣୀ ନ ଥିଲା ସେଇଠି । ପଲାଟି ଭାଙ୍ଗିରୁଜି ଯିବା ପରେ ସେ ଏଠୁ ପଳେଇ ଯାଇଛି ନା ସେ ପଳେଇଗଲା ପରେ ପରିତ୍ୟକ୍ତ ଏ ପଲାଟି ମାଟିରେ ମିଶିଯାଇଛି ତାହା ଜାଣିବାର ଉପାୟ ନ ଥିଲା ।

 

ଚେମୀ ବାଉରାଣୀ ଅଦୃଶ୍ୟ ହୋଇ ମିଳେଇ ଯାଇଥିଲା ପାହାନ୍ତିଆ ଶୀତଳ ପବନରେ ।

Image

 

ଝଡ଼

 

: ଆବେ ମାଇଚିଆଙ୍କ ପରି ସୁ ସୁଁ ହେଉଛୁ କଣ ବେ ! ହପ୍ତାଏ ହେଲା ଫଟା ଅଧୁଲିଟାଏ ବି ଦେଖା ନାହିଁ । ଓଲଟି ତୋ ପାଇଁ ପଚାଶ ଟଙ୍କା ଜୋରିମାନା ଦେବାକୁ ପଡ଼ିଲାଣି । ସଫା ସଫା କହ, ତୋର ମତଲବ କଣ ?

 

: ମୁଁ ନଈରେ ପାରୁନାହିଁ । ଧରା ପଡ଼ିଯାଉଛି । ଦରିଆ ଯିବି ।

 

: ଯାଉନୁ । ନଈରେ ଧରାପଡ଼ୁଛୁ ତ ଦରିଆରେ ତୋ ମାଇକିନାର ଦୋସ୍ତ ଅଛି ନା କଣ ବେ, ଛାଡ଼ିଦେବ । ଯୁଆଡ଼େ ଯାଉଛୁ ଯା, ମୋର କିନ୍ତୁ ରୋକଡ଼ ଲୋଡ଼ା । ବୁଝୁଛୁ ନା ନାଇ ବେ ! ଶୁଣ୍‌, ଦରିଆରେ ଯିବୁ ତ ଯା, ଡବଲ୍‌ଟିରେ ଯିବୁ ନାହିଁ । ନାଇଁ ତ ତୋ ପାଇଁ ପୁଣି ମାମୁକୁ ମିଠେଇଖର୍ଚ୍ଚ ଦେବାକୁ ହବ ।

 

ନା, ଚଟକଣା ମାରିନାହିଁ ରୂପେଶ ଦାଦା । କିନ୍ତୁ ସେଇଟା ବା ଆଉ କେତେକର ଥିଲା ? ଅଭ୍ୟାସବଶତଃ ନିଜ ଗାଲ ଆଉଁଶିବାକୁ ବାଁ ହାତଟି ଉଠି ଯାଇଥିଲା ଶମ୍ଭୁନାଥର । ରୂପେଶ ଦାଦାର କଥାଗୁଡ଼ାକ ସହି ହେଉନାହିଁ । କିଛି ନା କିଛି କରିବାକୁ ପଡ଼ିବ ।

 

ପକେଟ୍‌ରୁ ବିଡ଼ିକଠା ଓ ଦିଆଶିଲି କାଢ଼ି ଶମ୍ଭୁନାଥ ଖଣ୍ଡେ ବିଡ଼ି ଟାଣିନେଲା । ଝରକାବାଟେ ଟ୍ରେନ୍‌ ଭିତରକୁ ଆସୁଥିବା ପବନ ଯୋଗୁଁ ଦିଆଶିଲି କାଠିଟା ଦୁଇ ଦୁଇଥର ଲିଭିଗଲା । ସେ ଚିଡ଼ିଯାଇ ବିଡ଼ିଟାକୁ ପକେଟ୍‌ରେ ରଖିଦେଲା । ତାଙ୍କ ଖଟିରେ ଟ୍ରେନ୍‌କୁ ଦରିଆ କହନ୍ତି, ବସ୍‌କୁ ନଈ । କେତେଦିନ ହେଲା ସେ ବସ୍‌ରେ ପକେଟମାର ଅଭ୍ୟାସ କରିଥିଲା । ବେଳେବେଳେ ଭଲ ଦି ପଇସା ବି ଉପାର୍ଜନ ହେଉଥିଲା, କିନ୍ତୁ ଏଇ କେତେଦିନ ହେଲା ବେପାରବାଡ଼ି ପୂରା ଚୌପଟ । ଏକ ଛଦାମ ବି ହାତକୁ ଆସୁ ନାହିଁ । କାଳେ ଟ୍ରେନ୍‌ରେ ବଡ଼ କିଛି ଶିକାର ହାତ ଲାଗିବ, ଏଇ ମସୁଧାରେ ସେ ଏଇ ଟ୍ରେନ୍‌ରେ ଉଠିପଡ଼ିଛି । ଯାହାହେଲେ ବି କିଛି ଧରିବାକୁ ପଡ଼ିବ । ମାଲ ନ ହେଲେ ପାର୍ସଲ, ଆଟାଚି, ଭ୍ୟାନିଟି ବ୍ୟାଗ୍‌ କି ପର୍ସ ହେଲେ ଚଳିବ । ରୂପେଶ ଦାଦା ପାଖରେ ପହଞ୍ଚାଇଦେଲେ ଖିଟିଖିଟିରୁ ଦି ହପ୍ତା ମୁକ୍ତି ।

 

ହାୱଡ଼ା ଷ୍ଟେସନ୍‌ ପାଖ ହୁଗୁଳି କୂଳରେ ରୂପେଶ ଦାଦାର କବାଡ଼ି ବ୍ୟବସାୟ । ଭଙ୍ଗା ଲୁହା, ପୁରୁଣା କାଗଜ, ଟୁକୁଡ଼ା କାଚଠୁଁ ନେଇ ସବୁ ରକମର ଜିନିଷ ରୂପେଶ ଦାଦାର ଦୋକାନରେ ମହଜୁଦ । ସେ ଏସବୁ କିଣି ସପ୍ଲାଇ କରେ । ଟ୍ରକ୍‌ ଆସି ମାଲ୍‌ତକ ନେଇଯାଏ । ତେବେ ଏସବୁ କାରବାର ଉପରକୁ । ଏଇ କାରବାର କରି କଣ କେହି ସହରରେ ଭଲରେ ରହିପାରନ୍ତା ? ରୂପେଶ ଦାଦାର ବି ଦୋ ନମ୍ବରୀ ବିଜିନେସ୍‌ ଅଛି । ଯେତେସବୁ ଚୋରାମାଲ ଷ୍ଟେସନ୍‌ ବାଟେ ଆସେ ସେସବୁକୁ ସହର ଭିତରକୁ ପାର୍‌ କରିଦେବାରେ ସେ ଓସ୍ତାଦ । ହାତଘଣ୍ଟାଠୁ ଆରମ୍ଭ କରି ଆଟାଚି, ସୁନା ଓ ଦରକାର ହେଲେ ଚୋରା କାର୍‌ ସେ ରାତାରାତି ରଙ୍ଗ ବଦଳେଇ ପାର୍‌ କରିଦେବ-। ଦୋକାନ ପଛପଟକୁ ଗୋଟାଏ ଗ୍ୟାରେଜ୍‌ ଖାସ୍‌ ସେଇଥିପାଇଁ ଅଛି । ଭି.ସି.ପି., ରେକର୍ଡ ପ୍ଲେୟାର, ବ୍ଲୁ କ୍ୟାସେଟ୍‌, ଜେରକ୍‌ସ ମେସିନ୍‌, ଏମର୍‌ଜେନ୍‌ସି ଲାଇଟ୍‌, ମୋଟର ସବୁକିଛି ରୂପେଶ ଦାଦାର ଦୋକାନରେ ସୁଲଭ । ସମସ୍ତଙ୍କୁ ସେ ଜିନିଷ ବିକେ ନାହିଁ । ଗ୍ରାହକ ଦେଖି ବିକେ-। ପୁରୁଣା ଗ୍ରାହକମାନେ ଆସି ଦାଦାଠୁ ସେସବୁ ନେଇଯାଆନ୍ତି ।

 

କରମଣ୍ଡଳ ଏକ୍‌ସପ୍ରେସ୍‌ ଖୁବ୍‌ ଜୋର୍‌ରେ ଧାଇଁଛି । ଏ ଟ୍ରେନ୍‌ରେ ଆସିବାଟା ତା ପକ୍ଷେ ଠିକ୍‌ ହୋଇନାହିଁ ବୋଲି ଶମ୍ଭୁନାଥ ଭାବିଲା । ତାର ଏଇମିତି ହିଁ ସବୁ ଭୁଲ୍‌ ହୁଏ । ହାତସଫେଇ କାମ ପାଇଁ ଭିଡ଼ ପ୍ୟାସେଞ୍ଜର ଟ୍ରେନ୍‌ ସୁବିଧା । କିନ୍ତୁ ରୂପେଶ ଦାଦାର ଅପମାନିଆ କଥାଗୁଡ଼ାକ ତାକୁ ଏମିତି ଚିଡ଼େଇ ଦେଇଥିଲା ଯେ ସେ ଏସବୁ କଥା ଚିନ୍ତା କରିବାକୁ ବେଳ ପାଇ ନ ଥିଲା । ଷ୍ଟେସନ୍‌ରେ ଆସି ପହଞ୍ଚିଲାବେଳକୁ ଯେଉଁ ଟ୍ରେନ୍‌ଟା ପ୍ଲାଟ୍‌ଫର୍ମ ଛାଡୁଥିଲା ସେ ସେଇଥିରେ ଉଠି ପଡ଼ିଥିଲା । କରମଣ୍ଡଳଟା ନୂଆ ପ୍ଲାଟ୍‌ଫର୍ମରୁ ଛାଡ଼ୁଛି । ଏପଟେ ଗାର୍ଡ କି ପୁଲିସଙ୍କର ବେଶି ଆତଯାତ ନାହିଁ । ପୁରୁଣା ପ୍ଲାଟ୍‌ଫର୍ମରେ ସେମାନଙ୍କର ମେଳା ହରବକତ୍‌ ଲାଗିଥିବ । ଧରିବେ ମାନେ ନଙ୍ଗଳା ହେବାଯାଏ ଶୋଷିନେବେ । ଧର୍ମଛଡ଼ା ଗୁଡ଼ାକ ! –ଶମ୍ଭୁନାଥ ମନକୁ ମନ କହିଲା ।

 

ଟ୍ରେନ୍‌ର ଥଣ୍ଡା ପବନରେ ଶମ୍ଭୁନାଥର ରାଗ ଟିକେ ଶୀତଳ ପଡ଼ି ଆସୁଥିଲା । ରୂପେଶ ଦାଦାର ଟାଇଁଟାଇଁଆ ଗାଳିଗୁଡ଼ାକ କ୍ରମେ ପାଶୋର ହୋଇ ଆସୁଥିଲା । ସେ ଆଉ ଥରେ ଚେଷ୍ଟା କଲା ବିଡ଼ିଟା ଲଗେଇବା ପାଇଁ । ଏଥର ବିଡ଼ିଟା ଲାଗିଗଲା । ସେ ଖୁବ୍‌ ଜୋର୍‌ରେ କଳେ ବିଡ଼ି ଟାଣି ଧୂଆଁ ଛାଡ଼ିଲା ଓ ସ୍ୱସ୍ତିର ଦୀର୍ଘଶ୍ୱାସ ନେଲା । ତାପରେ ଦୁଇବାହା ଟେକି ଭିଡ଼ିମୋଡ଼ି ହେଲା, ଅଳସ ଭାଙ୍ଗିଲା ଓ ଚାରିଆଡ଼େ ତୀକ୍ଷ୍‌ଣ ନଜର ବୁଲେଇ ଆଣିଲା ।

 

ସେପଟେ ମୋଟୀ ସୁନ୍ଦରୀ ଝିଅଟିଏ ବସିଛି । ହସିଲାବେଳେ ତାର ଗୋଲ ଗୋଲ ଗାଲରେ ଭଉଁରି ଖେଳିଯାଉଛି । ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଛି । କ୍ଷଣକ ପାଇଁ ଶମ୍ଭୁନାଥର ନଜର ସେଇଠି ଲାଖିଗଲା । ଝିଅଟା ବି ଥରେ ଶମ୍ଭୁନାଥ ଆଡ଼େ ଚାହିଁଲା । ଦି ଜଣଙ୍କ ଆଖି ଭେଟାଭେଟି ହେଇଯିବା କ୍ଷଣି ଶମ୍ଭୁନାଥ ଅନ୍ୟଆଡ଼େ ନଜର ବୁଲେଇନେଲା । ତାପରେ ସେଇ ଡବା ଛାଡ଼ି ସେ ଅଲଗା ଡବାକୁ ଚାଲିଗଲା ଭିତର ବାଟଦେଇ ।

 

ଏସବୁ ମାୟାରେ ପଡ଼ିଲେ ରୂପେଶ ଦାଦାର ଚଟିମାଡ଼ ଖାଇବାକୁ ପଡ଼ିବ । ମା ଦକ୍ଷିଣେଶ୍ୱରୀ ତୁ ହିଁ ସାହା–ଶମ୍ଭୁନାଥ ମନକୁ ମନ କହିଲା ।

 

ଶମ୍ଭୁନାଥର ବୟସ ଏକୋଇଶ । ଘର ମିଦିନାପୁର ଅଞ୍ଚଳରେ । ଭଲ ବଙ୍ଗଳା, ଓଡ଼ିଆ ଓ ହିନ୍ଦୀ କହିପାରେ । ଇଂରାଜୀ ଶବ୍ଦ କିଛି ଶିଖିଛି, କାମ ଚଳେଇନେବା ଭଳି । ସପ୍ତମ ଯାଏ ପାଠ ପଢ଼ିଥିଲା । ତାପରେ ସ୍କୁଲରୁ ତାକୁ ନିକାଲି ଦିଆଗଲା । ସେ ଗୋଟେ କାହାଣୀ । ଥାଉ, ସେ କାହାଣୀର ଏ କାହାଣୀ ସହ ସମ୍ପର୍କ ନାହିଁ ।

 

ଏ ଡବାଟାରେ ପୂର୍ବ ଡବା ଅପେକ୍ଷା ଅଧିକ ଭିଡ଼ ଥିଲା । ଶମ୍ଭୁନାଥ ବାଥ୍‌ରୁମ୍‌ କଡ଼ରେ ଛିଡ଼ାହୋଇ ଶିକାର ଠିକଣା କଲା । କମ୍ପାର୍ଟମେଣ୍ଟରେ ସେ ମୁଣ୍ଡରେ କଳା ଛିଟପିନ୍ଧା ଆଉ ଗୋଟେ ହତିଆର୍‌ ବସିଛି । ଶ୍ୟେଃ, ତାଙ୍କ ଲାଇନ୍‌ରେ ବି ଭିଡ଼ ହେଲାଣି । ଏଠି ବି ନୋ ଭ୍ୟାକାନ୍‌ସି । ଗୋଟିଏ ଡବାରେ ଦି ଦିଇଟା ହତିଆର କଣ କରିବେ ?

 

ଗରମ ଚା, ସିଗ୍ରେଟ୍‌, ଗରମ୍‌ ଗରମ୍‌ ଚପ୍‌, ଅଣ୍ଡା, କଦଳୀ, ପେଟଭର୍ତ୍ତି ଥଣ୍ଡା ପଇଡ଼, ଗରମ ଗରମ ପରି ଶବ୍ଦ ଶୁଭୁଥିଲା ।

 

: ଟ୍ରେନ୍‌ଟା ଏ ଷ୍ଟେସନ୍‌ରେ ରହିବା କଥା ନୁହେଁ । ଚେନ୍‌ପୁଲିଂ ହୋଇଥିବ । କରମଣ୍ଡଳର ବି ଏଇ ହାଲ୍‌ । ମେରା ଭାରତ ମହାନ୍‌... ପାଖ ସିଟ୍‌ରେ ବସିଥିବା କଲେଜ ପଢ଼ୁଆ ଯୁବକ ଜଣକ ମନ୍ତବ୍ୟ ଦେଲା ।

 

: ଏ ଦେଶର ଭବିଷ୍ୟତ ଆଉ କିଛି ନାହିଁ । କୋଉଠି କିଛି ଶୃଙ୍ଖଳା ନାହିଁ, ନିୟମକାନୁନ୍‌ ନାହିଁ । କଣ ହେବ ?–ଖବରକାଗଜ ପଢ଼ୁଥିବା ବଙ୍ଗୀୟ ଭଦ୍ରଲୋକ ଜଣକ ଅନୁନାସିକ ସ୍ୱରରେ ପାଖ ଯୁବକକୁ ଉତ୍ତର ଫେରାଉଥିଲେ ।

 

ଶମ୍ଭୁନାଥ ଏ ପଲିଟିକ୍‌ସରେ ପଶେ ନାହିଁ । ଏହିପରି ଧଳାକୁର୍ତ୍ତା ଓ ଇସ୍ତ୍ରିକରା ଧୋତିପିନ୍ଧା ଅନେକ ବାବୁଙ୍କୁ ସେ ଜାଣେ । ରାଇଟର୍ସ ବିଲ୍‌ଡିଂ ପାଖରେ ସେମାନେ ଚା ପିଇ ଖବରକାଗଜ ପଢ଼ୁ ପଢ଼ୁ ଦପ୍ତର କାମ ସରିଯାଏ । ସେମାନଙ୍କ ପାଇଁ ତାର ଶ୍ରଦ୍ଧା କି ସମ୍ମାନ ନ ଥିଲା କି ଘୃଣା ବା ଈର୍ଷା ନ ଥିଲା । ମୋଟାମୋଟି ସେ ତା ବ୍ୟବସାୟ ଭିନ୍ନ ଅନ୍ୟ ସବୁକିଛି ପ୍ରତି ପ୍ରଚଣ୍ଡ ଭାବେ ନିସ୍ପୃହ ଥିଲା-। ତାର ଏବେ ଗୋଟାଏ ଚିନ୍ତା–କିମିତି ସେ ଛିଟ ସାର୍ଟିପିନ୍ଧା ହତିଆର୍‌ଟାକୁ ଏଠୁ ବିଦା କରିବ-। ନ ହେଲେ ଦରିଆ ପହଁରା ବି କୋଉ କାମରେ ଆସିବ ନାହିଁ । ଖଡ଼ଗପୁର ପାଖରେ ତାକୁ ଆଉ ଗୋଟେ କୋଉ ଡବା କି ଟ୍ରେନ୍‌କୁ ପଠାଇଦେବ । ଯାହା ମିଳିବ ଫିପ୍‌ଟି...ଫିପ୍‌ଟି ।

 

: କଣ ରାଜି ?

 

: ରାଜି ।

 

: ମିଲାଓ ହାତ୍‌ ।

 

କଳା ଛିଟପିନ୍ଧା ଟୋକାଟା ସାଙ୍ଗରେ ଶମ୍ଭୁନାଥ ହାତ ମିଳେଇଥିଲା । ଖଡ଼ଗପୁରଠାରେ ସେ ଓହ୍ଲେଇ ଯିବ । କଥା ଛିଣ୍ଡିଛି ।

 

ଶମ୍ଭୁନାଥ ଏଥର ଆସି ଗୋଟାଏ ସିଟ୍‌ ଆବୋରି ବସିଲା । କିନ୍ତୁ ତାକୁ ଦେଖୁ ଦେଖୁ ପାଖ ଲୋକଟି ଚିହିଙ୍କି ଉଠିଲା–ରିଜର୍ଭେସନ୍‌ ଅଛି ।

 

ଶମ୍ଭୁନାଥ ଅବଜ୍ଞା ଭଙ୍ଗୀରେ କହିଲା, “ରିଜର୍ଭେସନ୍‌ ରାତି ପାଇଁ ଦାଦା । ଏତିକିବେଳୁ ଶୋଇବ ନା କଣ ?”

 

ଲୋକଟି ମନେ ମନେ ବିଡ଼ିବିଡ଼ି ହୋଇ ନୀରବ ରହିଲା । ଶମ୍ଭୁନାଥ ଏମାନଙ୍କୁ ଚିହ୍ନେ । ଏମାନେ ଠିକ୍‌ ଭାବେ ପ୍ରତିବାଦ କରିପାରନ୍ତି ନାହିଁ । ଜଣେ ନ୍ୟାୟ ପାଇଁ ଲଢ଼ୁଥିବା ବେଳେ ଆଉ ଜଣେ ସହଯାତ୍ରୀ ତା ପିଠିରେ ପଡ଼େ ନାହିଁ । ଏଠି ମଧ୍ୟ ସେଇଆ ହେବ । ରିଜର୍ଭେସନ୍‌ ନ ଥାଇ ମଧ୍ୟ ସେ ଆରାମରେ ଏଠି ବସି ବସି ଯିବ । ଇଚ୍ଛା ହେଲେ ଗୋଡ଼ହାତ ଲମ୍ବେଇ ଶୋଇବ । ଲୋକଟି କିଛି କରିପାରିବ ନାହିଁ । ଖୁବ୍‌ ବେଶିରେ ଟି.ଟି.ଇ.କୁ କହିବ । କିନ୍ତୁ ଟି.ଟି.ଇ. ତ ଶମ୍ଭୁନାଥର ଶତ୍ରୁ ନୁହେଁ । ଥାଉ, ତାର ବା ଶୋଇବାକୁ କୋଉଠି ବେଳ ଅଛି ?

 

ହଠାତ୍‌ ଶମ୍ଭୁନାଥର ଆଖିଯୋଡ଼ାକ ଉଜ୍ଜ୍ୱଳି ଉଠିଲା । ସେ ପକେଟ୍‌ରୁ ଆଉ ଗୋଟାଏ ବିଡ଼ି କାଢ଼ି ଲଗେଇଲା । ଚଟାପଟ୍‌ ବିଡ଼ିଟାରେ ନିଆଁ ଧରିଗଲା । ଦୁଇ ଚାରି କଳ ବିଡ଼ି ଟାଣି ସେ ପୁଣିଥରେ ତା ଶିକାରକୁ ଚାହିଁଲା ।

 

ଝର୍କା ପାଖ ସିଟ୍‌ରେ ବୁଢ଼ୀଟେ ବସି ଢୁଳଉଛି । ତା ଗୋଡ଼ ପାଖରେ ଥୁଆ ହୋଇଛି ଗୋଟାଏ ଅଖା ବ୍ୟାଗ୍‌ । ଭିତରେ ଥୋଡ଼ାଏ ଜିନିଷପତ୍ର ଅଛି । ସବା ଉପରେ ବୁଢ଼ୀର ଟଙ୍କାମୁଣା ଗୋଟାଏ ପୁରୁଣା ଭ୍ୟାନିଟି ବ୍ୟାଗ୍‌ । ଟଙ୍କାମୁଣାଟା ଉପରେ ନଜର ପଡ଼ିବାକ୍ଷଣି ଶମ୍ଭୁନାଥର ହାତଆଙ୍ଗୁଳି ସଲସଲ ହେଲା ।

 

କିନ୍ତୁ ଏ ବେପାରରେ ତରବର ହେଲେ ଚଳେ ନାହିଁ । ଧୀରେ ଧୀରେ ଆଗେଇବାକୁ ପଡ଼ିବ । ଯେମିତି ଶିକାର ଚଙ୍କି ନ ଯାଏ କି ହୁସିଆର ହୋଇ ନ ଯାଏ । ନ ହେଲେ ସବୁ ଭଣ୍ଡୁର ହୋଇଯିବ । ଏତେଗୁଡ଼ିଏ ପରିଶ୍ରମ ବୃଥା ହେବ ।

 

ଶମ୍ଭୁନାଥ ବୁଢ଼ୀର ପାଖାପାଖି ହେବା ପାଇଁ ଚେଷ୍ଟା କଲା । ନିଜ ସିଟ୍‌ରୁ ଉଠି ସେ ବୁଢ଼ୀ ପାଖକୁ ଯିବା ପାଇଁ ବାହାରିଲା । ତା କହୁଣି ବାଜି ସାନ ପିଲାଟିଏ ପଡ଼ିଗଲା । ଶମ୍ଭୁନାଥ ‘ସରି’ କହି ପୁଣି ଆଗକୁ ଧପାଲିଗଲା ।

 

ଏବେ ତା ଭିତରେ ଓ ବୁଢ଼ୀ ଭିତରେ ବେଶି ବ୍ୟବଧାନ ନ ଥିଲା । ବୁଢ଼ୀ ବସିଥିଲା ସାମ୍ନା ସିଟ୍‌ରେ । ବେଳେବେଳେ ମୁଣ୍ଡଟି ପିଟିହୋଇ ଯାଉଥିଲା ଝରକା ରେଲିଂରେ ଓ ବୁଢ଼ୀଟି ଚମକି ଉଠିପଡ଼ୁଥିଲା ।

 

ଶମ୍ଭୁନାଥ ପଚାରିଲା, “କୁଆଡ଼େ ଯିବ କି ମାଉସୀ ?”

 

: ଖୁର୍ଦ୍ଧାରୋଡ ଯିବିରେ ବାପା । ରାତିସାରା ଶୋଇପାରି ନାହିଁ । ସେଇଯୋଗୁ ଆଖି ବୁଜିପଡ଼ୁଛି । ତମେ ପୁଅ କୁଆଡ଼େ ଯିବ ?

 

: ମୁଁ... ମୁଁ ବି ଖୁର୍ଦ୍ଧାରୋଡ ଯିବି ମାଉସୀ । ଭଲ ହେଲା, ସାଙ୍ଗହୋଇ ଯିବା ।

 

: ଜଗନ୍ନାଥେ ତୋତେ କୋଟି ପରମାୟୁ ଦେଇଥାନ୍ତୁ ରେ ପୁଅ । ମୋତେ ଟିକେ ବାପା ଖୁର୍ଦ୍ଧାରୋଡରେ ଡାକିଦେବୁ ।

 

ଇଏ ବଢ଼ିଆ ମଉକା । ଏମିତି ମଉକା ବାରମ୍ବାର ଆସେ ନାହିଁ । ଶିକାର ଆସି ନିଜେ ପହଞ୍ଚୁଛି ଶିକାରୀ ପାଖରେ । ଶମ୍ଭୁନାଥ ଏବେ ନିଜର ସଫଳତା ନେଇ ନିଶ୍ଚିତ ହୋଇଗଲା ।

 

ଶମ୍ଭୁନାଥର ବାପା ଡାକପିଅନ କାମ କରୁଥିଲା । ତିନିବର୍ଷ ତଳୁ ରିଟାୟାର୍ଡ ହୋଇଗଲାଣି-। ଶମ୍ଭୁନାଥକୁ ଡାକପିଅନ କାମଟା ବିରକ୍ତିକର ଓ ମାମୁଲି ମନେହୁଏ । ଏ କାମଟାରେ କିଛି ଉତ୍ତେଜନା ନାହିଁ, କିଛି ବାହାଦୁରୀ ନାହିଁ । ଏଠୁ ସେଠୁ ବୁଲି ଚିଠି ବାଣ୍ଟିବାଟା ବା କୋଉ କଷ୍ଟକର କାମ !

 

ଶମ୍ଭୁନାଥ ଏବେ ଅନେକ ଦିନ ହେଲା ଘରକୁ ଯାଇନି । ଯିବାର ପ୍ରୟୋଜନ ପଡ଼ି ନାହିଁ । ରୂପେଶ ଦାଦା ଅଛି ତ ତାର କିଛି ଚିନ୍ତା ନାହିଁ । ଘରକୁ ଗଲେ ସେ ରୁଦ୍ଧଶ୍ୱାସ ହୋଇଯାଏ । ସବୁବେଳେ ଅଭାବ ଅଭାବ । ସକାଳୁ ରାତିଯାଏ ସେଇକଥା । ଶମ୍ଭୁନାଥକୁ ସେସବୁ ଭଲଲାଗେ ନାହିଁ ।

 

ବୁଢ଼ୀଟି ବ୍ୟାଗ୍‌ରୁ ଟଙ୍କାମୁଣା ବାହାର କଲା । ସେଥିରୁ ଖିଲେ ପାନ କାଢ଼ି କଳରେ ଗୁଞ୍ଜିଲା ଓ ମୁଣାଟିକୁ ପୁଣି ବ୍ୟାଗ୍‌ ଭିତରେ ରଖିଦେଲା । ବୁଢ଼ୀଟି କିଛି କଥା ଆରମ୍ଭ କରିବାକୁ ଚାହୁଁ ଥିଲା । ଶମ୍ଭୁନାଥ କିନ୍ତୁ ବୁଢ଼ୀ ସାଙ୍ଗେ ଗପସପ କରିବାକୁ ଆଗ୍ରହୀ ନ ଥିଲା । ବରଂ ବୁଢ଼ୀ ଘୁମେଇ ପଡ଼ିଲେ ତାକୁ ସୁବିଧା । ସେ ତେଣୁ ମିଛରେ ଆଖିବୁଜି, ସିଟ୍‌କୁ ଆଉଜି ଶୋଇବାର ଉପକ୍ରମ କଲା-

 

ବୁଢ଼ୀଟିର ବୟସ ସତୁରି ପାଖାପାଖି । ଦୁର୍ବଳିଆ ମଣିଷ । ଧଳାଶାଢ଼ି ଖଣ୍ଡେ ପିନ୍ଧିଛି, ବେକରେ ତୁଳସୀମାଳ । ଏ ବୁଢ଼ୀ ପାଖରେ ବା କେତେ ଟଙ୍କା ଥିବ ? ଶମ୍ଭୁନାଥ ଆଖିବୁଜି ବୁଢ଼ୀପାଖେ ଥବା ଟଙ୍କାପଇସାର କଳନା କରୁଥିଲା ।

 

ଟ୍ରେନ୍‌ଟି ଖୁବ୍‌ ଦ୍ରୁତଗତିରେ ଧାଇଁଛି । ବାହାରେ ବର୍ଷା ଆରମ୍ଭ ହୋଇଯାଇଛି କିଛି ସମୟ ପୂର୍ବରୁ । ଶମ୍ଭୁନାଥ ଯୋଜନା ତିଆରି କଲା ଓ ପକେଟ୍‌ରୁ ସ୍ପେଶାଲ ପାନ ବାହାର କଲା । ଏଇଥିରୁ ଖଣ୍ଡେ ବୁଢ଼ୀକୁ ଦେବାକୁ ପଡ଼ିବ । ଶମ୍ଭୁନାଥ ପାଖରେ ସ୍ପେଶାଲ ପାନ, ସ୍ପେଶାଲ ସିଗ୍ରେଟ୍‌ ଓ ସ୍ପେଶାଲ ମସଲା ଥାଏ । ସ୍ଥାନ, କାଳ ନେଇ ସେ ସେଗୁଡ଼ିକର ଇସ୍ତେମାଲ୍‌ କରେ ।

 

ଡବାଟାରେ ବେଶ୍‌ ଭିଡ଼ । ସେପଟେ ଅନ୍ଧ ଭିକାରିଟିଏ ଜଣାଣ ବୋଲୁଛି । ତା ପଛେ ପଛେ ଭିକାରିର ସାଙ୍ଗ ପଇସା ଆଦାୟ କରୁଛି । ଚା ଓ ପାନବାଲାମାନେ ଉଠିଥିଲେ । ତାଙ୍କର ଢଙ୍ଗରଙ୍ଗ ଦେଖିଲେ ଶମ୍ଭୁନାଥକୁ ହସ ମାଡ଼େ । ଅବଶ୍ୟ ଶମ୍ଭୁନାଥ ପାଖକୁ ସେମାନେ ଆସନ୍ତି ନାହିଁ-। ଶମ୍ଭୁନାଥ ସେମାନଙ୍କୁ ଚିହ୍ନେ । କାହାର ଛାତି ତ କାହାର ପେଟତଳେ ଲୁଚା ହୋଇଥାଏ ଚୋରା ଗଞ୍ଜେଇ, ଅଫିମ ଓ ଚରସ । ସେଇତକ ଏପଟ ସେପଟ କରିଦେଲେ ଭଲ ଦି ପଇସା ମିଳେ । କିନ୍ତୁ ସେଥିପାଇଁ କଲିଜା ଦରକାର ।

 

ଶମ୍ଭୁନାଥର ଏବେ ଆର ଡବାଟାର ସେ ମୋଟୀ ଝିଅକଥା ମନେ ପଡ଼ୁଥିଲା । ଆଉଥରେ ଯାଇ ଦେଖିଆସିଲେ ହୁଅନ୍ତା । କଣ ଦେଖିବ ? ଛବିକୁ ଦେଖିଲେ କଣ ପେଟ ପୂରେ ? ନା ଥାଉ । ବେପାର ସାରି ଫେରିଲେ ନାଇଟ୍‌ ସୋ ସିନେମା ଦେଖି ଯିବ । ହିନ୍ଦୀ ସିନେମା ତାକୁ ଭଲ ଲାଗେ, ମାଧୁରୀ ଦୀକ୍ଷିତର ସେ ଯେଉଁ ଠାଣି..., ବାଃ ବାଃ, ମାନିବାକୁ ହେବ ।

 

ଫିଲ୍ମରେ ମିଶିଥିଲେ ଭଲ ହୋଇ ନ ଥାନ୍ତା ? ମଝିରେ ମଝିରେ ଏମିତି କିଛି ଉଦ୍ଭଟ ଯୋଜନା ସମ୍ପର୍କରେ ସେ ଭାବେ । ରୂପେଶ ଦାଦା ଖଟିର ଏ କାମଟା ଉପରେ କି ଭରସା ଅଛି ? କେତେବେଳେ ରୂପେଶ ଦାଦା ଭିତରକୁ ଚାଲିଗଲେ ସେ କଣ କରିବ ?

 

ବୁଢ଼ୀ ପାଟିରୁ ପାନ ସରିଗଲାଣି । ଶମ୍ଭୁନାଥ ପାନଖଣ୍ଡେ ବାହାରକରି ବଢ଼େଇଦେଲା–ନିଅ ମାଉସୀ, ଭଲ ପାନ । ବୁଢ଼ୀଟି ଶମ୍ଭୁନାଥ ହାତରୁ ପାନ ହେଲା ଓ କଳରେ ଜାକିଦେଲା । ଝୁଲାରୁ ପାଣି ବୋତଲ କାଢ଼ି ହାତ ଧୋଇଲା ଓ ଦକ୍ଷିଣକାଳୀଙ୍କ ଭୋଗ କାଢ଼ି ସେଥିରୁ ଟିକେ ଶମ୍ଭୁନାଥ ହାତକୁ ବଢ଼େଇଦେଲା ।

 

ଶମ୍ଭୁନାଥ ଏସବୁ ପାଇଁ ପ୍ରସ୍ତୁତ ନ ଥିଲା । ଚଟ୍‌କରି ସେ ଭୋଗଟିକୁ ବୁଢ଼ୀ ହାତରୁ ନେଇ ପାଟିରେ ପକେଇଦେଲା । ହଠାତ୍‌ ତାର ମନେହେଲା ଏ ଭୋଗରେ କିଛି ଯେପରି ମିଶାଇ ଦିଆଯାଇଛି । ବୁଢ଼ୀଟା ବି କଣ ଗୋଟେ ହତିଆର ? ସେ ବୁଢ଼ୀଠୁ ନା ବୁଢ଼ୀ ତାଠୁଁ ଲୁଟିନେବାକୁ ଚାହୁଁଛି ? ବୁଢ଼ୀ କଣ ଲୁଟିନେବ ଶମ୍ଭୁନାଥ ପାଖରୁ ? କଣ ଅଛି ଶମ୍ଭୁନାଥ ପାଖରେ ? ଶମ୍ଭୁନାଥର ତଣ୍ଟି ଶୁଖି ଯାଉଥିଲା । ସେ ବେସିନ୍‌ ପାଖକୁ ଉଠିଯାଇ ମୁହଁହାତ ଧୋଇଲା । କପାଳରେ ପାଣି ଦେଲା ଓ ଫେରିଆସି ବସି ପଡ଼ିଲା ।

 

ତିନି ମିନିଟ୍‌ ଯାଇଥିବ, ବୁଢ଼ୀ ପାନଟାକୁ ଅଧାଚୋବା ଅବସ୍ଥାରେ ହିଁ ପାଟିରୁ ବାହାରକରି ଫୋପାଡ଼ିଦେଲା । ଶମ୍ଭୁନାଥ ଆଖିବୁଜି ଏଥର ବୁଢ଼ୀକୁ ଲକ୍ଷ୍ୟ କଲା । ତାର ପାନ କରାମତି ଦେଖାଇଛି । ବୁଢ଼ୀ ମୁଣ୍ଡଟାକୁ ଚାପି ଧରୁଛି । ପାଣିବୋତଲ ଉଣ୍ଡାଳୁଛି । ବୋତଲରେ ପାଣି ନାହିଁ । ବୋଧହୁଏ ଉଠିକି ଯାଉଛି ବେସିନ୍‌ ପାଖକୁ । ସେଠୁ ଫେରିବା ପରେ ବୁଢ଼ୀ ଶୋଇବ ହିଁ ଶୋଇବ । ତିନି ଚାରିଘଣ୍ଟା ପର୍ଯ୍ୟନ୍ତ ସେ ନିଦ ଭାଙ୍ଗିବ ନାହିଁ । ପର ଷ୍ଟେସନ୍‌ରେ ଶମ୍ଭୁନାଥ ଓହ୍ଲେଇଯିବ ।

 

ହଠାତ୍‌ ଟ୍ରେନ୍‌ଟା ବିକଟ ଚିତ୍କାର କରି ଅଟକିଗଲା । କମ୍ପାର୍ଟମେଣ୍ଟ୍‌ ସାରା ବିସ୍ମୟ ଓ ପ୍ରଶ୍ନବାଚୀ । ମଝିରାସ୍ତାରେ କିଏ କାହିଁକି ଚେନ୍‌ ଟାଣିଲା ? ଶମ୍ଭୁନାଥ ଆଶ୍ଚର୍ଯ୍ୟ ହେଲା । କେହି ଜଣେ ଖବର ଦେଲା, ବୁଢ଼ୀଟିଏ ଟ୍ରେନ୍‌ରୁ ଖସିପଡ଼ିଛି । ଲୋକମାନଙ୍କ ଭିତରୁ କିଛି ଓହ୍ଲେଇ ପଛକୁ ଧାଉଁଥିଲେ । ଆହା... ଚୁ..ଚୁ ଶବ୍ଦରେ ଡବାଟା ଭରିଗଲା । କିଏ କହୁଥିଲା ବେହୋସ୍‌ ହୋଇଯାଇଛି, କିଏ କହୁଥିଲା ମରିଯାଇଛି, ଆଉଜଣେ କହୁଥିଲା ମୁଣ୍ଡଗଣ୍ଡି ଦି ଗଡ଼ ହୋଇଯାଇଛି-

 

ଶମ୍ଭୁନାଥ ସାମ୍ନା ସିଟ୍‌କୁ ଚାହିଁଲା । ବୁଢ଼ୀ ଫେରି ନାହିଁ । ବେସିନ୍‌ ପାଖର ଦୁଆରଟା ଖୋଲା ଥିଲା । ବୁଢ଼ୀର ମୁଣ୍ଡ ବୁଲେଇ ଦେଇଛି ଓ ବୁଢ଼ୀ ପଡ଼ିଯାଇଛି । ଆଉ ଭାବିବାକୁ ସମୟ ନାହିଁ । ଏଇଟା ହିଁ ଠିକ୍‌ ମଉକା । ଶମ୍ଭୁନାଥ ବୁଢ଼ୀର ବ୍ୟାଗ୍‌ଟାକୁ ଧରିଲା ଓ ଉତ୍ସୁକ ଲୋକଙ୍କ ମେଳରେ ଟ୍ରେନ୍‌ରୁ ଓହ୍ଲେଇଗଲା ।

 

ଶମ୍ଭୁନାଥ କଦାପି ଭାବି ନ ଥିଲା ଯେ ବୁଢ଼ୀର ଏଇ ଅଖା ତିଆରି ବ୍ୟାଗ୍‌ ଭିତରେ ହଜାରେ ଏକାନବେ ଟଙ୍କା ଥିବ । ତା ସାଙ୍ଗରେ ଲୁଗାପଟା, ଔଷଧ, ଦକ୍ଷିଣକାଳୀ ଭୋଗ ଓ ଗୋଟେ ପାଣିବୋତଲ । ଶମ୍ଭୁନାଥ ସେସବୁ କାଢ଼ି ଫିଙ୍ଗିଦେଲା । ବ୍ୟାଗ୍‌ଟାକୁ ଫିଙ୍ଗିବାକୁ ଯାଉଥିଲାବେଳେ ନଜର ପଡ଼ିଲା ଅଖାବ୍ୟାଗ୍‌ ଉପରେ । ବଙ୍କା ଦେଢ଼ିଆ ଅକ୍ଷରରେ କେହିଜଣେ ବୁଢ଼ୀର ଠିକଣା ଖଣ୍ଡିଏ କାଗଜରେ ଲେଖି ଅଠାରେ ଲଗେଇ ଦେଇଛି । ବତିଖୁଣ୍ଟ ପାଖକୁ ଯାଇ ଶମ୍ଭୁନାଥ ଠିକଣାଟାକୁ ପଢ଼ିବା ପାଇଁ ଚେଷ୍ଟା କଲା । ପାର୍ବତୀ ଦେଈ, ଗ୍ରାମ-ଲୋକପାଳ, ଭାୟା-ବାଜପୁର, ଜି-ପୁରୀ । ହଠାତ୍‌ ଶମ୍ଭୁନାଥର ଭିତରେ କିଏ ଜଣେ ହାତୁଡ଼ିରେ ପାହାରେ ଯେପରି କଷିଦେଲା । ସେ ସ୍ତବ୍‌ଧ ହୋଇ ଛିଡ଼ା ରହିଲା । ପାର୍ବତୀ ଦେଈ...ଏଇ ନାଁଟା ହିଁ ଥିଲା ତାର ସବୁ ଦୁଃଖର କାରଣ । ଏଇଟା ଥିଲା ଶମ୍ଭୁନାଥର ନିଜ ମାଆର ନାଁ । ମାଆର ବାମହାତ କହୁଣି ତଳକୁ ସେ ଚିତା କୁଟେଇ ଲେଖିଥିଲା ପାର୍ବତୀ ଦେଈ, ବଡ଼ ବଡ଼ ହରଫରେ । ଟ୍ରେନ୍‌ରୁ ଓହ୍ଲେଇବା ପରେ ଶମ୍ଭୁନାଥ ଧାନବିଲ ଦେଇ ରାଜପଥକୁ ଚାଲି ଆସିଥିଲା । ରାତି ଆଠଟା ବାଜିଲାଣି । କରମଣ୍ଡଳ ଟ୍ରେନ୍‌ ଭଦ୍ରକ ଟପି ଆଗକୁ ଚାଲିଗଲାଣି । ଶମ୍ଭୁନାଥ ଗୋଟାଏ ଲାଇଟ୍‌ପୋଷ୍ଟ୍‌କୁ ଆଉଜି ଟିକିଏ ଦମ୍‌ ନେଲା । ଏବେ ତାର ମନେ ପଡ଼ୁଥିଲା ତା ମାଆର କଥା, ତା ଘର କଥା ଓ ସାନ ସାନ ଭାଇ ଭଉଣୀଙ୍କ କଥା ।

 

ଯେଉଁ ବ୍ୟାଗ୍‌ଟିକୁ ହାତେଇବା ପାଇଁ ସେ ଗଲା ଛ ଘଣ୍ଟାକାଳ ଅପେକ୍ଷା କରିଥିଲା, ଏବେ ସେଇ ବ୍ୟାଗ୍‌ଟା ତା ହାତରେ । ଅଥଚ ସେ ଯେତିକି ଖୁସି ହେବାକଥା ସେତିକି ଖୁସି ହୋଇପାରୁ ନାହିଁ । କାହିଁକି ? ଏ ପାର୍ବତୀ ଦେଈ ତାର କେହି ପରିଚିତ ନୁହେଁ । ତାର ପରିଚୟ ଶମ୍ଭୁନାଥକୁ କାହିଁକି ଏପରି ଦୁର୍ବଳ କରି ଦେଉଛି ?

 

ବୁଢ଼ୀଟା ସତରେ କଣ ମରିଯାଇଛି ! ବିଷମିଶା ପାନ ଖାଇ ଗଡ଼ିପଡ଼ିଛି ଟ୍ରେନ୍‌ରୁ ? କିନ୍ତୁ ବୁଢ଼ୀକୁ ମାରିବା ତାର କଦାପି ଉଦ୍ଦେଶ୍ୟ ନ ଥିଲା । ବୁଢ଼ୀର ଅବର୍ତ୍ତମାନରେ ଏବେ ତାର ଉଦାସ ମୁହଁ, ଦୁର୍ବଳ ଚେହେରା, ଅଖଣ୍ଡ ବିଶ୍ୱାସ, ଅଚଳାଚଳ ଭକ୍ତି ମନେପଡ଼ୁଥିଲା । ମନେପଡ଼ୁଥିଲା ପରମ ବିଶ୍ୱାସରେ ଶମ୍ଭୁନାଥକୁ ପୁଅ ବୋଲି ସମ୍ବୋଧନ କରିବା ଓ ତାକୁ ଦକ୍ଷିଣକାଳୀଙ୍କ ପ୍ରସାଦ ଖୁଆଇବା-

 

ଶମ୍ଭୁନାଥ କପାଳର ଶିରାଗୁଡ଼ାକ ଛିଣ୍ଡିଯିବେ ଅବା ! ସେ ଦୁଇହାତରେ କପାଳକୁ ଚିପିଧରି ବସିପଡ଼ିଲା ।

 

ଅଖାଝୁଲା ଉପରେ ଲାଖି ରହିଥିବା ପାର୍ବତୀ ଦେଈର ଠିକଣା କାଗଜଟା ତାକୁ ଦୁର୍ବଳ କରିଦେଉଥିଲା । ସେଇ ବଙ୍କା ଦେଢ଼ିଆ ଅକ୍ଷରର ଲେଖା ଛୋଟ କାଗଜଖଣ୍ଡଟା ହିଁ ଏବେ ବୁଢ଼ୀର ମୁହଁ ପରି ଦିଶୁଥିଲା ।

 

ଶମ୍ଭୁନାଥ ଚମକିପଡ଼ିଲା ।

 

ବୁଢ଼ୀକୁ ଆଉଥରେ ଦେଖିବାର ପ୍ରବଳ ଇଚ୍ଛାକୁ ସେ ନିଜ ଭିତରେ ସମ୍ବରଣ କରିପାରୁ ନ ଥିଲା । କିନ୍ତୁ ଗୋଟେ ଅପରାଧୀର ଭୀରୁପଣ ତାକୁ ଦୁର୍ବଳ କରିଦେଉଥିଲା । ବୁଢ଼ୀର ଦେଖାପାଇଲେ ହୁଏତ ଏ ବ୍ୟାଗ୍‌ଟା ହସ୍ତାନ୍ତର କରିବା ସମସ୍ୟା ତୁଟିଯାଆନ୍ତା । ଆଉଥରେ ଯିବ କି ସେ ବୁଢ଼ୀ ଖସିପଡ଼ିଥିବା ରେଳଧାରଣା ପାଖକୁ ? ସବୁଜା ଧାନବିଲ ମଝିରେ ବୁଢ଼ୀର କବନ୍ଧ କଣ ଏପର୍ଯ୍ୟନ୍ତ ପଡ଼ିରହିଥିବ ? ହୁଏତ ରେଳବାଇବାଲା ଶବଟାକୁ ଉଠେଇ ନେଇଯାଇଥିବେ । ହୁଏତ କୁକୁର-ବିଲୁଆ-ଶାଗୁଣାମାନଙ୍କ ହେପାଜତରେ ଛାଡ଼ିଯାଇଥିବେ ବୁଢ଼ୀର ଖଣ୍ଡବିଖଣ୍ଡିତ ଶବକୁ ।

 

ଶମ୍ଭୁନାଥ ଏବେ ଖୁବ୍‌ ଡରିଯାଇଥିଲା । ଗୋଟାଏ ଅକ୍ଷମଣୀୟ ଗ୍ଳାନିବୋଧରେ ସେ ଜୁଡ଼ୁବୁଡ଼ୁ ହୋଇଯାଉଥିଲା । ନା ସେ ବୁଢ଼ୀର ସେଇ ମଲା ନିର୍ଜୀବ ଶବପିଣ୍ଡଟାର ସାମ୍ନା କରିପାରିବ ନାହିଁ ।

 

ଲୋକପାଳ ଗାଁର ନୁଆଁଣିଆ ଚାଳଘରର ଦରଜାପାଖେ ଶମ୍ଭୁନାଥ ପହଞ୍ଚିବାବେଳକୁ ମୁହଁସଞ୍ଜ ହେଲାଣି । ଆଉ ଟିକିଏ ଆଗରୁ ଆସି ସେ ପହଞ୍ଚି ପାରିଥାଆନ୍ତା । କିନ୍ତୁ ଶମ୍ଭୁନାଥ ଜାଣି ଜାଣି ମୁହଁସଞ୍ଜଯାଏ ଅପେକ୍ଷା କରିଥିଲା ।

 

ନୁଆଁଣିଆ ଚାଳ ଉପରେ କଖାରୁ, ଲାଉ ଓ ପୋଇ ଲଟା ମାଡ଼ିଛି । ଗୋଟେ ରୋଗିଣା ଅମୃତଭଣ୍ଡା ଗଛ ପେଟେଇ ପଡ଼ିଛି ମଥାନ ଉପରେ । ଶମ୍ଭୁନାଥକୁ ଦେଖି ବୁଲା କୁକୁରଟିଏ ଧାଇଁ ଆସିଲା । ଶମ୍ଭୁନାଥ ତାକୁ ହାତ ଉଞ୍ଚେଇ ତଡ଼ିଦେଲା ।

 

ଚାରି ପାଞ୍ଚଥର କବାଟ ଠକ୍‌ ଠକ୍‌ କରିବା ସତ୍ତ୍ୱେ କେହି ଦୁଆର ନ ଖୋଲିବାରୁ ଶମ୍ଭୁନାଥର ସନ୍ଦେହ ହେଲା । କଣ କେହି ଘରେ ନାହାନ୍ତି କି ? ଏଥର ଭିତରୁ ଗୋଟାଏ ଆବାଜ ସେ ଶୁଣିଲା । ଅଥଚ କବାଟ ଏପର୍ଯ୍ୟନ୍ତ ଫିଟି ନ ଥିଲା ।

 

ପଡ଼ିଶାଘରର ସ୍ତ୍ରୀଲୋକ ଅଚିହ୍ନା ଲୋକଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସେ ଶମ୍ଭୁନାଥର ପାଖକୁ ଆସୁ ଆସୁ କହିଲା, ‘ପାରଦେଈ କଲିକତା ଯାଇଛି । କୁସୁନି ସାହୁ ପାଖରୁ ଡିହବିକା ଟଙ୍କା ଆଣିବାପେଇଁ । ନଖିଆ ଭିତରେ ଅଛି ଯେ, ଶୋଇଥିବ । ତମେ ପୁଅ କିଏ ?’

 

: ମୁଁ... ମୁଁ... ଶମ୍ଭୁନାଥ । ଟିକେ ନଖିଆକୁ ଡାକିଦେବେ ।

 

ସ୍ତ୍ରୀଲୋକଟି କବାଟଟାକୁ ଜୋର୍‌ରେ ଠେଲିଦେଲା । କେଁ ଶବ୍ଦ କରି କବାଟ ଖୋଲିଗଲା । ଭିତରୁ ଛିଟିକିଣି ଦିଆଯାଇ ନ ଥିଲା । ଭିତରେ କିରାସିନି ଲଣ୍ଠନଟିଏ ମିଞ୍ଜିମିଞ୍ଜି ଜଳୁଛି । ତାର ନାଲିଚିଆ ଆଲୁଅରେ ସେ ଘରର ଦୟନୀୟ ସ୍ଥିତି ଲଙ୍ଗଳା ହୋଇ ଦିଶିଯାଉଛି । ଅନେକ ସମୟ ହେଲା ଘରଟା ବନ୍ଦ ହୋଇ ରହିଥିଲା । କେମିତି ଗୋଟାଏ ଉଷୁମୁଳିଆ ଗନ୍ଧରେ ନାକ ଫାଟିପଡ଼ୁଛି-। ସେଇ ଘର ଚଟାଣରେ ଖଣ୍ଡିଏ ହେଁସ ଉପରେ ଶୋଇଛି ନଖିଆ ।

 

: ମୁଁ କେତେଥର ଡାକିଲିଣି । କବାଟ ଖୋଲିଲ ନାହିଁ ଯେ !

 

: ସେ କଣ ଠିଆ ହୋଇପାରେ ନା ଚାଲିପାରେ ? ତାଆରି ପାଇଁ ତ ପାରଅପାର ଏତେ ଦୁଃଖ । କଣ କମ୍‌ ହୀନସ୍ତା ହେଲାଣି ବିଚାରୀ ବୁଢ଼ୀ ମାଇପିଟା ? ସବୁ ତ ସରିଥିଲା । ଏବେ ଏ ଘରଡ଼ିହ ଖଣ୍ଡକ ବି କୁସୁନି ସାହୁକୁ ବିକିଦେଇଛି ।

 

: କିନ୍ତୁ କାହିଁକି ?

 

ସ୍ତ୍ରୀଲୋକଟି ଲକ୍ଷ୍ମୀଧରର ଅଣ୍ଟା ଉପରେ ପଡ଼ିଥିବା କନ୍ଥାଖଣ୍ଡିକ ଓଟାରିଦେଲା । ଆଣ୍ଠୁତଳକୁ ଲକ୍ଷ୍ମୀଧରର ଗୋଡ଼ ଦୁଇଟି ଶୀର୍ଣ୍ଣ ହୋଇ ଯାଇଛି ପାଦଯାଏ । ପୋଲିଓଗ୍ରସ୍ତ ପାଦ ଦୁଇଟି ଦିଶୁଛି ହାଡ଼ ଦି ଖଣ୍ଡ ପରି ।

 

: ପିଲାଦିନରୁ ଏ ରୋଗ ନଖିଆର ନ ଥିଲା ବା ! କେତେ ଫୂର୍ତ୍ତି ଥିଲା, ଧାଁ ଦଉଡ଼ କରୁଥିଲା । ବଡ଼ହେଲାରୁ ତ କଣ ହେଲା ଯେ ଏଇ ଅବସ୍ଥା । କିନ୍ତୁ ତମେ ବାବୁ କିଏ କହିଲ ନାହିଁଟି-? କଣ କୁସୁନି ସାହୁ ପଠେଇଛି କି ?

 

ଲକ୍ଷ୍ମୀଧର ପାଖରେ ଶବ୍ଦ ନାହିଁ । ସେ ନିରୁତ୍ତର ପାଲଟି ଯାଇଛି କୋଉକାଳୁ । କାହିଁକି କହିଦେଉନି ଯେ ସେ ହିଁ ପାରଦେଈକୁ ବିଷ ଦେଇ ମାରି ଦେଇଛି । ସେ ହିଁ ପାରଦେଈର ଘରଡ଼ିହ ବିକା ଟଙ୍କା ହାତେଇବା ପାଇଁ ନଖିଆର ସବୁ ସ୍ୱପ୍ନକୁ ଟ୍ରେନ୍‌ରୁ ଠେଲିଦେଇଛି ଧାରଣା ଉପରକୁ ।

 

ଶମ୍ଭୁନାଥର ଏବେ ତା ବାପାର କଥା ମନେପଡ଼ୁଥିଲା, ଯିଏ ଖାକି ମଳିଛିଆ ପୋଷାକ ପିନ୍ଧି ସକାଳୁ ଉପରଓଳି ଯାଏ ଚିଠିସବୁ ବାଣ୍ଟୁଥିଲା ଏଘରୁ ସେଘର । ସେସବୁ ଚିଠିରେ ବି ଥାଏ କାହାର ମରିଯିବାର ଖବର ତ କାହାର ଘର ପୋଡ଼ିଯିବାର ଖବର । ଅଥଚ ତା ବାପା ନିର୍ବିକାର ଭାବରେ ସେ ଚିଠିସବୁ ବାଣ୍ଟି ଘରକୁ ଫେରିଆସେ । ସେପରି କାମକୁ ଶମ୍ଭୁନାଥ କେବେ ପ୍ରଶଂସା କରିପାରୁ ନ ଥିଲା । ଚିଠି ବାଣ୍ଟିବାଟା କଣ ଗୋଟେ ବଡ଼ କାମ କହି ବାପାକୁ ଛିଗୁଲଉଥିଲା । ଅଥଚ ଆଜି ସେ ଗୋଟିଏ ମାତ୍ର ଖବର କାହିଁକି ଦେଇପାରୁ ନାହିଁ ପାରଦେଈର ଏଇ ପୋଲିଓଗ୍ରସ୍ତ ପୁଅକୁ ?

 

ଶମ୍ଭୁନାଥ ଅସହାୟ ଭଙ୍ଗୀରେ ସେଇଠି ଛିଡ଼ା ହୋଇଥିଲା । ସାମ୍ନା ଚଟାଣରେ ପଡ଼ିରହିଥିଲା ଲକ୍ଷ୍ମୀଧର । ପଛରେ ପ୍ରତିବେଶିନୀ ସେଇ ସ୍ତ୍ରୀଲୋକଟି ଏବଂ ଶମ୍ଭୁନାଥ ହାତରେ ପାର୍ବତୀ ଦେଈର ନାଁ ଓ ଠିକଣା ଲେଖିଥିବା ସେଇ ଅଖାଝୁଲାଟି ।

 

ଗୋଟାଏ ଝଡ଼ ପାଇଁ ନିଜକୁ ନିଜେ ପ୍ରସ୍ତୁତ କରୁଥିଲା ଶମ୍ଭୁନାଥ । ଏଇ ମୁହୂର୍ତ୍ତରେ ତାର ରୂପେଶ ଦାଦାର ଖଟି, ଖଡ଼ଗପୁର ହତିଆରକୁ ଦେଇଥିବା ପ୍ରତିଶ୍ରୁତି, କରମଣ୍ଡଳ ଟ୍ରେନ୍‌ ଡବାରେ ଭେଟିଥିବା ମୋଟୀ ଝିଅର ହସ ଏସବୁ କିଛି ମନେପଡ଼ୁ ନ ଥିଲା । ତାର ପାଦଯୋଡ଼ିକ କେମିତି ତଳକୁ ତଳ ଦବିଯାଉଥିଲା ଓ ସବୁ ଚେଷ୍ଟା ସତ୍ତ୍ୱେ ସେ ନିଜ ପାଦ ଦିଓଟିକୁ ଉପରକୁ ଟାଣି ଆଣିପାରୁ ନ ଥିଲା ।

Image

 

ପାହାଡ଼

 

ଅଶିଣର ଦିଗ୍‌ବଳୟରେ ରଣକୁହୁଡ଼ିର ଭେଳା । ତା ଭିତରେ ଧରଣୀର ସବୁଜିମା କେଉଁଠି ଆକାଶର ନୀଳିମା ସାଙ୍ଗରେ ମିଶିଯାଇଛି ଜାଣିହୁଏ ନାହିଁ । ଚାରିଆଡ଼େ ଫୁଲଉଡ଼ା ଧାନଗଛ ଆଉ ଧାନଗଛ । ମଝିରେ କ୍ଷେତର ବୁଦାଏ ବୁଦାଏ କାଶତଣ୍ଡୀ ଚଅଁର ଉଡ଼େଇଛନ୍ତି । ଉତିଆଣି ଖରାପିଠିରେ ଦୁଇ ଚାରିଟା ବଗ ଉଡ଼ିଯାଉଛନ୍ତି ପଶ୍ଚିମ ଆକାଶରେ ।

 

ଗାଡ଼ିର ଝରକା ଦେଇ ଏସବୁ ଦେଖିବାକୁ ଖୁବ୍‌ ଭଲ ଲାଗୁଥିଲା । ଓଦା ପବନରେ ଭାସି ଆସୁଥିଲା କ୍ଷୀର ଭର୍ତ୍ତି ଧାନ ଫୁଲର ବାସ୍ନା । ଏମିତିକା ଦୃଶ୍ୟ ସହରରେ ମିଳେ ନାହିଁ । ସେଇଥିପାଇଁ ଗାଁ ସହରଠୁ ନିଆରା, ଶତ ଦାରିଦ୍ର୍ୟ ଓ ଅଭାବ ସତ୍ତ୍ୱେ ।

 

ଗାଡ଼ିଟା ଗୋଟାଏ ଅସ୍ୱାଭାବିକ ଶବ୍ଦ କରି ଉଠିଲା । ‘କଣ ହେଲା’ ବୋଲି ପଚାରିବା ଭିତରେ ସେଇଟା ଆଉ କିଛି ବାଟ ଗଡ଼ିଯାଇ ବନ୍ଦ ହୋଇଗଲା । ଡ୍ରାଇଭର କହିଲା, ‘ଆପଣ ବସିଥାନ୍ତୁ । ମୁଁ ଟିକିଏ ଦେଖିନିଏ ।’

 

ସିଦ୍ଧାନ୍ତ କିନ୍ତୁ ଓହ୍ଲେଇ ପଡ଼ିଲା । ଗାଡ଼ିକୁ ଆଉଜି ଖଣ୍ଡିଏ ସିଗ୍ରେଟ୍‌ ଲଗେଇଲା । କଳେ ଧୂଆଁ ପାଟିରେ ପୂରେଇ ତାକୁ ପୁଣି ଧୀରେ ଧୀରେ ଶୂନ୍ୟକୁ ଛାଡ଼ିଲା । ଧଳା ଧୂଆଁଗୁଡ଼ାକ ଧୀରେ ଉପରକୁ ଉଠି ପବନରେ ହଜିଗଲା ।

 

: ଆଉ କେତେ ସମୟ ଲାଗିବ ?

 

: ସବୁ ତ ଠିକ୍‌ ଅଛି, କାହିଁକି ବନ୍ଦ ହେଲା ଜାଣିପାରୁନି ।–ଟ୍ୟାକ୍ସି ଡ୍ରାଇଭରର ସରଳ ଅଥଚ ଅସହାୟ ଉତ୍ତର ।

 

ସିଦ୍ଧାନ୍ତ ବ୍ୟସ୍ତ ହୋଇପଡ଼ିଲା । ସଞ୍ଜ ନଇଁ ଆସୁଛି । କାମ ସାରି ଆଜି ଫେରିଯିବା କଥା । ବେଶି ରାତି ହେଲେ ଫେରିବା ସପକ୍ଷରେ ଯୁକ୍ତି କରିହେବ ନାହିଁ ।

 

ଡ୍ରାଇଭର ପ୍ରସ୍ତାବ ଦେଲା, ‘‘ଯଦି କେଉଁ ଗାଡ଼ିକୁ ଲିଫ୍‌ଟ ମାଗି ଆଗ ବଜାର ଯାଏ ଆପଣ ଯାଇପାରନ୍ତେ ତାହାହେଲେ ଅସୁବିଧା ହୁଅନ୍ତା ନାହିଁ । ସେଇଠୁ ରିକ୍‌ସାଟିଏ ଧରି ନିଅନ୍ତେ । ମୁଁ ଗାଡ଼ି ସଜାଡ଼ି ପଛେ ପଛେ ପହଞ୍ଚନ୍ତି ।’’

 

: କିନ୍ତୁ ଗାଡ଼ି ଯଦି ଠିକ୍‌ ନ ହୁଏ ?

 

ଏହାର ଉତ୍ତର ଡ୍ରାଇଭର ପାଖରେ ନ ଥିଲା ।

 

ସିଦ୍ଧାନ୍ତ ଆଉ ବ୍ୟସ୍ତ ହେଲା ନାହିଁ । ଯେତେବେଳେ ଏମିତିକା ପରିସ୍ଥିତି ଆସେ ସେତେବେଳେ ବ୍ୟସ୍ତ ବିବ୍ରତ ହେବା ବୋକାମି । ତା ଦ୍ୱାରା ସମସ୍ୟାର ସମାଧାନ ହୁଏ ନାହିଁ, ଓଲଟି ସବୁ ଭୁଲ୍‌ଭାଲ୍‌ ହୋଇଯାଏ ।

 

ଏଇଟା କେଉଁ ଜାଗା କହିପାରିବୁ କିରେ ?–ଡ୍ରାଇଭର ଉଦ୍ଦେଶ୍ୟରେ ପ୍ରଶ୍ନଟେ ପଚାରି ରାସ୍ତା ପାଖ ସିମେଣ୍ଟ ଫଳକକୁ ଚାହୁଁଥିଲା ସିଦ୍ଧାନ୍ତ ।

 

ସିମେଣ୍ଟ ଫଳକରୁ ସଫା କିଛି ଦିଶୁ ନ ଥିଲା । ଖରା ବି ମଉଳି ଗଲାଣି । ପାଖକୁ ଯାଇ ଶିଉଳିବସା ଫଳକ ପଢ଼ିବାକୁ ଚେଷ୍ଟା କଲା ସିଦ୍ଧାନ୍ତ–ମଧୁପୁର ୧୪ କିଲୋମିଟର ।

 

: ଏପଟେ ନୂଆଗାଁକୁ ଆଉ କିଛି ରାସ୍ତା ନାହିଁ ?

 

: ଆଉ ଟିକିଏ ଆଗେଇ ଗଲେ ବାଟଚଲା ରାସ୍ତାଟେ ଅଛି । ମଝିରେ ନଈଟା ପାର ହୋଇ ଯିବାକୁ ପଡ଼ିବ । ମାଟିବନ୍ଧ ରାସ୍ତା ।–ଡ୍ରାଇଭର ନଟ୍‌ ଭିଡ଼ୁ ଭିଡ଼ୁ କହିଲା ।

 

ସିଦ୍ଧାନ୍ତ ଥରେ ଗାଡ଼ିକୁ ଓ ଆଉ ଥରେ ପିଚୁରାସ୍ତାରୁ ବାହାରି କିଆବୁଦା, ବାବୁଲା ଗଛ ମେଳରେ ସରୁ ପାଣିଧାରଟିଏ ପରି ଗଡ଼ି ଯାଇଥିବା ରାସ୍ତାକୁ ଚାହିଁ ଦୀର୍ଘଶ୍ୱାସଟିଏ ନେଲା । ଗାଡ଼ିକୁ ଅପେକ୍ଷା କରି ରହିଲେ ଆଜି ଆଉ ଫେରି ହେବ ନାହିଁ । ସହଜେ ଅନେକ ଡେରି ହେଲାଣି ।

 

: ଆଚ୍ଛା, ଏଇ ନୂଆଗାଁ ଉପରସାହିରେ ବିରଜା ସାମନ୍ତରାଙ୍କ ଘର ତ ?

 

ଟ୍ୟାକ୍ସି ଡ୍ରାଇଭର ସିଦ୍ଧାନ୍ତ ଆଡ଼କୁ ଚାହିଁଲା ଓ ପଚାରିଲା, “ଆପଣ ଆଗରୁ ଇଆଡ଼େ ଆସିଥିଲେ କି ବାବୁ ?”

 

: ହଁ, ହଁ । ଏ ଗାଁକୁ ମୁଁ ଥରେ ଆଗରୁ ଆସିଥିଲି । ସେଇଟା କିନ୍ତୁ ଅନେକ ଦିନ ତଳର କଥା । ଆଚ୍ଛା, ତମେ ତମ ଗାଡ଼ି ଠିକ୍‌ କରି ଆସ, ମୁଁ ଏଇବାଟେ ଯାଉଛି ।

 

: ସିଦ୍ଧାନ୍ତ ଅନ୍ୟମନସ୍କ ଭାବରେ ଏତକ କହୁ କହୁ ପିଚୁରାସ୍ତାରୁ ଯାଇ ନାଲିଗୋଡ଼ି ରାସ୍ତା ଧରି ସାରିଥିଲା । ଡ୍ରାଇଭର ପଛରୁ କହିଲା, ‘‘ସାନ୍ତରା ତ ଗାଁରେ ନ ଥିବେ ବୋଧହୁଏ... ।’’

 

: ମୁଁ ଜାଣେ । –ଏତକ କହି ସିଦ୍ଧାନ୍ତ ଚାଲିବାକୁ ଲାଗିଲା । ନୂଆଗାଁକୁ ବାହାରିବା ବେଳଠାରୁ ମନ ଭିତରେ ଦ୍ୱନ୍ଦ୍ୱ ବଢ଼ିଚାଲିଛି । ବତିଶ ତେତିଶ ବର୍ଷ ହୋଇଗଲାଣି ପାରଅପା ଏ ଗାଁକୁ ବାହାହୋଇ ଆସିବା । ଅଥଚ ସେ ସେହି ଯାହା ପ୍ରଥମ ଥର ଆସିଥିଲା, ତାପରେ ଆଉ ଆସିନାହିଁ । ସେଦିନ ଅବଶ୍ୟ ରାସ୍ତାଘାଟ ଏପରି ନ ଥିଲା । କିଛିବାଟ ରେଳରେ ଓ ଆଉ କିଛିବାଟ ପାଲିଙ୍କିରେ ଆସିବା ପରେ ସେ ପହଞ୍ଚିଥିଲା ନୂଆଗାଁରେ ।

 

ଚଢ଼େଇଟିଏ କିଚିରିମିଚିରି କରି ଉଡ଼ି ଚାଲିଗଲା । ନାଲିଗୋଡ଼ି ରାସ୍ତା ଉପରକୁ ଦୁଇପଟୁ ଅମରୀବଣ ଓ କିଆବୁଦା ମାଡ଼ି ଆସିଛନ୍ତି । ରାସ୍ତାସାରା ବଡ଼ ବଡ଼ ଖାଲ ଓ ଖାଲ ଭିତରେ ଗୋଳିଆ ବର୍ଷାପାଣି ।

 

ପାରଅପା ବାହାଘରରେ ବରଧରା ହୋଇଯିବା ପାଇଁ ଯେଉଁଦିନ ସିଦ୍ଧାନ୍ତକୁ ବଛାଗଲା, ସେଦିନ ସିଦ୍ଧାନ୍ତ ବହୁତ ଖୁସି ହୋଇଯାଇଥିଲା । ‘ମୁଁ ବରଧରା ହୋଇ ଯିବି ରେ, ମୁଁ ବରଧରା ହୋଇ ଯିବି ରେ’ କହି କହି ସେ ନାଚିଯାଇଥିଲା । ଘରର ସବା ସାନପିଲା ହେବା ମଧ୍ୟ ଗୋଟାଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ସେଇଟା ସେଥର ସେ ପ୍ରଥମ ଥର ପାଇଁ ଅନୁଭବ କରିଥିଲା । ତାଙ୍କ ଗାଁ ମୁଣ୍ଡ ଖଦାଳପୋଖରୀ ପାଟ ମଝିଦେଇ ପାଲିଙ୍କିରେ ଯାଉଥିବାବେଳେ ସେ ପାଲିଙ୍କି ଉପରୁ ବାହାରକୁ ଦୁଇହାତ ପ୍ରସାରି ଦେଇଥିଲା ।

 

ପାରଅପାକୁ ଗାଁ ସାରା ଡାକୁଥିଲେ ଓଲୀ । ସେଥିରେ ପାରଅପାର ରାଗ ରୋଷ ନ ଥିଲା-। ତାକୁ ବା ରାଗିବା ପାଇଁ ବେଳ ଥିଲା କେଉଁଠି ? ସକାଳୁ ସଞ୍ଜଯାଏ ଗାଁ ଯାକର ଅଣ୍ଡା-ବଚ୍ଚାମାନଙ୍କୁ ନେଇ ତାର ଆମ୍ବତୋଳା, ବାଗୁଡ଼ି ଓ ପୋଖରୀ ପହଁରା ଏସବୁ ଚାଲିଥାଏ । ମାଡ଼ଗାଳିଗୁଡ଼ାକୁ କିମିତି ଦେହରୁ ମଳି ପରି ଝାଡ଼ିଝୁଡ଼ି ଦିଆଯାଇପାରେ ସେ କଥା ପାରଅପାଠୁଁ ସିଦ୍ଧୁ ହେରିକା ପିଲାଏ ଶିଖୁଥିଲେ ।

 

ପାରଅପାର ବୁଦ୍ଧିବୃତ୍ତି ସମ୍ପର୍କରେ ବରାବର ଘରେ ଚର୍ଚ୍ଚା ହେଉଥିଲା । ତାର ଓଲୀପଣ ଯୋଗୁ ବୋଉ, ଖୁଡ଼ୀ, ସାନଖୁଡ଼ୀ ସମସ୍ତେ ପାରଅପା ଉପରେ ବିରକ୍ତ ହେଉଥିଲେ । ସଣ୍ଠଣା ବୋଲି କିଛି ଟିକିଏ ଶିଖିଲା ନାହିଁ, ପରଘରକୁ ଗଲେ ଏ ଘରର ଇଜ୍ଜତଟିକକ ତଳେ ପକେଇବେ, ଏଇ ଚିନ୍ତାରେ ସମସ୍ତେ ବ୍ୟସ୍ତ ହେଉଥିଲେ ।

 

ବାପା ଓ ଦାଦାମାନେ ପାରଅପା ଉପରେ ଯେ ବିରକ୍ତ ନ ହୁଅନ୍ତି ନୁହେଁ । ତେବେ ଏତେ ବଡ଼ ପରିବାରର ଗୋଟିଏ ବୋଲି ଝିଅ ହୋଇଥିବାରୁ ସେମାନେ ପାରଅପାକୁ ଆଦର କରନ୍ତି ।

 

ପାରଅପା ଥିଲା ନିର୍ଘାତ ବୋକୀ । ଥରେ ସେ ସିଦ୍ଧୁ ବାପାଙ୍କୁ ଖାଇବାକୁ ଦେଉଥିଲା । ଦେଢ଼ଶୁର ଭାଇବୋହୂ ପରିବାରରେ କିଏ କାହା ଶଙ୍ଖୁଡ଼ି ଛୁଇଁଦେଲେ ଅପରାଧ । ପାରଅପା ପରଶୁଛି । ତରକାରି ବେଶି ଦେଇଦେଲା । ବାପା କହିଲେ, ‘ଏତେଗୁଡ଼ା କାହିଁକି ଦେଲୁ ?’ ପାରଅପା ଚଟ୍‌କରି କହିଲା, ‘ହଉ ହଉ ପାଟି କରନା, ନେଇଯାଉଛି ।’ ବାସ୍‌ କହିଲା ଓ ଅଇଁଠାଗିନାରୁ ତରକାରିତକ ନେଇ ହାଣ୍ଡିଶାଳ କଡ଼େଇରେ ଢାଳିଦେଲା ।

 

ସେଦିନ ସେ ତରକାରିତକ ସାନପିଲାଏ କେବଳ ଖାଇଲେ । ସିଦ୍ଧୁର ଖୁଡ଼ୀ, ସାନବୋଉ କି ବୋଉ କେହି ଖାଇଲେ ନାହିଁ । ପାରଅପା ଉପରେ ଯେ କି ମାଡ଼ଗାଳି, ସିଦ୍ଧୁ ଆଖିରୁ ସେଦିନ ତାରା ଖସିପଡ଼ିଥିଲା । ପାରଅପାର ବେଣୀକୁ ଝିଙ୍କି ତା ବୋଉ ଦୁଲ୍‌ଦାଲ୍‌ ବିଧା ଚାପୁଡ଼ା ଥୋଇଦେଇ ଯାଇଥିଲେ । ଯାଆମାନେ ଯିଏ ଯାହା କହୁଥିଲେ ବି ସେକଥା କିଛି ସେ ଶୁଣି ନ ଥିଲେ । ତାଙ୍କର ଗୋଟାଏ ଅଭିଯୋଗ–ଏ ଝିଅ ବାପଘରର ମାନମହତ ପଦାରେ ପକେଇବ ।

 

ଆଗରେ ସେଇ ନଈଟା । ଖରାଦିନେ ସାପଟେ ପରି ଦିଶୁଥିବା ନଈଟି ବର୍ଷାର ପୃଷ୍ଠପୋଷକତାରେ ଫୁଲି ଉଠିଛି । ଛୋଟ ହୁଲି ଡଙ୍ଗାଟିଏ ବନ୍ଧାଯାଇଛି ଏମୁଣ୍ଡରୁ ସେମୁଣ୍ଡ ଆଡୁଆ ବାଗରେ । ନାଉରୀ ଲୋଡ଼ା ନାହିଁ । ଗୋଟେ ଭାସମାନ ପୋଲର କାମ ତୁଲାଉଛି ଡଙ୍ଗାଟି ।

 

ସିଦ୍ଧାନ୍ତ ନୌକା ଉପରେ ପାଦ ଦେଲାକ୍ଷଣି ଡଙ୍ଗାଟି ଚହଲିଗଲା । ତା ସାଙ୍ଗରେ ମନ ଭିତରେ ଚହଲିଗଲା ଗୋଟାଏ ଅତୀତ । ପାରଅପାର ଘର ପ୍ରତି ଏପର୍ଯ୍ୟନ୍ତ ତା ମନରେ ଥିବା ରାଗ, ରୋଷ, ଅଭିମାନ ସବୁ କେମିତି ଚହଲା ପାଣିର ଢେଉ ପରି ଘୁଞ୍ଚିଗଲା ।

 

ସେଦିନ ବରଧରା ହୋଇ ଆସିଥିବାବେଳେ ଏଠି ମାର୍କଣ୍ଡ ଭଣ୍ଡାରୀ ତାକୁ କାନ୍ଧରେ ବସେଇ ନଈପାର କରିଥିଲା ।

 

ବରଧରା ହେବାରେ ତାର ଯେଉଁ ଅନୁଭୂତି ସେ ଅନୁଭୂତି ବର ହୋଇଯିବା ବେଳରେ ବି ହୋଇ ନ ଥିଲା । ଏପରି ଏକ କଥାଟା ଭାବିନେଇ ସିଦ୍ଧାନ୍ତ ମନେ ମନେ ଲାଜେଇଗଲା । ଏଆଡ଼େ ସେଆଡ଼େ ଚାହିଁଲା, କାଳେ କିଏ ଶୁଣିଲା କି ? ନା ନଈ ପଠାଟାରେ କେହି ନାହିଁ ।

 

ତେବେ ସେଦିନ ସିଦ୍ଧାନ୍ତର ଗୋଟେ ସମସ୍ୟା ହୋଇଥିଲା । ସେ ଘିଅ ଖାଏ ନାହିଁ ବୋଲି ପାରଅପାର ଶାଶୂଘରେ ବୋଧହୁଏ କେହି ଜାଣି ନ ଥିଲେ । ତାଙ୍କର ଭାତରୁ ନେଇ ଆଳୁ ବଘରାଯାଏ ସବୁଠି ଘିଅର ପ୍ରାଦୁର୍ଭାବ । ପେଟ କାଟୁଛି କହି ସେଦିନ ସିଦ୍ଧୁ ତାଙ୍କ ଘରେ ଖାଇବା ପ୍ରସଙ୍ଗଟିକୁ ବଡ଼ କଷ୍ଟରେ ଏଡ଼ି ଯାଇଥିଲା ଓ ତା ପରି ଗୋଟେ ସାନପିଲା ମିଛ କହି ଏତେଗୁଡ଼ିଏ ମଣିଷଙ୍କୁ ଭଣ୍ଡେଇ ଦେଇପାରିଲା ଭାବି ଖୁସି ହୋଇଥିଲା ।

 

ସଞ୍ଜବୁଡ଼େ ବରଧରା ଫେରି ଆସିଥିଲା ନିଜ ଘରକୁ । ପାରଅପାର ସାଙ୍ଗମାନେ ସିଦ୍ଧୁକୁ ବେଢ଼ିଯାଇଥିଲେ । ‘ଅପା ପାଇଁ କିମିତି ବର ଆଣିଛୁ ରେ’ କହି ତାକୁ ଏଆଡ଼ୁ ସେଆଡ଼ୁ ନାନା କଥା ପଚାରିଥିଲେ । ସିଦ୍ଧୁ ଚିଡ଼ିଯାଇ ସେଠୁ ପଳାଇ ଯାଇଥିଲା ।

 

ସେଇ ଯେ ଆସିଥିଲା ନୂଆଗାଁ, ତା ଭିତରେ ଆଉ ସେ ଆସିପାରି ନାହିଁ । ବୈତରଣୀରେ କେତେ ଯେ ବନ୍ୟା ବୋହି ଗଲାଣି ଏହା ଭିତରେ !

 

ପାରଅପା ବାହାଘରର ବର୍ଷଟେ ପରେ ସିଦ୍ଧୁର ବାପା, ଦାଦା ଓ ସାନଦାଦା ସମସ୍ତେ ଭିନେ ହୋଇଗଲେ । ‘ଯେତେ ଭାଇ ସେତେ ଘର’ ନ୍ୟାୟରେ ଅଲଗା ଅଲଗା ହେଇଯିବା ସପକ୍ଷରେ ଯୁକ୍ତି ବାଢ଼ୁଥିଲାବେଳେ ସିଦ୍ଧୁ ଓ ରିକୁମାନେ କାନ୍ଦି ପକେଇଥିଲେ । ସେମାନେ ଯେ ଏଣିକି ଅଲଗା ଅଲଗା ଘରେ ରହିବେ, ଅଲଗା ଜାଗାରେ ତରକାରି ଖାଇବେ ଏପରି ଚିନ୍ତା କରିପାରୁ ନ ଥିଲେ । ଜେଜିମା କୋଳରେ ସେମାନେ ମୁଣ୍ଡଗୁଞ୍ଜି ଆବାକାବା ଭଙ୍ଗୀରେ ଚାହୁଁଥିଲେ, କଣ ସବୁ ହଜାଇଥିବା ପରି ।

 

ମହାପାତ୍ର ସାହିର ବୁନିଆଦି ତିନି ଭାଗ ହୋଇଗଲା । ଜେଜିମାକୁ ସାକ୍ଷୀ ରଖି ଗାଆଁର ମୁରବିମାନେ କଂସାବାସନ ଭାଗ ଭାଗ କଲା ଦିନ ସିଦ୍ଧୁକୁ ଲାଗୁଥିଲା ଯେମିତି ଏପର୍ଯ୍ୟନ୍ତ ଅବଶେଷ ରହିଯାଇଥିବା ବଂଶମର୍ଯ୍ୟାଦା ସେହିଦିନ ନିଲାମ ହେଇଗଲା । ଅଥଚ ଏ ବ୍ୟାପାରରେ ତା ପରି ସାନପିଲାମାନଙ୍କର କିଛି କରିବାର ନ ଥିଲା । ସେମାନେ କେବଳ ଅସହାୟ ଭାବରେ ନିଜ ନିଜ ମାଆମାନଙ୍କ କୋଳରୁ ବଡ଼ମାନଙ୍କ କାର୍ଯ୍ୟକଳାପ ଦେଖୁଥିଲେ ।

 

ପୁଅମାନଙ୍କୁ ମିଳେଇ ମିଶେଇ ରଖିବା ପାଇଁ ଜେଜିମା ଢେର୍‌ ଚେଷ୍ଟା କରିଥିଲା । ରାତି ରାତି କାନ୍ଦିଥିଲା, ଦିନ ଦିନ ଉପବାସ ରହିଥିଲା । ‘ମୋ ଅନ୍ତେ ଯାହା କରିବ’ ବୋଲି ରାଣ ନିୟମ ଦେଇଥିଲା । କିନ୍ତୁ ବନ୍ଧ ଯେତେ ଦୃଢ଼ ହେଲେ ବି ବନ୍ୟା ତାଠୁଁ ଟାଣ ଆସେ, ବନ୍ଧ ଭାଙ୍ଗିଯାଏ । ଜେଜିମାର ଅଭିମାନ ଭିନେ ହେଇଯିବାର ବଢ଼ିପାଣି ଆଗରେ ଟେକିପାରି ନ ଥିଲା ।

 

ଘରେ ଦାଦା ଥିଲେ ଏକଜିଦିଆ । ତାଙ୍କରି ଉପରେ ସିଦ୍ଧୁର ବେଶି ରାଗ । ସେଇ ହେତୁ ଅନୁପସ୍ଥିତ ପାରଅପା ଉପରେ ବି ସିଦ୍ଧୁ ରାଗୁଥିଲା, ପାରଅପାର ବାପା ଖରାପ, ତେଣୁ ପାରଅପା ଖରାପ ଏହି ନ୍ୟାୟରେ । ଭାଇ-ଭାଇ ଭିନ୍ନ ହୋଇଯିବା ବ୍ୟାପାରଟା ଗାଆଁ ମୁରବିଙ୍କ ମଧ୍ୟସ୍ଥତାରେ ସରିଲା ନାହିଁ । ଦାଦା ତାକୁ କଚେରି ପର୍ଯ୍ୟନ୍ତ ନେଲେ । କଥା କଥାକେ ସେ ନାଲିକୋଠା ଦେଖାଇଦେବେ ବୋଲି ଧମକ ଦିଅନ୍ତି । ଶେଷକୁ ସେ ତାଙ୍କର ଧମକକୁ କାର୍ଯ୍ୟରେ ପରିଣତ କଲେ । ସେଦିନ ସିଦ୍ଧୁଙ୍କ ଗାଁର ସମସ୍ତେ ତା ଦାଦାକୁ ମାମଲାବାଜ କହି ମୁଣ୍ଡରେ ହାତ ଦେଇଥିଲେ-। ଗୋଟିଏ ଏକାନ୍ନବର୍ତ୍ତୀ ଯୌଥ ପରିବାରର ସଦା କୋଳାହଳ ମୁଖରିତ ପରିବେଶ କାହିଁ କୁଆଡ଼େ ହଜିଗଲା । ଖଞ୍ଜା ଭିତରେ ତିନି ତିନିଟା ରୋଷେଇଘରୁ ଧୂଆଁ ଉଠିଲା । ତିନି ତିନିଟା ଢିଙ୍କିଶାଳ ଓ ତିନି ତିନିଟା ଠାକୁରଘର । ଏକା ନାହିଁ ତିନି ଖଣ୍ଡ ହୋଇଗଲା । ଜେଜିମା ଏସବୁ ଦେଖି ଦେଖି ବାୟାଣୀ ହୋଇଯାଇଥିଲା । ଶେଷକୁ ଦିନେ ସେ ଆଖି ବୁଜିଦେଲା ।

 

ଏହାପରେ ଆଉ ପାରଅପା ଶାଶୂଘର ସଙ୍ଗେ କିଛି ସମ୍ପର୍କ ରହିନାହିଁ ସିଦ୍ଧାନ୍ତର । ଅନେକ ବର୍ଷ ହୋଇଗଲାଣି । ସ୍କୁଲ୍‌ ହଷ୍ଟେଲ ଓ ହଷ୍ଟେଲରୁ କଟକ, ତାପରେ ଚାକିରି ଜାଗା ଘୂରାଘୂରିରେ ସିଦ୍ଧାନ୍ତ କୋଉକାଳୁ ଭୁଲିସାରିଲାଣି ଗାଆଁର ମଣିଷମାନଙ୍କୁ ।

 

ସାନ ପିଲାମାନେ ନୂଆଗାଁ ଦାଣ୍ଡରେ ବାଗୁଡ଼ି ଖେଳୁଥିଲେ । ଗୋଠରୁ ଫେରୁଥିଲେ ଗାଈ ବଳଦମାନେ । ତାଙ୍କର ଖୁରା ଶବ୍ଦରେ ନୂଆଗାଁ ଦାଣ୍ଡ କମ୍ପି ଉଠୁଥିଲା । ସିଦ୍ଧାନ୍ତ ଗାଈଆଳ ପିଲାଟିକୁ ଡାକି ପଚାରିଲା, ‘ବିରଜା ସାମନ୍ତରାଙ୍କ ଘରଟା କେଉଁଠି ?’

 

ପିଲାଟି ଖୁବ୍‌ ବ୍ୟସ୍ତ ଥିଲା । ପାଞ୍ଚଣ ଅଗରେ ସେ ଅଦୂରବର୍ତ୍ତୀ ଘରଟିଏକୁ ଦେଖେଇ ଦେଇ ତା ରାସ୍ତାରେ ଚାଲିଗଲା ।

 

ପାରଅପା ଘର ସାମ୍ନାରେ ହିଁ ସଞ୍ଜ ଆସିଗଲା । ସିଦ୍ଧାନ୍ତ କିଛି ସମୟ ଚୁପ୍‌ଚାପ୍‌ ଛିଡ଼ା ହେଲା । ଘରର ଚାଳ ଆଟୁ, ଉଚ୍ଚା ପିଣ୍ଡା, ପଥରବସା ଚଉଁରା ଓ ଚାରିକଡ଼ର ନଡ଼ିଆଗଛମାନଙ୍କୁ ଚାହିଁଲା । ନା, ସେଦିନ ଏସବୁ କିଛି ନ ଥିଲା, ସବୁକିଛି ବଦଳି ଯାଇଛି ଏହା ଭିତରେ ।

 

ସ୍ତ୍ରୀଲୋକଟିଏ ପଣତ ଉହାଡ଼ରେ ଡିବିରିଟିଏ ଲଗେଇ ଘର ଭିତରୁ ବାହାରୁଥିଲା । ସିଦ୍ଧାନ୍ତ ପଚାରିଲା, ‘ପାରଅପା ଅଛି ?’

 

ସ୍ତ୍ରୀଲୋକଟି ଭିତରକୁ ମୁହଁକରି ଡାକିଲା, ‘ମା’ପାତ୍ର ଝୁଅ ! ତମକୁ କିଏ ଖୋଜୁଛନ୍ତି’ ଏବଂ ବାହାରି ଚାଲିଗଲା ।

 

–‘କିଏ କିଲୋ’ ବୋଲି ଭିତରୁ ପାଟି ଶୁଭିଲା । ପାରଅପାର କଣ୍ଠସ୍ୱର ବାରିବା ମାତ୍ରେ ସିଦ୍ଧାନ୍ତ ଭିତରେ ସାନଭାଇ ପଣ ସାମ୍ନାକୁ ବାହାରି ଆସିଲା । ବଡ଼ପାଟିରେ କହିଲା, ‘ମୁଁ ସିଦ୍ଧୁ, ପାରଅପା ।’

 

: ସିଦ୍ଧୁ !

 

: ହଁ, ମୁଁ ସିଦ୍ଧୁ ।–ସିଦ୍ଧାନ୍ତ ନୋଇଁ ପଡ଼ିଲା ଓ ପାରଅପାର ପାଦଛୁଇଁ ପ୍ରଣାମ କଲା ।

 

ଏ ପର୍ଯ୍ୟନ୍ତ ଏହି ଅପ୍ରତ୍ୟାଶିତ ଘଟଣାକୁ ବିଶ୍ୱାସ କରି ନ ଥିବା ପାରଅପା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲା । ତା ହାତର ପାଣିକାଚ ଝୁମ୍‌ଝୁମ୍‌ ହେଉଥିଲା । ପାରଅପା ଢେର୍‌ ମୋଟୀ ହୋଇଯାଇଛି । ଦିଶୁଛି ଜମିଦାର ଘରର ମାଲିକାଣୀ ପରି ।

 

ପାରଅପା କାହିଁକି କିଛି କହୁନି ବୋଲି ଭାବି ତା ମୁହଁକୁ ଅନେଇ ସିଦ୍ଧାନ୍ତ ଥମ୍‌ ହୋଇ ରହିଗଲା । ପାରଅପାର ଦୁଇ ଆଖିରୁ ବୋହିଯାଉଥିଲା ଗଙ୍ଗା, ଯମୁନାର ଧାର । କ୍ରମେ ସେ ଲୁହ ସାଙ୍ଗରେ ମିଶିଗଲା କୋହ । ସେ କୋହ ସବୁକୁ ଛାତିତଳେ ପଥର ଚାପି ଢେର୍‌ ଦିନ ରଖିଥିଲା ପାରଅପା । ଆଜି ପଥର ହଟିଗଲା ପରେ ସେ କୋହ ଆଉ ଚାପି ହୋଇ ରହିବାକୁ ପ୍ରସ୍ତୁତ ନୁହନ୍ତି-

 

ସିଦ୍ଧାନ୍ତ ଆଗେଇ ଯାଇ ପାରଅପାର କାନ୍ଧରେ ମୁହଁ ଗୁଞ୍ଜିଦେଲା । ଏଇ ସେଇ ପାରଅପା, ଯିଏ ବର୍ଷ ବର୍ଷ ଧରି ତାକୁ କୋଳରେ ପୂରେଇ ଖେଳେଇଛି, ତାକୁ ପହଁରା ଶିଖେଇଛି, ଶିଖେଇଛି ଗଛଚଢ଼ା, ଗୁଡ଼ିଉଡ଼ା ଓ ମାଛଧରା । ଏଇ ସେ ପାରଅପା ଯିଏ ନିଜେ ନ ଖାଇ ତାକୁ ଖୁଆଇଛି କୋଳି ଓ ଆଚାର । ମାଡ଼ ଗାଳି ଖାଇ ଟୋ ଟୋ ଖରାରେ ବୁଲୁଥିବାବେଳେ ପାଖକୁ ଡାକି ଲୁହ ପୋଛିଦେଇଛି । ନିଦ ଆସୁ ନ ଥିଲେ ଘଣ୍ଟା ଘଣ୍ଟା ବସି କହିଛି ବୁଢ଼ୀ ଅସୁରୁଣୀ ଓ କଲୁରେଇବେଣ୍ଟ କଥା ।

 

: କେତେ ଯୁଗ ପରେ ଏ ପୋଡ଼ା କପାଳୀ ଅପାଟା କଥା ମନେପଡ଼ିଲାରେ ! ସମସ୍ତେ ଭୁଲିଗଲ ଏ ଯମପୁରୀକୁ ପଠେଇ ଦେଇ ? କେହି ଜଣେ ବି ଟିକିଏ ଅକାଳେ ସକାଳେ ବୁଝିଲ ନାହିଁ, ପାର ମଲାଣି କି ବଞ୍ଚିଛି ? ଏଡ଼ିକି ନିର୍ଦ୍ଦୟ ସବୁ ତମେମାନେ ରେ !

 

: ପାରଅପା, ସେ କଥା ତୁ ଆଉ କିଛି କହନା । ତୋର ସବୁ ଅଭିଯୋଗ, ସବୁ ଗାଳିମନ୍ଦ ମୁଁ ଶୁଣିବାକୁ ପ୍ରସ୍ତୁତ । ତୁ କାନ୍ଦ୍‌ନା ପାରଅପା ।

 

: ନା ରେ କାନ୍ଦିବି କାହିଁକି ? ଯାହାର ସିନା କେହି ଥାଏ ସେ କାନ୍ଦେ । ଯାହାର କେହି ନାହିଁ, ସେ ହୀନିକପାଳୀ କାନ୍ଦିବ କାହିଁକି ?

 

ପାରଅପାକୁ ଥୟ କରିବା ପାଇଁ ଲାଗିଗଲା ଢେର୍‌ ସମୟ । ସେ ସବୁଦିନେ ଥିଲା ଏମିତି-। ତାକୁ ସାମ୍ନା କରିବା ସହଜ ନୁହେଁ ।

 

ପାରଅପା ତାପରେ ପଚାରିଲା–ମାଳତୀ ଓ ପିଲାମାନଙ୍କୁ କାହିଁକି ସାଙ୍ଗରେ ଆଣିଲୁ ନାହିଁ-? ଯେତେ କହିଲେ ବି ସେ ବିଶ୍ୱାସ କରିପାରୁ ନ ଥିଲା ଯେ ସିଦ୍ଧାନ୍ତ ଖାସ୍‌ ତାରି ଘରକୁ ଆସିଛି । ତାର ଦୃଢ଼ ଧାରଣା ଥିଲା ସିଦ୍ଧୁର ଇଆଡ଼େ କିଛି ସରକାରୀ କାମ ଥିବ, ସେଇଥିପାଇଁ ସେ ଚାଲିଆସିଥିବ । ନ ହେଲେ ଏତେବର୍ଷ ଭିତରେ କଣ ଥରୁଟେ ସେ ତା ଘରକୁ ଆସି ନ ଥାନ୍ତା ?

 

ପାରଅପା କହିଲା, “ହଉ ଏତେଦିନ ପରେ ହେଉ ପଛେ, ତୁ ଯେ ମନେପକେଇ ଆସିଲୁ ଏଇ ଢେର୍‌ । କେତେ ଲୋକଙ୍କୁ ପଚାରେ ତୋ କଥା । ତୋ ଝିଅ ଜନମ ଖବର ପାଇ ସଜବାଜ ହେଇ ବସିଥିଲି । ସିଦ୍ଧୁ ଖବର ପଠେଇବ, ଲୋକ ପଠେଇବ । ମୋ ସଜବାଜ ଦେଖି ଭଗାରି ହସିଲେ ସିନା, ଭାଇର ଖବର ପହଞ୍ଚିଲା ନାହିଁ ।”

 

ସିଦ୍ଧାନ୍ତ ତଳକୁ ମୁହଁପୋତି ବସିଥିଲା । ପାରଅପାର ଅଭିଯୋଗ ସବୁ ସତ । ଦାଦାଙ୍କ ସଙ୍ଗେ ମାଲିମୋକଦ୍ଦମା ଭିତରେ ସେ ଯେଉଁ ନିରପରାଧ ଭଉଣୀଟିକୁ ଅବହେଳା କରି ଆସିଛି ସେ ଏଇ ପାରଅପା । ଅଥଚ ପାରଅପା ଯଦି ମା ପେଟର ଭଉଣୀ ହୋଇଥାଆନ୍ତା, ତାହାହେଲେ କଣ ସେ ଏତେବର୍ଷ ଧରି ତା ପାଖକୁ ଆସି ନ ଥାନ୍ତା !

 

ପାରଅପା ସରୁଚକୁଳି ଓ ସନ୍ତୁଳା ବାଢ଼ି ଦେଉ ଦେଉ କହିଲା, “ସିଦ୍ଧୁରେ, ତୁ ସିନା ଖବର ପଠାଇଲୁ ନାହିଁ, ମୁଁ କିନ୍ତୁ ସଜହୋଇ ବସିଥିଲି । ଦେଖିବୁ...” ଏତିକି କହି ପାରଅପା ସେଇ ଅଇଁଠା ହାତରେ ଭିତରକୁ ଚାଲିଗଲା କଣ ଖୋଜିବା ପାଇଁ । ସିଦ୍ଧାନ୍ତ ଖାଇସାରି ହାତ ଧୋଇବା ପାଇଁ ଉଠିଗଲା ।

 

ଏତେବଡ଼ ଘର । କୁଟା ଛାଉଣିରେ ସୁନ୍ଦର ଦିଶୁଛି । ଗାଈଗୋରୁ ପଲେ । ଚାକରବାକର ମଧ୍ୟ ତିନି ଚାରିଜଣ ଅଛନ୍ତି । ପାରଅପାକୁ ଅପେକ୍ଷା ନ କରି ସେମାନେ କାମ ଆଗେଇ ନେଇ ଯାଉଛନ୍ତି । ସେପଟକୁ ଧାନ ଅମାର । ଅମାର ତଳେ ଗୁଡ଼ ହାଣ୍ଡି, ଆଚାର ହାଣ୍ଡି ଓ ପାଣି କଖାରୁ, ବୋଇତାଳୁ ଗଡ଼ୁଛନ୍ତି । ବାଲି ଉପରେ ବିଛା ହୋଇଛି ସାରୁ ଓ ମାଟିଆଳୁ ବିହନ ।

 

କେତେ ସମୟ ପରେ ପାରଅପା ଧୂଳି ଝାଡ଼ିଝୁଡ଼ି ଗୋଟାଏ ପୁଡ଼ିଆ ଆଣିଲା । ସିନ୍ଦୁକ ଭିତରେ ମୁହଁ ଭର୍ତ୍ତି କରି ଖୋଜୁଥିଲା ବିଚାରୀ । ମୁହଁରେ ନାକରେ କଣ ସବୁ ଲାଗିଯାଇଛି । ପାରଅପା ଆସିଲା । ଲଣ୍ଠନଟା ତେଜିଦେଇ ସେଇ ପୁଡ଼ିଆ ଖୋଲିଲା । ଡୋର ପରେ ଡୋର, ଗଣ୍ଠି ପରେ ଗଣ୍ଠି ଫିଟେଇ ଅବଶେଷରେ ସେ ବାହାର କଲା ଗୋଟେ ସାନପିଲାର ଫ୍ରକ୍‌ ସେଇ ପୁଡ଼ିଆ ଭିତରୁ । ଗୋଟିଏ ପ୍ୟାକେଟ୍‌ ଭିତରେ ଲୁଡ଼ୁ ଦାନ ପରି ଛୋଟ ମୁଦିଟାଏ !

 

ସିଦ୍ଧାନ୍ତ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲା । ପାରଅପା କହିଲା, “ସେ ପୁଡ଼ିଆ ସେଇମିତି ବାନ୍ଧି ରଖିଥିଲି ତୋ ଝିଅ ପାଇଁ । ମୋତେ ତ ଖୋଜିଲ ନାହିଁ କି ଲୋଡ଼ିଲ ନାହିଁ । କେଉଁ ମୁହଁରେ ମୁଁ ଆପେ ଆପେ ଯାଇଥାଆନ୍ତି ?”

 

ସିଦ୍ଧାନ୍ତର ପ୍ରୌଢ଼ ଆଖିରେ ଲୁହବୁନ୍ଦା ଉକୁଟି ଆସିଲା । ସେ ପାରଅପାର ହାତକୁ ଜାବୁଡ଼ି ଧରି କହିଲା, “ଅପା, ତୁ ମୋତେ ଯାହା କହୁଛୁ ପଛେ କହ, ତୁ କାନ୍ଦନା । ମୋର ସବୁ ଭୁଲ୍‌ । ମୁଁ ଆସିଛି ତୋତେ ନେବା ପାଇଁ । ତୁ ଯେଉଁ ଝିଅ ଜନ୍ମଦିନକୁ ଯାଇପାରିଲୁନି, ତାଆରି ବାହାଘର ହେଉଛି । ମୁଁ ଆସିଛି ତୋତେ ନିମନ୍ତ୍ରଣ କରିବା ପାଇଁ ।”

 

ପାରଅପାର ଆଖିଯୋଡ଼ିକ ଆହୁରି ବଡ଼ ବଡ଼ ହେଇଗଲା । “ଆଁ, ତୋ ଝିଅ ବାହାଯୋଗ୍ୟା ହେଲାଣି ? ମୁଁ କେଡ଼େ ଓଲୀଟା କିରେ ? ଝିଅ ବାହାଯୋଗ୍ୟା ହେଲାଣି ! କେଉଁଠି ବାହା ଦେଉଛ ? ପୁଅ କଣ କରୁଛି ? ପିଲାଟିର ଆଉ ଭାଇଭଉଣୀ କେତେ ? ଝିଅଜନମ ତ ସେଇଆ । ତାକୁ କଣ ପାରଅପା ପରି ବିଦା କରିଦେଇ ଭୁଲିଯିବୁ ? ମୁଁ ଦେଖିବା ପାଇଁ ବଞ୍ଚିଥିବି ରେ ।”

 

ପାରଅପାର କଥା ସରିବାର ନୁହେଁ । ପଇଁତିରିଶ ବର୍ଷର ପ୍ରଶ୍ନ ଏକାବେଳେ ସରନ୍ତେ ନାହିଁ-। କେତେ ପ୍ରଶ୍ନ ଏମିତି ଅଶିଣର ମେଘରେ ଓ ବୈଶାଖର ଝାଞ୍ଜିରେ ମିଶି ମିଳେଇ ଯାଇଛି, ତାର ହିସାବ ପାରଅପା ଛଡ଼ା ଆଉ କିଏ ରଖିଛି ? ପାରଅପା ଦାଣ୍ଡଦୁଆରେ ନ ହେଲେ ବାଡ଼ିପଟେ ଗାଲରେ ହାତଦେଇ ଦୂର ଆକାଶ ଆଡ଼େ ଚାହିଁ ବସିଥିବ । ବାପଘର ଗାଆଁରୁ କେହି ଜଣେ ଆସନ୍ତା! କେହି ଜଣେ ଲୋଡ଼ି ବସନ୍ତା ତାକୁ ପୂନେଇଁ ପର୍ବରେ ! କିନ୍ତୁ କେହି ଆସନ୍ତି ନାହିଁ । ସକାଳର ଗାଈ ସଞ୍ଜବୁଡ଼େ ଗୋଠରୁ ଫେରେ । ପାରଅପାର ଅପେକ୍ଷା ସରେ ନାହିଁ । ସିଦ୍ଧାନ୍ତ ଭାବୁ ଭାବୁ ଭାବପ୍ରବଣ ହୋଇ ଉଠିଥିଲା ।

 

ଏସବୁ ଭିତରେ ଯେଉଁ କଥାଟିକୁ ସେ ଆଦୌ ଉଠେଇବାକୁ ଚାହୁ ନ ଥିଲା ତାହା ଥିଲା ଭିଣୋଇ ବିଜୟ ସାମନ୍ତରାଙ୍କ କଥା । ଏ ଅଞ୍ଚଳର ସେ ଗୋଟେ କିମ୍ବଦନ୍ତୀ ! କଲିକତାରେ ରହନ୍ତି । ଇଚ୍ଛା ହେଲେ ଗାଁକୁ ଆସନ୍ତି । ବାହାଘର ପୂର୍ବରୁ ସେ କଲିକତାରେ କାହାକୁ ଧରି ରହୁଥିଲେ । ତାଙ୍କ ବାପା ଜିଦ୍‌ରେ ଆଣି ଏଠି ବାହାଘର କରେଇ ଦେଇଥିଲେ କାଳେ ମନ ବୁଝିବ ବୋଲି । ସିଦ୍ଧାନ୍ତ ସେ କଥା ପଚାରିବାକୁ ଚାହୁ ନ ଥିଲା, କାଳେ ଏକଥା ପଚାରିଦେବା କ୍ଷଣି ପାରଅପା ଚିହିଁକି ଉଠିବ-

 

ସିଦ୍ଧାନ୍ତ ସାନ ପିଲାଟେ ପରି ପାରଅପାର ପାଖକୁ ଟିକେ ଲାଗିଗଲା । ପାରଅପା ସିଦ୍ଧାନ୍ତ ପିଠିରେ ହାତ ବୁଲେଇ ଆଣୁ ଆଣୁ କହିଲା, ‘ବୁଢ଼ାଟେ ହେଇଥା । ମୋର ଆୟୁଷ ଝାଡ଼ିଝୁଡ଼ି ନେ ରେ ସିଦ୍ଧୁ, ଯାହାହେଲେ ବି ତୋର ମନେ ପଡ଼ିଲା । ଗୋଠରେ ଗୋଠେ ମଣିଷ ତ ସେ ଘରେ ଥିଲେ । ଥରୁଟେ ବି କଣ କାହାରି ମନେପଡ଼େ ନାହିଁ ? ସବୁ ମୋଅରି ଭାଗ୍ୟ ! ନିଆଶ୍ରୀ କପାଳ । ଝିଅ ଜନମ ପାଇ କାହିଁକି ବା ବାପଘର ସୁଖ ଖୋଜି ହେଉଥିବି ?’

 

ସିଦ୍ଧାନ୍ତର ଫେରିଯିବାର କଥା । ନିମନ୍ତ୍ରଣପତ୍ର ଓ ଗୁଆ ପାରଅପା ଆଗରେ ରଖିଲା । କହିଲା, “ଭାଇ ତ ଏହା ଭିତରେ ଆସି... ।”

 

ପାରଅପା ଅତି ସତର୍କ ଅଥଚ ସହଜ କଣ୍ଠରେ କହିଲା, “ହଁ, ହଁ, ଏବେ ପରା ଆସିଥିଲେ-।”

 

ସିଦ୍ଧାନ୍ତ ଜାଣିଲା, ପାରଅପା ମିଛ କହୁଛି । ସେ ଯେ ଏଇ ଖଞ୍ଜାଟାରେ ଆଜି ନୁହେଁ, ଅନେକ ବର୍ଷ ହେଲା ନିଃସଙ୍ଗ ଜୀବନ ବିତଉଛି, ଏକଥାଟି ସେ ସିଦ୍ଧାନ୍ତକୁ ଜଣେଇବାକୁ ଚାହେ ନାହିଁ-

 

ସିଦ୍ଧାନ୍ତ ପ୍ରଶ୍ନିଳ ଆଖିରେ ଚାହିଁ ରହିଲା ।

 

ପାରଅପା କହିଲା, “ସାବିତ୍ରୀ ବାସିରେ ଆସିଥିଲେ ପରା । ଗାଡ଼ି ନ ମିଳିବାରୁ ଆଗଦିନ ଆସିପାରିଲେ ନାହିଁ । କଲିକତା କଣ କମ୍‌ ଦୂର ହେଲାଣି ?”

 

ସିଦ୍ଧାନ୍ତ ମନେ ମନେ ହିସାବ କଲା । ସାବିତ୍ରୀ ଯାଇଥିବ ଜ୍ୟେଷ୍ଠ ମାସରେ । ଏବେ ଆଶ୍ୱିନ ସରିବାକୁ ବସିଲାଣି । ତଥାପି ପାରଅପା ଏତେ ସହଜରେ କ୍ଷମା କରି ଦେଉଛି ତା ସ୍ୱାମୀକୁ-!

 

ପାରଅପା ଦୁଆର ମୁହଁ ଯାଏ ବାଟେଇ ଦେବା ପାଇଁ ଆସୁଥିଲା । ଲଣ୍ଠନ ଆଲୁଅରେ ତାର ଛାଇ ପଡ଼ିଥିଲା କାନ୍ଥ ଉପରେ । ପାରଅପା ଛାଇରେ ଦିଶୁଥିଲା ଗୋଟେ ପାହାଡ଼ ପରି ।

 

ପାରଅପା କହିଲା, “ମୋର ତ କପାଳ ମନ୍ଦ । କୋଳ ଖାଲି ଯୋଗୁଁ ସଭିଏଁ ଉଲୁଗୁଣା ଦେଲେ । ଭଲରେ କି ମନ୍ଦରେ ଲୋଡ଼ିଲେ ନାହିଁ । ବାପଘର ମୋ ପାଇଁ ସାତସପନ ହେଲା । କାହାକୁ କହିବି ରେ ? ତୋ ଝିଅ ବାହାଘରକୁ ଯାଆନ୍ତି । କିନ୍ତୁ ମୁଁ ବା କେଉଁ ଶୁଭକାମରେ ଆସିବି-? ତୋରି ମନ କଷ୍ଟ ହେବ ଶେଷରେ ।”

 

: ଭାଇ ଚିଠିପତ୍ର କି ଟଙ୍କା ପଇସା କିଛି ୟା ଭିତରେ ପଠେଇ ନାହାନ୍ତି ? –ସିଦ୍ଧୁ ପାରଅପାକୁ ସାନ୍ତ୍ୱନା ଦେବାକୁ ଚାହୁଥିଲା ।

 

ସିଦ୍ଧାନ୍ତ ପାଟିରୁ କଥା ସରିବା ଯାଏ ଅପେକ୍ଷା ନ କରି ପାରଅପା କହିଲା, “ପିଲାଲୋକ କାହିଁକି ସେସବୁ ପଚାରୁଛୁରେ ! ଦି ହାତରେ ଶଙ୍ଖା ପାଣିକାଚ ପିନ୍ଧିଛି । ମଥାରେ ସିନ୍ଦୂର । ଆମ ପରି ମାଇପି ଜନମ ପାଇଁ ଏଇ କଣ କମ୍‌ ହେଲାଣି ? ୟାଠୁଁ ଆଉ ବେଶି କାହିଁକି ଲୋଡ଼ନ୍ତି ?”

 

ସିଦ୍ଧାନ୍ତ କେଇ ମୁହୂର୍ତ୍ତ ପାଇଁ ସ୍ତବ୍ଧ ହୋଇଯାଇଥିଲା । ଆଖପାଖରେ କୋଉଠି ଘରଟାଏ ଭୁଶୁଡ଼ି ପଡ଼ିଲା କି ? ସେଇ ଆଘାତରେ ସେ ଯେପରି ଶ୍ରବଣଶକ୍ତି ହରେଇ ବସିଥିଲା !

 

ପଛକୁ ବୁଲିପଡ଼ି ସେ ପାରଅପାର ପାଦ ଛୁଇଁଲା । ତାକୁ ଲାଗୁଥାଏ ପାରଅପା ଯେମିତି ସତକୁ ସତ ପାହାଡ଼ଟେ ହୋଇଯାଇଛି । ଯେତେ ଚେଷ୍ଟା କଲେ ବି ସେଇ ପାହାଡ଼ର ପାଦ ପାଖେ ତା ହାତ ପହଞ୍ଚୁ ନ ଥିଲା ।

 

ପାରଅପା ପଛରୁ କହୁଥିଲା, ‘ଯଦି ଗାଁକୁ ଯାଇ ବୋଉକୁ ଟିକେ ଭେଟିବୁ ରେ । କହିବୁ, ତା ପାର ବାପଘରର ମାନମହତ ପଦାରେ ପକେଇ ନାହିଁ । ନିଜ କରମ ଆଦରି ବଞ୍ଚିଛି ।’

Image

 

ରବର କଣ୍ଢେଇ

 

ସେଇ ଦକ୍ଷିଣ ଭାରତୀୟ ପରିବାରଟିକୁ କଲୋନିଟା ସାରା ସମସ୍ତେ ଈର୍ଷା କରନ୍ତି ।

 

ନୂଆ ଡିଜାଇନ୍‌ର ଗୋଟେ ପ୍ରକାଣ୍ଡ ଦୋ ମହଲା ଘର । ଘର ଆଗରେ ସୁନ୍ଦର ଫୁଲ ବଗିଚା, ଫୁଲ ବଗିଚାରେ ଶହ ଶହ ଗଛ, ଫୁଲକୁଣ୍ଡ, କ୍ୟାକ୍‌ଟସ୍‌ ଓ ବନ୍‌ସାଇର ପ୍ରଦର୍ଶନୀ । ଚାରି ଚାରିଟା ବିଦେଶୀ କୁକୁର ଘର ଚାରିପଟ ପ୍ରଦକ୍ଷିଣ କରନ୍ତି ଦିନସାରା । ଛୁଆ ଛୁଆ ଦିଇଟି, ଗୋଟେ ଆଲସିସିଆନ୍‌ ଓ ଆରଟା ଡୋବରମ୍ୟାନ୍‌ ଡାହାଳ । ରାମସ୍ୱାମୀ ବଡ଼ କମ୍ପାନିର ଏକ୍‌ଜିକ୍ୟୁଟିଭ୍‌ । ପୋର୍ଟିକୋରେ ତାଙ୍କ ପାଇଁ ନାଲି ବଡ଼ କାର୍‌ । ଘରେ ଝିଅ ଦିଇଟି ସବୁବେଳେ ଚଢ଼େଇ ପରି କିଚିରିମିଚିରି ହେଉଥାଆନ୍ତି । ସାହେବାଣୀ ଲନ୍‌ ମଝିରେ ଗାର୍ଡେନ୍‌ ଚୌକିକୁ ଆଉଜି ସକାଳ ସଞ୍ଜେ ଖବରକାଗଜ କି ମାଗାଜିନ୍‌ ପଢ଼ନ୍ତି । ସପିଙ୍ଗ୍‌ରେ ଦିନଟି ସାରା ତାଙ୍କର ବିତିଯାଏ । ରାଣୀ ମହୁମାଛି ସେ । ସେ ଚାଲିଗଲେ ଚକ୍‌ କରି ବିଜୁଳି ଚେନାଏ ଖେଳିଯାଏ, ହସିଦେଲେ ଝରିପଡ଼େ ଆଞ୍ଜୁଳାଏ ମୁକ୍ତା ।

 

ଶୀତଦିନ ସକାଳ । ସମଗ୍ର କଲୋନିଟା ଆଶ୍ଚର୍ଯ୍ୟ । ଏତେ ସକାଳୁ ସକାଳୁ ରାମସ୍ୱାମୀ ଘରୁ ଚିତ୍କାର ଶୁଭୁଛି କାହିଁକି ? ସବୁବେଳେ ଚୁପ୍‌ଚାପ୍‌, ନିରବ ରାଜପ୍ରାସାଦ ପରି ଏହି ଘରେ କେବେ ତ କୋଳାହଳ ଶୁଣା ନ ଥାଏ । ହଠାତ୍‌ କାହିଁକି ଏପରି ଅଭାବିତ ଘଟଣା ଘଟୁଛି ରାମସ୍ୱାମୀ ଘରେ ?

 

କଲୋନି ଲୋକଙ୍କର ଉତ୍କଣ୍ଠା ଭିନ୍ନେ ରକମର । ଗାଁ ଗଣ୍ଡାର ପ୍ରତିବେଶୀଙ୍କ ପରି ଏମାନେ ନିଜ ନିଜର ଘରୁ ବାହାରିଆସି କ୍ଷେତ୍ର ଉପରେ ଉପସ୍ଥିତ ହୁଅନ୍ତି ନାହିଁ । ସେଇଟାକୁ ପରଚର୍ଚ୍ଚା କି ଅନୁପ୍ରବେଶ କୁହାଯିବ । ଏମାନେ ନିଜ ନିଜ ଘରଟି ଭିତରେ ଥାଇ ଉତ୍କୀର୍ଣ୍ଣ ହେଇ ସବୁକଥା ଶୁଣୁଥାଆନ୍ତି । ଘଟଣାର ଧାରା ବିବରଣୀ କଣ କେଉଁଠି ଟୁପ୍‌କିନା ହେଲେ ସେମାନଙ୍କ କାନରେ ପଡ଼େ । ସାଙ୍ଗେ ସାଙ୍ଗେ କାନକୁ ଦି କାନ–ସେଇଠୁ ଚାରି କାନ ହେଇ ନିମିଷକରେ ସାରା କଲୋନିରେ ଖବର ବ୍ୟାପିଯାଏ–ଅମୁକଙ୍କ ଘରେ ଜିରା ଫୁଟିଛି ।

 

ମନୋରମା ବି ଏହିପରି ଜଣେ ଉତ୍ସାହୀ ମହିଳା । ସବୁରି ଘରର ସବୁକଥା ଜାଣିବା ପାଇଁ ତା ଭିତରେ ଅସମ୍ଭବ ରକମର କୌତୂହଳ । ରାମସ୍ୱାମୀ ଘରର ପ୍ରାଚୁର୍ଯ୍ୟ, ଉଚ୍ଚା ଖିଲାଣ ପରି ଉଚ୍ଚ ଆଭିଜାତ୍ୟ, ରାମସ୍ୱାମୀ ସାହେବାଣୀର ଆକାଶଛୁଆଁ ଅହଂକାର ଏସବୁ ମନୋରମାକୁ ବେଳେ ଅବେଳେ ଦୁଃଖୀ କରିଦିଏ । ତା ଭିତରେ ଗୋଟେ ଈର୍ଷୁକୀ ନାରୀ କାମନା କରେ, ତାର ଦୁଇବଖୁରିଆ ଘରଟା ରାତି ପାହିଲାବେଳକୁ ପାଲଟି ଯାଆନ୍ତା କି ରାମସ୍ୱାମୀର ବଙ୍ଗଳା ପରି ସୁନ୍ଦର ବଙ୍ଗଳାଟେ ! ସତ୍ୟଶାନ୍ତର ସ୍କୁଟରଟା ହୋଇଯାଆନ୍ତା କି ଗୋଟେ ଚକଚକିଆ ଫିଆଟ ନ ହେଲେ ମାରୁତି କାର୍‌ । କିନ୍ତୁ ସେପରି କିଛି ଆଲୌକିକ ଘଟେ ନାହିଁ । ଘଟେ ନାହିଁ ବୋଲି ମନୋରମାର ଅସାମର୍ଥ୍ୟ କ୍ରମେ ତାକୁ ଅଧିକ ହୀନମନ୍ୟ କରିଦିଏ ।

 

ରାମସ୍ୱାମୀ ଓଡ଼ିଶା ଆସିବା ଆଗରୁ ଥିଲେ ବିଶାଖାପାଟଣାରେ । ଛ ମାସ ହେବ ଏଠିକି ଆସିଛନ୍ତି । ପୁରୁଣା କଲୋନି ପଛପଟେ ତିଆରି ହେଇଛି ଭି.ଆଇ.ପି. କଲୋନି, ଚାଳଘର ପାଖେ ପ୍ରାସାଦ ପରି । ରାମସ୍ୱାମୀଙ୍କ ପରିବାର ଆସିବାବେଳକୁ ତାଙ୍କ ପାଇଁ ଘର ଯୋଗାଡ଼ ସରିଛି, ବଗିଚା ପାଇଁ ମାଳୀ ଓ ଘର ଜଗିବା ପାଇଁ ଦରୱାନ ବି ନିଯୁକ୍ତ ହେଇସାରିଛନ୍ତି । ଛଅ ଛଅଟା ଖୁଣ୍ଟ ପୋତା ହେଇ ଅଧ କିଲୋମିଟର ଦୂରରୁ ଟଣା ହେଇଛି ଟେଲିଫୋନ୍‌ ତାର । ରାମସ୍ୱାମୀ ଅବଶେଷରେ ଆସିଲେ ଉତ୍ସୁକ କଲୋନି ପଡ଼ିଶାଏ ଆଖି ମିଟିମିଟି କରି ଚାହିଁଲେ । ବିରାଟ ଲେ-ଲ୍ୟାଣ୍ଡ୍‌ ଟ୍ରକ୍‌ ଡାଲାରୁ ଓହ୍ଲାଯାଇଥିଲା ରାମସ୍ୱାମୀର ଗୃହ ଉପକରଣ । କେତେ ଯେ ଜିନିଷ ଲୋକଟିର !

 

ଈର୍ଷା ହୁଏ ମନୋରମାର ରାମସ୍ୱାମୀ ସ୍ତ୍ରୀକୁ ନେଇ । ଏତେ ଫୁଲେଈ କାହିଁକି କେଜାଣି ସ୍ତ୍ରୀ ଲୋକଟି ? ବେଳେ ଅବେଳେ କାହା ସଙ୍ଗେ ତାକୁ କଥା ହେବାର ଦେଖେ ନାହିଁ ମନୋରମା । ମନୋରମା ଅଧାଦିନେ ଫ୍ଲାଟ୍‌ର ଛାତ ଉପରକୁ ଯାଇ ସାହେବାଣୀର ଗତିବିଧି ଲକ୍ଷ୍ୟ କରେ । କେବଳ ରାମସ୍ୱାମୀକୁ ଛାଡ଼ିଦେଲେ ଆଉ କାହା ସଙ୍ଗେ ସାହେବାଣୀ କଥା ହୁଏ ନାହିଁ । ତେବେ ଦିଟା ରୁମାରୁମା କୌତୁକିଆ କୁକୁର ସାଙ୍ଗେ ଦରବୁଢ଼ୀଟେ ଏତେକାଳ କଣ ଲଟରପଟର ହୁଏ ମନୋରମା ବୁଝିପାରେ ନାହିଁ । ଯା ହେଲେ ବି ରାମସ୍ୱାମୀର ସ୍ତ୍ରୀ ଖୁବ୍‌ ସୁନ୍ଦରୀ । ସିନେମା ପରଦାର ନାୟିକାଟି ପରି ସୁନ୍ଦର ଦିଶେ ତାର ଚେହେରା ।

 

ବେଳେବେଳେ ରାମସ୍ୱାମୀ ଖୁବ୍‌ ଡେରିରେ କ୍ଳବ୍‌ରୁ ଫେରେ । ବଂଲୋର ଦକ୍ଷିଣପଟକୁ ରାମସ୍ୱାମୀର ଶୋଇବା ଘର । ଆଲୁଅ ଜଳୁଥାଏ ଅଧରାତି ଯାଏ । ନାଇଟି ପିନ୍ଧି ସାହେବାଣୀ ଅପେକ୍ଷା କରିଥାଏ ରାମସ୍ୱାମୀର ଫେରିବା ବାଟକୁ । ପୋଲିସ୍‌ଚୌକର ଟାଇମ୍‌କିପର୍‌ ଘଣ୍ଟା ବାଡ଼ାଏ । ରାତି ଦଶ, ଏଗାର, ବାର । ମନୋରମା ନିଦ ମଳମଳ ଆଖିରେ କଣ ଗୋଟେ ଭାରି ଜରୁରୀ କାମ ଛାଡ଼ିଗଲା ଭଳି ବାହାରକୁ ଆସି ଚାହିଁ ଦେଇଯାଏ ରାମସ୍ୱାମୀ ଘରକୁ । ସାହେବାଣୀ ଟେବୁଲ୍‌ ଲ୍ୟାମ୍ପ୍‌ ଜଳେଇ ବହିଟେ କି ମାଗାଜିନ୍‌ ପଢ଼ୁଥାଏ । ରାତିସାରା ଶୁଏନି ବି ସାହେବାଣୀ ?

 

ରାମସ୍ୱାମୀ ଗାଡ଼ିର ହେଡ୍‌ଲାଇଟ୍‌ ଗୋଟେ ବିଜୁଳି ମାରିଲା ପରି ଝଲସି ଉଠେ ମନୋରମାର ଝରକା ଏପଟେ । ବୋଧେ ରାମସ୍ୱାମୀ ଫେରିଲା । ଏତେ ରାତିଯାଏ କ୍ଳବ୍‌ରେ କଣ କରେ ଲୋକଟା ? ଲୋକଟାର ପିଲା ସ୍ତ୍ରୀ ଏମାନଙ୍କ କଥା ମନେପଡ଼େନା କି ? ସାହେବାଣୀ ପୁଣି ରାମସ୍ୱାମୀକୁ କିଛି କହେନା କାହିଁକି ? ମା ନ ହେଲେ ଝିଅମାନେ ତ କିଛି କହନ୍ତେ ? ସ୍ୱପ୍ନଶାନ୍ତର ଦି ଦିନ ଘରକୁ ଫେରିବା ଡେରି ହେଲେ ମନୋରମା କୁନି ଝିଅକୁ କୋଳରେ ପୂରେଇ ଶୋଇପଡ଼େ-। କଥାବାର୍ତ୍ତା ବନ୍ଦ । ପରଦିନ ଠିକ୍‌ ସଞ୍ଜ ସାତଟାବେଳକୁ ଫେରିଆସେ ସ୍ୱପ୍ନଶାନ୍ତ ।

 

ଆଜି ମକର ସଂକ୍ରାନ୍ତି । କଲୋନିର ପିଲାଗୁଡ଼ାକ ଏଇ ଅରାକ ଆକାଶକୁ ଗୁଡ଼ିରେ ଛାଇ ଦେଇଛନ୍ତି । ମନୋରମାର ଘର ବାଲେଶ୍ୱର । ମକର ସଂକ୍ରାନ୍ତିରେ ତାଙ୍କ ଘରେ ପିଠାପଣା ସେ ତା ପିଲାଦିନୁ ଦେଖି ଆସିଛି । ସକାଳେ ଭାବିଥିଲା ରାମସ୍ୱାମୀ ଘରକୁ ପିଠା ନେଇଯିବ । କିଛି ନ ହେଲେ ଏଇ ବାହାନାରେ ସେଇ ଅଦ୍ଭୁତ ମଣିଷମାନଙ୍କ ସଙ୍ଗେ ପଦେ ଦି ପଦ କଥାବାର୍ତ୍ତା କରିହବ ତ ! ପରେ ଦବି ଯାଇଥିଲା ସେ । ବଡ଼ ଘର ବଡ଼ ଗୁମର କଥା । କାଳେ ଯଦି ରାମସ୍ୱାମୀର ସ୍ତ୍ରୀ ତାର ଏ ସମ୍ପର୍କର ପ୍ରସ୍ତାବକୁ ଗ୍ରହଣ ନ କରେ, କାଳେ ଯଦି ସାହେବାଣୀ କିଛି କହିବା ଆଗରୁ ତାଙ୍କ ଦରୱାନ ନ ହେଲେ ଡାହାଳ କୁକୁରଟା ତା ଆଡ଼କୁ ଧାଇଁଆସେ ? କୁକୁରଗୁଡ଼ାଙ୍କୁ ପ୍ରାଣେ ଡର ମନୋରମାର । ଚାରି ଚାରିଟା କୁକୁରଙ୍କୁ ଧରି କେମିତି ସେ ଘରେ ଲୋକେ ରହୁଛନ୍ତି କେଜାଣି ? ଥରେ ରାମସ୍ୱାମୀ ତା ପିଲାମାନଙ୍କୁ ନେଇ ନନ୍ଦନକାନନ ଯାଇଥିଲା । ସାହେବାଣୀର ଗେହ୍ଲା କୁକୁରକୁ ଛାଡ଼ି ଆର ତିନିଟାଙ୍କୁ ଛାଡ଼ି ଯାଇଥିଲେ ଘରେ । ସେ ଦିନସାରା କଲୋନି ଲୋକେ କୁକୁରଙ୍କ ଚିତ୍କାର ଯୋଗୁ ଶାନ୍ତିରେ ଟିକେ ରହିପାରି ନ ଥିଲେ । ଏସବୁ ସତ୍ତ୍ୱେ ମନୋରମା ମକର ପିଠା ନେଇ ସାହେବାଣୀ ଘରକୁ ଗଲା ।

 

: ଆପଣଙ୍କ ଝିଅଟି ଭାରି କୌତୁକିଆ ହୋଇଛି ।–ମନୋରମାର ହାତରୁ ପିଠାଥାଳିଟା ନେଇ ଟେବୁଲ ଉପରେ ରଖୁ ରଖୁ ସାହେବାଣୀ କହିଲେ । ମନୋରମା ଫେରି ଆସୁଥିଲା । ପିଠା ଦେବା ପାଇଁ ଆସିଥିଲା, ଦେଇଗଲା । ଆଉ କାମ କଣ ? ସାହେବାଣୀ କିନ୍ତୁ ହାତ ଧରି ମନୋରମାକୁ ଅଟକେଇଲେ । ମନୋରମାର ଝିଅ ମାମୁନିକୁ କୋଳରେ ପୂରେଇ ବହୁତ ଗେଲ କଲେ । ତାଙ୍କର ସେଇ ଗେହ୍ଲା ଧଳା କୁକୁରଟା ଯିଏ ମନୋରମାକୁ ଗୋଟାଏ ଶଙ୍କି ବିଲେଇ ପରି ଦିଶେ, ଟେବୁଲ ଉପରେ ଆଣ୍ଠେଇପଡ଼ି କୁଁ କୁଁ ହଉଥିଲା । ମନୋରମା ତା ଉପରେ ନଜର ରଖିଥିଲା, କାଳେ ବେଳ ଉଣ୍ଡି ତା ଆଡ଼କୁ ଯଦି ଝାମ୍ପ ଦିଏ ! ମନୋରମା କଳ୍ପନା କରି ନ ଥିଲା ସାହେବାଣୀଟା ପୁଣି ଏତେ ଭଲ ହୋଇପାରେ ! ସାହେବାଣୀ ବେକରେ ଗୋଟେ ଚେନ୍‌ । ସେଥିରେ ଗୋଟାଏ କ୍ରସ୍‌ର ଲକେଟ୍‌ । ସାହେବାଣୀଟା ଖ୍ରୀଷ୍ଟିଆନ୍‌ । ମନୋରମା ଚା କି କଫି ପିଇବାକୁ ମନା କରିଦେଲା । ସାହେବାଣୀ ପଚାରୁଥିଲେ, “ଆଗରୁ କାହିଁକି ଆସିଲେନି ଆମ ଘରକୁ-? ଏତେ ପାଖରେ ଅଛନ୍ତି, କେତେବେଳେ କେମିତି ଚାଲି ଆସିଲେ ଗପସପ କରନ୍ତେ ନାହିଁ-!”

 

ମନୋରମା କହିଲା, “ଆପଣ ଆମ ଘରଆଡ଼େ ଆସୁ ନାହାନ୍ତି ?” ଏବଂ ଲକ୍ଷ୍ୟ କଲା ସାହେବାଣୀ ହଠାତ୍‌ ଉଦାସ ହେଇ ପଡ଼ିଲେ । ତାଙ୍କ ଦେହର ରଙ୍ଗ ବଦଳି ଯାଇଥିଲା । ମନୋରମାକୁ ଲାଗିଥିଲା ସାହେବାଣୀର ନିଶ୍ଚୟ କିଛି ଗୋଟେ ଦୁଃଖ ଅଛି । ଏତେ ବଡ଼ ଘର, ଚାକରବାକର, ସୁଖସମ୍ଭୋଗ ଭିତରେ ବି ମଣିଷ କାହିଁକି ଦୁଃଖୀ ରହେ ଯେ ! ମନୋରମା ଜାଣିବାକୁ ଚାହିଁଥିଲା ସାହେବାଣୀର ଝିଅମାନଙ୍କ ବିଷୟରେ । ସାହେବାଣୀ କଥାର ପ୍ରସଙ୍ଗ ବଦଳେଇ କହିଥିଲେ–‘ମୁଁ ଆପଣଙ୍କ ଘର ଆଡ଼େ ନିଶ୍ଚୟ ଯିବି । କିନ୍ତୁ ଆପଣମାନେ ମୋତେ ଗ୍ରହଣ କରିବେ ତ ?’

 

: ଗ୍ରହଣ କରିବୁନି କାହିଁକି ? –ମନୋରମା କହିଲା ।

 

: ନାଇଁ ମୁଁ ଅଚିହ୍ନା ଲୋକ ତ !

 

: ମଣିଷ ତ ମଣିଷ । ଚିହ୍ନା ଅଚିହ୍ନା ଗୋଟେ କଣ ?

 

ମନୋରମା ଆଉ କେବେ ଆସିବ କହି ଚାଲି ଆସିଲା । ସ୍ୱପ୍ନଶାନ୍ତର ଅଫିସ୍‌ ନ ଥିଲେ ସେ ହୁଏତ ସାହେବାଣୀ ସାଙ୍ଗେ ଆଉ କିଛି ସମୟ ଗପିଥାନ୍ତା ।

 

ସାହେବାଣୀ ମାମୁନିକୁ ଛାଡୁ ନ ଥିଲେ । କହୁଥିଲେ, “ଆପଣ ଯାନ୍ତୁ । ମୁଁ ମାମୁନିକୁ ମାଳୀ ସାଙ୍ଗରେ ପଠେଇଦେବି । ରବିବାର ଦିନ ପୁଣି ଆସିବି” କହି ମନୋରମା ଝିଅକୁ ନେଇ ଚାଲି ଆସିଥିଲା ।

 

ଆଜି ସକାଳୁ ସକାଳୁ ରାମସ୍ୱାମୀ ଘରେ ଏ ପାଟିତୁଣ୍ଡ କାହିଁକି ? ମନୋରମା ହିଟର ଉପରୁ ତରକାରି ଓହ୍ଲେଇ ଦେଇ ଝରକା ପାଖକୁ ଗଲା । ଗୋଟେ ଆମ୍ବାସଡର ଛିଡ଼ା ହେଇଚି ରାମସ୍ୱାମୀ ଘର ଆଗରେ । ସ୍ତ୍ରୀଲୋକ ଜଣେ ଗାଡ଼ି ଭିତରେ ବସିଛି ଓ ଜଣେ ଏକୋଇଶି ବାଇଶି ବର୍ଷର ଯୁବକ ରୀତିମତ ଚିତ୍କାର କରୁଚି । ରାମସ୍ୱାମୀ ମଝିରେ ମଝିରେ ପଦେ କହୁଛି ସିନା, ହେଲେ ଅଧିକାଂଶ ସମୟ ଚୁପ୍‌ଚାପ୍‌ ଶୁଣୁଛି । କିନ୍ତୁ ସାହେବାଣୀ ? ସେ ତ ଆଖପାଖରେ ଦିଶୁନାହାନ୍ତି ? ମନୋରମା ଚାରିଆଡ଼କୁ ଚାହିଁଲା । ଗତକାଲିଠୁ ସାହେବାଣୀ ତାକୁ ବଡ଼ ଆପଣାର ମନେ ହେଉଥିଲେ । ଦୂରରୁ ଥାଇ କାହାରି ସମ୍ପର୍କରେ କିଛି ଗୋଟାଏ ଧାରଣା ଧରି ବସିବା ଉଚିତ ନୁହେଁ । ଆଖାପାଖ ଘରମାନଙ୍କରେ ମନୋରମା ପରି ଆହୁରି ଅନେକ ବ୍ୟଗ୍ର ଶ୍ରୋତା ଓ ଦର୍ଶକ । ସ୍ୱପ୍ନଶାନ୍ତ ଦାଢ଼ି ଖିଅର ଛାଡ଼ି ଶିଡ଼ିତଳେ ଯାଇ ଛିଡ଼ା ହେଇଚି । ଘଟଣାଟା କଣ ?

 

ରାମସ୍ୱାମୀ ଭଳି କମ୍ପାନିର ଗୋଟେ ଟପ୍‌ ଏକ୍‌ଜିକ୍ୟୁଟିଭ୍‌କୁ ଏକୋଇଶ ବାଇଶ ବର୍ଷର ଜଣେ ଯୁବକ ଏପରି ଚାଲେଞ୍ଜ୍‌ କରିପାରୁଚି କିପରି ? ରାମସ୍ୱାମୀ ଘରେ ବନ୍ଧୁକ ଅଛି । ତା ମୁଣ୍ଡକୁ ଯଦି ପିତ୍ତ ଚଢ଼ିଯିବ ତେବେ ସେ କଣ କରିବସିବ କେଜାଣି ! ତା ବାଘୁଆ ନିଶହଳକ ଗୁଣ୍ଡୁଚିମୂଷା ଲାଞ୍ଜ ଭଳି ଫୁଲି ଫୁଲି ଉଠୁଚି । ମନୋରମା ଭିତରେ ଭିତରେ ଯୁବକଟି ପାଇଁ ସାଙ୍କୁଡ଼ି ଯାଉଥିଲା । ଟୋକାଟା କିନ୍ତୁ ଭାରି ସ୍ମାର୍ଟ । ତା ଦକ୍ଷିଣୀ ଭାଷାରେ ଓକିଲ ଭଳି ଜବାବ ସୁଆଲ କରୁଥିଲା । ରାମସ୍ୱାମୀ ଚୁପ୍‌ଚାପ୍‌ ମୁଣ୍ଡକୁ ପୋତି ଛିଡ଼ା ହେଇଥିଲା । ଏ ଘଟଣା ପରେ କଲୋନିରେ ଥିବା ରାମସ୍ୱାମୀର ପତିଆରା ଅନେକଟା ମଳିନ ପଡ଼ିଯିବ–ସେ ନେଇ ମନୋରମା ନିଶ୍ଚିତ ଥିଲା । ତାକୁ ଘଟଣାଟା ଉତ୍ତେଜନାପୂର୍ଣ୍ଣ ଅଥଚ ବେଖାପ ଲାଗୁଥିଲା । କିନ୍ତୁ ନିରବରେ ଅପେକ୍ଷା କରିବା ଭିନ୍ନ ତା ପାଖେ ଆଉ କିଛି ଚାରା ନ ଥିଲା । କିଛି ସମୟ ପରେ ସେଇ ଆମ୍ବାସଡର କାର୍‌ଟା ସ୍ତ୍ରୀଲୋକ ଏବଂ ଯୁବକକୁ ନେଇ ଚାଲି ଯାଇଥିଲା । ସାଙ୍ଗରେ ରାମସ୍ୱାମୀର ଝିଅ ଦିଇଟି ବି ।

 

କଲୋନିର ମନୋରମାମାନେ ନିଜ ନିଜ କାମକୁ ଓ ସ୍ୱପ୍ନଶାନ୍ତମାନେ ନିଜ ନିଜ ଦପ୍ତରକୁ ଯାଉଥିଲେ । ଏବେ ରାମସ୍ୱାମୀ ଘରର କଥା ଦପ୍ତରରେ ଆଲୋଚିତ ହେବ ।

 

ଦୁଇ

 

: ସେତେବେଳେ ମୁଁ ହାଇସ୍କୁଲରେ ପଢ଼ୁଥିଲି । ବାପା ଡ୍ରାଇଭର । ମାଆ, ବାପା ଓ ମୁଁ ତିନିଜଣ ରହୁଥିଲୁ ସୁନାବେଡ଼ାରେ । ଛୋଟ ଜାଗା, ପରିଷ୍କାର ପରିଚ୍ଛନ୍ନ । ସେଇଠି ବିତିଥିଲା ମୋର ଶୈଶବ ଓ କୈଶୋର ।

 

ଷ୍ଟାଣ୍ଡାର୍ଡ ଟେନ୍‌ ପରୀକ୍ଷା ଦେଇ ଘରେ ବସିଥାଏ । ସେତିକିବେଳେ ପରିଚୟ ହୋଇଥିଲା ରାମସ୍ୱାମୀ ସାଙ୍ଗରେ । ବାପା ଥରେ ନିଜ ପରିବାର, ନିଜ ସମସ୍ୟା କଥା କହୁଥିଲେ ରାମସ୍ୱାମୀକୁ । ମୁଁ ପାଖରେ ବସିଥିଲି । ରାମସ୍ୱାମୀ ସାଙ୍ଗେ ସେଇଟା ଥିଲା ମୋର ପ୍ରଥମ ସାକ୍ଷାତ । ମୋତେ ରାମସ୍ୱାମୀ ଭଲପାଇ ବସିଲେ ।

 

ମୁଁ କିନ୍ତୁ ବଡ଼ ଅନ୍‌ଲକି । ଆମର ସେଇ ଭଲପାଇବା ଭିତରେ ହିଁ ବାପା ଚାଲିଗଲେ, ଗୋଟେ ଆକ୍‌ସିଡେଣ୍ଟ୍‌ରେ । ବାହାଘର ନେଇ ମୋର ସ୍ୱପ୍ନ ହଠାତ୍‌ ମଉଳିଗଲା-। ଆମେ ଆଉରି ଏକଲା ହେଇଗଲୁ । ରାମସ୍ୱାମୀ ସବୁଦିନ ବ୍ୟାଙ୍କ୍‌ ସାରି ଘରକୁ ଆସନ୍ତି । ମାଆ ପାଖେ ବସି ଦୁଃଖସୁଖ ହୁଅନ୍ତି । ସୁବିଧା ଅସୁବିଧା ବୁଝି ଚାଲିଯାଆନ୍ତି ।

 

କ୍ରମେ ମାଆ ଓ ମୁଁ ଦୁହେଁ ଅନୁଭବ କରୁଥିଲୁ ଯେ ଆମେ ରାମସ୍ୱାମୀ ଉପରେ ନିର୍ଭରଶୀଳ ହୋଇପଡ଼ୁଛୁ । ଅଧିକରୁ ଅଧିକ ଭରସା କରୁଛୁ ରାମସ୍ୱାମୀଙ୍କ ଉପରେ । ପୁରୁଷର ବିନା ଅବଲମ୍ବନରେ ଚଳିବା କେଡ଼େ କଷ୍ଟ ସେଇଦିନୁ ମୁଁ ଜାଣିଛି ।

 

ମାଆ ମୋର ବାହାଘର ପାଇଁ ବ୍ୟସ୍ତ ହୁଏ । ରାମସ୍ୱାମୀ ବୁଝେଇ ଦିଅନ୍ତି, ବାହାଘର ପାଇଁ ତରତର ହେବା ଦରକାର ନାହିଁ । ସମୟ ଆସିଲେ ଆପେ ଠିକ୍‌ ହେଇଯିବ । ମାଆ ବୁଝିଯାଏ । ମୁଁ ଏବଂ ରାମସ୍ୱାମୀ ଆହୁରି ଅନ୍ତରଙ୍ଗ ହେଇଯାଉ ପରସ୍ପରର ।

 

ପରୀକ୍ଷା ପରେ ଆମେ ଫେରିଆସିଲୁ ଆମ ଗାଆଁକୁ । ବାପାଙ୍କ ପରେ ସୁନାବେଡ଼ାରୁ ସମ୍ପର୍କ ଛିଣ୍ଡିଥିଲା । ରାମସ୍ୱାମୀ ଜିଦ୍‌ କଲେ ମୁଁ କଲେଜରେ ପଢ଼ିବି । ସେତେବେଳକୁ ତାଙ୍କର ବଦଳି ହେଇଯାଇଥାଏ ବ୍ରହ୍ମପୁର । ମୁଁ ବ୍ରହ୍ମପୁର କଲେଜରେ ନାଆଁ ଲେଖେଇଲି । ମାଆ ଫେରିଗଲା ଗାଆଁକୁ ।

 

କଲେଜରେ ପଢ଼ୁଥିବାବେଳେ ରାମସ୍ୱାମୀ ପ୍ରତିଦିନ ଆସୁଥିଲେ । ଦିନଗୁଡ଼ାକ ଗୁଡ଼ି ପରି ଉଡ଼ି ଯାଉଥିଲେ । ସବୁଦିନ ସିନେମା ଓ ହୋଟେଲ । ମୁଁ ଅଜାଡ଼ି ଦେଇଥିଲି ମୋର ଲଜ୍ଜା ଓ ନାରୀତ୍ୱ । ମୁଁ ସେଦିନ କଦାପି କଳ୍ପନା କରି ନ ଥିଲି ଯେ ଏସବୁ ଯାହା ମୁଁ କରୁଛି, ସେସବୁ କୁହୁଡ଼ି ପହଁରା । ବହୁଦିନ ଆଗରୁ ରାମସ୍ୱାମୀ ବାହା ହେଇସାରିଥିଲେ । ତାଙ୍କର ଥିଲା ଗୋଟେ ପରିପୂର୍ଣ୍ଣ ସଂସାର, ପତ୍ନୀ ଓ ପିଲାଙ୍କୁ ନେଇ । ମୋତେ ସେ କୌଣସି ଦିନ ପତ୍ନୀର ମର୍ଯ୍ୟାଦା ଦେବେ ନାହିଁ ।

 

: ମାଡାମ୍‌ ! –ମନୋରମା ବିସ୍ମୟର ସହ କହିଲା ।

 

: ମୋର ନାଁ ଶାନ୍ତା । ଶାନ୍ତା ନାୟକ । ମୁଁ ଓଡ଼ିଆ, ଆଦିବାସୀ ଝିଅ । କିନ୍ତୁ ଆଦିବାସୀ ହୁଏ କି ଖ୍ରୀଷ୍ଟିଆନ୍‌ ହୁଏ–ମୁଁ ଆପଣଙ୍କ ପରି ଗୋଟେ ନାରୀ । ମୁଁ ଖଣ୍ଡେ କାଠ କି ପଥର ନୁହେଁ ।

 

ମନୋରମା ଚୁପ୍‌ଚାପ୍‌ ବସି ଶୁଣୁଥାଏ ସାହେବାଣୀର କାହାଣୀ । ଯେତିକି ଯେତିକି ଶୁଣୁଥାଏ, ସେତିକି ସେତିକି ବଢ଼ୁଥାଏ ତାର କୌତୂହଳ ।

 

: ଶେଷ ପର୍ଯ୍ୟନ୍ତ ହୁଏତ ମୁଁ ଜାଣିପାରି ନ ଥାନ୍ତି ଯେ ରାମସ୍ୱାମୀ ବାହା ହେଇଛନ୍ତି କିମ୍ବା ସେ ମୋତେ ସେକଥା ହୁଏତ କହି ନ ଥାନ୍ତେ । କିନ୍ତୁ ନିୟମିତ ମିଳାମିଶା ପରେ ମୁଁ କନ୍‌ସିଭ୍‌ କଲି-। ମାଆ ହେବାର ଗୋଟାଏ ଅବଦମିତ ଇଚ୍ଛା ମୋତେ ଆନନ୍ଦରେ ଅଧୀର କରିଦେଲା । ସେଦିନ ସଞ୍ଜରେ ମୁଁ ପ୍ରସ୍ତାବ ଦେଲି ରାମସ୍ୱାମୀକୁ, ଆମେ ଶୀଘ୍ର ବାହା ହେଇପଡ଼ିବା । ଏକଥା ବି କହିଲି ଯେ ମୁଁ ମାଆ ହେବାକୁ ଯାଉଥିବାରୁ ବିବାହକୁ ଅଧିକ କାଳ ଟାଳି ରଖିହେବ ନାହିଁ ।

 

କିନ୍ତୁ ସେ ସଫା ସଫା ମନା କରିଦେଲେ । ସେ ମୋତେ ବାହା ହୋଇପାରିବେ ନାହିଁ । ତାଙ୍କର ପତ୍ନୀ ଅଛି, ସନ୍ତାନ ଅଛନ୍ତି । ଏଣୁ ମୋ ସାଙ୍ଗେ ଦ୍ୱିତୀୟ ବାହାଘର ଅସମ୍ଭବ ।

 

ମୋ ମୁଣ୍ଡ ଉପରେ ସେଦିନ ବଜ୍ର ଚଡ଼କ ପଡ଼ିଥିଲା । ଲୋକଟାକୁ ମୁଁ ଘୃଣା କରି ବସିଥିଲି-। ନୀଚ୍ଚ, ମତଲବୀ । କିନ୍ତୁ ସେତେବେଳକୁ ଅନେକ ବିଳମ୍ବ ହେଇଯାଇଥିଲା । ମୁଁ ଜିଦ୍‌ କଲି, ଯାହା ହେଇଯାଉ ପଛକେ ପେଟର ପିଲାଟିକୁ ଜନ୍ମ ଦେବି । ଦିନର ଆଲୁଅକୁ ଆଣିବି ତାକୁ । ରାମସ୍ୱାମୀ ମନା କଲେ । ପରାମର୍ଶ ଦେଲେ ଆବର୍ସନ୍‌ ପାଇଁ ।

 

ପତ୍ନୀ ହେବା ପୂର୍ବରୁ ମୁଁ ମା ହେଇଥିଲି । ହସ୍‌ପିଟାଲ୍‌ରେ ବନ୍ଧ୍ୟା ହେଇଗଲି । ଆବର୍ସନ୍‌ ସମୟରେ ହିଁ ରାମସ୍ୱାମୀ ମୋତେ ଚିରକାଳ ବନ୍ଧ୍ୟା କରି ଦେଇଥିଲେ ।

 

: ମାଡାମ୍‌ ?

 

: ଅନେକ ବର୍ଷ ହେଲା ମୁଁ କାହାକୁ କିଛି କହିନାହିଁ । କେହି ମୋତେ ପଚାରି ନାହିଁ ମାଆ ମରିଗଲା ପରେ । ହୁଏତ ଆଉ କେବେ କିଛି କହିବାର ଅବକାଶ ଜୁଟିବ ନାହିଁ । ହଁ, ମାଆକୁ କହିପାରୁ ନ ଥିଲି ରାମସ୍ୱାମୀ ଆଗରୁ ବାହା ହେଇଥିବା କଥା । ମାଆ ହାର୍ଟ ପେସେଣ୍ଟ୍‌ । କିନ୍ତୁ କେତେଦିନ ଅପେକ୍ଷା କରିଥାନ୍ତି । ଥରେ କହିଲି । ମାଆ ବହୁତ କାନ୍ଦିଲା, ଢେର୍‌ ସମୟ ଅନିଦ୍ରା ରହି ଆମେ ଦୁହେଁ କାନ୍ଦିଲୁ । ମାଆ ସେଇଦିନୁ ବିଛଣାରେ ପଡ଼ି ପଡ଼ି ଚାଲିଗଲା । ଗୋଟେ ବୋଲି ଝିଅର ବାହାଘର ସେ ଦେଖିପାରିଲା ନାହିଁ । ମୁଁ ବି ଆଖିଲୁହରେ ପ୍ରାୟଶ୍ଚିତ୍ତ କରି ମାଆର ମୁତ୍ୟୁ ସହିଲି । ମାଆ ଯିବା ପରେ ମୁଁ ହେଇଗଲି ଏକଦମ୍‌ ଏକୁଟିଆ ।

 

ରାମସ୍ୱାମୀ ସେତେବେଳକୁ ବ୍ୟାଙ୍କ୍‌ ଛାଡ଼ି ଜଏନ୍‌ କରି ସାରିଥାନ୍ତି ଏଇ କମ୍ପାନିରେ ଏକ୍‌ଜିକ୍ୟୁଟିଭ୍‌ ହେଇ । ବିଶାଖାପାଟଣାରେ ପ୍ରଥମ ପୋଷ୍ଟିଂ । ମାଆର ମୃତ୍ୟୁ ପରେ ଚାରିଆଡ଼େ ଅନ୍ଧାର ଦିଶିଲା । କୁଆଡ଼େ ଯିବି ? କେଉଁଠି ରହିବି ? ଶେଷରେ ପ୍ରଚୁର ଘୃଣା କରୁଥିବା ସେହି ଲୋକଟିକୁ ହିଁ ଚିଠି ଲେଖିଲି, ହାତପାତିଲି ସାହାଯ୍ୟ ପାଇଁ ।

 

ରାମସ୍ୱାମୀ ସାହାଯ୍ୟ କଲେ । ସେଇଦିନୁ ସେ ସାହାଯ୍ୟ କରି ଚାଲିଲେ । କ୍ରମେ ମୁଁ ପାଲଟିଗଲି ରାମସ୍ୱାମୀର ‘କେପ୍‌ଟ’–ରକ୍ଷିତା । ଆମ ଭିତରେ ଗୋଟେ ଗୋପନ ବୁଝାମଣା ହେଇଗଲା ଅଲିଖିତ ଭାବରେ । ସମସ୍ତେ ଜାଣନ୍ତି ମୁଁ ତାଙ୍କର ସ୍ତ୍ରୀ, ସେ ମୋର ସ୍ୱାମୀ କିନ୍ତୁ...

 

: ମାଡାମ୍‌ !

 

ରାମସ୍ୱାମୀଙ୍କ ମିସେସ୍‌ ଆନ୍ଧ୍ରରେ ରହନ୍ତି । କାହାଠୁ କେଜାଣି ସେ ଜାଣିଲେ ଏକଥା । ଝଡ଼ ଉଠିଲା ତାଙ୍କ ଘରେ । ରାମସ୍ୱାମୀ କହିଲେ ଏସବୁ ମିଛ, ଡାହାମିଛ ! ତାଙ୍କ ମିସେସ୍‌ ବିଶ୍ୱାସ କଲେ ନାହିଁ । ଡିଭୋର୍ସର ଧମକ ଦେଲେ । ରାମସ୍ୱାମୀ ମୋତେ ବୁଝେଇ ସୁଝେଇ ଅଲଗା ଜାଗାକୁ ପଠେଇ ଦେଲେ । ମାସକୁ ମାସ ଟଙ୍କା ପଠାନ୍ତି, ଥରେ ଦି ଥର ଯାଇ ବୁଲିଆସନ୍ତି । ଡାକବଙ୍ଗଳାରେ ରାତି ପୁହାଇଲା ପରି ମୋ ଘରେ ରାତି ପୁହାନ୍ତି । ଚାଲିଆସନ୍ତି ନିଜ ସହରକୁ । ଏଠି ତାଙ୍କର ନାମୀ ଦାମୀ ପରିଚୟ । ସବୁ ଠିକ୍‌ଠାକ୍‌ ଚାଲେ । ଝିଅମାନେ ବାପାଙ୍କୁ ଡରି ମୋ କଥା ଅନ୍ୟ କାହାପାଖେ କହନ୍ତି ନାହିଁ । ଦିହେଁଯାକ ମୋତେ ଘୃଣା କରନ୍ତି । ପାଖକୁ ଆସନ୍ତି ନାହିଁ । ଗୋଟାଏ ଘରେ ରହି ବି ସେମାନେ ସୌଜନ୍ୟରେ ପଦେ କଥା କହନ୍ତି ନାହିଁ । ସେମାନେ ସ୍କୁଲ ଯାଆନ୍ତି, ଫେରନ୍ତି । ଡ୍ରାଇଭର ଚାକରବାକରଙ୍କ ସାଙ୍ଗେ କଥା ହୁଅନ୍ତି ।

 

ମୁଁ ଗୋଟେ ନିଛାଟିଆ ଘରେ ପଡ଼ିରହେ ପରିତ୍ୟକ୍ତ ତକିଆଟେ ହେଇ । ମୋର କେହି ନାହିଁ । ବାପା, ମାଆ, ସ୍ୱାମୀ, ସନ୍ତାନ, ଘରଦ୍ୱାର କିଛି ନାହିଁ । ଗୋଟେ ଦୟା ଓ ଅନୁଗ୍ରହର ଜୀବନ ଜିଇଁ ଚାଲିଛି ମୁଁ ଆଜକୁ କୋଡ଼ିଏ ବର୍ଷ ଧରି ଏହିପରି । ଏବେ ସେସବୁ ଦେହସୁହା ହେଇଗଲାଣି । କାହାର ଅପମାନ, ଭର୍ତ୍ସନା ଆଉ କଷ୍ଟ ଦେଉ ନାହିଁ ।

 

ରାମସ୍ୱାମୀଙ୍କ ମିସେସ୍‌ଙ୍କ ଦେହ ଗତବର୍ଷ ଖରାପ ହୋଇପଡ଼ିଲା । ତାଙ୍କର ଆଗରୁ ଆଜ୍‌ମା ଥିଲା । ଟିକିଏ ଥଣ୍ଡାରେ ସେ ବେମାର ହେଇଯାଆନ୍ତି । ସେ ଆଉ କୁଆଡ଼େ ଯା ଆସ କଲେ ନାହିଁ । ସେଇଥିପାଇଁ ରାମସ୍ୱାମୀଙ୍କର ମୁଁ ଲୋଡ଼ା ପଡ଼ିଲି । ତାଙ୍କର ଉଷୁମ ଦେହ ଦରକାର-। ରୋଗିଣୀ ମଣିଷ ତାଙ୍କର ଲୋଡ଼ା ନାହିଁ ।

 

ସେଇ ଆସିଥିଲେ କାଲି ବଡ଼ପୁଅ ସାଙ୍ଗରେ । ମୋତେ ଧମକ ଦେଇ ଯାଇଛନ୍ତି, ଏଇ ସପ୍ତାହ ଭିତରେ ରାମସ୍ୱାମୀଙ୍କୁ ଛାଡ଼ି ଚାଲି ନ ଗଲେ ସେ ରାମସ୍ୱାମୀର କମ୍ପାନିକୁ ଏକଥା ଲେଖିବେ-। ରାମସ୍ୱାମୀକୁ ବଦନାମ୍‌ କରିଦେବେ । କାଲି ସେ ଫେରି ଯାଇଥିବେ ବିଜୟନଗରମ୍‌ । ପୁଅ ଆସିବ ଆର ସପ୍ତାହରେ ।

 

: କରୁ ନାହାନ୍ତି ବଦନାମ୍‌ । ରାମସ୍ୱାମୀ ବଦନାମ୍‌ ହେବା ଦରକାର । –ମନୋରମା କହିଲା-

 

: କେବଳ କଣ ରାମସ୍ୱାମୀ ବଦନାମ୍‌ ହେବ ? ତା ସଙ୍ଗେ ସଙ୍ଗେ ମୁଁ ବି ତ ବଦନାମ୍‌ ହେବି । ଏଯାଏ କିଛି ଲୋକ ହୁଏତ ଜାଣିଛନ୍ତି, ମୁଁ ଗୋଟେ ରକ୍ଷିତା, ଗୋଟେ ବନ୍ଧ୍ୟା ନାରୀ । ତଥାପି ବାଟ ଚାଲୁଛି । କାଲି ସମସ୍ତେ କୁହାକୁହି ହେବେ–ରାସ୍ତାରେ, ଘାଟରେ, ଘରେ, ବାହାରେ । ସମସ୍ତେ ଦେଖେଇ ଶିଖେଇ କହିବେ, କେତେ କାହାକୁ ମୁଁ ନିରବ ରଖିପାରିବି କୁହ ? ରାମସ୍ୱାମୀ ବଦନାମ୍‌ ସହି ପାରିବନି । କମ୍ପାନିର ବଡ଼ ଏକ୍‌ଜିକ୍ୟୁଟିଭ୍‌ ସେ । ସେଠି ସ୍ପେସିଆଲ୍‌ ଷ୍ଟାଟସ୍‌ ବଡ଼ କଥା । ସେଥିପାଇଁ ଦରକାର ହେଲେ ମୋତେ ସେ ବିଷ ଦେଇ ମାରିଦେବ ସିନା, ମୋ ପାଇଁ ବଦନାମ୍‌କୁ ଡାକିଆଣିବ ନାହିଁ ।

 

: ବେଳେବେଳେ ଖୁବ୍‌ ରାଗ ହୁଏ । ଇଚ୍ଛା ହୁଏ ଗୋଟେ କେଶ୍‌ ଦାୟର କରିବି । କୋର୍ଟରେ ସେ ମୋତେ ମିଛସତ କହି ବାହା ହେଇଥିଲେ । ମୋ ସାଙ୍ଗେ ଚର୍ଚ୍ଚ ଯାଇ ରାଣ ଖାଇଥିଲେ । ମୁଁ ମୋ ଅପମାନର ହିସାବ ଅସୁଲ କରିବି । କିନ୍ତୁ କଣ ଲାଭ ପାଇବି କୁହ ? ପୋଡ଼ା ତିଅଣ ପରି ଗୋଟିଏ ରକ୍ଷିତା ଜୀବନର ଆଉ କଣ ସମ୍ମାନ ହରାଇବାକୁ ଅଛି ଯେ ତା ପାଇଁ ଲଢ଼ିବ ?

 

: ରାମସ୍ୱାମୀ ଲୋକଟା...

 

: ଥାଉ ଭଉଣୀ, ଯାହାହେଲେ ବି ସେ ମୋର ସ୍ୱାମୀ । ସାମାଜିକ ସ୍ୱୀକୃତି ଥାଉ ନ ଥାଉ, ମୁଁ ତାଙ୍କୁ ସ୍ୱାମୀ ରୂପରେ ହିଁ ଦେଖି ଆସିଛି । ତାଙ୍କୁ ମୋ ଆଗେ ଗାଳି ଦିଅନ୍ତୁ ନାହିଁ । ଆମର ଦୁଃଖ ହେଉଛି ଯେ, ଆମେ ମାଆ ହେଉ, ହେଇଯାଉ । ପୁରୁଷପୁଅର ସେ ଦୁଃଖ ନାହିଁ । ସେ ଝାଡ଼ିଝୁଡ଼ି ଦେଇ ବେଦୀରେ ଯାଇ ବସିପାରେ । ରାମସ୍ୱାମୀଙ୍କୁ ଏକଲା କାହିଁକି ଦୋଷ ଦେଉଛ ?

 

ସାହେବାଣୀ ଚାଲି ଯାଉଥିଲେ । ଗତକାଲି ସାମ୍ରାଜ୍ଞୀଠୁ ଅଧିକ ସୁଖୀ ଓ ଅହଂକାରୀ ନାରୀଟି ମନୋରମାକୁ ଏବେ ଦିଶୁଥିଲେ ଭିକାରୁଣୀଟେ ପରି ।

 

ତିନି

 

ଶନିବାର ଦିନ ସକାଳେ ମନୋରମା ଉଠିଲାବେଳକୁ ସ୍ୱପ୍ନଶାନ୍ତ ରୁମ୍‌ରେ ନାହିଁ । ତରତରରେ ସେ ଘରୁ ବାହାରି ଆସୁଥିଲା । ସ୍ୱପ୍ନଶାନ୍ତକୁ ଶିଡ଼ିରେ ଦେଖି ଅଟକିଗଲା ।

 

ସ୍ୱପ୍ନଶାନ୍ତ କହିଲା, “ଜାଣିଲଣି, ମିସେସ୍‌ ରାମସ୍ୱାମୀ କୁଆଡ଼େ ଚାଲି ଯାଇଛନ୍ତି । ରାମସ୍ୱାମୀ ଯାଇଛନ୍ତି ପୁଲିସ ଷ୍ଟେସନ୍‌ । ତମ ସଙ୍ଗେ ସେ ପଅରଦିନ ବହୁତ ସମୟ କଥାବାର୍ତ୍ତା ହେଉଥିଲେ ବୋଲି କଲୋନିରେ କୁହାକୁହି ହେଉଛନ୍ତି । କିଛି ଆଇଡିଆ ଅଛି, କୁଆଡ଼େ ସେ ଗଲେ-?”

 

ପୋଲିସ୍‌ ନାଆଁ ଶୁଣି ମନୋରମା ଡରିଯାଇଥିଲା । ତାକୁ ଲାଗୁଥିଲା, ହୁଏତ ପୋଲିସ୍‌ ପ୍ରଥମେ ଆସି ତାକୁ ହିଁ ଜେରା କରିବ । ସାହେବାଣୀ ତା ଘରକୁ ଆସିଥିବା କଥାଟା ଠିକ୍‌ । କଲୋନିର ଆଉ କେହି ହୁଏତ ସେ ଦୁର୍ଯୋଗ ବା ସୁଯୋଗ ପାଇନାହାନ୍ତି । କିନ୍ତୁ ମିସେସ୍‌ ରାମସ୍ୱାମୀ କୁଆଡ଼େ ଗଲେ ?

 

ଦିନ ଏଗାରଟାବେଳକୁ ଗୋଟେ କାର୍‌ ଆସିଲା । କାର୍‌ରୁ ଓହ୍ଲାଇଲେ ସେ ସ୍ତ୍ରୀଲୋକ–ରାମସ୍ୱାମୀର ପ୍ରକୃତ ପତ୍ନୀ । ତାଙ୍କ ସାଙ୍ଗେ ତାଙ୍କର ଦୁଇ ଝିଅ ଏବଂ ସ୍ମାର୍ଟ ପୁଅଟା । ମନୋରମା ସେମାନଙ୍କୁ ଦେଖିଲା । ଫେରିଆସି ଚୁପ୍‌କରି ଖଟ ଉପରେ ବସିପଡ଼ିଲା ।

 

ସ୍ୱପ୍ନଶାନ୍ତ ପଚାରିଲା, “ହଠାତ୍‌ ତମର କଣ ହେଲା ?”

 

ମନୋରମା କହିଲା, “ସେସବୁ ତମର ଜାଣି କିଛି ଲାଭ ନାହିଁ । ତେବେ ଏତକ ଜାଣ ଯେ, ସାହେବାଣୀ ରାମସ୍ୱାମୀର ସ୍ତ୍ରୀ ନୁହନ୍ତି କି ସେ କୁଆଡ଼େ ପଳେଇଯାଇ ନାହାନ୍ତି । ଗୋଟେ ରବର କଣ୍ଢେଇର ସେତକ ସ୍ୱାଧୀନତା ନ ଥାଏ ।”

 

: ପୁଣି ସେ ଫେରିବେ ତ ?

 

: କିଏ ଜାଣେ, ହୁଏତ ଫେରିବେ ! କିଛିଦିନ ପରେ ଯେମିତି ସବୁଥର ଫେରନ୍ତି, ଅଥବା ଆଉ ଫେରିବେ ନାହିଁ । –ମନୋରମା ନିଃସ୍ପୃହ ଭାବରେ ଉତ୍ତର ଦେଲା ।

Image

 

ଭିନ୍ନ ରାସ୍ତା

 

ଘଟଣାଟିକୁ ମୁଁ ପ୍ରାୟ ଭୁଲିଯାଇଥିଲି । ଯଦିଓ ମୋ ପକ୍ଷେ ସେ ଘଟଣାଟି ଭୁଲିବା ଢେର୍‌ ଅସମ୍ଭବ ବୋଲି ଅନେକଦିନ ପର୍ଯ୍ୟନ୍ତ ମୋର ବଦ୍ଧମୂଳ ଧାରଣା ହୋଇଥିଲା, ତଥାପି ଶେଷ ପର୍ଯ୍ୟନ୍ତ ଘଟଣାଟି କିପରି କେଜାଣି ଭୁଲି ହେଇଯାଇଥିଲା । ମଧୁପୁର ସହିତ ସବୁ ସମ୍ପର୍କ ମୋର ତୁଟି ଯାଇଥିଲା । ସେହି ଗାଁ, ତାର ନଈକୂଳ, ଗାଁମୁଣ୍ଡ ଠାକୁରାଣୀ ମଣ୍ଡପରେ ସଜା ମାଟିଘୋଡ଼ା, ତୋଟାମାଳ, ଗୋହିରି ଓ ଖେଳପଡ଼ିଆ ସବୁ ଦିନେ ଥିଲା ମୋ ଶୈଶବର ଗୋଟିଏ ଗୋଟିଏ ପୁଣ୍ୟ ସ୍ମୃତି । ସେସବୁକୁ ଭୁଲିବା କଥା ଭିନ୍ନ, ଛାଡ଼ିକି ଦୂରରେ ରହିବା ମୋ ପକ୍ଷେ ଦିନେ ସମ୍ଭବ ହେବ ତାହା କଳ୍ପନା କରିପାରି ନ ଥିଲି । କିନ୍ତୁ ମଣିଷ ନିଜକୁ କେତେ ବା ଜାଣିଥାଏ ? କେଉଁ କଥା ବା ମନେରହେ ଚିରକାଳ ?

 

ଏଇମିତି ମଧ୍ୟ କୁମୁଦିନୀ ଭାଉଜଙ୍କ କଥା । ସେଇ କୁମୁଦିନୀ ଭାଉଜଙ୍କ ବ୍ୟାପାରରେ ମୋର ଭୂମିକାଟା ଯେ ଗୋଟିଏ ଖଳନାୟକର ଭୂମିକା ହେଇପଡ଼ିବ ତାହା ମୁଁ ଚାହିଁ ନ ଥିଲି । କିଏ ନାୟକ ହୁଏ, କିଏ ବା ନାୟିକା ହୋଇଥାଏ; ମାତ୍ର ଖଳନାୟକର ଭୂମିକାଟି କେହି କଣ ଚାହିଁଥାଏ-?

 

ତେବେ ଭଲ ଲାଗିବା ନ ଲାଗିବାକୁ ଅପେକ୍ଷା ନ କରି ମୋତେ ଖଳନାୟକ କରି ଦେଇଥିବା ସେ ଚିଠି ଖଣ୍ଡକ କେମିତି ଆତ୍ମଗୋପନ କରିଗଲା ତାହା ମୁଁ ଜାଣିପାରି ନ ଥିଲି । ଅଥଚ ସେହି ବିଶ୍ୱାସଘାତକ ଚିଠି ଯାହା ସେଦିନ ନିରୁଦ୍ଦିଷ୍ଟ ହୋଇଯାଇଥିଲା ମଧୁପୁରରେ, ତାର ବା କି ପ୍ରୟୋଜନ ଥିଲା ଏତେବର୍ଷ ପରେ ପୁଣି ଆତ୍ମପ୍ରକାଶ କରିବାରେ !

 

କଥାଟା ମଧୁପୁରରୁ ଆରମ୍ଭ କରିବା ଠିକ୍‌ ହେବ । ସତ କହିବାକୁ ଗଲେ ମୁଁ ଯଦି ମଧୂପୁର ଯାଇ ନ ଥାନ୍ତି ହୁଏତ ଏତେବଡ଼ ଭୁଲ୍‌ଟାଏ କରିବାର ଅବକାଶ ପାଇ ନ ଥାନ୍ତି । କୁମୁଦିନୀ ଭାଉଜଙ୍କ ସାଙ୍ଗେ ମୋର ପରିଚୟ ହୋଇ ନ ଥାନ୍ତା କି ତାଙ୍କ ଚିଠି ମୋ ପାଖେ ରହିବାର ଅବକାଶ ଆସି ନ ଥାନ୍ତା । ମୁଁ ମଧୁପୁର ଯାଇ ନ ଥିଲେ କୁମୁଦିନୀ ଭାଉଜ ହୁଏତ ଆତ୍ମହତ୍ୟା କରି ନ ଥାନ୍ତେ !

 

ଥାଉ । ‘ହୁଏତ’ ଓ ‘ଯଦି’ମାନଙ୍କ ସହଯୋଗ ନେଇ ଅପରାଧରୁ କେହି ମୁକ୍ତି ପାଏ ନାହିଁ । ସମ୍ଭବତଃ ଏସବୁ ଅବଧାରିତ ଥିଲା ।

 

ଯେମିତି ଅବଧାରିତ ଥିଲା ନିଜ ଗାଁ ଛାଡ଼ି ମୋର ମଧୁପୁରରେ ପାଠ ପଢ଼ିବା । କଳ୍ପତରୁ ଦାଦାଙ୍କ ପିଲାମାନଙ୍କ ସାଙ୍ଗେ ଖେଳିବା, ବୁଲିବା ଓ ଓଝା ସାର୍‌ଙ୍କ ପାଖରୁ ନିୟମିତ ମାଡ଼ ଖାଇବା, ସେଇପରି କୁମୁଦିନୀ ଭାଉଜଙ୍କ ସାଙ୍ଗେ ପରିଚିତ ହେବା ମଧ୍ୟ ଥିଲା ଅବଧାରିତ ।

 

କୁମୁଦିନୀ ଭାଉଜଙ୍କ ପ୍ରସଙ୍ଗକୁ ଆସେ । କଳ୍ପତରୁଦାଦାଙ୍କ ସାନପୁଅ କୃଷ୍ଣଭାଇ । ମଝିରେ ଛଅ ଭଉଣୀ । କୃଷ୍ଣଭାଇ ଅଷ୍ଟମଗର୍ଭର ସନ୍ତାନ । ଅନେକ ଦିନ ପର୍ଯ୍ୟନ୍ତ ସେଇ କୃଷ୍ଣଭାଇ କାହିଁକି କେଜାଣି ବାହା ହେଉ ନ ଥିଲେ । କାହିଁକି ବାହା ହେଉ ନ ଥିଲେ ତାହା ଜାଣି ନ ଥିଲି ।

 

କିନ୍ତୁ କୃଷ୍ଣଭାଇଙ୍କର ବାହାଘର ହେଲା । ସେ ବାହା ହୋଇ ନ ଥିଲେ କୁମୁଦିନୀ ଭାଉଜ ନରଣପୁରରୁ ଆସି ନ ଥାନ୍ତେ ମଧୁପୁର । ତାଙ୍କ ସଙ୍ଗେ ଆମର ପରିଚୟ ହେଇ ନ ଥାନ୍ତା । ଓଝା ସାର୍‌ଙ୍କ ବେତ ପାଖରୁ ମୁକ୍ତି ପାଇବାକୁ ଆମେ ତାଙ୍କର ଶରଣ ପଶି ନ ଥାନ୍ତୁ କି ସେ ଆମକୁ ପାଠ ବତେଇ ସାରିବା ପରେ ଛୋଟ ଛୋଟ କାମ ବତେଇ ନ ଥାନ୍ତେ । ମୋଟାମୋଟି ଆମ ଭିତରେ ହୁଏତ ପରିଚୟ ଆଦୌ ହୋଇ ନ ଥାନ୍ତା ।

 

ହଁ, କୃଷ୍ଣଭାଇ ବର ହୋଇ ନରଣଗଡ଼ ଗଲେ ଓ କୁମୁଦିନୀ ଭାଉଜ ବୋହୂ ହୋଇ ମଧୁପୁର ଆସିଲେ । ମଧୁପୁରରେ ବହୁବର୍ଷର ବ୍ୟବଧାନ ପରେ ପୁଣିଥରେ ମହାପାତ୍ର ପରିବାରରେ ଉତ୍ସବ ଲାଗିଥିଲା । ତେବେ ପୁଅବୋହୂ ଫେରିବାବେଳକୁ ହଠାତ୍‌ କାହିଁକି ସେ କୋଳାହଳ ମଉଳି ଯାଇଥିଲା । ଗୋଟାଏ ଆସନ୍ନ ଆତଙ୍କରେ ସଭିଏଁ ଆତଙ୍କିତ ହୋଇପଡ଼ିଥିଲେ-। ଢେର୍‌ଦିନ ପରେ ଶୁଣିଲୁ, କୁମୁଦିନୀ ଭାଉଜ ଯେଉଁ ସବାରିରେ ବସି ମଧୁପୁର ଆସୁଥିଲେ ସେ ସବାରିର ଭାରା କୁଆଡ଼େ ଅଧବାଟରେ ଭାଙ୍ଗି ଯାଇଥିଲା । ଏପରି ହେବାଟା ଭୟଙ୍କର ଅଶୁଭ ଘଟଣା ହେଉଥିବାରୁ ଘରେ ସମସ୍ତଙ୍କ ମନ ଦୁଃଖ ହୋଇଯାଇଥିଲା । କୁମ ଭାଉଜଙ୍କ ସାଙ୍ଗରେ ଥିବା ସବାରିଆମାନେ କଥାଟାକୁ ଗୋପନ ରଖିବାକୁ ଚାହିଁଥିଲେ । କିନ୍ତୁ ଏପରି ଖବର କଣ ଗୋପନ ରହିପାରେ ?

 

କୃଷ୍ଣଭାଇଙ୍କ ବାହାଘର ଶୁଭରେ ସରୁ ବା ଅଶୁଭରେ ସରୁ ସେ ଭିନ୍ନ କଥା, କିନ୍ତୁ କୁମଭାଉଜ ଯେ ସର୍ବଗୁଣସମ୍ପନ୍ନା ଥିଲେ ସେ ନେଇ ମହାପାତ୍ର ସାହିରେ ମତଭେଦ ନ ଥିଲା । କଥାବାର୍ତ୍ତା ଧୀର, ତାଙ୍କ ଚାଲିରେ ଥିଲା ଗୋଟିଏ ଅଲଗା ଛନ୍ଦ, ହସିଲେ ଖୁବ୍‌ ସୁନ୍ଦର ଦିଶନ୍ତି କୁମଭାଉଜ, ତାଙ୍କର ସବୁ କଥା, ସବୁ ହସ ମିଠାମିଠା । ପୁଣି ମହାପାତ୍ର ଘରର ଝିଅ ବୋହୂଙ୍କ ଭିତରେ ସେ ଥିଲେ ଏକମାତ୍ର ପାଠୋଈ ବୋହୂ । ଏହି ସୂତ୍ରରେ ତାଙ୍କ ସହ ମୋର ସ୍ଥାପିତ ହେଲା ପ୍ରୟୋଜନଭିତ୍ତିକ ସମ୍ପର୍କ । ଓଝାସାର୍‌ଙ୍କ ପାଖକୁ ଯିବା ପୂର୍ବରୁ ମୁଁ କୁମଭାଉଜଙ୍କ ପାଖକୁ ଯାଏ । କୁମଭାଉଜ ପରିବା କଟା କି ଡାଲି ବଘରା ଛାଡ଼ି ମୋର ଅଙ୍କଗୁଡ଼ିକ କଷି ଦିଅନ୍ତି । ଓଝାସାର୍‌ ମୋ ଖାତା ଦେଖିଲାବେଳେ ଯେତିକି ଖୁସି ହୁଅନ୍ତି ମୋର ରାତାରାତି ପାଣ୍ଡିତ୍ୟ ଲାଭ ନେଇ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୁଅନ୍ତି ।

 

କୁମଭାଉଜଙ୍କର ଭଲ ଗୁଣ ଥିଲା ଅନେକ । ବରାବର ସେ ମୋତେ ଲଜେନ୍‌ସ, ପେନ୍‌ସିଲ୍‌, ରବର ଉପହାର ଦେଉଥିଲେ । ତାଙ୍କର ଛୋଟ କାମଟିଏ କରିଦେଲେ ସେ ଖୁସିରେ ପିଠି ଆଉଁଶି ଦେଉଥିଲେ । ତାଙ୍କ କାମ କରିବା ପାଇଁ ତ ସାହିର ପିଲାମାନଙ୍କ ଭିତରେ ପ୍ରତିଯୋଗିତା ଚାଲେ । ମାତ୍ର କୁମଭାଉଜ ମୋତେ ହିଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱମାନ ଦେଉଥିଲେ ।

 

ଠିକ୍‌ ମନେପଡ଼ିଛି ! ସେଇଟା ଥିଲା ଅପ୍ରେଲ ମାସ । ନିମ୍ନପ୍ରାଥମିକ ବୃତ୍ତି ପରୀକ୍ଷା ସରିଥାଏ ଓ ଆମେମାନେ ବହି ଓ ଖାତାମାନଙ୍କୁ ସାମୟିକ ବିଦାୟ ଦେଇ ଅନ୍ୟ ଜରୁରୀ କାର୍ଯ୍ୟରେ ଲାଗିଥାଉ । ଦିନେ ସକାଳୁ, ନିଦ ସଂପୂର୍ଣ୍ଣ ଭାଙ୍ଗିନାହିଁ, କେହି ଜଣେ ମୋତେ ଉଠେଇଦେଲା । ପ୍ରଥମେ ଯାହା ମୁଁ ଶୁଣିଲି ସେଇଟା ଥିଲା ସମ୍ମିଳିତ କାନ୍ଦଣାର ଗୋଟାଏ ଅଂଶ । ସେ କାନ୍ଦଣାରେ ଏତେ କାରୁଣ୍ୟ ଭରି ରହିଥିଲା ଯେ ହଠାତ୍‌ ମୋ ପରି ଅନ୍ୟମନସ୍କ ଓ ଅଳସୁଆ ପିଲା ମଧ୍ୟ ଚମକିପଡ଼ିଲା । ଇଏ ଝିଅ ବିଦାୟ ବେଳର କାନ୍ଦଣା ନୁହେଁ କି ବାପଘରକୁ ବୁଲି ଆସିଥିବା ଝିଅ ସଙ୍ଖୋଳା କାନ୍ଦଣା ମଧ୍ୟ ନୁହେଁ । ତାହାହେଲେ ଏ କାନ୍ଦଣା କଣ ? ଏପରି କାନ୍ଦଣା ଶୁଣିବା ଥିଲା ସେଇ ପ୍ରଥମ ।

 

ଜୀବନରେ ଏତେ ନିଷ୍ଠୁର ଭାବେ ମୋ ସହ କେହି ପ୍ରତାରଣା କରିନାହିଁ, ଯେମିତି ପ୍ରତାରଣା କରିଥିଲେ କୁମଭାଉଜ । ଗତକାଲି ସଞ୍ଜବେଳେ ମଜାଗପ କହିଥିବା କୁମଭାଉଜ ସକାଳକୁ ମୁର୍ଦ୍ଦାରଟେ ପାଲଟି ଯାଇଥିଲେ ।

 

ଘର ଭିତରେ କେବଳ ଲୁହ ଆଉ କୋହ । ସମୁଦାୟ ଗାଆଁଟା ଯେପରି ପାଲଟି ଯାଇଥିଲା ଗୋଟାଏ ମଶାଣି । ମୋ ଆଖିରେ ଲୁହ ନ ଥିଲା, ଏତେ ଦୁଃଖକୁ କେବଳ କେଇ ଟୋପା ଲୁହ ଠିକ୍‌ ରୂପେ ବୁଝେଇ ପାରି ନ ଥାନ୍ତା । ମୁଁ ଚୁପ୍‌ଚାପ୍‌ ଖସି ପଳେଇଥିଲି ମଠ ପୋଖରୀହୁଡ଼ାକୁ, ଯେଉଁ ପୋଖରୀପାଣିରେ କୁମଭାଉଜ ଆତ୍ମହତ୍ୟା କରିଥିଲେ ପୂର୍ବଦିନ ରାତିରେ-

 

ମଠ ପୋଖରୀର ପାଣି ସ୍ଥିର ଥିଲା । ମଝିରେ ସେଇ ଦୀପଦଣ୍ଡି ଓ ତା ଚାରିପାଖେ ନାଲି ଧଳା କଇଁଫୁଲ । ଧୀର ପବନରେ କଇଁପତ୍ର ଥରି ଉଠୁଥିଲା । ଚାରିପଟେ ବାବୁଲା ଗଛ । ଉପରେ ବୈଶାଖର ଫୁଙ୍ଗୁଳା ଆକାଶ । ଏଇ ମଠ ପୋଖରୀର ସ୍ଥିର ଓ ନୀଳ ଜଳରାଶି ଭିତରେ କୋଉଠି ଛପିଥିଲା ମୃତ୍ୟୁ ? କୋଉଠି ଆତ୍ମଗୋପନ କରିଥିଲା ସେ ?

 

କୁମଭାଉଜ ଥିଲେ ଭୀଷଣ ଲଜ୍ଜାଶୀଳା । କାଳେ ତାଙ୍କ ମୁର୍ଦ୍ଦାର ଉପରୁ ଶାଢ଼ି ଖସିଯିବ, ମଶାଣିକୁ ଯିବାବେଳେ ତାଙ୍କ ବେଶବାସ ବିପର୍ଯ୍ୟସ୍ତ ହୋଇପଡ଼ିବ, ସେଥିପାଇଁ ସେ ପାଣିକୁ ଡେଇଁପଡ଼ିବା ପୂର୍ବରୁ ଶାଢ଼ିଟିକୁ ଶତାଧିକ ସେପ୍‌ଟିପିନ୍‌ରେ ଗୁନ୍ଥି ଦେଇଥିଲେ । ମାତ୍ର ଆଠମାସ ତଳେ ବାହାହୋଇ ଆସିଥିବା ବୋହୂ, ଯାହାକୁ ମଧୁପୁର ଗାଁର ଚନ୍ଦ୍ର-ସୂର୍ଯ୍ୟ, ତାରା ଓ ପବନ ସେ ପର୍ଯ୍ୟନ୍ତ ଭଲ ଭାବେ ଦେଖି ନ ଥିଲେ ସେଇ ବୋହୂ ଶୋଇଥିଲା ଏତେ ଲୋକଙ୍କ ମେଳରେ । ଚାରିପଟେ କେବଳ ଛାତିଫଟା କାନ୍ଦଣା, ଲୁହ ଏବଂ କୋହ ! ସବାରି ଭାରା ଭାଙ୍ଗିଥିବାର ଅଶୁଭ ପରିଣତିକୁ କିଏ ବା ଏଡ଼ିଦେଇ ପାରିଥାନ୍ତା ?

 

ସାନ ସାନ ପିଲାମାନଙ୍କୁ କେହିଜଣେ ଅଡ଼େଇ ନେଉଥିଲା ଗାଈବଳଦମାନଙ୍କୁ ଅଡ଼େଇ ନେବା ପରି । ଆମେ କିନ୍ତୁ ବୁଲି ବୁଲି ଚାହୁଁଥିଲୁ କୁମଭାଉଜ ଶୋଇଥିବା ଅଗଣାକୁ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି କୁମଭାଉଜ ନିଦରୁ ଉଠି ପଡ଼ନ୍ତେ ନାହିଁ ? ପୁଣି ଥରେ ହସି ହସି ଗପ ଗପନ୍ତେ ନାହିଁ-?

 

ଦିନ ଦଶଟାବେଳକୁ କୃପାସିନ୍ଧୁ ଯେତେବେଳେ କହିଲା ଯେ ପୁଲିସ କୃଷ୍ଣଭାଇଙ୍କ ଘର ଖୋଜୁଛନ୍ତି, କାଳେ କୁମଭାଉଜ କିଛି ଚିଠିପତ୍ର ଛାଡ଼ି ଯାଇଥିବେ, ସେତେବେଳେ ଦ୍ୱିତୀୟଥର ପାଇଁ ଆକାଶ ମୋ ମୁଣ୍ଡ ଉପରେ ଛିଣ୍ଡି ପଡ଼ିଥିଲା । ଚାରିଦିନ ତଳେ କୁମଭାଉଜ ମୋତେ ଚିଠିଟିଏ ଦେଇଥିଲେ, ସ୍କୁଲ ସାମ୍ନା ଲେଟର ବକ୍‌ସରେ ପକେଇ ଦେବାପାଇଁ । ଚିଠିଟାକୁ ମୁଁ ସାଇତି ରଖିଥିଲି । ଅଥଚ ହଠାତ୍‌ ସେଇଟି କେଉଁଠି ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ସତ୍ତ୍ୱେ ଆଉ ଚିଠିଟାକୁ ଠାବ କରିପାରି ନ ଥିଲି । କୁମଭାଉଜଙ୍କୁ କିନ୍ତୁ କହିଥିଲି, ‘ଚିଠିଟା ଲେଟର ବକ୍‌ସରେ ପକେଇ ଦେଇଛି ।’

 

କିନ୍ତୁ ସେ ଚିଠିଟାରେ କଣ ଲେଖିଥିଲେ କୁମଭାଉଜ ? କାହା ପାଖକୁ ଲେଖିଥିଲେ ? ପୁଲିସ ପାଖକୁ ?

 

ଆଇନକାନୁନ ବିଷୟରେ ସବୁ ଜାଣିଥିବା ପରି କୃପାସିନ୍ଧୁ କହିଲା, “କୁମଭାଉଜଙ୍କ ଚିଠିରେ ସେ ଯାହାକୁ ଦୋଷୀ ବୋଲି ଲେଖିଥିବେ ସେ ନିଶ୍ଚୟ ଜେଲ୍‌ ଯିବ । ସେଇଟାକୁ ପୁଲିସ ମୃତ୍ୟୁକାଳୀନ ଜମାନବନ୍ଦୀ ଭାବେ ଗ୍ରହଣ କରିବ ।”

 

ମୁଁ ଚମକିପଡ଼ିଲି । ମୋତେ ଜେଲ୍‌ ହୋଇଯିବ ? ମୁଁ ତ ବେଶୀ ଦାୟୀ କୁମଭାଉଜଙ୍କ ମୃତ୍ୟୁ ପାଇଁ । ମଧୁପୁର ଗାଁରୁ ସେଦିନ ପୁଲିସ ଫେରିଯିବା ପର୍ଯ୍ୟନ୍ତ ମୁଁ ନିଜକୁ ସୁରକ୍ଷିତ ମନେ କରିପାରି ନ ଥିଲି ।

 

ଏହାପରେ ମୋତେ ମଧୁପୁର ଛାଡ଼ି ଚାଲି ଆସିବାକୁ ପଡ଼ିଥିଲା । ଆସିବା ପୂର୍ବରୁ ମୁଁ କୁମଭାଉଜଙ୍କ ଦଶାହ ଓ ଏକାଦଶାହ ଦେଖିଥିଲି । ତାଙ୍କୁ ପୋଡ଼ି ଦିଆଯାଇଥିଲା ଗାଁମୁଣ୍ଡ ମଶାଣିରେ । ଆସିବା ବାଟରେ ସେଇ ମଶାଣି ପାଖରେ ଅଟକି ମୋ ଭୁଲ୍‌ ପାଇଁ କ୍ଷମା କରିଦେବାକୁ ଅନୁରୋଧ କରିଥିଲି କୁମଭାଉଜଙ୍କ ଅଦୃଶ୍ୟ ଆତ୍ମା ପାଖରେ ।

 

ଏସବୁ ଭିତରେ ଯାହା କଥା ପ୍ରାୟତଃ ଭୁଲିଯାଇଥିଲି ସିଏ ହେଲେ କୃଷ୍ଣଭାଇ । କୃଷ୍ଣଭାଇ ଖରାପ ଲୋକ ନ ଥିଲେ । କିନ୍ତୁ ଖୁବ୍‌ ଗୋଟିଏ ଭଲ ଲୋକ ପାଖରେ ସାଧାରଣ ଲୋକଟିଏର ବ୍ୟକ୍ତିତ୍ୱ ମଳିନ ପଡ଼ିଗଲା ପରି । କୁମଭାଉଜଙ୍କ ବ୍ୟକ୍ତିତ୍ୱ ପାଖରେ କୃଷ୍ଣଭାଇ ସେହିପରି ମଳିନ ପଡ଼ିଯାଉଥିଲେ ।

 

ନବମ ଶ୍ରେଣୀରେ ପଢ଼ୁଥାଏ । ଘରେ ଖବର ପହଞ୍ଚିଲା କୃଷ୍ଣଭାଇଙ୍କ ଦ୍ୱିତୀୟ ବାହାଘର ଠିକ୍‌ ହୋଇଯାଇଛି । ଭୀଷଣ କ୍ରୋଧ ହେଇଥିଲା କୃଷ୍ଣଭାଇଙ୍କ ଉପରେ । ଏତେ ଭଲ ସ୍ତ୍ରୀର ସ୍ମୃତି ଏତେ ଶୀଘ୍ର ସେ ଭୁଲିଗଲେ କିପରି ? ମୁଁ ବୋକାଙ୍କ ପରି ବୋଉକୁ ପଚାରିଥିଲି–କୃଷ୍ଣଭାଇ ରାଜି ହେଇଗଲେ ?

 

ବୋଉ କିଛି କହି ନ ଥିଲା । କହିବା ଆବଶ୍ୟକ ମଣି ନ ଥିଲା । ମୁଁ ଅଭିମାନରେ କୃଷ୍ଣଭାଇଙ୍କ ବାହାଘରକୁ ଗଲି ନାହିଁ । ମୋତେ ଘର ଜଗେଇ ବୋଉ ଯାଇଥିଲା ମଧୁପୁର ।

 

ମୁଁ ସେଇଠୁ ଘଟଣାଟିକୁ ଭୁଲିଯିବା ପାଇଁ ଚେଷ୍ଟା କରିଥିଲି । ଭୁଲିଯାଇଥିଲି ମଧୁପୁର ଗାଁ, ତାର ତାଳତମାଳ ଘେରା ଶାନ୍ତ ଶୀତଳ ପରିବେଶ । ଗାଁ ମଝିରେ ଉଚ୍ଚା ପିଣ୍ଡା ଓ କୁଟା ଛାଉଣିର ମହାପାତ୍ର ଘର । ଦିନେ ଯେଉଁଠିକି କୁମଭାଉଜ ନାଆଁର ଜଣେ ପାଠପଢ଼ା ଝିଅ ବୋହୂ ହୋଇ ଆସିଥିଲା, ମୋତେ ପାଠ ବତେଇ ଦେଉଥିଲା, ସମସ୍ତଙ୍କୁ ଆଦର ସମ୍ମାନ କରୁଥିଲା, ଆଠମାସ ଭିତରେ ଗାଁ ଗୋଟାକର ହୃଦୟ ଜିଣି ଯାଇଥିଲା । ସବୁକିଛି ମୁଁ ଭୁଲିଯାଇଥିଲି ।

 

କିନ୍ତୁ ମାଟ୍ରିକ୍‌ ପରୀକ୍ଷା ପରେ ପୁରୁଣା ବହି ଖାତାଗୁଡ଼ିକୁ କବାଡ଼ିବାଲାକୁ ଦେଇଦେବାବେଳେ କୋଉଠି ସାଇତା ହୋଇଥିଲା ପରି ସେଇ ଚିଠିଟି ଖସି ପଡ଼ିଥିଲା । ପ୍ରାପକର ନାଁ ମୋତେ ପ୍ରଥମେ ଲାଗିଥିଲା ଅପରିଚିତ । କୁମଭାଉଜଙ୍କ ବାପାଙ୍କ ନାଆଁରେ ହିଁ ଲେଖାଥିଲା ସେ ଚିଠି ।

 

ଏତେଦିନ ଧରି ନିରାପଦରେ ଏ ଚିଠିଟା କେମିତି ଛପି ରହିଥିଲା ବହି ଟ୍ରଙ୍କ ଭିତରେ ? କେତେ ନ ଖୋଜିଛି ଏଇ ଚିଠିଟାକୁ ମଧୁପୁର ଗାଁରେ ମୁଁ ? ଚିଠିଟାକୁ ଖୋଲି ପଢ଼ିଥିଲି । କୁମଭାଉଜ ଲେଖିଥିଲେ ତାଙ୍କ ବାପାଙ୍କ ପାଖକୁ ଏ ଚିଠି । ସ୍ପଷ୍ଟ କରି ଯାହା ସେଥିରୁ ଜାଣି ହେଉଥିଲା ତାହାହେଲା କୁମଭାଉଜ ମଧୁପୁରରେ ଶାନ୍ତିରେ ନ ଥିଲେ । ସୁଖ ବୋଲି କଣ ଜାଣି ନ ଥିଲେ । ତାଙ୍କର ଯଦି କିଛି ହୋଇଯାଏ ସେଥିପାଇଁ ବାପା ହିଁ ତାଙ୍କର ଦାୟୀ ରହିବେ ।

 

କୃପାସିନ୍ଧୁର କଥା ମନେ ପଡ଼ୁଥିଲା । ଏ ଚିଠିଟାକୁ କଣ ଖୋଜୁଥିଲା ସେଦିନ ପୋଲିସ୍‌ ? ଚିଠିଟା ମିଳିଥିଲେ କଣ କୁମଭାଉଜଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ବାପାଙ୍କୁ ହିଁ ବାନ୍ଧି ନେଇଥାନ୍ତା ପୁଲିସ ? କିନ୍ତୁ କାହିଁକି ? କୁମଭାଉଜଙ୍କର କଣ ଅଭାବ ଥିଲା ମଧୁପୁର ଗାଁରେ ? କେଉଁ ସୁଖର ଅପ୍ରାପ୍ତି ଯୋଗୁ ସେ ଦୁଃଖରେ ବିତେଇଥିଲେ ଆଠମାସ କାଳ ? ସେ ସୁଖଟି କଣ ? ମହାପାତ୍ର ଘରେ ଟଙ୍କାପଇସା, ସୁନା ରୁପା, ଶାଢ଼ି-ଗହଣା, ଧାନ ଚାଉଳ–କୋଉଥିରେ ବା ଅଭାବ ଥିଲା ?

 

ସେଦିନ ବି ସେ ଚିଠିଟିର ସଙ୍କେତ ମୁଁ ବୁଝିପାରି ନ ଥିଲି । ପଢ଼ିବା ପୂର୍ବରୁ କୁମଭାଉଜଙ୍କ ଆତ୍ମହତ୍ୟା ଯେମିତି ରହସ୍ୟମୟ ଥିଲା, ପଢ଼ିସାରିବା ପରେ ମଧ୍ୟ ତାହା ସେତିକି ରହସ୍ୟମୟ ହୋଇ ରହିଯାଇଥିଲା ।

 

ମଧୁପୁରର କିଛି କିଛି ଖବର ଆସି ବେଳେ ବେଳେ ପହଞ୍ଚେ । ତା ଭିତରେ ଦିନେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖବର ଆସି ପହଞ୍ଚିଲା ଯେ କୃଷ୍ଣଭାଇଙ୍କର ପୁଅଟେ ହୋଇଛି । ମଧୁପୁର ଗାଁରୁ ମିଠେଇ ବଣ୍ଟା ହେବାକୁ ଆସିଥିଲା ଆମ ଘରକୁ ।

 

ମୁଁ ସେ ମିଠେଇ ଖାଇପାରି ନ ଥିଲି । କାହିଁକି କେଜାଣି ମଧୁପୁର କହିଲେ ମୋ ଆଖି ଆଗରେ ନାଚିଉଠେ ଗୋଟିଏ ପ୍ରିୟ ମଣିଷର ମୁହଁ, ଗୋଟିଏ ଦୁର୍ଘଟଣାର ଚିତ୍ର, ଗୋଟିଏ ଅପରାଧର ଭୂଗୋଳ । ସେ ମୁହଁ କୁମଭାଉଜଙ୍କର, ସେ ଘଟଣା କୁମଭାଉଜଙ୍କ ଆତ୍ମହତ୍ୟାର, ସେ ଅପରାଧ ମୋର କୁମଭାଉଜଙ୍କ ଚିଠିଟି ଲେଟର ବକ୍‌ସରେ ପକେଇ ପାରି ନ ଥିବାର ଅପରାଧ । ସେ ମୁହଁ, ସେ ଦୁର୍ଘଟଣା ଓ ସେ ଅପରାଧର ଚେହେରା ଡେଇଁ ଆଉ କିଛି ମୋତେ ଦୃଶ୍ୟ ହୁଏ ନାହିଁ ।

 

ଶୁଣେ, କୃଷ୍ଣଭାଇ ତାଙ୍କ ପୁଅକୁ ଖୁବ୍‌ ଆଦର କରନ୍ତି । ଦିନସାରା ତାକୁ କାନ୍ଧରେ ବସେଇ ଗାଁସାରା ବୁଲାନ୍ତି । ତାଙ୍କର ସେ ବାରବୁଲା ପ୍ରକୃତି ଆଉ ନାହିଁ । ସେ ଏବେ ସଂପୂର୍ଣ୍ଣ ଘରୁଆ ମଣିଷ-

 

ଭଲ । ସମସ୍ତେ ଭଲରେ ରହନ୍ତୁ । କୃଷ୍ଣଭାଇ, ନୂଆ ଭାଉଜ, ତାଙ୍କ ଗେହ୍ଲାପୁଅ ସମସ୍ତେ ଭଲରେ ରହନ୍ତୁ । କୁମଭାଉଜ ଯେଉଁଠି ଥିଲେ ବି ଜାଣନ୍ତୁ ଯେ ସେ ଚାଲିଯିବା ଦ୍ୱାରା ପୃଥିବୀର କେଉଁଠି କିଛି ଅଟକି ଯାଇନାହିଁ ।

 

ଆଖପାଖରେ କେହି ନ ଥିଲାବେଳେ ମୁଁ ମୋର ବହିଖାତାର ପାହାଡ଼ କନ୍ଦିରୁ କୁମଭାଉଜଙ୍କର ଚିଠିଟି ବାହାର କରି ପଢ଼େ ଚୁପ୍‌ଚାପ୍‌ । ଶବ୍ଦଗୁଡ଼ିକ ସେମିତି ଦୁର୍ବୋଧ୍ୟ ଲାଗନ୍ତି । ପଢ଼ିସାରି ପୁଣି ଚିଠିଟିକୁ ଚଉଭାଙ୍ଗ କରି ରଖିଦିଏ । ଏପଟ ସେପଟ ଚାହେଁ । ଗୋପନୀୟ ବସ୍ତୁଟେ ଲୁଚେଇ ରଖିଥିବାର ସନ୍ତର୍ପଣ ଭାବ ମୋତେ ଆଚ୍ଛନ୍ନ କରିପକାଏ । ମୁଁ ଆଖିବୁଜି ସେସବୁକୁ ଭୁଲିଯିବାର ଚେଷ୍ଟା କରେ ।

 

ଦୁଇ

 

ଅନେକ ବର୍ଷ ପରେ କୃପାସିନ୍ଧୁ ସାଙ୍ଗରେ ଦେଖା । କୁମଭାଉଜଙ୍କୁ ଛାଡ଼ିଦେଲେ ମଧୁପୁର ଗାଁର ଆଉ ଯେଉଁ ମଣିଷଟି ସହ ଥିଲା ମୋର ଏକାତ୍ମ ସମ୍ପର୍କ ସେ ଏଇ କୃପାସିନ୍ଧୁ । ସମବୟସୀ କୃପାସିନ୍ଧୁ କିନ୍ତୁ ପାଠ ଭିନ୍ନ ଅନ୍ୟ ସବୁକଥାରେ ଢେର୍‌ ଆଗରେ ଥାଏ । ଏତେକଥା ସେ କିପରି ଜାଣିପାରେ, ସେ ନେଇ ମୁଁ ବେଳେବେଳେ ଆଶ୍ଚର୍ଯ୍ୟ ହୁଏ । କୃପାସିନ୍ଧୁର ଭଲମନ୍ଦ ବୁଝିବା ପରେ ମୁଁ ତାଠାରୁ ମହାପାତ୍ର ଘର ବାବଦରେ କିଛି ଶୁଣିବାକୁ ଆଶା କରୁଥିଲି । ସେ କିନ୍ତୁ ସିଧା ସିଧା ପଚାରିଲା, ତୋର କୁମଭାଉଜଙ୍କ କଥା ମନେଅଛି ନା ?

 

ମୁଁ ଚମକି ପଡ଼ିଲି । କୃପାସିନ୍ଧୁ ଜାଣିନି ତ ମୋ ପାଖେ କୁମଭାଉଜଙ୍କର ଚିଠିଟି ରହିଯାଇଥିବାର ଗୋପନ ସମ୍ବାଦ । ନା, ଏ ବିଷୟରେ ତାର ମୋର କେବେ କଥାବାର୍ତ୍ତା ହୋଇନାହିଁ ।

 

: କୁମଭାଉଜଙ୍କୁ ଭୁଲିଲି କେଉଁଦିନ ମୁଁ ଯେ ତମେ ମନେ ରଖିବା କଥା ପଚାରୁଛ ?

 

: ଆଉ କୃଷ୍ଣଭାଇଙ୍କ କଥା ?

 

: ଶୁଣିଥିଲି ତାଙ୍କର ପୁଅଟେ ହୋଇଥିଲା ।

 

କୃପାସିନ୍ଧୁ ହସିଲା । ମୁଁ ଆଶ୍ଚର୍ଯ୍ୟ ହେଲି । ଏଥିରେ ହସିବାର କଣ ଅଛି ? ସେ ସେଇପରି ହସୁ ହସୁ କହିଲା, ‘ପୁଅ ନୂଆ ଭାଉଜଙ୍କର । କୃଷ୍ଣଭାଇଙ୍କର କାହିଁକି ହେବ ?’

 

ଏତେଦିନ ପରେ କୃପାସିନ୍ଧୁ ସାଙ୍ଗରେ ଦେଖା । ସେଥିପାଇଁ କିଛି କହିଲି ନାହିଁ । ତା ନ ହେଲେ ମୁଁ ତାକୁ ମୋ ରୁମ୍‌ରୁ ନିକାଲି ଦେଇଥାନ୍ତି । ସେ ଯାହା କହିବାକୁ ଚାହୁଛି ଯଦି ମୁଁ ତାହା ଠିକ୍‌ ବୁଝୁଥାଏ, ତାହାହେଲେ ସେ କୃଷ୍ଣଭାଇଙ୍କର ପ୍ରଶଂସା ନିଶ୍ଚୟ କରୁନାହିଁ । ଏସବୁ ମୁଁ ଶୁଣିବି କିପରି ?

 

କୃପାସିନ୍ଧୁ ଆଖିରେ ସେଇ ଦୁଷ୍ଟାମି । ଗୋଟାଏ ବଡ଼ ରହସ୍ୟ ଉଦ୍‌ଘାଟନ କରିବାର ପ୍ରସ୍ତୁତି ନେଇ ମୁଁ ଝରକା ସେପଟକୁ ଚାହିଁଲି । ଗୋଟାଏ ଝାଉଁଗଛ–କୋଉକାଳୁ ବୁଢ଼ା ହେଇଗଲାଣି-। ଥୁଣ୍ଟା ଶାଖା ପ୍ରଶାଖାରେ ଆଉ ପତ୍ର କଅଁଳିବାର ସମ୍ଭାବନା ନାହିଁ । ତାରି ଦେହରେ ବଣୁଆ ଲତାଟେ ଗୁଡ଼େଇ ଗୁଡ଼େଇ ଅନେକ ଉଚ୍ଚ ଯାଏ ଚାଲିଯାଇଛି । ଜୀବନର ଏ ବିଳମ୍ବିତ ପ୍ରହରରେ ତନ୍ୱୀ ଲତିକାର ଆଲିଙ୍ଗନ ଥୁଣ୍ଟା ଗଛଟା ପ୍ରତି ଉପହାସ ଛଡ଼ା ଆଉ କିଛି ନୁହେଁ । ଆଖି ଫେରେଇ ଆଣିଲି । ରୁମ୍‌ରେ କୃପାସିନ୍ଧୁ ବସି ପତ୍ରିକାଟିଏ ଖେଳଉଥିଲା । ପତ୍ରିକା ପଢ଼ାରେ ମନ ନାହିଁ । ସେ ମୋତେ କିଛି କହିବା ପାଇଁ ଅପେକ୍ଷା କରି ରହିଛି ।

 

: ଜାଣିଛୁ ଅବିନାଶ, ତୋ କୃଷ୍ଣଭାଇ ଗତ ମାସରେ ତାଙ୍କ ସ୍ତ୍ରୀଙ୍କୁ ଧରି ଆମ ହସ୍‌ପିଟାଲକୁ ଅପରେସନ୍‌ କରାଇବାକୁ ଆସିଥିଲେ ?

 

: ଜାଣିନାହିଁ । ତେବେ ସେ ତାଙ୍କ ପରିବାର ବଢ଼େଇବାକୁ ଚାହୁଁ ନ ଥିବେ । ଏଥିରେ ଅସ୍ୱାଭାବିକତା ରହିଲା କେଉଁଠି ? ତାଙ୍କ ପରିବାର ବିଷୟରେ ଯେକୌଣସି ନିଷ୍ପତ୍ତି ନେବାର ଅଧିକାର ତାଙ୍କର ରହିଛି ।

 

: କଥାଟା ସେଇଆ ନୁହେଁ । ନୂଆ ଭାଉଜଙ୍କୁ ନେଇ ଆଉ ସମସ୍ୟା ନ ଉପୁଜୁ ସେଇଥିପାଇଁ ସେ ଏ କାମ କରେଇନେଲେ । ତା ନ ହେଲେ ଗୋଟିଏ ପୁଅ ପରେ... ।

 

: ସମସ୍ୟା ?

 

: ତା ନୁହେଁ ଆଉ କଣ ? ତୁ ତ ଜାଣିଥିବୁ ତୋ କୃଷ୍ଣଭାଇ ପ୍ରକୃତ ପକ୍ଷେ ଜଣେ ଚନ୍ଦ୍ରସେଣା ମାତ୍ର ?

 

: ମୋ ମୁଣ୍ଡ ଉପରେ କିଏ ଯେପରି ବସେଇଦେଲା ଗୋଟେ ଶକ୍ତ ପାହାର । କଣ କହୁଛି କୃପାସିନ୍ଧୁ ? ପ୍ରଥମଥର ପାଇଁ ମୁଁ କୃପାସିନ୍ଧୁର କଥାଗୁଡ଼ିକୁ ମନୋଯୋଗ ସହକାରେ ଶୁଣିବାକୁ ଆରମ୍ଭ କରିଥିଲି । ମୋ ଭିତରେ କୁମୁଦିନୀ ଭାଉଜଙ୍କ ରହସ୍ୟମୟ ଶବ୍ଦଗୁଡ଼ିକ ଧୀରେ ଧୀରେ ସ୍ପଷ୍ଟ ହେଉଥିଲେ ।

 

: ଅଥଚ କୃଷ୍ଣଭାଇଙ୍କର ଏ ଯେଉଁ ପୁଅ... ?

 

: ନୂଆ ଭାଉଜଙ୍କ ପୁଅ କହ । ସେ କାହିଁକି କୃଷ୍ଣଭାଇଙ୍କ ପୁଅ ହେବ ? ସେ ପିଲାଟିକୁ ଗଲେ ଦେଖିବୁ ତାଠିଁ କୃଷ୍ଣଭାଇଙ୍କର କିଛି ସାଦୃଶ୍ୟ ନାହିଁ ।

 

: ତମେମାନେ ଏତେକଥା ଜାଣିପାରିଲ, ଆଉ କୃଷ୍ଣଭାଇ ନିରବରେ ତାଙ୍କ ସ୍ତ୍ରୀଙ୍କୁ ସମର୍ଥନ କରି ରହିଲେ । ତମ ଗାଁଲୋକ ସଜ ମାଉଁସରେ ପୋକ ପକେଇଦେବେ ।

 

କୃପାସିନ୍ଧୁ ଟିକିଏ ଗମ୍ଭୀର ହୋଇପଡ଼ିଲା । ତାର ଏ ଗମ୍ଭୀର ମୁଦ୍ରା ମୋ ଉପରେ ପ୍ରଭାବ ପକେଇବାକୁ ସମର୍ଥ ହେଲା ।

 

କୃପାସିନ୍ଧୁ କହିଲା, “କୃଷ୍ଣଭାଇଙ୍କର କିଛି ଦୋଷ ନାହିଁ ଅବିନାଶ । ସେ ତାଙ୍କର ଅସାମର୍ଥ୍ୟ ନେଇ ବହୁଦିନୁ ସଚେତନ ଥିଲେ । ସେଥିପାଇଁ ସେ ବାହା ହେବାକୁ ପ୍ରସ୍ତୁତ ନ ଥିଲେ । ନ ହେଲେ ତିରିଶ ବର୍ଷ ପର୍ଯ୍ୟନ୍ତ କେହି ମଧୁପୁର ଗାଁରେ ଅଭିଆଡ଼ା ରହିଥାନ୍ତା କାହିଁକି ? କିନ୍ତୁ ତାଙ୍କୁ ଜବରଦସ୍ତ ବାହା କରେଇ ଦିଆଗଲା କୁମଭାଉଜଙ୍କ ସାଙ୍ଗରେ । ଏହାର ପରିଣତି କଣ ହେଲା ତୁ ଜାଣିଛୁ । ମାତ୍ର କୁମଭାଉଜଙ୍କ ଆତ୍ମହତ୍ୟା ଘଟଣା କୃଷ୍ଣଭାଇଙ୍କୁ ଯେତିକି ଦୁଃଖିତ କରି ନ ଥିଲା ତାଠୁ ଅଧିକ ତାଙ୍କୁ ଅପମାନିତ କରିଥିଲା । କୌଣସି ପ୍ରାପ୍ତବୟସ୍କ ତାର ପୌରୁଷ ବାବଦରେ ହାଟଦାଣ୍ଡର ଚର୍ଚ୍ଚାକୁ ସହିପାରନ୍ତା ନାହିଁ । ସେଇଥିପାଇଁ ବାହାଘର ବାବଦରେ ସଦାକୁଣ୍ଠିତ କୃଷ୍ଣଭାଇ ଦ୍ୱିତୀୟ ବିବାହ ନିମନ୍ତେ ଅନାୟାସରେ ରାଜି ହୋଇଥିଲେ ।”

 

: ହୁଁ ।

 

: ନୂଆ ଭାଉଜ କିନ୍ତୁ କୁମଭାଉଜଙ୍କ ପରି ହାରିଯିବାଟାକୁ ଗ୍ରହଣ କଲେ ନାହିଁ । ମହାପାତ୍ର ଘରେ କୌଣସି ବୋହୂ ଯାହା ନ କରିଥିଲେ ସେ ସେଇଆ କଲେ । କୃଷ୍ଣଭାଇ ଅନ୍ୟ କଥାରେ ବାଧା ଦେଇପାରିଥାନ୍ତେ ହୁଏତ; କିନ୍ତୁ ଏ କଥାରେ ସେ ବାଧା ଦେଇପାରିଲେ ନାହିଁ । ତାଙ୍କ ନିଜର ଦୁର୍ବଳତା ତାଙ୍କୁ ବିବଶ କରି ଦେଇଥିବ । ନୂଆ ଭାଉଜ ଭିନ୍ନ ତୁଠରୁ ପାଣି ପିଇଲେ ।

 

: ବିଚରା !

 

: କିନ୍ତୁ ନୂଆ ଭାଉଜଙ୍କ ପୁଅଟିକୁ କୃଷ୍ଣଭାଇ ନିଜ ପୁଅ ଭାବେ ଗ୍ରହଣ କରିବାରେ କାର୍ପଣ୍ୟ କଲେ ନାହିଁ । କାହିଁକି ଜାଣୁ ? ସେଇଟି ହେଉଛି ତାଙ୍କ ପୌରୁଷର ପ୍ରମାଣପତ୍ର । ଥାଉ ପଛେ ସେ ପୁଅର ଜନ୍ମଜାତକ ପଛରେ ପତ୍ନୀଙ୍କର ଅବିଶ୍ୱସ୍ତପଣିଆ, ସମାଜ ପାଇଁ ସେ ତାଙ୍କର ପୌରୁଷ । କୁମଭାଉଜଙ୍କ ଆତ୍ମହତ୍ୟା ବିରୋଧରେ ପ୍ରତିଶୋଧ । ତାଙ୍କର ଅସାମର୍ଥ୍ୟ ପାଇଁ ଆଗ ସ୍ତ୍ରୀ ମରିଗଲା, ଏ ଅପବାଦକୁ ସେ ସତ ବୋଲି ଜଣାଇବାକୁ ଚାହିଁଲେ ନାହିଁ ।

 

: କିନ୍ତୁ ତୁ ଏସବୁ ଜାଣିଲୁ କିପରି ?

 

: ଏସବୁ ଜାଣିବା ପାଇଁ ଡାକ୍ତର ହେବାଯାଏ ମୋତେ ଅପେକ୍ଷା କରିବାକୁ ପଡ଼ି ନ ଥାନ୍ତା । ମଧୁପୁର ଗାଁର ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତ ଏକଥା ଜାଣନ୍ତି । ହଁ, କୃଷ୍ଣଭାଇଙ୍କ ସାମ୍ନାରେ ଅବଶ୍ୟ ଏକଥା କେହି କହନ୍ତି ନାହିଁ ।

 

: ଭୟ ?

 

: ନା ଦୟା । କୃଷ୍ଣଭାଇଙ୍କୁ ତ କେହି ଖରାପ ପାଆନ୍ତି ନାହିଁ । ପୁଣି ତାଙ୍କର ବା ଦୋଷ କଣ ? ସେ ତ ତାଙ୍କର ଅକ୍ଷମତା ପାଇଁ ଦାୟୀ ନୁହନ୍ତି ।

 

କୃପାସିନ୍ଧୁ ଉଠି ଛିଡ଼ାହେଲା । କହିଲା, “କୃଷ୍ଣଭାଇ ଜାଣନ୍ତି ଯେ ସେ ଘଟଣାର ମୋଡ଼ ବଦଳେଇ ଦେଇପାରିବେ ନାହିଁ । ସେ ପାଇଁ ତାଙ୍କର କ୍ଷମତା ନାହିଁ । ତେଣୁ ସେ ଘଟଣାକୁ ନିଜ ବାଟରେ ଘଟିବାକୁ ଛାଡ଼ି ଦେଇଛନ୍ତି । ନୂଆ ଭାଉଜ ଯାହା କଲେ ତାଙ୍କର ଆପତ୍ତି ନାହିଁ । କିନ୍ତୁ ତାଙ୍କ ପିଲାମାନଙ୍କୁ ଦେଖି ଆଉ କାହାର ପିଲା ବୋଲି ମଧୁପୁର ଗାଆଁ ଲୋକେ କହିବେ ସେକଥା ସେ ଗ୍ରହଣ କରିପାରିବେ ନାହିଁ । ନୂଆ ଭାଉଜଙ୍କୁ ଦାୟିତ୍ୱମୁକ୍ତ କରିବା ପାଇଁ ହିଁ ସେ ତାଙ୍କର ଅପରେସନ୍‌ କରାଇବାକୁ ଆସିଥିଲେ । ନୂଆ ଭାଉଜ ଆଉ ମା ହେବେ ନାହିଁ ।”

 

ମୋ ଆଖି ସାମ୍ନାରେ କୃଷ୍ଣଭାଇଙ୍କର ନିରବ ଚେହେରାଟି ହସି ଉଠୁଥିଲା । ଏଇ ଗାଉଁଲି ଲୋକଟି ଭିତରେ କୁଆଡ଼ୁ ଆସିଲା ଏ ଚିନ୍ତାଧାରା ? ମୁଁ କୃପାସିନ୍ଧୁକୁ ପଛରୁ ଡାକି ଅନେକ ବର୍ଷରୁ ସାଇତା କୁମଭାଉଜଙ୍କର ଚିଠିଟି ତା ହାତକୁ ବଢ଼େଇ ଦେଲି । କୃପାସିନ୍ଧୁ ପାଖରେ ମୋର ଲୁଚେଇବାର କିଛି ନାହିଁ ।

 

କୃପାସିନ୍ଧୁ ଚିଠିଟି ପଢ଼ି ଦୀର୍ଘଶ୍ୱାସ ନେଲା । ପଚାରିଲା, ‘ଏ ଚିଠି ପଢ଼ିବା ପରେ ତୁ ବି କିଛି ବୁଝିପାରି ନ ଥିଲୁ ? ଏ ବାବଦରେ ତୋର ଧାରଣା ବଡ଼ ସୀମିତ ଦେଖୁଛି ।’

 

: ବୁଝି ନ ଥିଲି । ଏବେ କିନ୍ତୁ ସବୁ ବୁଝିପାରୁଛି । ଭାବୁଛି କୁମଭାଉଜ ବି ବାଛିନେଇ ପାରିଥାନ୍ତେ ନୂଆ ଭାଉଜଙ୍କ ପରି ସୁବିଧା ରାସ୍ତା । କୃଷ୍ଣଭାଇ ତାଙ୍କୁ ବାରଣ କରି ନ ଥାନ୍ତେ । ତାଙ୍କର ଆତ୍ମହତ୍ୟା କରିବାର କାରଣ କଣ ଥିଲା ?

 

: ତୋର ସ୍ତ୍ରୀଲୋକମାନଙ୍କ ସମ୍ପର୍କରେ ଧାରଣାଟା ସଂପୂର୍ଣ୍ଣ ଜ୍ୟାମିତିକ । ନୂଆ ଭାଉଜ ମହାପାତ୍ର ଘରକୁ ଆସିବା ପୂର୍ବରୁ ଦ୍ୱିତୀୟ ପକ୍ଷ ସ୍ତ୍ରୀ ହେବାର ମାନସିକତା ନେଇ ଆସିଥିଲେ । ଅଇଁଠାଦିଅଁକୁ ସଙ୍କୁଡ଼ିଭୋଗ ଲଗେଇବାର ଏକ ଯୁକ୍ତିକୁ ସାଙ୍ଗରେ ଧରି ସେ ଆସିଥିଲେ ସେ ଗାଆଁକୁ । କିନ୍ତୁ କୁମଭାଉଜ ତ ସେଭଳି ମାନସିକ ପ୍ରସ୍ତୁତି ନେଇ ଆସି ନ ଥିଲେ । ସେ ଆସିଥିଲେ ସଂସାରଯାକର ସୁଖ ପାଇବାକୁ ସ୍ୱାମୀର କୋଳରେ, ଶାଶୂଘର ଅଗଣାରେ । ତାଙ୍କ ସାଙ୍ଗେ ନୂଆ ଭାଉଜଙ୍କୁ ସମାନ କରୁଛୁ କାହିଁକି ?

 

କୃପାସିନ୍ଧୁଠୁ କୁମଭାଉଜଙ୍କ ଚିଠିଟି ଫେରେଇ ଆଣିଲି । ନିରବରେ ଚିରି ଟୁକୁରା ଟୁକୁରା କରି ଉଡ଼େଇଦେଲି ଝରକା ଦେଇ । ଲାଗୁଥିଲା, ଏଇ ଆଖପାଖରେ କୋଉଠି ଯେପରି କୁମଭାଉଜ ଠିଆ ହୋଇ ନିରବରେ ଅଶ୍ରୁପାତ କରୁଛନ୍ତି । ନିଜର ପ୍ରବଞ୍ଚିତ ଯୌବନ, ଲୁଣ୍ଠିତ ସ୍ୱପ୍ନ ଓ ନିଷ୍ଠୁର ଭାଗ୍ୟକୁ ନେଇ ଧିକ୍‌କାର କରୁଛନ୍ତି । କୁମଭାଉଜଙ୍କ ଅଦୃଶ୍ୟ ଆତ୍ମାକୁ କହିବାକୁ ଚେଷ୍ଟା କରୁଥିଲି, “ଏ ଜୀବନଟା ତମ ପରି ପରାଜୟ ମାନିନେଉଥିବା ମଣିଷଙ୍କ ପାଇଁ ନୁହେଁ କୁମଭାଉଜ । ଏ ରାସ୍ତା ଜିତାପଟ ମଣିଷଙ୍କ ପାଇଁ । ତମେ ଚେଷ୍ଟା କରିଥିଲେ ଦେଖିଥାନ୍ତ ତମ ଆଗରେ ବି ଥିଲା ମିଶାଣର ରାସ୍ତା, ଅଥଚ ତମକୁ ଫେଡ଼ାଣର ରାସ୍ତା ବାଛି ନେବାପାଇଁ କିଏ କହିଥିଲା ?”

 

କୃପାସିନ୍ଧୁ ମୋ ଆଡ଼େ ଚାହିଁଲା । କହିଲା, “ତୁ ନାରୀମାନଙ୍କୁ ବୁଝିପାରିବୁ ନାହିଁ । ବେଳେବେଳେ ହାରିବାଟା ସେମାନଙ୍କୁ ଜିତିବାଠୁ ଗୁରୁତ୍ୱପୂର୍ଣ୍ଣ ଓ ଅର୍ଥପୂର୍ଣ୍ଣ ମନେହୁଏ । ତା ନ ହୋଇଥିଲେ ଏଠି ଗୋଟିଏ ପ୍ରକାରର ମଣିଷ ଥାଆନ୍ତେ । ଏ ପୃଥିବୀଟା ଏତେ ବିଚିତ୍ର ହେବା ଆବଶ୍ୟକ ପଡ଼ି ନ ଥାନ୍ତା ।”

Image

 

ପୁନରାବୃତ୍ତି

ପଳାତକ

 

ଝରକାବାଟ ଦେଇ ମାଗି ଘର ଭିତରକୁ ଚାହିଁଲା । ଘର ଭିତରେ ବେଶିକିଛି ଆସବାବପତ୍ର ନାହିଁ । ପୁରୁଣାକାଳିଆ ଘର ଛାଉଣି ତଳେ କାଠର ଆଟୁ । ଭିତରେ ଶାଗୁଆନ୍‌ କାଠର ପଲଙ୍କ, କାଠ ଉପରେ କରମଙ୍ଗା ଓ ମୟୂରର ଚିତ୍ର । ଗୋଟିଏ କୋଣକୁ ଲୋଚାକୋଚା ହୋଇ ବୋହୂଟି ବସି କୋହ ଚାପି ଚାପି କାନ୍ଦୁଛି । କାନ୍ଦୁଥାଉ, ଆହୁରି କାନ୍ଦିବାକୁ ପଡ଼ିବ ତାକୁ । ମାଗି ତା କାମସାରି ଫେରିଲାବେଳକୁ ବିଚାରୀର କାନ୍ଦିବା ଛଡ଼ା ଆଉକିଛି ବାକି ରହିଯାଇ ନ ଥିବ ।

 

ମାଗିର ଭଲ ନାଁ ମାଗୁଣି । କିନ୍ତୁ ସମସ୍ତେ ତାକୁ ମାଗି ବୋଲି ଡାକନ୍ତି । ଝିଅମାନଙ୍କର କନ୍ଦାକଟା ପ୍ରତି ତାର କୌଣସି ଦିନ ଦରଦ ନ ଥାଏ । ଆଜି ମଧ୍ୟ ନାହିଁ । ଏମାନେ ବାପଘରୁ ବିଭାହୋଇ ଆସିଲାବେଳେ ଯେମିତି ଗୋଡ଼ହାତ ଛାଟି, ଛାତିରେ ହାତ ବାଡ଼େଇ କନ୍ଦାକଟା କରନ୍ତି, ଦେଖିଲେ ମନେହେବ ଯେମିତି ବାହାହେବା ପାଇଁ ଟିକିଏ ବି ମନ ନାହିଁ । କିନ୍ତୁ ସେଇ ଝିଅମାନେ ଶାଶୂଘରେ ମାସେ ଦି ମାସ ରହି ବାପଘରକୁ ଫେରିଗଲାବେଳକୁ ସଂପୂର୍ଣ୍ଣ ବଦଳି ଯାଇଥାନ୍ତି । ହ୍ୟାତ୍‌, ଏଣ୍ଡୁଅଗୁଡ଼ାକ ।

 

କାହାର ପାଦଶବ୍ଦ ଶୁଭୁଛି । ମାଗି ମୁଣ୍ଡ ନୁଆଁଇ ଛପିଗଲା । କଳା ବିରାଡ଼ିଟାଏ । ଅମଙ୍ଗଳ ସୂଚନା । ମାଗି ଗୋଡ଼ିଟେ ଉଠେଇ ବିଲେଇ ଆଡ଼କୁ ଫିଙ୍ଗିଦେଲା । ବିଲେଇଟା ଧାଇଁ ଧାଇଁ ବାଉଁଶବୁଦା ଉହାଡ଼ରେ ହଜିଗଲା । ତାର ଡୋଳା ଯୋଡ଼ାକ ଦୂରରୁ ନିଆଁହୁଳା ପରି ଦିଶିଯାଉଥିଲା-

 

ଆଉଥରେ ଉଠିପଡ଼ି ଘର ଭିତରକୁ ଚାହିଁଲାବେଳକୁ ମେଲା ଝରକା କବାଟଟା ଠାଏ କିନା ବାଡ଼େଇ ହେଇଗଲା ମାଗିର ମୁଣ୍ଡରେ । ଖୁବ୍‌ କଷ୍ଟ ହେଲା ତାକୁ । କିନ୍ତୁ ସେ ପାଟି କଲା ନାହିଁ-। ନିଃଶ୍ୱାସ ବନ୍ଦ କରି ଓଠ ଚାପି ଧରି ସେଇଠି ବସିପଡ଼ିଲା । କାହା ମୁହଁ ଚାହିଁ ବାହାରିଥିଲା କେଜାଣି, ସବୁ ବିଘ୍ନ ଆଜି ଘଟିଚାଲିଛି । ତାର ସେ କଳା ବିରାଡ଼ିଟା ଉପରେ ରାଗ ହେଲା । ସାମ୍ନାରେ ପାଆନ୍ତା କି, ଗୋଟାଏ ନାତରେ ତା ପେଟ ଫଟେଇ ଦିଅନ୍ତା ।

 

ମାଗି ପିନ୍ଧିଥିଲା ଧଳା କୁର୍ତ୍ତା ଓ ଧଳା ପାଇଜାମା, ଆଖିରେ ଗୋଟେ ଚଷମା । ଏ ଚଷମାଟା ସେ ଗତ ସପ୍ତାହରେ ସଂଗ୍ରହ କରିଛି । ରାତିରେ ଧଳା ଦିଶେ ଚଷମାର କାଚ । ଖରା ପଡ଼ିଲେ କାଚ କଳା ହେଇଯାଏ । ଆଖିକୁ ଖରାଧାସ ବାଧେ ନାହିଁ ।

 

ମୁଣ୍ଡରେ ଆଘାତଟା ଖୁବ୍‌ ଜୋର୍‌ରେ ବାଜିଛି । ରକ୍ତ ବୋହୁଛି କି ? ମାଗି ହାତ ପାପୁଲିରେ ଦୁଇ ଚାରିଥର ଆଘାତ ଲାଗିଥିବା ଜାଗାଟା ଆଉଁଶି ଆଣିଲା । ନା, ରକ୍ତ ବାହାରି ନାହିଁ-

 

ଏସବୁ ବଡ଼ ଝମେଲା କାମ । ବେଳେବେଳେ ମାଗିକୁ ଖୁବ୍‌ ବିରକ୍ତିକର ମନେହୁଏ ଏସବୁ ଛକାପଞ୍ଝା ଖେଳ । ତାର ବି ଇଚ୍ଛା ହୁଏ କେଉଁଠି ଗୋଟେ ବସାବାନ୍ଧି ରହିଯିବାକୁ । କିନ୍ତୁ କେଉଁଠି ରହିବ ସେ ? କିଏ ଅଛି ତାର ?

 

ମାଗିର କେହି ନାହିଁ । ସେ ଆଠବର୍ଷର ହୋଇଥିଲାବେଳେ ତାର ବାପା ମରିଗଲା । କେମିତି ମରିଗଲା ସେ ଜାଣେନାହିଁ । ଲୋକେ ବାରକଥା କୁହାକୁହି ହୁଅନ୍ତି । ତା ମାଆ କୁଆଡ଼େ ତା ବାପାକୁ ବିଷ ଦେଇ ମାରିଦେଲା । ଏ କଥାରେ ମାଗିର ବିଶ୍ୱାସ ହୁଏ ନାହିଁ । ତା ମାଆ ଯେ ଗୋଟାପଣେ ପତିବ୍ରତା ଥିଲା ସେଇଥିପାଇଁ ନୁହେଁ, କିନ୍ତୁ ଡରୁଆ ସ୍ତ୍ରୀଲୋକଟା । ଏମିତି ଡରୁଆ ମଣିଷ ଆଉ ଗୋଟେ ମଣିଷକୁ ମାରିବା ପରି ସାହସୀ କାମ କରିପାରି ନ ଥିବ । ଯଦି ତା ମାଆ ପ୍ରକୃତରେ ସାହସୀ ହୋଇଥାଆନ୍ତା, ତାହାହେଲେ ସେ ଅନ୍ତତଃ ତା ବାପା ପାଖରୁ ପଳେଇଯାଇ ପାରିଥାଆନ୍ତା ଯଥେଷ୍ଟ ଆଗରୁ ।

 

କିଏ ମାରୁ କି ନିଜେ ନିଜେ ମରୁ, ତା ବାପା ମରିଗଲା । ଭଲ ହେଲା, ଏ ସଂସାରରୁ ତରିଗଲା । ମାଗି ସେଦିନ ବେଶିକିଛି କନ୍ଦାକଟା କରି ନ ଥିଲା । ତା ମାଆ ପଥରରେ ଦୁଇହାତ କଚାଡ଼ି ପାଣିକାଚଗୁଡ଼ା ଭାଙ୍ଗି ଦେଇଥିଲା । କିଏ ଜଣେ ତା ମାଆର କପାଳରୁ ସିନ୍ଦୂର ପୋଛିଦେଉଥିଲା । ସେତେବେଳେ ଯାଇ ମାଗି ଅନୁଭବ କରିଥିଲା, ଗୋଟେ ଚିହ୍ନା ମଣିଷ ମରିଯିବାର ଅଭାବବୋଧ । ବାପାଟି ତାର ଏଯାଏ ତା ବୋଉର ପାଣିକାଚ ଓ ସିନ୍ଦୂରଟୋପା ଭିତରେ ବଞ୍ଚିରହିଥିଲା । ତା ନ ହେଲେ ବାପା ସହିତ ତାର ବା କି ସମ୍ପର୍କ ଥିଲା ?

 

ମାଗିର ବାପା ସବୁବେଳେ ଅଫିମ ଖାଇ ପଡ଼ିରହୁଥିଲା ଦୁଆରବନ୍ଧ ପାଖରେ । ତା ମାଆ କିଛି କହିଲେ ସେ ତାକୁ ପିଟୁଥିଲା । ମୁଣ୍ଡବାଳ ଝିଙ୍କି କାନ୍ଥରେ କଚିଦେଉଥିଲା । କାହିଁକି ତା ବାପା ମାଆକୁ ଏତେ ଘୃଣା କରୁଥିଲା, ମାଗି ଜାଣେନି । ସେକଥା ବୁଝିବାକୁ କେବେ ଚେଷ୍ଟା ମଧ୍ୟ କରିନାହିଁ ।

 

ବାପ ମରିଗଲା ପରେ ମାଆ ଏକୁଟିଆ ହୋଇଗଲା । ଦିନେ ତା ହାତକୁ ଭିଡ଼ି ଭିଡ଼ି ତା ମାଆ ତାକୁ ନେଇଯାଇଥିଲା କରୁଣା ସାହୁ ଦୋକାନକୁ । ଗୋଟାଏ ବୁଜୁଳାରେ କେଇଖଣ୍ଡ ପୁରୁଣା ଲୁଗାପଟା ଓ ମାଗିର ଜାମା ପ୍ୟାଣ୍ଟ । କରୁଣା ସାହୁର ପାଦତଳେ ମୁଣ୍ଡିଆମାରି ତା ମାଆ ସେଦିନ ଯେମିତି କାକୁତିମିନତି କରିଥିଲା, ସେ ଦୃଶ୍ୟ ଆଜି ବି ମାଗି ଭୁଲିପାରି ନାହିଁ । ସେଇଥିପାଇଁ ତା ମା ଉପରେ ମାଗିର ଭୀଷଣ ରାଗ ହୁଏ । କରୁଣା ସାହୁଟା କଣ ଗୋଟେ ମଣିଷ ? ଗୋଟେ ହେଟା ପରି ତାର ଚେହେରା ।

 

କରୁଣା ତା ମାଆକୁ କହିଥିଲା, ‘ତୁ ତ ଆସିଲୁ; ଏ ଜଞ୍ଜାଳଟାକୁ କାହିଁକି ସାଙ୍ଗରେ ଆଣିଲୁ-?’

 

ମାଗିର ମାଆ ପୁଣି ନାଉଳି ଛାଉଳି ହୋଇଥିଲା । ପୁଅ ପିଲାଟା, ବୋଲହାକ କରିବ । ଚା ଗିଲାସ ଧୋଇବ । ବାସନକୁସନ ସଫା କରିବ । ତା ପିଛେ ତମର ବା କି ଖର୍ଚ୍ଚ ହେବ ? ତମେ ଏତେଗୁଡ଼େ ମଣିଷ ଚଳାଉଛ । ଗୋଟିଏ ଛୁଆ ଖାଇଲେ କଣ ସରିଯିବ ? କଣ ବା ଖାଇଯିବ ସେ-?

 

ଛି, ଛି–ମାଗି ଛେପ ନେଣ୍ଡାଏ ପକେଇଦେଲା । କରୁଣା ସାହୁ କଣ ଗୋଟେ ମଣିଷ ? ତା ପାଖରେ ଏତେ ନିଊନ ହେବାର କି ପ୍ରୟୋଜନ ଥିଲା ? ତାର ନିଜ ମା ଉପରେ ରାଗ ଆସିଲା-

 

ପ୍ରୟୋଜନ ନ ଥିଲେ ବି ମାଗି ଅନେକଦିନ କରୁଣା ସାହୁ ଦୋକାନରେ ଥିଲା । ତାର ବୋଲହାକ କରୁଥିଲା । ତାର ଗୋଡ଼ ଘଷି ଦେଉଥିଲା । ଦୋକାନରେ ଚା ଗିଲାସ ସଫା କରୁଥିଲା-। ଲୁଣ ପିଆଜ ଦେଉଥିଲା ।

 

ଦିନେ ଜଣେ ଗରାଖ ମାଗିକୁ ଦେଖି କହିଲା, ମାଗି କୁଆଡ଼େ କରୁଣା ସାହୁର ପୁଅ ପରି ଦିଶୁଛି । ସେଦିନ ମାଗିକୁ ଖୁବ୍‌ ବାଧିଥିଲା । ତା ମୁହଁ କାହିଁକି ସେ ହେଟାର ମୁହଁ ପରି ହେବ ? ସେ କାମ ଛାଡ଼ି ପାଣିକୁଣ୍ଡରେ ଯାଇ ନିଜ ମୁହଁର ଛାଇ ଦେଖିଥିଲା । ନା, ତା ମୁହଁ ହେଟା ମୁହଁ ପରି କଦାପି ନୁହେଁ ।

 

କରୁଣା ସାହୁ ପରି ଖରାପ ଲୋକଟାର ଝିଅ ହେଲେ ବି ସୁନ୍ଦରୀଟା କିନ୍ତୁ ଭଲ । ସତରେ ସେ ଖୁବ୍‌ ଭଲ ଝିଅଟେ ଥିଲା । ସେ ମାଗିକୁ ଆଦର କରୁଥିଲା । ତାକୁ ପାଖକୁ ଡାକି ଖାଇବାକୁ ଦେଉଥିଲା । ବେଳେବେଳେ ଟଙ୍କେ ଦି ଟଙ୍କା ତା ପକେଟରେ ଗୁଞ୍ଜିଦେଉଥିଲା । ସୁନ୍ଦରୀ ତାକୁ ଏତେ ଆଦର କରୁଥିଲା କାହିଁକି ?

 

ବେଳେବେଳେ ଗହଣା-ପୁଟୁଳା ଧରି ଖୁସି ମନରେ ଘରକୁ ଫେରିବା ବାଟରେ ମାଗିର ସୁନ୍ଦରୀ କଥା ମନେପଡ଼େ । ସୁନ୍ଦରୀ ପରି ସ୍ତ୍ରୀଟେ ତାର ଥାଆନ୍ତା କି ? ସେ ଘରକୁ ଫେରିଲେ ତାକୁ ଖାଇବା ବାଢ଼ିଦିଅନ୍ତା । ତାର ବି ଥାଆନ୍ତା ଗୋଟେ ପୁଅ, ଆଉ ଗୋଟେ ଝିଅ । ସେମାନେ ଦଉଡ଼ି ଆସି ତା କାନ୍ଧରେ ଓହଳିପଡ଼ନ୍ତେ । ସେମାନଙ୍କ କିଚିରି ମିଚିରି ଶବ୍ଦରେ ପୂରିଉଠନ୍ତା ତା ଘର, ପୂରିଉଠନ୍ତା ତା ଛାତି ଭିତରଟା ।

 

କିନ୍ତୁ ଥଣ୍ଡାପବନ ଆଘାତରେ ତାର ସେ ସ୍ୱପ୍ନର ମହମବତି ନିଭିଯାଏ । ପୁଣି ଟାଣ ହୋଇଯାଏ ତରଳି ବୋହିଯାଇଥିବା ମହମ । ଚାରିଆଡ଼େ ଅନ୍ଧାର, ଖାଲି ଅନ୍ଧାର ।

 

ସୁନ୍ଦରୀ ଆଜି କୋଉଠି ସେ ଜାଣେ ନାହିଁ । କରୁଣା ସାହୁ ଦୋକାନରେ କାମ କରୁ କରୁ ତା ବୋଉ କୁଆଡ଼େ ଚାଲିଗଲା, ସେ ଖବର ମାଗି ଚେଷ୍ଟାକରି ମଧ୍ୟ ରଖିପାରି ନାହିଁ । ବୋଉ ଉପରେ ତାର ଖୁବ୍‌ ଦୟା ହୁଏ । ଗରିବର ଜୀବନ ଏହିପରି ନିଉଛୁଣା ଜୀବନ, ଡିବିରିବତି ଆଲୁଅ ପରି । କେତେବେଳେ ନିଭିଯିବ, କେହି ଜାଣିବେନି । ବିଚାରୀ ସୁଖ କଣ ଜୀବନରେ ଥରୁଟେ ହେଲେ ଚାଖିଥାଆନ୍ତା ?

 

ଆଜି କାହିଁକି ଏତେକଥା ତାର ମନେପଡ଼ୁଛି ? ମାଗି ତା ମନରୁ ଏସବୁ ଦୁଶ୍ଚିନ୍ତା କାଢ଼ି ଫିଙ୍ଗିଦେଲା, ଅନାବଶ୍ୟକ ପାଠତକ ସିଲଟରୁ ନିଭେଇ ଦେଲା ପରି ।

 

ଆଜି ତାର କେବଳ ଗୋଟିଏ ପରିଚୟ । ସେ ଗୋଟେ ଚୋର । ଗହଣା ଚୋର । ବ୍ଲାକ୍‌ମେଲର୍‌ । ତାର ସେଇ ଦକ୍ଷିଣୀ କୁମୁଟି ବଣିଆ ଛଡ଼ା ଆଉ କେହି ସାଥୀ ନାହାନ୍ତି । ସେ ତାକୁ ବତେଇଦିଏ କେଉଁ ଗାଆଁରେ କାହା ଝିଅର କାହା ପୁଅ ସାଙ୍ଗେ ବାହାଘର ହେଉଛି । ଝିଅଘର ବିଷୟରେ ପଦେ ଦି ପଦ ତଥ୍ୟ ସେ ସଂଗ୍ରହ କରିଥାଏ ତାଆରିଠାରୁ । ତାପରେ ମାଗି ତା କାମରେ ବାହାରିଯାଏ । ପ୍ରଥମେ ପ୍ରଥମେ ତାର ଭୟ ହେଉଥିଲା, କାଳେ ଯଦି ସେ ଫସିଯାଏ ? ସେ ଯଦି ଧରା ପଡ଼ିଯାଏ ? ବହେ ମାଡ଼ ଖାଇବ, ତାପରେ ପୁଣି ପୁଲିସ ହାଜତ । ସେ କେଉଁ କୁଳର ହୋଇପାରିବ ନାହିଁ ।

 

କୁମୁଟି ତାକୁ ସାହସ ଦିଏ । କିଛି ହେବ ନାହିଁ । ଧନୀଠୁଁ ଆରମ୍ଭ କରି ଦରିଦ୍ରଯାଏ, ବାଦ୍‌ଶାହାଠୁଁ ଆରମ୍ଭ କରି ରଙ୍କ ଯାଏ ସଭିଏଁ ସୁନା ପଛରେ ଧାଇଁଛନ୍ତି । ସୁନା ହେଉଛି ସାକ୍ଷାତ୍‌ ଲକ୍ଷ୍ମୀ । ଯେତେ ପାରୁଛୁ ଗୋଟେଇ ଯାଆ । ପଛକୁ ଜମା ଚାହାଁ ନାହିଁ ।

 

ପ୍ରଥମ ଦିନର ଅନୁଭୂତି ମନେପଡ଼ିଲେ ମାଗିକୁ ହସ ଲାଗେ । ଏ ଚରିତ୍ର ପୁଣି କି ପ୍ରକାରର ଚିଜ ? ୟାକୁ ନେଇ ପୁଣି ଏମାନଙ୍କର ଏତେ ଡର, ଏତେ ଅହଂକାର !

 

ହଁ ଚରିତ୍ର ! କେଉଁ ଗଛର ଫଳ ସେ ? ମାଗି ମନକୁ ମନ ହସେ । ଏସବୁ ଗରିବ ପରିବାରର ଢମ । ସେହିମାନେ ୟାକୁ ଖୋଷଣିରେ ଖୋଷି ବୁଲୁଥାନ୍ତି, ଚୋରି ହୋଇଯିବା ଭୟରେ-। ଲୁଚେଇ ରଖିଥାନ୍ତି ତକିଆ ତଳେ । ଚୋରି ହୋଇଯିବା ଆଶଙ୍କାରେ ଶୁଅନ୍ତି ନାହିଁ, ଠକି ହେଇଯିବା ଆଶଙ୍କାରେ ପରଲୋକ ସଙ୍ଗେ ହସି କଥା ହୁଅନ୍ତି ନାହିଁ ! ଧନୀ ଲୋକମାନେ ତ କାହିଁ ୟାକୁ ନେଇ ଏତେ ଧନ୍ଦି ହୁଅନ୍ତି ନାହିଁ !

 

ରଖ ହୋ ତମର ଚରିତ୍ର, ତମ ଢମ । ମାଗିକୁ ଦେଇଦିଅ ତମର ସୁନା ଗହଣା । ମାଗି ସେଇଥିରେ ଖୁସି । ତାର ସେ ଚରିତ୍ର ଫରିତ୍ର କିଛି ଦରକାର ନାହିଁ ।

 

ଲଣ୍ଠନ ଆଲୁଅରେ ମାଗି ଆଉଥରେ ଦେଖିଦେଲା ଘର ଭିତରଟା । ବୋହୂଟାର କାନ୍ଦ ତଥାପି ବନ୍ଦ ହେଇନାହିଁ । ଏତେ କାନ୍ଦୁଛି କାହିଁକି ସେ !

 

ମାଗି ଧୀରେ ଧୀରେ ଏପଟକୁ ଆସିଲା । ଭିଡ଼ କମିଗଲାଣି । ମଫସଲ ଗାଆଁ । ସହଜେ ଏଠି ରାତି ଶୀଘ୍ର ଆସିଯାଏ । ବରଟି ଗାଧୋଇ ଯାଇଛି । ଡେରି କରି ଲାଭ ନାହିଁ । ରାତି ଥାଉ ଥାଉ ତାକୁ ପୁଣି ଫେରିଯିବାକୁ ହେବ ।

 

ମାଗି ଧୀରେ ଦରଆଉଜା କବାଟ ଠେଲି ଘର ଭିତରକୁ ପଶିଗଲା ଓ ଭିତରୁ ଛିଟିକିଣି ଲଗେଇଦେଲା ।

 

ବର ଆସିଲା ବୋଲି ଭାବି ବୋଧହୁଏ ନୂଆବୋହୂଟି ଆହୁରି ଜାକି ହେଇଗଲା । ସେ ଏତେ ଲୋଚାକୋଚା ହୋଇଯାଇଥିଲା ଯେ ମାଗିକୁ ଦିଶୁଥିଲା ଗୋଟେ ବୁଜୁଳା ପରି ।

 

ମାଗି ଏଥର ବୋହୂଟିର ସାମ୍ନାକୁ ଯାଇ କହିଲା, ‘ଚୁପ୍‌ଚାପ୍‌ ତମର ଗହଣାପତ୍ରତକ ଓହ୍ଲେଇ ମୋତେ ଦେଇଦିଅ ।’

 

ମାଗି ହାତରେ ଗୋଟେ ଛୁରୀ । ଲଣ୍ଠନ ଆଲୁଅରେ ଛୁରୀଟାର ଫଳକ ଚିକ୍‌ଚିକ୍‌ କରୁଥିଲା-

 

ମାଗି ପୁଣି କହିଲା, “ଏଇଟାର ଇସ୍ତେମାଲ କରିବାକୁ ପଡ଼ିବ ନାହିଁ । ଚୁପ୍‌ଚାପ୍‌ ତମର ଗହଣାତକ ଓହ୍ଲେଇ ମୋତେ ଦେଇଦିଅ ।”

 

ଗୋଟେ ଘାଗଡ଼ା ଗଳାର ଶବ୍ଦ ଶୁଣି ବୋହୂଟି ଜାଣିଲା, ଇଏ ତାର ବର ନୁହେଁ । ସେ ଏଥର ଓଢ଼ଣାଟା କାନ୍ଧ ଉପରକୁ ଖସେଇଦେଇ ଚାହିଁଲା ମାଗିକୁ ।

 

କି ସୁନ୍ଦର ଦିଶୁଛି ବୋହୂଟାର ମୁହଁ ! ଦେହସାରା ସୁନା ଲଦି ହୋଇଛି । କପାଳରୁ ପାଦଯାଏ, ନାକ, କାନ, ବେକ ଓ ହାତ ସବୁଠିଁ ସୁନା ଗହଣା । ମାଗିର ଦୁଇ ଆଖି ଉଜ୍ଜ୍ୱଳି ଉଠିଲା କଳା ବିରାଡ଼ିର ଆଖି ପରି ।

 

ବୋହୂଟି ଏପରି ଅଘଟଣ ପାଇଁ ଆଦୌ ପ୍ରସ୍ତୁତ ନ ଥିଲା । ଛେପ ଢୋକି ବୋଧହୁଏ କଣ କହିବ ବୋଲି ଚିନ୍ତା କରୁଥିଲା । ଖୁଜୁବୁଜୁ ହେଉଥିଲା ଟିକିଏ । ମାଗି ସତର୍କ ହେଇଗଲା ।

 

: ଚୁପ୍‌ଚାପ୍‌ ମୋ କଥାମାନି ତମର ଗହଣାତକ ଦେଇଦିଅ । ନ ହେଲେ ତମେ ହିଁ ବିପଦରେ ପଡ଼ିବ ।

 

: ବିପଦ ? କି ବିପଦ । ଏଠୁ ଯାଉଛ ନା ଅବିକା ପାଟି କରି ଡାକିବି ? –ବୋହୂଟି କହିଲା-

 

ମାଗି ଏପରି ଏକ ଧମକ ପାଇଁ ପ୍ରସ୍ତୁତ ଥିଲା । ସବୁଠି ଏଇଆ ହିଁ ଶୁଣିଥାଏ ପ୍ରଥମେ । ସେ ଆଦୌ ଆଶ୍ଚର୍ଯ୍ୟ ହେଲା ନାହିଁ । ଏକଥା ଶୁଣିବା ପାଇଁ ପ୍ରସ୍ତୁତ ଥିବା କଣ୍ଠରେ କହିଲା, ‘ଡାକ, ଯେତେ ଜୋର୍‌ରେ ଇଚ୍ଛା, ସେତେ ଜୋର୍‌ରେ ପାଟିକରି ଡାକ । କିନ୍ତୁ ମନେରଖିଥିବ, ସେଥିରେ ତମର ଲାଭ ଅପେକ୍ଷା ବେଶି କ୍ଷତି ହେବ ।’

 

: କ୍ଷତି ? କି କ୍ଷତି ହେବ ?

 

: ତମେ ମୋତେ ଏଠିକି ଖବର ଦେଇ ଡାକିଛ । ତମ ସାଙ୍ଗରେ ମୋର ଆଗରୁ ଭାବ ଥିଲା । ହେଁ... ହେଁ... ବୁଝୁଛ ତ ?

 

ବୋହୂଟାର ମୁହଁରୁ ହଠାତ୍‌ ସବୁ ସାହସ କେମିତି ଉଭେଇଗଲା । ସାଦା କାଗଜ ପରି ଶେତା ଦିଶିଲା ତା ମୁହଁ । ଧୀର ଗଳାରେ କହିଲା–“କିନ୍ତୁ ମୁଁ ତ ତମକୁ ଆଦୌ ଚିହ୍ନେ ନାହିଁ ।”

 

: ମୁଁ ବି ଚିହ୍ନେ ନାହିଁ । କିନ୍ତୁ ଏକଥା କେହି ବିଶ୍ୱାସ କରିବେ ନାହିଁ । ତମ ସ୍ୱାମୀ ବି ନୁହେଁ । ତମେ ଯଦି ବେଶି ନଖରା କାଢ଼ିବ, ତାହେଲେ ମୁଁ କହିବି, ତମ ପେଟରେ ମୋ ଛୁଆ ବଢ଼ୁଛି... ।

 

: ଇସ୍‌, କି ବିପଜ୍ଜନକ ଲୋକ ତମେ ! ଏଭଳି ମିଛକଥା କହିବାକୁ ତମର ସାହସ ହେଉଛି-? ତମର ଚରିତ୍ର ବୋଲି କିଛି ଅଛି ନା ନାହିଁ ?

 

: ଚରିତ୍ର । ଫୁଃ! ମାଗି ହସିଲା ଓଠ ଚାପି ଚାପି । ତାର ସେ ହସିବାର ଭଙ୍ଗୀ ଥିଲା ଭୀଷଣ ଅଶ୍ଳୀଳ ।

 

ବୋହୂଟି ଧୀରେ ଧୀରେ ଓହ୍ଲେଇ ଦେଉଥିଲା ମଥାରୁ ମଥାମଣି, ନାକରୁ ଗୁଣା, କାନରୁ କାନଫୁଲ, ବାହୁରୁ କଙ୍କଣ, କଚଟିରୁ ଚୁଡ଼ି ଓ ପାଦରୁ ପାଉଁଜି ।

 

: କେହି ପଚାରିଲେ ତମେ କହିଦେବ, ଗରମ ଲାଗୁଥିବାରୁ ତମେ ସେସବୁ ଖୋଲି ରଖିଦେଇଛ । ସେମାନେ ବିଶ୍ୱାସ କରିବେ । ବିଶ୍ୱାସ ନକଲେ ସେଇଟା ତମର ଦୁର୍ଭାଗ୍ୟ । ତମ ସମସ୍ୟା ସେଇଟା । ମୋର ନୁହେଁ । –ମାଗି କହିଲା ।

 

ସେ ଚୁପ୍‌ଚାପ୍‌ ଗୋଟାଏ ଟ୍ରଙ୍କ୍‌ ଉପରେ ବସି ଉପଭୋଗ କରୁଥିଲା ବୋହୂଟିର ଗୋଟିକ ପରେ ଗୋଟିଏ ଗହଣା ଓହ୍ଲଉଥିବାର ଦୃଶ୍ୟ । ଏପରି ଦୃଶ୍ୟ ଦେଖିବା ତା ପାଇଁ ନୂଆ ନୁହେଁ । କେତେଥର ଦେଖିଲାଣି ସେ ଏସବୁ । ନିଜେ ମଧ୍ୟ ହିସାବ ରଖିପାରେ ନାହିଁ । ଚାଳିଶ୍‌, ପଚାଶ । ହିସାବ ରଖିଥିଲେ ରଖିଥିବ ସେ ଦକ୍ଷିଣୀ କୁମୁଟୀ ।

 

ବୋହୂଟି ସବୁ ଗହଣାତକ ଏକାଠି କରି ଗୋଟିଏ ଥାଳିଆରେ ଥୋଇଲା । ସୁନାଗହଣାର ଔଜ୍ୱଲ୍ୟରେ ଅନ୍ଧାରୁଆ ଘରଟା ଚିକ୍‌ଚିକ୍‌ କରିଉଠୁଥିଲା । ମାଛକୁ ଚିଲ ଝାମ୍ପିବା ପରି ମାଗି ସେଇ ଥାଳିଆଟାକୁ ଉଠେଇ ନେବାକୁ ହାତ ଉଠେଇଲା । କିନ୍ତୁ ବୋହୂଟି ତା ଆଗରୁ ଘୁଞ୍ଚେଇ ଆଣିଲା ଥାଳିଆଟା । ମାଗିର ହାତଯୋଡ଼ିକ ଖଟ ଉପରେ ବାଡ଼େଇ ହେଇଗଲା ।

 

ସେ ରାଗିଗଲା । କ୍ରୋଧରେ ତାର ଆଖିଯୋଡ଼ିକ ଦପ୍‌ ଦପ୍‌ କରି ଉଠିଲା ।

 

: ମୋ ସାଙ୍ଗେ ଏସବୁ ଚାଲାକି ଚଳିବ ନାହିଁ । ଜାଣି ଜାଣି ନିଜ ଜୀବନ ବରବାଦ୍‌ କର ନାହିଁ । ଗହଣାତକ ଦେଇଦିଅ । ନ ହେଲେ...

 

: ନ ହେଲେ ?

 

: ଓଡ଼ିଆ ବୁଝିପାରୁନ ଦେଖୁଛି । ନହେଲେ କହିବି, ତମେ ମୋର ପ୍ରେମିକା ଥିଲ । ତମ ପେଟରେ ମୋ ଛୁଆ ବଢ଼ୁଛି । ତମେ ଦୁଶ୍ଚରିତ୍ରା, ତମେ ସେମାନଙ୍କୁ ଧୋକା ଦେଇଛ ।

 

ବୋହୂଟି ଏଥର ପଲଙ୍କ ଉପରୁ ଓହ୍ଲେଇଆସିଲା । ମୁଣ୍ଡ ଉପରୁ ଓଢ଼ଣିଟା ଖସିଯାଇ ଲୋଟୁଥିଲା ମାଟି ଉପରେ । ସେ ଆସି ମାଗି ସାମ୍ନାରେ ଛିଡ଼ା ହେଲା ଓ ତା ଆଖିରେ ଆଖି ମିଶେଇ ଚାହିଁରହିଲା ।

 

ପ୍ରଥମଥର ପାଇଁ ମାଗି ଡରିଗଲା । ବୋହୂଟାର ଉଦ୍ଦେଶ୍ୟ କଣ ? ଗହଣାତକ ଯଦି ଦେବାର ଇଚ୍ଛା ନାହିଁ, ତାହେଲେ ନିଜେ ନିଜ ଦେହରୁ ସେସବୁ ଓହ୍ଲେଇ ପକେଇଲା କାହିଁକି ? ସେ ଦୁଇପାହୁଣ୍ଡ ପଛକୁ ହଟି ଆସିଲା ।

 

: ଆଉଥରେ କୁହ । ଆଉଥରେ କୁହ, ତମେ କଣ ସବୁ କହିବ । କୁହ ।

 

: ମୁଁ, ମୁଁ...

 

: ରୁହ ନାହିଁ । ଅଟକିଯାଅ ନାହିଁ । କହିଯାଅ । ବଡ଼ ପାଟିରେ କହିଯାଅ, କହିଯାଅ...

 

ମାଗି ଚମକିପଡ଼ିଲା । ବୋହୂଟା ହଠାତ୍‌ ଭାବପ୍ରବଣ ହେଇପଡ଼ିଥିଲା । ତା ଆଖିରୁ ଝରିଯାଉଥିଲା ଧାର ଧାର ହୋଇ ଲୁହ । ଏ କି ପ୍ରକାର ଝିଅ, କଣ ଏହାର ଉଦ୍ଦେଶ୍ୟ ?

 

ବୋହୂଟା ଆଗେଇ ଆସି ମାଗିକୁ ଦୁଇ ହାତରେ ଜାବୁଡ଼ି ଧରିଲା । ମାଗି ଦୁଇପାଦ ପଛେଇଗଲା । ପଛରେ କାନ୍ଥ । ସେ ସେଇଠି ଛିଡ଼ା ହୋଇ ରହିଲା ।

 

ଏଥର ବୋହୂଟି କହିଲା, “ମୁଁ ତମକୁ ଏ ସବୁଯାକ ଗହଣା ମୋ ନିଜ ହାତରେ ଦେଇଦେବି । ପ୍ରତିଦାନରେ ତମେ ମୋତ ଏଠୁ ମୁକ୍ତି ଦେଇପାରିବ ? ମୋତେ ନେଇ ଯାଇପାରିବ ଏଠୁ ?”

 

ମାଗି ନିଜ କାନକୁ ବିଶ୍ୱାସ କରିପାରିଲା ନାହିଁ । ସେ ସମ୍ଭବତଃ ନିଜ ଭୂମିକା ସମ୍ପର୍କରେ ନିଜେ ବିସ୍ମୃତ ହୋଇଯାଇଥିଲା । ତାର କଣ ସବୁ ଭୁଲ୍‌ଭାଲ୍‌ ହୋଇଯାଉଥିଲା ।

 

: ଗୋଟାଏ ପଚାଶ ବର୍ଷର ବୁଢ଼ା ସଙ୍ଗେ ସେମାନେ ମୋତେ ଛନ୍ଦି ଦେଇଛନ୍ତି । ଅଳ୍ପ ଯୌତୁକରେ ଝିଅ ବିଦା ହେଇଯିବ ବୋଲି ସେମାନେ ମୋ ଇଚ୍ଛା ଅନିଚ୍ଛାକୁ ଟିକିଏ ବି ଅପେକ୍ଷା କରି ନାହାନ୍ତି । ଗୋଟେ ପଚାଶ ବର୍ଷର ମାତାଲ ବୁଢ଼ାର ଦ୍ୱିତୀୟପକ୍ଷ ସ୍ତ୍ରୀ ହେଇ ବଞ୍ଚିବାଠାରୁ ଗୋଟେ ଯୁବକର ‘ପ୍ରେମିକା’ ବଦନାମ ନେଇ ବଞ୍ଚିବା ଭଲ । କେହି ତ ହେଲେ ଜଣେ ଯୁବକ ଅଛି ଏ ପୃଥିବୀରେ, ଯିଏ ମୋତେ ଭଲପାଉଥିଲା । ଯିଏ ମୋତେ ସୁଖ ଦେଇଥିଲା, ଯାହାର ସନ୍ତାନ ମୋ ଗର୍ଭରେ ବଢ଼ୁଛି ।

 

: କିନ୍ତୁ, କିନ୍ତୁ ଏସବୁ ତ ମିଛକଥା । ତମକୁ ଧମକେଇବା ପାଇଁ ଏସବୁ ଥିଲା ମୋର ବାହାନା । –ମାଗିର କଣ୍ଠସ୍ୱର ଗୋଟେ ଅପରାଧୀର ସ୍ୱର ପରି ଥରିଉଠୁଥିଲା ।

 

: ନା, ନା, ଏଇଟା ସତକଥା । କୁହ, ଏଇଟା ସତକଥା । ଆଉ ଥରେ କୁହ । ଆଉ ଥରେ କୁହ । ସମସ୍ତଙ୍କ ଆଗରେ କୁହ । ନେଇଯାଅ ଏ ସୁନା ଗହଣା, ଏ ଚୁଡ଼ି, ଏ କଙ୍କଣ । ମୋତେ ଚରିତ୍ରହୀନାର ବଦନାମ ପୁଞ୍ଜାକ କିନ୍ତୁ ଦେଇଯାଅ । ତାହେଲେ ଅନ୍ତତଃ ଏମାନେ ମୋତେ ଘରୁ ତଡ଼ିଦେବେ ଓ ମୁଁ ମୁକ୍ତି ପାଇଯିବି । ମୋତେ ତମେ ମୁକ୍ତି ଦେଇଯାଅ ।

 

ଶେଷବେଳକୁ ବୋହୂଟିର କଥା ଆଉ ପରିଷ୍କାର ଶୁଣାଯାଉ ନ ଥିଲା । ସେ ମୁହଁରେ ପଣତକାନି ଗୁଞ୍ଜି କେବଳ କାନ୍ଦୁଥିଲା । ସେ କାନ୍ଦର ଶେଷ ନଥିଲା ଯେପରି !

 

ହଠାତ୍‌ ମାଗିକୁ ମନେହେଲା, ଏ ଯେପରି ଅପରିଚିତ ବୋହୂଟିଏ ନୁହେଁ, ତାର ପିଲାଦିନର ସାଙ୍ଗ ସୁନ୍ଦରୀ । ଅଳ୍ପ ଯଉତୁକ ଦେବାକୁ ପଡ଼ିବ ବୋଲି କରୁଣା ସାହୁ ଗୋଟିଏ ଦରବୁଢ଼ା ସାଙ୍ଗେ ସୁନ୍ଦରୀକୁ ଛନ୍ଦିଦେଇଛି ।

 

ମାଗିକୁ ଖୁବ୍‌ ଡର ମାଡୁଥିଲା । ବୋହୂଟି କାନ୍ଥରେ ମୁହଁଚାପି କାନ୍ଦୁଛି । ସେ ତାକୁ କିଛି କହିବ କହିବ ବୋଲି ପାଟି ଖୋଲିବାର ଚେଷ୍ଟା କରୁଥିଲା, ଅଥଚ କୌଣସିଟି ଶବ୍ଦ ତା ପାଟିରୁ ବାହାରୁ ନ ଥିଲା ।

 

ସେପଟେ ଦୁଆର ଖଡ଼ଖଡ଼ ହେବାର ଶବ୍ଦ । ଗୋଟେ ମାତାଲ କଣ୍ଠର ଭଙ୍ଗା ଭଙ୍ଗା ଉଚ୍ଚାରଣ । ମାଗି ଝରକାର କାଠ ରେଲିଂକୁ ଛୁରୀରେ ତାଡ଼ିଦେଲା ଓ ବିଲେଇଟେ ପରି ଖପ୍‌କିନା ଡେଇଁ ପଦାକୁ ପଳେଇଆସିଲା ।

 

ଆକାଶରେ ଅଷ୍ଟମୀର ଜହ୍ନ ଏଇମାତ୍ର କଳାବଉଦ ତଳେ ଲୁଚିଯାଇଥିଲା । ମାଗିର ଏବେ ମୁଣ୍ଡରେ ଲାଗିଥିବା ଆଘାତ କଥା ମନେପଡ଼ୁ ନ ଥିଲା । ସେ ଦୁଇ ପାପୁଲିରେ ତା ଆଖି ପୋଛିଆଣିଲା । ପାପୁଲି ଓଦା ଓଦା ଲାଗୁଥିଲା । କିନ୍ତୁ କାହିଁକି ? ବୋହୂଟା ତାର କିଏ ? କି ପରିଚୟ ତାର ତା ସାଙ୍ଗରେ ?

 

ମାଗି ଗୋଟେ ଦୀର୍ଘଶ୍ୱାସ ନେଲା । ଥରେ ପଛରେ ଛାଡ଼ିଆସିଥିବା ଘରଟାକୁ ଚାହିଁଲା ଓ ହାତରେ ଧରିଥିବା ଛୁରୀଟାକୁ ଦୂରକୁ ଛାଟିଦେଲା ।

Image

 

ମୁକ୍ତି

ଏକ

 

ବର୍ଷା ଛାଡ଼ିବା ପରି ଦିଶୁନାହିଁ । ଦି ଦିନ ଧରି ଅନବରତ ବର୍ଷା ବର୍ଷୁଛି । ରାସ୍ତାଘାଟ ପାଣିଭର୍ତ୍ତି । ଘର ଭିତରଟା ବି କେମିତି ଓଦା ଓଦା ଲାଗୁଛି । କଳ୍ପନା ଆଉଥରେ ତକିଆ ଦେହରେ ମୁହଁଚାପି ଉଷୁମ ଲୋଡ଼ିଲା । ଲୋଡ଼ିଲା କିଛି ସାନ୍ତ୍ୱନା । କାଳେ ଏଇଠି କୋଉଠି ସେ ନ ଦେଖିପାରୁଥିବା କୋଉ କୋଣରେ ଏତେଟିକେ ସାନ୍ତ୍ୱନା ଥିବ । ହୁଏତ ଶେଷ ମୁହୂର୍ତ୍ତରେ ସେଇ ସାନ୍ତ୍ୱନାଟିକକ ଆସି କଳ୍ପନାକୁ ବୁଝେଇବ । ତା ନିଷ୍ପତ୍ତିର ପୁନର୍ବିଚାର ପାଇଁ ପରାମର୍ଶ ଦେବ । ସାହସ ଦେବ ।

 

ବାହାରେ ଅନ୍ଧାର ରାସ୍ତା ।

 

କଳ୍ପନାର ଏବେ ଖୁବ୍‌ ବେଶି ମନେପଡ଼ୁଥିଲା ସୋମନାଥର କଥା । ଆଜିକୁ ଅନେକ ଦିନ ହେଲା ନିଖୋଜ ସେଇ ଭାବପ୍ରବଣ ତରୁଣଟିର କଥା । କଲେଜରେ ଏକା କ୍ଲାସ୍‌ରେ ପଢ଼ୁଥିଲେ ସେମାନେ । ସବୁଦିନେ ଦେଖାଚାହାଁ, କେହି କିନ୍ତୁ କାହାକୁ କିଛି କହନ୍ତି ନାହିଁ । ସୋମନାଥ ଆଖିରେ କଳ୍ପନା ଦେଖେ ତା ପାଇଁ ଅନନ୍ତ ପ୍ରତୀକ୍ଷା, ପରିଧିହୀନ ପ୍ରଶଂସା । କଳ୍ପନାକୁ ଭଲ ଲାଗେ, ଆଉ କାହା ଆଖିରେ ଏମିତି ବରାବର ନିଜର ପ୍ରଶଂସାର ଛବି ଦେଖିବାକୁ । ପ୍ରଥମ ଦେଖାର ପ୍ରାୟ ବର୍ଷେ ପରେ ଦିନେ କଳ୍ପନା ପଚାରିଥିଲା ସୋମନାଥକୁ ଏକାନ୍ତରେ, ଏତେଥର କଣ ଦେଖ ମୋ ମୁହଁକୁ ଚାହିଁ ? ଥରେ ଦେଖିଲେ କଣ ଜାଣିହୁଏନା ? ଏପରି ଆଉ କାହାକୁ ଚାହିଁବ ନାହିଁ ।

 

ବିଚରା ସୋମନାଥ ! ଲାଜ ଓ ଅପ୍ରସ୍ତୁତ ଭାବ ଭିତରେ ମୁହଁ ଲୁଚେଇବାର ଜାଗା ଖୋଜୁଥିଲା ।

 

ଏହାପରେ କଳ୍ପନା ଓ ସୋମନାଥ ପରସ୍ପରର ନିକଟେଇ ଆସିଲେ । ଲାଇବ୍ରେରୀରେ, ଖେଳପଡ଼ିଆରେ ଓ ବେଳେବେଳେ କଲେଜଛକ ଆଇସ୍‌କ୍ରିମ୍‌ ଦୋକାନ ସାମ୍ନାରେ ସେମାନେ ସମୟ ବିତଉଥିଲେ । ସୋମନାଥ ପରି ଲାଜକୁଳା ପିଲାଟିଏ ବି ଘଣ୍ଟା ଘଣ୍ଟା ଧରି ଗପିପାରେ, ସେକଥା ଆବିଷ୍କାର କରି କଳ୍ପନା ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲା । ସେମାନଙ୍କର ଏହି ପରିଚୟ କେବଳ ବନ୍ଧୁତା ଥିଲା ନା ଥିଲା ପ୍ରେମ–ସେନେଇ କଳ୍ପନା ମନରେ ବେଳେବେଳେ ସନ୍ଦେହ ଉପୁଜୁଥିଲା ।

 

ନିଜେ ଲାଜେଇ ଯାଇଥିଲା କଳ୍ପନା ନିଜ ମନର ଏ ଉଚ୍ଚାରଣ ଶୁଣି । ପୁଅଟିଏ ଝିଅକୁ ଚାହିଁବାର ଅର୍ଥ କଣ ପ୍ରେମ ? ଝିଅଟିଏ ପୁଅ ସାଙ୍ଗକୁ ଡାକି ଆଇସ୍‌କ୍ରିମ୍‌ ଯାଚିବା କଣ ପ୍ରେମ ? ନା ଝିଅଟିର ଆମନ୍ତ୍ରଣକୁ ପୁଅଟିଏ ସ୍ୱୀକୃତି ଦେବା ପ୍ରେମ ?

 

ସୋମନାଥକୁ କିଛି କହିବା ପାଇଁ ଚାହିଁଥିଲା କଳ୍ପନା । ଦିନେ କିନ୍ତୁ ତା ବାପାଙ୍କ ଗାଡ଼ି ସେମାନଙ୍କୁ ଏକାଠି ଆବିଷ୍କାର କରିଥିଲା । ବାପାଙ୍କୁ ଭୀଷଣ ଭୟ କଳ୍ପନାର । ସୋମନାଥ ସାଙ୍ଗରେ ତାକୁ ବାପା ଦେଖିଲେ କି ? ସବୁ ସରାଗ ଆଇସ୍‌କ୍ରିମ୍‌ ପରି ତରଳି ବୋହିଯାଇଥିଲା । ତାପର ମୁହୂର୍ତ୍ତଗୁଡ଼ାକ କେମିତି ଅଯଥା ଭାରୀ ଭାରୀ ହୋଇ ଉଠୁଥିଲା ସୋମନାଥ ପାଇଁ । କଳ୍ପନା ଫେରି ଯାଇଥିଲା ।

 

କଳ୍ପନା ବିଛଣା ଉପରୁ ଉଠିଲା । ଝରକା ପାଖରେ ଯାଇ ଛିଡ଼ାହେଲା । ପରଦା ଆଡ଼େଇ କାଚ ଝରକା ଖୋଲି ବାହାରକୁ ଚାହିଁଲା । ବର୍ଷା ବର୍ଷୁଛି । ରାସ୍ତାଘାଟ ନିର୍ଜନ । କେତେ ଶାନ୍ତ ଓ ଶୀତଳ ଲାଗୁଛି ଏ ସହର ! ଅଥଚ ତା ନିଜ ଭିତରେ କେବଳ ଅଶାନ୍ତ ଝଡ଼ । ସେ ଝଡ଼ ଥମୁନାହିଁ ।

 

ସେ ଏଥର ତତ୍ପର ହୋଇଉଠିଲା । ହାତରେ ବେଶି ସମୟ ନାହିଁ । ଝଲକାଏ ଥଣ୍ଡାପବନ ଘର ଭିତରକୁ ବୋହିଆସିଲା । ଟେବୁଲ ଉପରୁ କଣଟାଏ ତଳେ ପଡ଼ିଗଲା । କାଚ ଜିନିଷ ଭାଙ୍ଗିଯିବାର ଶବ୍ଦ । କଳ୍ପନା ପ୍ରଥମେ ବ୍ୟସ୍ତ ନ ହେବାକୁ ସ୍ଥିର କରିଥିଲା । ଯାଉ ଭାଙ୍ଗିଯାଉ । ଏସବୁ ସାଧାରଣ ଜିନିଷ ରହିବା ଭାଙ୍ଗିଯିବା ନେଇ ତାର କିଛି ଯାଏଆସେ ନାହିଁ । ଯେଉଁଟା ଉପରେ ତାର ଏତେ ଟାଣପଣ ଥିଲା, ଏତେ ପ୍ରଚଣ୍ଡ ଆତ୍ମବିଶ୍ୱାସ, ସେଇଟାକୁ ଯଦି ସେ ସାଇତି ପାରିଲା ନାହିଁ, ତାହାହେଲେ ଏ କାଚଜିନିଷଟିଏ ଭାଙ୍ଗିଯିବା ଘଟଣା ତାକୁ ବ୍ୟସ୍ତ କରିବ କାହିଁକି ?

 

କିନ୍ତୁ ନିଜ ଅଜାଣତରେ କଳ୍ପନା ସେଇ ଭାଙ୍ଗିଯାଇଥିବା ଜିନିଷଟିକୁ ତଳୁ ଗୋଟେଇ ନେବା ପାଇଁ ପହଞ୍ଚିଯାଇଥିଲା । ଡବଲ ଫ୍ରେମ୍‌ରେ ବନ୍ଧା ହୋଇଥିଲା ଦୁହିଁଙ୍କର ଫଟୋ, ତାର ଓ ସଞ୍ଜୟର । ସେଇ ଫଟୋଟା ଖସିପଡ଼ିଛି ଓ ତଳେ ପଡ଼ି ଭାଙ୍ଗିଯାଇଛି କଳ୍ପନାର ଫଟୋ ପାଖ କାଚଟା । କଳ୍ପନାକୁ ହସ ଲାଗିଲା । ଚାଲିଯିବା ପର୍ଯ୍ୟନ୍ତ ବି ଅପେକ୍ଷା କଲା ନାହିଁ ଏ ଘରର ପବନ-

 

କିନ୍ତୁ ଏଠି କିଏ କାହା ପାଇଁ ଅପେକ୍ଷା କରେ ? କିଏ ବା ଅପେକ୍ଷା କରେ କଳ୍ପନା ପାଇଁ ? ମା ଅପେକ୍ଷା କଲା ? ବାପା ? ସୋମନାଥ ?

 

ପୁଣି ସେଇ ସୋମନାଥ । କୋଉଦିନୁ ସୋମନାଥ ଛାଡ଼ି ଚାଲିଗଲାଣି କଳ୍ପନାର ସହର । ସେସବୁ ସ୍ମୃତି କୋଉକାଳୁ ପୋଡ଼ି ପାଉଁଶ ହୋଇଯାଇଛି । ଆଜି ସେସବୁ ଚିନ୍ତା କରିବାର ଅର୍ଥ କିଛି ହୁଏ ନାହିଁ ।

 

କିନ୍ତୁ କୁଆଡ଼େ ଚାଲିଗଲା ସୋମନାଥ ? ପବନରେ ମିଳେଇଗଲା ? ଅନ୍ଧାରରେ ମିଶିଗଲା ? କୁଆଡ଼େ ନିଖୋଜ ହୋଇଗଲା ଗୋଟେ ପଚିଶ ବର୍ଷର ତରୁଣ ?

 

ସେଇ ଆଇସ୍‌କ୍ରିମ୍‌ ଖାଇବା ପରଦିନର କଥା । ସୋମନାଥ ଖୁବ୍‌ ସାହସ କରି ସେଦିନ କଳ୍ପନାର ଘରକୁ ଯାଇଥିଲା । କେଡ଼େ ବିରାଟ ଘର କଳ୍ପନା ବାପାଙ୍କର ! ଆଗରୁ ସେପରି ଘର ଦେଖି ନ ଥିଲା ସୋମନାଥ । ବିରାଟ ବଗିଚା, ବିସ୍ତୀର୍ଣ୍ଣ ଲନ୍‌ । ମାର୍ବଲର ଉଆସରେ ରହୁଛି କଳ୍ପନା-

 

ସେଦିନ କଳ୍ପନା ସାଙ୍ଗରେ ଦେଖାହେବା ପୂର୍ବରୁ ସୋମନାଥର ପ୍ରଥମେ ଦେଖାହେଲା ରାୟବାହାଦୁର ପୂର୍ଣ୍ଣେନ୍ଦୁ ବଳିୟାରସିଂହଙ୍କ ସହିତ । କଳ୍ପନାର ବାପା ରାୟବାହାଦୁର ତାଙ୍କ ଡ୍ରଇଂରୁମ୍‌ ସୋଫାରେ ବସିଥିଲେ ଦରଜା ଆଡ଼କୁ ମୁହଁ କରି । ସୋମନାଥକୁ ଦେଖିବାକ୍ଷଣି ତାଙ୍କର ଆଲ୍‌ସେସିଆନ୍‌ଟା ଭୁକିଉଠିଥିଲା । ରାୟବାହାଦୁର ସିଧା ସିଧା ସୋମନାଥକୁ ପଚାରିଥିଲେ, “କେତେଦିନ ହେଲା ଜାଣିଛ କଳ୍ପନାକୁ ?”

 

ସୋମନାଥକୁ ବସିବା ପାଇଁ ବି କହି ନ ଥିଲେ ରାୟବାହାଦୁର । ତାଙ୍କ କଥାଗୁଡ଼ିକ ଏତେ କର୍କଶ ଓ ଅସମ୍ମାନଜନକ ଥିଲା ଯେ, ସୋମନାଥ ସେସବୁକୁ ଗ୍ରହଣ କରିପାରି ନ ଥିଲା । କଳ୍ପନା ସେଦିନ ସେମାନଙ୍କ କଥା ମଝିରେ ହସ୍ତକ୍ଷେପ କରି ନ ଥିଲେ ସୋମନାଥ ନିଶ୍ଚୟ ଏଣୁତେଣୁ ଦି ପଦ କହି ଦେଇଥାନ୍ତା ।

 

ସେଇ ଶେଷଦେଖା ସୋମନାଥ ସହିତ । ମୁଣ୍ଡ ତଳକୁ କରି ରାଜ୍ୟ ଓ ରାଜତ୍ୱ ହରେଇଥିବା ଜଣେ ସମ୍ରାଟ ପରି ଫେରି ଯାଉଥିଲା ଫାଟକ ଡେଇଁ । କଳ୍ପନା ବଡ଼ ପାଟି କରି ଡାକିବାକୁ ଚାହିଁଥିଲା । ଚାହିଁଥିଲା ସୋମନାଥର ହାତ ଧରି ସବୁଦିନ ପାଇଁ ସେ ବି ତା ବାପାର ଘରଛାଡ଼ି ଚାଲିଯିବାକୁ । କିନ୍ତୁ ଶେଷ ପର୍ଯ୍ୟନ୍ତ ମନର କଥା ତୁଣ୍ଡ ପର୍ଯ୍ୟନ୍ତ ଆସିପାରି ନ ଥିଲା । କ୍ରୋଧ, କ୍ଷୋଭ ଓ କୋହ ସବୁ ରୁନ୍ଧି ହେଇଯାଇଥିଲା ତାର ଛାତି ଭିତରେ । ତୁଣ୍ଡି ବାନ୍ଧି ହୋଇ ଯାଇଥିଲା ତୁଣ୍ଡରେ ।

 

ଚାଲିଯାଇ ପାରିଥାନ୍ତା କି ସେଦିନ ସେ ସୋମନାଥ ସାଙ୍ଗରେ, ଆଜି ଅନ୍ତତଃ ନିଜ ଉପରେ ଏତେ ଦୟା ଆସୁ ନ ଥାନ୍ତା କଳ୍ପନାର । ହାରିଗଲା ପରି ଲାଗୁ ନ ଥାନ୍ତା ନିଜର ବିଶ୍ୱାସ ସାମ୍ନାରେ ।

 

ପିଲାଦିନୁ ମା ମରିଯାଇଥିଲା । ପ୍ରଚୁର ସ୍ନେହ ଦେଇ ବାପା ତାକୁ ବଢ଼େଇଥିଲେ । ତାର ସବୁ ଇଚ୍ଛା, ଅନିଚ୍ଛା, ଦାବି ଓ ଚାହିଦାକୁ ପୂରଣ କରିଥିଲେ ବାପା; ମାତ୍ର ସୋମନାଥ ସହ ତାର ସମ୍ପର୍କକୁ ସେ ଗ୍ରହଣ କରିପାରିଲେ ନାହିଁ । ଗ୍ରହଣ କରିପାରି ନ ଥାନ୍ତେ । ବରଂ ପ୍ରଥମ ଦିନ, ଜଣେ ଦରିଦ୍ର ଯୁବକ ସହ କଳ୍ପନାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଏତେ ଯତ୍ନ ଓ ତାଲିମ ସତ୍ତ୍ୱେ କଳ୍ପନାର ରୁଚି ଏତେ ନିମ୍ନଗାମୀ ହୋଇପାରିଲା କିପରି ?

 

କଳ୍ପନା ଜାଣେ ନାହିଁ ସତ କଣ ମିଛ କଣ । କିନ୍ତୁ ସୋମନାଥ ଯେ ନିଜ ଇଚ୍ଛାରେ ତାଠୁଁ ଦୂରେଇ ଯାଇନାହିଁ, ଏହାକୁ ଲୁଚେଇ ରଖାଯାଇପାରେ ନାହିଁ । ପୁଣି ସୋମନାଥର ବିଦାୟ ଯେ ସ୍ୱାଭାବିକ ବିଦାୟ ନ ଥିଲା, ସେକଥା ମଧ୍ୟ ସେ ଜାଣେ । ହଷ୍ଟେଲ୍‌କୁ ଫେରିବା ରାସ୍ତାରେ ସୋମନାଥକୁ କେତେଜଣ ବାଡ଼େଇ ବାଡ଼େଇ ସଂଜ୍ଞାହୀନ ଅବସ୍ଥାରେ ପକେଇଦେଇ ଯାଇଥିଲେ । ସକାଳୁ ତାକୁ ଡାକ୍ତରଖାନାରେ ପହଞ୍ଚାଯାଇଥିଲା । ସେଇଠି ସେ ପଡ଼ି ରହିଥିଲା ଦୀର୍ଘ ଏକମାସ । ତାପରେ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ସୋମନାଥ କୁଆଡ଼େ ଚାଲିଯାଇଥିଲା । କାହାରିକୁ ସେ ନିଜର ଠିକଣା ଦେଇ ଯାଇ ନ ଥିଲା ।

 

କିନ୍ତୁ କାହାର କି ଦୋଷ କରିଥିଲା ସୋମନାଥ ? କେହି ନ କହିଲେ ବି କଳ୍ପନା ଜାଣେ, ସୋମନାଥର ବିଦାୟ ପଛରେ ତା ବାପା ରାୟବାହାଦୁରଙ୍କର ନିର୍ଦ୍ଦେଶ ରହିଛି । ମଣିଷ ମାରିବା ତା ବାପାଙ୍କ ପାଇଁ ଛେଳି କୁକୁଡ଼ା ମାରିବା ସଙ୍ଗେ ସମାନ । ତା ବାପାଙ୍କ ଭିନ୍ନ ସୋମନାଥର ଆଉ କେହି ଶତ୍ରୁ ନ ଥିଲେ ଏ ସହରରେ । ସୋମନାଥକୁ ତଡ଼ି ଦିଆଯାଇଛି, ସେ ନିଜ ଇଚ୍ଛାରେ କୁଆଡ଼େ ଚାଲିଯାଇ ନ ଥାନ୍ତା ।

 

ଦି ଟୋପା ଲୁହ ନିଗିଡ଼ି ଆସୁ ଆସୁ ଅଧବାଟରେ ସେମାନଙ୍କୁ ପୋଛିନେଲା କଳ୍ପନା । ମୋତେ କ୍ଷମା କରିଦିଅ ସୋମନାଥ, ମୋତେ କ୍ଷମା କରିଦିଅ ।

 

ଦୁଇ

 

ପ୍ରଥମେ କଳ୍ପନା ନିଜ କାନକୁ ମଧ୍ୟ ବିଶ୍ୱାସ କରିପାରି ନ ଥିଲା । ସଞ୍ଜୟ ତାହାହେଲେ ଚାହୁଁଛି କଣ ? କଳ୍ପନାର ପ୍ରେମ ନା ରାୟବାହାଦୁର ବଳିୟାରସିଂହଙ୍କ ସମ୍ପତ୍ତି ? କଣ ଚାହୁଁଛି ସଞ୍ଜୟ ?

 

ଖୁବ୍‌ ସାହସ କରି ସେ ପଚାରିଥିଲା–“କୁହ ସଞ୍ଜୟ ! ତମେ କଣ ଚାହୁଁଛ ? ମୋତେ ନା ମୋ ବାପାଙ୍କର ସମ୍ପତ୍ତି ?”

 

ଖୁବ୍‌ ଆଶା କରିଥିଲା, ସଞ୍ଜୟ ଏହାର ଉତ୍ତରରେ କହିବ–“ମୁଁ ତମକୁ ହିଁ ଚାହେଁ କଳ୍ପନା । କେବଳ ତମକୁ । ମୋର ରାୟବାହାଦୁରଙ୍କ ସମ୍ପତ୍ତି ଲୋଡ଼ା ନାହିଁ । ତୁମର ଭଲପାଇବା ଯେ ମୋ ପାଇଁ ସେସବୁ ଧନସମ୍ପତ୍ତିଠୁ ବଳି ମହାର୍ଘ ।”

 

ଅଥଚ ସଞ୍ଜୟ ଏ କଣ କହିଲା ? ଇଏ ତ ପ୍ରେମିକର ସ୍ୱର ନୁହେଁ । ସ୍ୱାମୀର ସ୍ୱର ନୁହେଁ । ୟେ ସ୍ୱର ଯେ ସୌଦାଗରର । ବ୍ୟବସାୟୀର । ସଞ୍ଜୟ ଏତେ ବଦଳି ଯାଇପାରିଲା କେମିତି ?

 

ଶୀତଳ କଣ୍ଠରେ ସଞ୍ଜୟ କହିଥିଲା, “ଉଭୟ । ମୁଁ ଉଭୟ ଚାହେଁ ।” କେତେ ସ୍ପଷ୍ଟ କଥାଟିଏ କହିପାରିଥିଲା ସଞ୍ଜୟ ! ପ୍ରଶଂସା କରିଥିଲା ସ୍ପଷ୍ଟବାଦିତାକୁ ଓ ଭାବିଥିଲା–ଆଃ, ଅନ୍ୟ ବାଗରେ କଣ କହିପାରି ନ ଥାନ୍ତା ସଞ୍ଜୟ ଏଇ କଥାଟିକୁ ? ଏତେ ରୋକ୍‌ଠୋକ୍‌ ଭାବରେ ନ କହିଥିଲେ କଣ କଳ୍ପନା ଯଥେଷ୍ଟ ଆଘାତ ପାଇଥାନ୍ତା ?

 

ଅପମାନିତା କଳ୍ପନା ଫେରି ଆସିଥିଲା ନିଜ ଶୋଇବା ଘରକୁ । ତାର ସବୁ ତପସ୍ୟା ପଣ୍ଡ ହୋଇଯାଇଛି । ସବୁ କଳ୍ପନା ଭାଙ୍ଗିରୁଜି ଯାଇଛି । ସେ ହାରିଯାଇଛି ଭୟଙ୍କର ଭାବେ ।

 

ଏସବୁ ପାଇଁ ସେ ନିଜ ଭିନ୍ନ ଆଉ କାହାକୁ ଦୋଷ ଦେଇପାରୁ ନ ଥିଲା । ସଞ୍ଜୟକୁ ପ୍ରଥମେ ସେ ହିଁ ନିଜଆଡ଼ୁ ଭଲପାଇଥିଲା । ତାକୁ ବାହା ହେବାର ପ୍ରସ୍ତାବ ଦେଇଥିଲା । ହୋଇପାରେ–ସେଇଟା ଥିଲା କଳ୍ପନାର ଜିଦ୍‌ । ନିଜ ବାପାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ, ସଞ୍ଜୟ ପକ୍ଷରୁ ତାର ଶୋଚନୀୟ ପରାଜୟର ମୂଲ୍ୟ ଆଦାୟ ପାଇଁ ଏକମାତ୍ର ପନ୍ଥା । କିନ୍ତୁ ସେଥିରେ ସଞ୍ଜୟର ଦୋଷ କଣ ? ସେ ଯଦି ରାୟବାହାଦୁରଙ୍କ ସମ୍ପତ୍ତି ପାଇଁ ହିଁ କେବଳ କଳ୍ପନାକୁ ଭଲପାଇଥାଏ, ତାହାହେଲେ ସେଥିରେ ସଞ୍ଜୟର ଦୋଷ କେଉଁଠି ? ବଡ଼ ହେବାର ସ୍ୱପ୍ନ ଦେଖିବାର ପ୍ରତ୍ୟେକ ପୁରୁଷର ନିଜସ୍ୱ ଲିପ୍‌ସା । ସଞ୍ଜୟ ରୋକ୍‌ଠୋକ୍‌ ଭାବେ କହିଦେଇପାରିଲା, ଅନ୍ୟମାନେ କେବେ କହିପାରିବେ ନାହିଁ ।

 

କଳ୍ପନା ମନେ ପକେଇବାକୁ ଚେଷ୍ଟା କରୁଥିଲା ତାର ଅତୀତକୁ । ମନେ ପକାଉଥିଲା, ଢେର୍‌ଦିନ ହୋଇଗଲାଣି ସୋମନାଥର ବିଦାୟ ନେଇଯିବାର ଦୁର୍ଘଟଣା । ଆଜିକାଲି ତାଠୁଁ କିଛି ଉତ୍ତର ପାଇବାର ଆଶା ରଖି ହୁଏନା । ଦୁର୍ଘଟଣା ପରେ ଏକପ୍ରକାର ନଜରବନ୍ଦୀ ଭାବେ ନିଜ ଘରେ ଦିନ ବିତେଇଥିଲା କଳ୍ପନା । ଆଗରେ ସମୁଦ୍ର, ସ୍ୱାଧୀନତାର ଉଲ୍ଲଂଘ ଆମନ୍ତ୍ରଣ, ପଛରେ ଶ୍ରୀମନ୍ଦିରର ଚୂଡ଼ା, ସମ୍ପର୍କର ଶିକୁଳି । ଚାରିପଟେ ବାପାଙ୍କ ସତର୍କର ଉଚ୍ଚା ପାଚେରି ସବୁ ଭିତରେ ବନ୍ଦିନୀ କଳ୍ପନା ।

 

ଦିନସବୁ ଜେଲ୍‌ଖାନାର ଉତ୍ପୀଡ଼କ ମୁହୂର୍ତ୍ତ ହୋଇ ବିତେ । କଳ୍ପନା ହାରେ ନାହିଁ । ଜିଣିବାର ଜିଦ୍‌ ବଢ଼ିଚାଲେ ଦିନୁଦିନ ବରଂ ।

 

ଏମିତି ଏକ ସମୟରେ ଆସିଥିଲା ସଞ୍ଜୟ । ନୂଆ ନୂଆ ବ୍ୟବସାୟ ଭିତରକୁ ପଶୁଥିଲା । କିଛି ଗୋଟାଏ ବଡ଼ କାମ କରିବ ବୋଲି ସ୍ୱପ୍ନ ଦେଖୁଥିଲା ।

 

ବାପା ପରସ୍ପର ସହ ପରିଚୟ କରାଇ ଦେଇଥିଲେ ।

 

ଦିନ ଦିନ ଧରି ଯୁବକଟିକୁ ନିରୀକ୍ଷଣ କରିଥିଲା କଳ୍ପନା । ଦୃଢ଼ମନା ଯୁବକଟିର ଆତ୍ମବିଶ୍ୱାସ ଥିଲା ପ୍ରଚୁର । ଚାଲିରେ, କଥାବାର୍ତ୍ତାରେ, ଠାଣିରେ କେମିତି ଗୋଟାଏ ଦୃପ୍ତ ଓ ଦୁର୍ବିନୀତ ଭାବ । ସମଗ୍ର ପୃଥିବୀକୁ ପେଣ୍ଡୁ ପରି ଗଡ଼େଇଦେବାର ଶକ୍ତି ଓ ସାହସ ଯେପରି ରହିଛି ଏଇ ତରୁଣଟି ଭିତରେ ।

 

ହଠାତ୍‌ ଦିନେ ସଞ୍ଜୟର ଆସିବା ବନ୍ଦ ହୋଇଗଲା । ଗୋଟିଏ ବ୍ୟାବସାୟିକ ଦେଣନେଣରେ ସଞ୍ଜୟର ଝଗଡ଼ା ହୋଇଗଲା କଳ୍ପନାର ବାପାଙ୍କ ସାଙ୍ଗରେ । ରାୟବାହାଦୁର ବଳୀୟାରସିଂହ ସାଙ୍ଗରେ ଝଗଡ଼ା କଲା ଗୋଟେ ଚବିଶ ବର୍ଷର ଯୁବକ ?

 

ହାର୍‌ଜିତ୍‌ ବିଷୟରେ ଜାଣିବାର ଇଚ୍ଛା ନ ଥିଲା କଳ୍ପନାର । ତାର ଖାଲି ଇଚ୍ଛା ହେଉଥିଲା ସଞ୍ଜୟକୁ ଥରୁଟିଏ ଭେଟିବା ପାଇଁ, କଂଗ୍ରାଚୁଲେଟ୍‌ କରିବା ପାଇଁ ।

 

କଳ୍ପନା ମନ ଭିତରେ ସେଇଦିନଠୁ ଭୂତଟିଏ ସବାର୍‌ ହୋଇ ସାରିଥିଲା । ଯଦି ସେ କେବେ ବାହାହେବ, ଭଲପାଇ ବାହାହେବ । ବାପାଙ୍କ ଇଚ୍ଛା ବିରୋଧରେ ବାହାହେବ । ବାପାଙ୍କର ଅଭିମାନ, ଅହଂକାର, ଧନଗର୍ବକୁ ଦୟନୀୟ ଭାବେ ଏଡ଼େଇ ଦେଇ ସେ ବାହାହେବ ସୋମନାଥ ପରି ଯୁବକଟିଏକୁ । ତାର ପ୍ରଥମ ପ୍ରେମର ଅପମାନ, ତାର କୌମାରୀତ୍ୱର ଅବମାନନାକୁ ତାହାହେଲେ ଯାଇ ସେ ଭୁଲିପାରିବ ।

 

ଭୁଲିହୁଏ ନାହିଁ ପ୍ରଥମ ପ୍ରେମ ଓ ତାର ପ୍ରଥମ ଆବେଦନକୁ । କିନ୍ତୁ କଣ ଯେ ସେ ପ୍ରେମ-? ପୁଅଟେ ଝିଅଟେକୁ ଅପେକ୍ଷା କରି ରହିବା ? ନିରୁଦ୍ଦେଶ୍ୟ ଭାବେ ଘଣ୍ଟା ଘଣ୍ଟା ଗପିବା । ପରସ୍ପର ପରସ୍ପରକୁ ପ୍ରାଣଠୁ ଅଧିକ ମୂଲ୍ୟବାନ ମନେ କରିବା ? ଆଖପାଖର ସବୁ ଦୃଶ୍ୟ ଓ ସମସ୍ୟାକୁ ବାଦ୍‌ଦେଇ ଫୁଲ ଫଗୁଣ, ମହୁମାଛି ଓ ପ୍ରଜାପତିମାନଙ୍କ ସମ୍ପର୍କରେ ଗପିବା ? ଅବଶିଷ୍ଟ ପୃଥିବୀକୁ ପଛକରି ଆଖି ପାଉ ନ ଥିବା କେଉଁ ଏକ ଭିନ୍ନ ଇଲାକାରେ ଯାଇ ଛୋଟ ଗୋଟେ କୁଡ଼ିଆ କରି ତା ଭିତରେ ବଗଲାବଗୁଲୀ ପରି ଜୀବନ ଜିଇଁବାର କଳ୍ପନା କରିବା ?

 

ଆପାତତଃ ଏମିତି କିଛି ଥିଲା ପ୍ରେମ ସମ୍ପର୍କରେ କଳ୍ପନାର ଧାରଣା । ତେଣୁ ସଞ୍ଜୟ ଯେଉଁଦିନଠାରୁ ତାଙ୍କ ଘରକୁ ଯା ଆସ ବନ୍ଦ କରିଦେଲା, ଠିକ୍‌ ତା ପରଦିନଠାରୁ କଳ୍ପନା ସଞ୍ଜୟ ଘରକୁ ଯା ଆସ ଆରମ୍ଭ କରିଦେଲା । ନଜରବନ୍ଦୀର ସମୟ ସେ ପାର ହୋଇଯାଇଥିଲା । ତାର ଆଚରଣଗତ ପରିବର୍ତ୍ତନ ବି ରାୟବାହାଦୁରକୁ ପ୍ରସନ୍ନ କରିଥିଲା ।

 

କଳ୍ପନା ନିଜ ରାସ୍ତା ନିଜେ ବାଛି ନେଇଥିଲା । ବିନା ସୂଚନାରେ ସେ ପହଞ୍ଚିଥିଲା ସଞ୍ଜୟର ଘରେ । ସଞ୍ଜୟ ସେଦିନ ନିଜ ଘରେ କଳ୍ପନାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲା ଓ କଳ୍ପନା ନିରବରେ ଚଉକିଟିଏ ଟାଣିଆଣି ବସିପଡ଼ି ସଞ୍ଜୟଙ୍କୁ ପଚାରିଥିଲା–“ତମେ ମୋତେ ଭଲପାଅ ?” ପୁଣି ସଞ୍ଜୟର ଉତ୍ତରକୁ ଅପେକ୍ଷା ନ କରି କହିଥିଲା–

 

–“ମୁଁ ଜାଣେ ଖାସ୍‌ ମୋ ପାଇଁ କାମ ନ ଥିଲେ ବି ତମେ ମୋ ବାପାଙ୍କୁ ଦେଖା କରିବା ପାଇଁ ବାହାନା କରି ଆମ ଘରକୁ ଆସି ପାରିବ ? ତମେ ମୋ ବାପାଙ୍କୁ ସାମ୍ନା କରିପାରିବ ?” ସଞ୍ଜୟ ଚମକି ପଡ଼ିଥିଲା । ପୁଣି କଳ୍ପନା କହିଥିଲା–“ଆମେ ପନ୍ଦର ତାରିଖରେ ରେଜିଷ୍ଟ୍ରି ମ୍ୟାରେଜ୍‌ କରିବା, ତାପରେ ଯିବା ବାପାଙ୍କ ପାଖକୁ । ତମେ ପ୍ରସ୍ତୁତ ହୋଇଯାଅ ।”

 

ଯେମିତି ଝଡ଼ ପରି ଆସିଥିଲା, ସେମିତି ଝଡ଼ ପରି ଚାଲିଯାଇଥିଲା କଳ୍ପନା । ସଞ୍ଜୟ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରି ନ ଥିଲା ।

 

ପନ୍ଦର ତାରିଖରେ ସେମାନେ ବାହା ହୋଇଥିଲେ । ପ୍ରାଚୁର୍ଯ୍ୟର ବନ୍ଦୀଘର ଭିତରୁ ମୁକୁଳି କଳ୍ପନା ସ୍ୱସ୍ତିର ନିଃଶ୍ୱାସ ନେଇଥିଲା । ଧନସମ୍ପତ୍ତି ଓ ବିଳାସ ରୁନ୍ଧିଦିଏ ମଣିଷକୁ । ଛନ୍ଦିଦିଏ ତାର ଆତ୍ମା, ଆବେଗ ଓ ବିବେକକୁ, ତାର ସ୍ୱାଧୀନତାକୁ । ସଞ୍ଜୟର ସମ୍ମତି ତାକୁ ସେସବୁ ଭିତରୁ ମୁକୁଳେଇ ଆଣିଛି । ହାତପାଆନ୍ତାରେ ପ୍ରେମ, ହାତପାଆନ୍ତାରେ ନିଜକୁ ସଂପୂର୍ଣ୍ଣ ସମର୍ପିଦେବାର ପ୍ରତିଶ୍ରୁତି ।

 

ସୋମନାଥର ସ୍ମୃତି ଉପରେ ଧୂଳି ଜମିଯାଇଥିଲା । ସଞ୍ଜୟର ପ୍ରେମ, ତାର ଦୁଃସାହସ, ତାର ପୌରୁଷ ପୁଣିଥରେ ନୂଆ କାହାଣୀଟିଏ ଲେଖିଦେଇଥିଲା କଳ୍ପନା ଭିତରେ । କଳ୍ପନା ଭିତରେ ମୁକ୍ତିର ଚଢ଼େଇ ଡେଣା ମେଲି ଯାଇଥିଲା । ତାର ସ୍ୱାଧୀନତା ଲୋଡ଼ା ଥିଲା ଓ ସେ ସ୍ୱାଧୀନତା ପାଇଥିଲା ନିଜେ ନିଜର ଜୀବନସାଥୀ ଖୋଜିବାରେ, ବାପାଙ୍କର ପରାଧୀନ ନାଗଫାଶରୁ ନିଜକୁ ମୁକ୍ତ କରି ।

 

ଗୋଟାଏ ଅଜଣା ଆବେଗ ସେମାନଙ୍କୁ ପରସ୍ପର ନିକଟକୁ ଆଣିଥିଲା । ସଞ୍ଜୟ ଭିତରେ କଳ୍ପନା ନିଜ ସ୍ୱପ୍ନ ସବୁ ଖୋଜି ପାଇଥିଲା । ସଞ୍ଜୟ ହିଁ ସେହି ପୁରୁଷ, ଯିଏ ପ୍ରେମିକ ଓ ସ୍ୱାମୀ ଉଭୟ ମର୍ଯ୍ୟାଦାରେ ପ୍ରଚୁର ସୁଖ ଦେଇପାରିବ କଳ୍ପନାକୁ; ଅଥଚ ଆଜି ସେହି ସଞ୍ଜୟ କେତେ ବଦଳିଯାଇଛି ? ଆଜିର ଏ ସଞ୍ଜୟ ନା ସ୍ୱାମୀ ନା ପ୍ରେମିକ ନା ବନ୍ଧୁ ? କଳ୍ପନାକୁ ବାହାହେବା ପଛରେ ମୋଟେ ପ୍ରେମ ନ ଥିଲା, ମୋଟେ ଆବେଗ ନ ଥିଲା ବା ପ୍ରେମିକାର ଭାବପ୍ରବଣତା ମୋଟେ ନ ଥିଲା । କେବଳ ଥିଲା ବ୍ୟବସାୟିକ କୌଶଳଟିଏ । କଥାଟି ଚିନ୍ତା କଲାବେଳକୁ କଳ୍ପନାର ଦେହ ବିଷେଇ ଯାଇଥିଲା । ତାକୁ ଲାଗୁଥିଲା ସେ ଯେପରି ହାରିଯାଇଛି ସାଙ୍ଘାତିକ ଭାବରେ । ମୁକ୍ତି ପଛରେ ଧାଇଁ ଧାଇଁ ସେ କେତେବେଳେ ସବୁଠୁ ପରାଧୀନତାକୁ ଡାକି ଆଣିଛି ।

 

କଳ୍ପନା ଉଠିଲା । ରାତି ପାହିବା ପାହିବା ହେଉଛି । ତାକୁ ନିଷ୍ପତ୍ତିଟିଏ ନେବାକୁ ହେବ । ଦୂରେଇଯିବାକୁ ହେବ ଏ ଜେଲ୍‌ଖାନା ଭିତରୁ । କିଛି ମାସର ଭୁଲ୍‌ ପାଇଁ ଅବଶିଷ୍ଟ ବର୍ଷଗୁଡ଼ିକୁ ସେ ଦୁର୍ବିଷହ ହୋଇପଡ଼ିବାକୁ ଦେବ ନାହିଁ । ଏକ ସୌଦାଗରୀ କୌଶଳ ଭିତରେ ଛନ୍ଦିଦେବାକୁ ଦେବ ନାହିଁ ନିଜର ଦେହ, ମନ ଓ ଆତ୍ମାକୁ ।

 

ତିନି

 

କଳ୍ପନା ଏବେ ସେଇ ଅସରନ୍ତି ରାସ୍ତା ସାମ୍ନାରେ । ରାସ୍ତା ସରିନାହିଁ, କାରଣ ରାସ୍ତା ସରେ ନାହିଁ । କିନ୍ତୁ ଏବେ ସେ ଯିବ କେଉଁଠିକି ? ଫେରିଯିବ ତା ବାପାଙ୍କର ଅନୁଶାସନର ପୃଥିବୀକୁ ? ସ୍ୱୀକାର କରିନେବ ପ୍ରେମର ପରାଜୟ ହୋଇଛି ବୋଲି ? ପରାଜୟ ହୋଇଛି ଆବେଗ ଓ ଭାବପ୍ରବଣତାର ? କ୍ଷମା ମାଗିବ ନିଜ ଭୁଲ୍‌ ପାଇଁ ବାପାଙ୍କ ପାଖରୁ ?

 

ମନେପଡ଼େ ସୋମନାଥର ସ୍ମୃତି । ଯେତେବେଳେ ଆଦୌ ମନେପଡ଼ିବା କଥା ନୁହେଁ ଠିକ୍‌ ସେତିକିବେଳେ ହିଁ ବେଶି ବେଶି ମନେପଡ଼େ ସୋମନାଥ । ବାପା ହେଇପଡ଼ନ୍ତି ରକ୍ଷଣଶୀଳ ଆଧିପତ୍ୟର ନିଷ୍କରୁଣ ପ୍ରତିନିଧିଟିଏ, ଯିଏ ନିଜର ସ୍ନେହ ଓ ଆଦର ବିନିମୟରେ ସର୍ତ୍ତ ରଖନ୍ତି ନିଃସର୍ତ୍ତ ସମର୍ପଣ ନିଜ ଝିଅଠାରୁ । କଳ୍ପନାକୁ ହଠାତ୍‌ ଲାଗେ ବାପା ମଧ୍ୟ ଜଣେ ସୌଦାଗର, ସଞ୍ଜୟ ପରି ।

 

ନା ସଞ୍ଜୟ ପରି ବାପା ଅନ୍ତତଃ ନୁହନ୍ତି । ବାପା ଚାହିଁଥିଲେ କଳ୍ପନାର ସୁନ୍ଦର ଭବିଷ୍ୟତ ଓ ସୁଦୃଢ଼ ନିରାପତ୍ତାଟିଏ । କି ପ୍ରକାରର ସେ ନିରାପତ୍ତା ? ଦିନରେ ଦୁଇ ତିନିଥର ଖାଇବ, ମୁଣ୍ଡ ଉପରେ ଥିବ ଛାତଟିଏ ଓ ଆଲମାରିରେ ଥିବ ଗୋଛେ ଶାଢ଼ି ଓ ଗହଣା–ଏଇ ନିରାପତ୍ତା ? ସାଧାରଣତଃ ବାପାମାନେ ଏଇଆ ଚାହାନ୍ତି ଓ ଆଶା କରିଥାଆନ୍ତି ଯେ ସେମାନେ ଠିକ୍‌ କରି ଦେଇଥିବା ମଣିଷଟିକୁ ହିଁ ତାଙ୍କ ଝିଅ ସ୍ୱାମୀ ଭାବେ ଗ୍ରହଣ କରିବ, ତାକୁ ଭଲପାଇବ, ଦୁହିଁଙ୍କ ଭିତରେ ଅମରତ୍ୱର ମଞ୍ଜି ବୁଣାହେବ, ଗଛ ଉଠିବ ଇତ୍ୟାଦି ଇତ୍ୟାଦି । ତାପରେ ସେମାନେ ସୁଖରେ ରହିବାକୁ ବାଧ୍ୟ ।

 

କଳ୍ପନାର ପୃଥିବୀର ସବୁ ବାପାମାନଙ୍କ ଉପରେ ଦୟା ହେଲା । ସେମାନେ ରକ୍ଷଣଶୀଳ ସମସ୍ତେ । ଚିରାଚରିତ । ବ୍ୟତିକ୍ରମକୁ ସ୍ୱାଗତ କରନ୍ତି ନାହିଁ । ନା, ସେ ଆଉ ବାପାଙ୍କ ପାଖକୁ ଫେରି ଯାଇପାରିବ ନାହିଁ ।

 

ସଞ୍ଜୟ ପାଖକୁ ମଧ୍ୟ ନୁହେଁ । ସଞ୍ଜୟ ତାକୁ ବିବାହ ପରେ, ତା ବ୍ୟବସାୟୀ ଇଚ୍ଛାକୁ ପୂରଣ କରିବାକୁ ଚେଷ୍ଟା କରିଛି, ଆଉ କିଛି ନୁହେଁ । ତା ବାପାଙ୍କର ପ୍ରଚୁର ସମ୍ପତ୍ତିର ଲୋଭ ଥିଲା ତାର । ଏକଥା ଜାଣିବା ପରେ ସେ ସଞ୍ଜୟ ସାଥୀରେ ଦିନଟିଏ ମଧ୍ୟ ରହିପାରିବ ନାହିଁ ।

 

ସେ ଚାହିଁଥିବା ଅନନ୍ତ ସମୁଦ୍ର ମୁକ୍ତିର ପଥ ମଧ୍ୟ ତା ପାଇଁ ସ୍ୱପ୍ନ ହୋଇଯାଇଛି ।

 

ଜୀବନର ଗୋଟେ ଗୁରୁତ୍ୱପୂର୍ଣ୍ଣ ଚଉଛକିରେ ଏବେ ଏକାକିନୀ କଳ୍ପନା । ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ, ନିଷ୍ପତ୍ତି ନେବାର ଆତ୍ମବିଶ୍ୱାସ ନାହିଁ–ଅଥଚ ବିନ୍ଦୁଟେ ପରି ସେ ଅଟକି ରହିପାରିବ ନାହିଁ । ତେଲୁଣିପୋକଟେ ପରି ଘୁଷୁରିବାକୁ ପଡ଼ିବ ଜୀବନସାରା ।

 

ସଞ୍ଜୟର ଉଚ୍ଚାକାଙ୍‌କ୍ଷା ଆକାଶଚୁମ୍ବୀ । ତାର ପ୍ରଚୁର ସମ୍ପତ୍ତି ଦରକାର, ଦରକାର ଏକାଧିକ ବଙ୍ଗଳା, ଦାମୀ ଗାଡ଼ି ଓ ସହରରେ ପ୍ରତିଷ୍ଠା । ତା ଭିତରର ହୀନମନ୍ୟତା ତାକୁ ଦିନୁଦିନ ଅସହିଷ୍ଣୁ କରିଦେଇଛି । ସେ ରାୟବାହାଦୁରଙ୍କ ସଙ୍ଗେ ଏକା ଉଚ୍ଚତାରେ ଛିଡ଼ା ହେବ । ସମାଜରେ ପ୍ରତିଷ୍ଠା ଅର୍ଜନ କରିବ ।

 

ଅଥଚ ଦିନେ ସଞ୍ଜୟର ଚାହିଦାର ସୂଚୀପତ୍ର ଥିଲା କେତେ ସଂକ୍ଷିପ୍ତ । ସେ ଥିବ, ପାଖରେ ଥିବ କଳ୍ପନା–ବାସ୍‌ ଆଉ ସେଠି କୌଣସି ଜିନିଷର ପ୍ରୟୋଜନ ନାହିଁ, ଘର, ବାଡ଼ି, ଟଙ୍କା, ସୁନା, ପ୍ରତିଷ୍ଠା କିଛି ଲୋଡ଼ା ନାହିଁ ।

 

କଳ୍ପନା ଅନେକ ବୁଝେଇଛି ସଞ୍ଜୟକୁ । ମୋର ସମ୍ମାନ ତମର ସମ୍ମାନ ସଞ୍ଜୟ । ମୁଁ ଏବେ ବଳୀୟାରସିଂହଙ୍କ ଝିଅ ପରିଚୟଟିଏ ନୁହେଁ, ମୁଁ ତମର ପତ୍ନୀ । ତମେ ଚାହୁଁଛ ମୁଁ ଯାଇ ବାପାଙ୍କ ସାମ୍ନାରେ ହାତପତେଇ ଛିଡ଼ା ହୁଏ ? ତାଙ୍କଠୁ ଲୋଡ଼େ ଦୟା ଓ ଦାକ୍ଷିଣ୍ୟ ? ସେଥିରେ କଣ ତମର ସମ୍ମାନ ବଢ଼ିବ ସଞ୍ଜୟ ?

 

ସଞ୍ଜୟ ପାଖରେ ଏସବୁ ଯୁକ୍ତିର ଆଜି ଅର୍ଥ କିଛି ନାହିଁ । ଅବଶ୍ୟ ଦିନେ ଏ ସବୁର ଅର୍ଥ ଥିଲା । କଳ୍ପନାର ବିଶ୍ୱାସ ଥିଲା, ସଞ୍ଜୟର ଆଉ କିଛି ଥାଉ ବା ନ ଥାଉ ଗୋଟିଏ ଦୃଢ଼ ବ୍ୟକ୍ତିତ୍ୱ ଅଛି-। ଯେଉଁ ବ୍ୟକ୍ତିତ୍ୱ ହିଁ ତା ପରି ଝିଅଟିକୁ ପାଖକୁ ଟାଣି ଆଣିଥିଲା ।

 

କଳ୍ପନା ଏବେ ସେଇ ଚଉଛକିରେ ଛିଡ଼ା ହେଇଛି । ଗୋଟେ ପଟେ ସୋମନାଥର ସ୍ମୃତି, ଗୋଟେ ପଟେ ବାପାଙ୍କର ନିରାପଦର ସାନ୍ତ୍ୱନା; ଗୋଟେ ପଟେ ସଞ୍ଜୟର ସମ୍ପତ୍ତି ଲିପ୍‌ସା, ଆଉ ଆରପଟେ ଗୋଟେ ସ୍ୱାଭିମାନୀ ସ୍ନେହରଙ୍କୁଣୀ ନାରୀର ଏତେ ଟିକେ ଅନ୍ତରଙ୍ଗ ଇଚ୍ଛା । ଏସବୁ ବେଳେବେଳେ ଲାଗେ ଖୁବ୍‌ ପାଖରେ, ଏଇ ହାତ ବଢ଼େଇଲେ ସେମାନଙ୍କୁ ଛୁଇଁ ହବ, ଅଥଚ ଆଉ ଟିକିଏ ଚିନ୍ତା କଲେ ଲାଗେ ଖୁବ୍‌ ଦୂରବର୍ତ୍ତୀ, ଧ୍ରୁବତାରାଠାରୁ ବି ଦୂରବର୍ତ୍ତୀ ତା ପରି ମଣିଷଟିଏ ପାଇଁ-

 

କଳ୍ପନା ପଛକୁ ମୁହଁ ବୁଲାଇପାରିବ ନାହିଁ । କାରଣ ପଛକୁ ଫେରିବାର ସମ୍ଭାବନା ସବୁକୁ ସେ ନିଜ ହାତରେ କେଉଁଦିନୁ ଭାଙ୍ଗିରୁଜି ଦେଇସାରିଛି । ସେ ମୁଣ୍ଡତୋଳି ଆକାଶକୁ ଚାହିଁଲା । ଏବେ ତାକୁ ତା ନିଜର ଅନ୍ତରଙ୍ଗ ଇଚ୍ଛାମାନେ ପାଖାପାଖି ଲାଗୁଥିଲେ । ସେ ସମସ୍ତ ଭାବପ୍ରବଣତାକୁ କାନିରେ ବାନ୍ଧିଦେଲା ସାତଗଣ୍ଠି ପକେଇ । ଆଗରେ ପ୍ରଶସ୍ତ ରାସ୍ତା । ଅବଶିଷ୍ଟ ସ୍ୱାଧୀନ ଜୀବନ ।

 

ଏଥର ପାହାନ୍ତି ତାରା ସତକୁ ସତ ତା ହାତପାଆନ୍ତାରେ ଭଳି ମନେ ହେଉଥିଲା ।

 

ଚାରି

 

ଏଭଳି ଗୋଟେ କାହାଣୀର ଉପସଂହାର କଣ ହୋଇପାରେ ? କଳ୍ପନା କୁଆଡ଼େ ଯାଇପାରେ ପୃଥିବୀର ଭୂଗୋଳ ଡେଇଁ ? ଆତ୍ମହତ୍ୟା ? ନା, ଆତ୍ମହତ୍ୟା ଆପାତତଃ ଏତେ ସହଜ ନୁହେଁ । ବଞ୍ଚିବ ବୋଲି ତ ମଣିଷ ଏତେସବୁ କଷ୍ଟ ସହେ । ଏତେ ନିର୍ଯାତନା, ଏତେ ଅପମାନ ଓ ଏତେ ପ୍ରବଞ୍ଚନା ଭିତରେ ବି ସ୍ୱପ୍ନ ଦେଖେ । କଳ୍ପନା ସମ୍ମୁଖରେ ବି ସେଦିନ, ସଞ୍ଜୟର ଘରୁ ଗୋଡ଼କାଢ଼ି ଚାଲି ଆସିବାବେଳେ ଏମିତି ଏକ ଦ୍ୱନ୍ଦ୍ୱ ଛିଡ଼ା ହୋଇଥିଲା । ମାତ୍ର ମୁକ୍ତି ଲୋଡ଼ୁଥିବା କଳ୍ପନାର ଆତ୍ମହତ୍ୟାର ଶୃଙ୍ଖଳକୁ କଦାପି ଶିକାର କରିପାରି ନ ଥାନ୍ତା । କଳ୍ପନା ଆଲ୍‌ବମ୍‌ଟିକୁ ବନ୍ଦ କରି ଟେବୁଲ ଉପରେ ଥୋଇଦେଲା । ବହୁ ଚିହ୍ନାମୁହଁରୁ ରଙ୍ଗ ଛାଡ଼ି ଆସିଲାଣି । ଅନେକଙ୍କର ସ୍ମୃତି ପାସୋର ହୋଇଗଲାଣି । ପଚିଶ ବର୍ଷ କିଛି ଊଣା ସମୟ ନୁହେଁ । ଏଇ ପଚିଶ ବର୍ଷ କାଳ ସେ କେବଳ ଗୋଟିଏ ଅନ୍ତରଙ୍ଗ ଇଚ୍ଛାକୁ ଲାଳନପାଳନ କରି ଆସିଛି । ମୁକ୍ତି, ସ୍ୱାଧୀନତା । ପିତା, ପତି ଓ ପୁତ୍ରମାନଙ୍କର ପୃଥିବୀରେ ଏତେ ଟିକିଏ ମୁକ୍ତି ଯେ ନାରୀର ପ୍ରାପ୍ୟ ନୁହେଁ ଏକଥା ଆଜି ମଧ୍ୟ ସ୍ୱୀକାର କରି ହୁଏ ନାହିଁ ।

 

ଏବେ ହାତରେ ପ୍ରଚୁର ଅବସର । କିନ୍ତୁ କଳ୍ପନାର ଅବସରରେ ପ୍ରୟୋଜନ କଣ ? ତାର ପ୍ରୟୋଜନ ଥିଲା ମୁକ୍ତି । ଏ ଅବସର ମୁକ୍ତି ନୁହେଁ ।

 

ପ୍ରେମ, ସ୍ନେହ, ମୁକ୍ତି ଓ ସ୍ୱାଧୀନତା–କେତେ ସଂକ୍ଷିପ୍ତ ଏ ଶବ୍ଦମାନେ; ଅଥଚ କେତେ ମହାର୍ଘ କଳ୍ପନା ମଣିଷମାନଙ୍କ ପାଇଁ ।

 

ମୁକ୍ତି ଆଶାୟୀ କଳ୍ପନା ଏବେ ଖୁବ୍‌ କ୍ଳାନ୍ତ । ଏପରିକି ନିଜ ପଛକଥା ସବୁ ରୋମନ୍ଥନ କରିବା ପାଇଁ ମଧ୍ୟ ତାର ଇଚ୍ଛା ହେଉ ନ ଥିଲା । କେବଳ ଗୋଟିଏ ସାନ ଇଚ୍ଛା ଏବେ ତା ମନ ଭିତରେ କୁନି କୁନି ଢେଉ ସୃଷ୍ଟି କରୁଥିଲା । ଆଉଥରେ ପିଲାଦିନର ଜୀବନକୁ ସେ ଫେରିଯାଇ ପାରନ୍ତା କି ? ନୂଆ କରି ଏ ଶବ୍ଦମାନଙ୍କର ଅର୍ଥ ସେ ପୁଣି ଖୋଜିବାକୁ ଚେଷ୍ଟା କରନ୍ତା ।

Image

 

ଦକ୍ଷିଣା ପବନ

 

ଅଫିସ୍‌ ଯିବା ସମୟ ହେଇଗଲେ ପ୍ରଭାତୀର ଦେହ ହାତ ଝାଳେଇଯାଏ । ଗୋଟେ ଅଜଣା ଆଶଙ୍କାରେ ତା ଛାତିର ସ୍ପନ୍ଦନ ଦ୍ରୁତତର ହେଇଉଠେ । ପୁଣି ଗୋଟିଏ ଦିନ ଆସିଗଲା । କେମିତି ଏ ଦିନଟି ବିତିବ କେଜାଣି ? ଗୋଟିଏ ଗୋଟିଏ ଦିନ ତାକୁ ଗୋଟେ ଗୋଟେ ଯୁଗ ପରି ଲାଗେ ।

 

ବେଳେବେଳେ ପ୍ରଭାତୀ କାନରେ ପ୍ରତିଧ୍ୱନିତ ହେଇଉଠେ ନାନାଦି ଅଶ୍ଳୀଳ ମନ୍ତବ୍ୟ । କଲେଜ ପଢ଼ାଦିନମାନଙ୍କରେ ସହପାଠୀ ଓ ଅଚିହ୍ନା ତରୁଣଙ୍କ ଥଟ୍ଟା ପରିହାସ । କିନ୍ତୁ ସେସବୁ ଆଜିକାଲି ବିରକ୍ତିକର ଲାଗୁ ନ ଥିଲା ।

 

ଥରେ ଶ୍ରାବଣୀକୁ ପଚାରିଥିଲା ପ୍ରଭାତୀ । କଣ ସବୁ ପୁଅଗୁଡ଼ା ଗପନ୍ତି ଲୋ ଆମ ବିଷୟରେ ? ସେଦିନ ବର୍ଷା ହେଉଥିଲା । ଲଗାତାର ବର୍ଷା । ଶ୍ରାବଣୀ ତା ରୁମ୍‌ ଝରକାର ପରଦାସବୁକୁ ଭଲକରି ଟାଣିଦେଲା । କବାଟ ଆଉଜେଇ ଖଟ ଉପରେ ବସିଲା ତକିଆକୁ ଆଉଜି-। ପ୍ରଭାତୀକୁ କହିଲା–“କିଲୋ, ଆଉ କାହା କଥା କହିବି ? କାଲି ତୋତେ ଦେଖି ତପନ କଣ କହୁଥିଲା ଶୁଣିବୁ ?” ପ୍ରଭାତୀ ମନା କରିବା ସତ୍ତ୍ୱେ ଶ୍ରୀବଣୀ କହିଲା ଯେ ତପନ କହୁଥିଲା, ପ୍ରଭାତୀ ତାକୁ ଗୋଟେ ଛନଛନିଆ କାକୁଡ଼ି ପରି ଦିଶେ ।” ବାନ୍ଧବୀ ଦି ଜଣ ହସିଥିଲେ କିରିକିରି ହେଇ ।

 

ପ୍ରଭାତୀ ସ୍କୁଲରୁ ଆରମ୍ଭ କରି ବି.ଏ. ପାସ୍‌ କରିବା ପର୍ଯ୍ୟନ୍ତ ବାଳିକା ହାଇସ୍କୁଲ ନ ହେଲେ ମହିଳା ମହାବିଦ୍ୟାଳୟରେ ପଢ଼ି ଆସିଛି । ପୁଅଝିଅ ସାଙ୍ଗ ହେଇ ତା ସ୍କୁଲରେ ପଢ଼ନ୍ତି ନାହିଁ । ଶ୍ରାବଣୀ କିନ୍ତୁ ଯେଉଁ ଯେଉଁଠି ପଢ଼ୁଥିଲା, ସେଠି ‘କୋ-ଏଜୁକେସନ୍‌’ ବ୍ୟବସ୍ଥା ଥିଲା । ସେଇ ଦୃଷ୍ଟିରୁ ପୁଅମାନଙ୍କର ଢଙ୍ଗରଙ୍ଗ ଠଉରେଇବାରେ ଶ୍ରାବଣୀ ଥିଲା ଓସ୍ତାଦ୍‌ ।

 

ଶ୍ରାବଣୀ ଷ୍ଟୋଭ୍‌ରେ ଚା ବସେଇ ଆଉରି ବହୁତ ମଜା ମଜା ଜୋକ୍‌ ଶୁଣେଇଥିଲା ପ୍ରଭାତୀକୁ । ପ୍ରଭାତୀ ସେସବୁକୁ ଉପଭୋଗ କରିଥିଲା । ‘ପୁଅଗୁଡ଼ାକ ଏଡ଼ିକି ଡାଆଣା... ?’ ଏମିତି ପ୍ରଶ୍ନ ପଚାରିଥିଲା ଶ୍ରାବଣୀକୁ ଓ ଶ୍ରାବଣୀ ଉତ୍ତରରେ କହିଥିଲା, “ତୁ ବି ହେଇଛୁ ସେମିତି ସୁନ୍ଦରୀ ଲୋ ।” ପ୍ରଭାତୀ ସେଦିନ ଖୁସି ହେଇଥିଲା । ଆଜି ପ୍ରଭାତୀ କିନ୍ତୁ ପ୍ରକୃତରେ କାନ୍ଦୁଥିଲା । ଡ୍ରେସିଂଟେବୁଲ୍‌ ସାମ୍ନାରେ ଛିଡ଼ାହେଇ ବେଣୀ ବାନ୍ଧିବାବେଳେ ସେ ନିଜର ଆଖିରେ କ୍ରୋଧ ଏବଂ ଦୁଃଖ ଦିଶୁଥିବା ଲକ୍ଷ୍ୟ କରୁଥିଲା । କିନ୍ତୁ ଅଫିସ୍‌ ନ ଯାଇ ଚାରା ନାହିଁ । ବାପାଙ୍କ ମୃତ୍ୟୁ ପରେ ସିଏ ହିଁ ତା ପରିବାରର ମୁଖ୍ୟ । ବୋଉ ବିଚାରୀ ଏକୁଟିଆ କଣ କରିପାରିବ ?

 

ବୋଉ ଡାକିଲା, ‘ମାଆ, ଦଶଟା ବାଜିଲାଣି । ଅଫିସ୍‌ ଯିବୁନି କିଲୋ ଆଜି ?’

 

‘ଯାଉଛି ବୋଉ’ କହି ପ୍ରଭାତୀ ଅଫିସ୍‌ ବାହାରିପଡ଼ିଲା ।

 

ପ୍ରଭାତୀ ଏବେ ରାସ୍ତା ଉପରେ । ଘର ପାଖ ଛକ ପାଖରେ ଏବେ ସେ ଅପେକ୍ଷା କରିବ ଟାଉନ୍‌ବସ୍‌କୁ । ନଅଟା ପଇଁଚାଳିଶ ବସ୍‌ ଚାଲିଯିବଣି । ଘରୁ ବାହାରିବାରେ ଆଜି ତାର ଡେରି ହେଇଛି । ପର ବସ୍‌ଟା ଆସିବ ଦଶଟା ପନ୍ଦରରେ । ଗୋଟେ ବଢ଼ିଲା ଝିଅ ଏକଲା ରାସ୍ତା ଉପରେ ବସ୍‌କୁ ଅପେକ୍ଷା କରିବା ଏ ସହରରେ ଖୁବ୍‌ ଅସ୍ୱସ୍ତିକର । ଗଲା ଅଇଲା ଯୁବକମାନେ ତ ଚାହିଁବେ, ଅଣ୍ଡିଆ ବିଲେଇଛୁଆଟି ବି ଗାରଡ଼େଇ ଗାରଡ଼େଇ ଅନେଇବ, ଯେମିତି ପ୍ରଭାତୀ ଗୋଟେ ମଣିଷ ନୁହେଁ, ଅଜବ ଜନ୍ତୁ ! ଯୁଆଡ଼କୁ ଚାହିଁଲେ, ଆଖିଯୋଡ଼ିକ ଧକ୍‌କା ଖାଇବ ଆଉ କାହାର ଆଖି ସଙ୍ଗରେ ।

 

ବସ୍‌ ଆସିବ ଝୁଲି ଝୁଲି । ପିଚିକି ପଡ଼ୁଥିବେ ପାସେଞ୍ଜରମାନେ ବସ୍‌ର ଝରକା ଓ ଦୁଆର ଦେଇ । ସୋରିଷ ପକେଇବାକୁ ଜାଗା ନ ଥିବ । ଅଥଚ ତାଆରି ଭିତରକୁ ଖୁନ୍ଦିଖାନ୍ଦି ହୋଇ ପଶିବ ପ୍ରଭାତୀ ।

 

ଏ ପ୍ରକାର ଯାତ୍ରା କଥା ଚିନ୍ତା କଲେ ପ୍ରଭାତୀର ଦେହହାତ ଝାଳେଇଯାଏ । କ୍ଲିନରଟୋକାଟା ଦାନ୍ତ ଦି ଧାଡ଼ି ଦେଖେଇ ଡାକୁଥିବ–“ଆସନ୍ତୁ । ପୂରା ଫାଙ୍କା ଅଛି ।” ଅନ୍ଧଗଳି ଭିତରକୁ ତାର ସେ ଆମନ୍ତ୍ରଣ ପ୍ରଭାତୀକୁ ବିରକ୍ତ ଲାଗେ । ବସ୍‌କୁ ଚଢ଼ିବାବେଳେ ପ୍ରଭାତୀର ମନେହୁଏ କିଏ ତାର ପିଠି କି ଅଣ୍ଟା ପାଖେ ଯେମିତି ଧକ୍‌କା ଦେଉଛି । କିଏ ଗୋଟେ ସୁଉକିଟେ ଗଳେଇ ଦେଇଛି ତା ପୋଷାକ ଭିତରେ । ସେ ପେଷି ହୋଇଯାଏ ଚକି ଭିତରର ବିରି କି କୋଳଥମୁଠେ ପରି । ଲଜ୍ଜାରେ, ଘୃଣାରେ, ବିରକ୍ତି ଓ ଯନ୍ତ୍ରଣାରେ ଲାଲ ପଡ଼ିଯାଏ ତାର ମୁହଁ । ଦେହକୁ କଷ୍ଟ ହୁଏ, ଆଘାତ ପାଏ ମନ । ଏମିତି ଗୋଟେ ଅଶ୍ଳୀଳ ପୃଥିବୀ ଭିତରେ ପ୍ରଭାତୀ ପରି ଝିଅମାନେ ବଞ୍ଚି ପାରୁଛନ୍ତି କେମିତି ଭାବି ନିଜକୁ ନିଜେ ଦୟା କରେ ପ୍ରଭାତୀ ।

 

ବାଦୁଡ଼ି ପରି ତାକୁ ଝୁଲି ଝୁଲି ଏଇ ବସ୍‌ରେ ହିଁ ଅଫିସ୍‌ ଯିବାକୁ ପଡ଼ିବ । ଏ ବସ୍‌ ଛାଡ଼ିଦେଲେ ପୁଣି ବସ୍‌ ମିଳିବ ଏଗାରଟାରେ, ବହୁତ ଡେରି ହେଇଯିବ, ଅଫିସ୍‌ ପହଞ୍ଚିବାରେ । ସେ ବସ୍‌ ଫାଙ୍କା ଥିବ ବୋଲି କିଏ କହିବ ? ଆଗରେ ପଛରେ, ବାଆଁପଟେ ଡାହାଣପଟେ ମଣିଷ ହାଉଯାଉ । ଶ୍ରାବଣୀ କହେ, କିଛି କାମ ନ ଥାଇ କେବଳ ଝିଅଙ୍କୁ ଠେଲାପେଲା କରିବା ପାଇଁ ଦଳେ ଦଳେ ଯୁବକ ଟାଉନ୍‌ବସ୍‌ରେ ଚଢ଼ିଥାଆନ୍ତି । ସେମାନଙ୍କର ସେଇଥିରେ ଆନନ୍ଦ । କାହାର ଶାଢ଼ି ଛୁଇଁ ଦେବେ, କାହାର ପେଟ କି ପିଠିରେ ଘଷି ହେଇଯିବେ, ଗୋଟିଏ ବିକୃତ ଓ ରୁଗ୍‌ଣ ଯୌନକ୍ଷୁଧା ସେଇଥିରେ ସେମାନଙ୍କର ପ୍ରଶମିତ ହୋଇଯାଏ । ଶ୍ରାବଣୀ କଥା ଶୁଣି ପ୍ରଭାତୀ ବେଶି ନର୍ଭସ୍‌ ହେଇପଡ଼େ ।

 

: ଆବେ, ମୀନାକ୍ଷୀ ଶେଷାଦ୍ରୀ ଆଜିକାଲି ଟାଉନ୍‌ବସ୍‌ରେ ଯାଉଛି କୁଆଡ଼େ ! –ଟୋକାଟେ କହିଲା ।

 

: ମଉଜ ଲାଗୁଥିବ ତ ! ତା ସାଙ୍ଗ ବ୍ୟଙ୍ଗାତ୍ମକ ରୀତିରେ ଜବାବ ଫେରେଇଲା । ହୋ, ହୋ, ହସରେ ଫାଟି ପଡ଼ିଲା ବସ୍‌ଟି ।

 

ବସ୍‌ ଭର୍ତ୍ତି ଲୋକ । ଗୋଟେ ଗୋଟେ ତୁଳା ତିଆରି ଭାଲୁ ପରି ଜୁଳୁଜୁଳୁ ଚାହୁଁଛନ୍ତି ସେମାନେ । ତିନି ଚାରିଟା ଟୋକାଙ୍କ ହସ ଓ ଇଙ୍ଗିତରେ ପୂରା ବସ୍‌ଟା ଅଶ୍ଳୀଳ ହେଇଉଠୁଛି ।

 

ଅଫିସ୍‌ ପାଖ ବସ୍‌ଷ୍ଟପ୍‌ରେ ପ୍ରଭାତୀ ଚୁପ୍‌ଚାପ୍‌ ଓହ୍ଲେଇଯାଏ । ତା କାନରେ ବାଜେ ପବନ ସାଙ୍ଗେ ଫେଣ୍ଟିହେଇ ଆସୁଥିବା ନାନା ରକମର ମନ୍ତବ୍ୟ । ମୁଣ୍ଡ ପିଟି ଦେବାକୁ ଇଚ୍ଛା ହୁଏ । ରାଗ ହୁଏ କାହିଁକି ତା ବାପା ତା ପାଇଁ ପ୍ରଚୁର ଟଙ୍କାପଇସା ରଖିଗଲେ ନାହିଁ ବ୍ୟାଙ୍କରେ, ତାହାହେଲେ ଅନ୍ତତଃ ସେ ରିକ୍‌ସାରେ ଆସିପାରନ୍ତା ପ୍ରତିଦିନ ।

 

ପ୍ରଭାତୀର ମନେପଡ଼େ ବୋଉକଥା । ଭାଗବତଗାଦୀ ପାଖେ ସବୁବେଳେ ଧାରଣା ଦିଏ ପ୍ରଭାତୀ ପାଇଁ । “ଜଗନ୍ନାଥେ, ପ୍ରଭାତୀକୁ ଭଲ ଘର ଦିଅ, ଭଲ ବରଟେ ବି । ଝିଅକୁ କୋଟି ପରମାୟୁ ଦିଅ ।” ପ୍ରଭାତୀ ତା ଅଫିସ୍‌ ଓ ବସ୍‌ର ତିକ୍ତ ଅନୁଭୂତି, ଗ୍ଳାନିଦାୟକ ଅଭିଜ୍ଞତା ସମ୍ବନ୍ଧରେ କିଛି କହେ ନାହିଁ ବୋଉକୁ । କିଛି କରିପାରିବ ନାହିଁ ବିଚାରୀ । ପୁଣି ଯାଇ ସେଇ ଭାଗବତଗାଦୀ ପାଖେ କାନ୍ଦିବ । ମୁଣ୍ଡ କୋଡ଼ିବ । ହୁଏତ ପ୍ରଭାତୀକୁ ମନା କରିବ, ଅଫିସ୍‌ ଯାଆନା, ଏଇଠି ପଛେ ଭୋକ ଉପାସରେ ମରିବା ଲୋକଲଜ୍ଜା ସହିବା ନାହିଁ । କିନ୍ତୁ ପ୍ରଭାତୀ କେମିତି ବୋଉକୁ ବୁଝେଇବ ଯେ, କିଛି ମଣିଷ ମରିପାରନ୍ତି ନାହିଁ ବୋଲି ତ ଜିଇଁଥାଆନ୍ତି । ଜୀବନଟା ସେତିକି ଲୋଭନୀୟ, ସେତିକି ମୋହମୟ ହେଇ ନ ଥିଲେ ତା ପାଇଁ ମଣିଷ ଏତେ ମୂଲ୍ୟ ଦିଅନ୍ତା ନାହିଁ ପରା ! ପ୍ରଭାତୀକୁ ସେଇ ମୁହୂର୍ତ୍ତରେ ଚଢ଼େଇ, କୀଟପତଙ୍ଗ, ଗଛପତ୍ର, କୁକୁର, ବିଲେଇ ଅଧିକ ଭାଗ୍ୟଶାଳୀ ମନେହୁଅନ୍ତି । ମଣିଷଠାରୁ ଏମାନେ ଅନେକଟା ସୁଖୀ !

 

ପ୍ରଥମେ ରିସେପ୍‌ସନ୍‌, ତାପରେ ଡେମନ୍‌ଷ୍ଟ୍ରେସନ୍‌ କାଉଣ୍ଟର, ଆକାଉଣ୍ଟସ୍‌, ପର୍ସନେଲ୍‌ ଇତ୍ୟାଦି ଡିପାର୍ଟମେଣ୍ଟ୍‌ ଡେଇଁ ଡେଇଁ ଲାଇବ୍ରେରୀରେ ପହଞ୍ଚିଲାବେଳକୁ ପ୍ରଭାତୀର ଅନ୍ତର୍ବାସ ଝାଳରେ ଓଦା ହେଇଯାଇଥାଏ । ଚାରିଆଡ଼େ ଟୁପୁରଟାପର କଥାବାର୍ତ୍ତା, ଫିସ୍‌ଫିସ୍‌ ହସ, ପ୍ରଭାତୀର ରୂପ-ଚର୍ଚ୍ଚା ଦେହରେ କଣ୍ଟା ପରି ଫୋଡ଼ି ହେଇଯାଏ । ଦିନେ ଦିନେ ପ୍ରଭାତୀ ଚାଲିଯିବା ବେଳେ ଲକ୍ଷ୍ୟ କରେ ଗୋଟେ ଅଜବ ନିରବତା, ଯେମିତି କେହି ନାହିଁ ତା ଚାରିକଡ଼େ, ପତ୍ରଟେ ବି ହଲୁନି କି ପିମ୍ପୁଡ଼ିଟେ ଚାଲୁନି । ଟୁପୁରଟାପର ମନ୍ତବ୍ୟ ଅପେକ୍ଷା ଏ ନିରବତା ତାକୁ ଅଧିକ ଅସହ୍ୟ ମନେହୁଏ ।

 

ତିନି ଚାରି ମାସ ହେଲା ପ୍ରଭାତୀ ଜଏନ୍‌ କରିଛି ଏହି ଅଫିସ୍‌ର ଲାଇବ୍ରେରିଆନ୍‌ ହେଇ । ଏତେବଡ଼ ଅଫିସ୍‌, ତାକୁ ଛାଡ଼ି ଆଉ ଜଣେ ବି ଝିଅ ନାହିଁ । ଆଗରୁ କମ୍ପାନିର ପରିଚାଳନା ଦାୟିତ୍ୱରେ ଥିଲେ ଜଣେ ରକ୍ଷଣଶୀଳ ପ୍ରୌଢ଼ । ତାଙ୍କ ସମୟରେ ଝିଅମାନଙ୍କର ନିଯୁକ୍ତି ଏକରକମର ଅଚିନ୍ତନୀୟ ଥିଲା । ଝିଅମାନେ ରୋଷେଇ କରିବେ ଓ ପିଲା ଉତ୍ପାଦନ କରିବେ–ଏଇଟା ହିଁ ଈଶ୍ୱରଙ୍କ ଇଚ୍ଛା ବୋଲି ସେ ଭାବୁଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କର ବଡ଼ପୁଅ ଏବେ ଏଠିକାର କର୍ତ୍ତା, ଏମ୍‌.ଡି. । ପ୍ରଭାତୀ ପ୍ରଥମ ଝିଅ ଏ ଅଫିସ୍‌ର ଷ୍ଟାଫ୍‌ ହେଇ ଜଏନ୍‌ କରିଛି ।

 

ନଥ୍‌ କରି ନିଜ ଚୌକିରେ ବସିପଡ଼ି ଫ୍ୟାନ୍‌ ସ୍ୱିଚ୍‌ଟାକୁ ମୋଡ଼ିଦିଏ ପ୍ରଭାତୀ । ପୂରା ଦମ୍‌ରେ ପଙ୍ଖାଟା ଘୂରେ । ପ୍ରଭାତୀ ଦୁଇ ହାତ ପାପୁଲିରେ ମୁହଁକୁ ଲୁଚେଇ ଦଶ ପନ୍ଦର ମିନିଟ୍‌ ବସିଯାଏ । ଗୋଟେ ଅଦ୍ଭୁତ ରକମର ଭୟ ଓ ଆଶଙ୍କା ତାକୁ ଚାରିଆଡୁ ବେଢ଼େଇ ଧରେ । ଆଖି ସାମ୍ନାରେ ନିବୁଜ ନୀଳ ଅନ୍ଧାର । କେଉଁଠି ଟିକିଏ ଆଲୁଅ ଦିଶେ ନାହିଁ ।

 

ଭୟଙ୍କର ଲାଗେ ଖବରକାଗଜ ପଢ଼ିବା ବାହାନାରେ ମହାନ୍ତିବାବୁ ବୋଲି ଦପ୍ତରରେ ପରିଚିତ ସେଇ ଦରବୁଢ଼ାଟାର ନିର୍ଲଜ୍ଜ ଆଚରଣ । ପ୍ରଭାତୀ ଲକ୍ଷ୍ୟ କରେ, ମହାନ୍ତିବାବୁ ଯେତେବେଳେ ଆସୁନା କାହିଁକି, ସବୁ ଚୌକି ଛାଡ଼ି ପ୍ରଭାତୀର ସାମ୍ନା ଚୌକିରେ ହିଁ ବସିବ । ଉପରେ ପଡ଼ି ଏଆଡ଼ୁ ସେଆଡ଼ୁ ବାର କଥା ଗପିବ । ଘରକଥା ପଚାରିବ । ବରାବର ଚାହୁଁଥିବ ପ୍ରଭାତୀର ଛାତିକୁ । ତାର ମୁହଁକୁ । ଥରେ ଲୋକଟା ଟେବୁଲ ତଳେ ଗୋଡ଼ ପୂରେଇ ପ୍ରଭାତୀ ପାଦ ଉପରେ ତାର ପାଦ ରଖି ଦେଇଥିଲା । ପ୍ରଭାତୀ ଭାବିଥିଲା, ଲୋକଟା ଗାଲରେ ଗୋଟାଏ ଶକ୍ତ ଚଟକଣା ଲଗେଇବ । କିନ୍ତୁ ଏହି ବିକୃତ ବ୍ୟକ୍ତିଟି କୁଆଡ଼େ ଏଠା କର୍ମଚାରୀ ୟୁନିଅନ୍‌ର ସଭାପତି । ଯେଉଁଠି ସଭାପତିଙ୍କର ଏଇ ଆଚରଣ, ସେଇଠି ସଭା କର୍ମୀମାନଙ୍କର କଣ ହେଇଥିବ ତାହା ଅନ୍ଦାଜ କରିବାକୁ ବେଶି କଷ୍ଟ ହେଲା ନାହିଁ ପ୍ରଭାତୀର ।

 

ବ୍ୟାଗ୍‌ ଭିତରେ ଜଳଖିଆ ଡବାଟି ସେଇପରି ରହିଥାଏ । ଲୋକ ହାଉଜାଉ ଭିତରେ ପ୍ରଭାତୀ ଖାଇପାରେ ନାହିଁ । ଆଗରୁ ଝିଅ କେହି କାମ କରୁ ନ ଥିବାରୁ କି କଣ, ଏତେ ବଡ଼ ଅଫିସ୍‌ରେ ଲେଡିଜ୍‌ କମନ୍‌ରୁମ୍‌ ନାହିଁ । ଲାଇବ୍ରେରୀଟାରେ ସବୁବେଳେ ପଞ୍ଝାଏ ଯୁବକ ବସିଥିବେ-। କିଛି କାମ ନ ଥିଲେ ଫିଲ୍ମ ମାଗାଜିନ୍‌ରୁ ମାଧୁରୀ, ମୀନାକ୍ଷୀ, ମିଥୁନ୍‌, ଗୋବିନ୍ଦା ଓ ସେମାନଙ୍କ ଭାଇ ବିରାଦରଙ୍କ ଛବି ଦେଖୁଥିବେ । ସେମାନେ ଉଠିବେ ନାହିଁ । ଏତେ ଲୋକଙ୍କ ଆଗରେ ଏକାକୀ ଜଳଖିଆ ଖାଇବାକୁ ପ୍ରଭାତୀର ସଂକୋଚ ହୁଏ । ଅଧାଦିନ ଟିଫିନ୍‌ ଡବାଟି ସେହିପରି ଅଭୁକ୍ତ ଫେରିଯାଏ ଘରକୁ ।

 

ପ୍ରଭାତୀ ଆଖିରେ ଗୋଟାଏ ଦୃଶ୍ୟ ଭାସିଉଠେ ।

 

ଥରେ ବାପା ଆଣିଥିଲେ ଗୋଟାଏ ଜିଅନ୍ତା କଉ ତା ସାନଭାଇ ପାଇଁ । ବେଶ୍‌ ବଡ଼ କଉ ମାଛଟି । ଘରକୁ ଆସିବାଯାଏ ବଞ୍ଚିଥିଲା ଅନେକ ସମୟ ପର୍ଯ୍ୟନ୍ତ । ଚଟାଣ ଉପରେ ଛଟପଟ ହେଉଥିବା ସେହି କଉଟା ସେମାନଙ୍କ ପରିବାରକୁ ବେଶ୍‌ ଆନନ୍ଦ ଦେଉଥିଲା । ସାନଭାଇ ଗୋଟେ ଶିକାରୀ କାଇଦାରେ କାଠିରେ କଉଟିକୁ ବାରମ୍ବାର ଓଲଟେଇ ଦେଉଥିଲା, ନିସ୍ତେଜ ହୋଇ ପଡ଼ିଗଲେ ତା ପେଟରେ କାଠି କେଞ୍ଚୁଥିଲା, ତା ଲାଞ୍ଜରେ ଦଉଡ଼ି ବାନ୍ଧି ଘୋଷାରୁଥିଲା । କଉଟି ଫକ୍‌ ଫକ୍‌ ହୋଇ ଡେଉଁଥିଲା ପ୍ରାଣରକ୍ଷା ପାଇଁ । ହୁଏତ କଉଟି ଭାବୁଥିଲା, ପାଣିରୁ ଛାଣି ଆଣିଲଣି ତ ମାରିଦିଅ, ବଞ୍ଚେଇ ରଖି କଲବଲ କରିବାରେ କେଉଁ ପ୍ରକାର ସୁଖ ମିଳେ ତମମାନଙ୍କୁ ? କଉଟାର ସେହି କିଲିବିଲିଆ ଦୃଶ୍ୟ ପ୍ରଭାତୀକୁ ଖୁବ୍‌ କଷ୍ଟ ଦେଇଥିଲା । ସେ ସାନଭାଇ ହାତରୁ କଉଟାକୁ ମୁକୁଳେଇ ନେଇ ଅଗଣାର କୂଅ ଭିତରେ ପକେଇ ଦେଇଥିଲା ।

 

କିନ୍ତୁ ପ୍ରଭାତୀ ନିଜେ ଏଠି ଯେ ଜିଅନ୍ତା କଉ ମାଛର ଦୁର୍ଦ୍ଦଶା ଭୋଗୁଛି ଅହରହ । ମୃତ୍ୟୁଠାରୁ ବଳି ଜୀବନ ବେଶି କଷ୍ଟଦାୟକ ।

 

ପ୍ରଭାତୀ ଭାବେ ବସ୍‌ଙ୍କୁ କହିବ–ସାର୍‌, ମୋର ଟିକିଏ ଅସୁବିଧା ହେଉଛି । ଏମାନେ ମୋତେ ରୀତିମତ ରାଗିଂ କରୁଛନ୍ତି । ଆପଣ ଟିକିଏ ହସ୍ତକ୍ଷେପ କରନ୍ତେ ନାହିଁ ? ନ ହେଲେ ମୁଁ କାମ କରିବି କେମିତି ?

 

ପର ମୁହୂର୍ତ୍ତରେ ଏଇଟା ପିଲାଳିଆମି ମନେହୁଏ ପ୍ରଭାତୀକୁ । ମାଲିକ ହେଉଛନ୍ତି ନିଯୁକ୍ତିଦାତା । ସେ କମ୍ପାନିର ଲାଭ କ୍ଷତି ବୁଝିବେ । କୌଣସି କର୍ମଚାରୀର କିଛି ସମସ୍ୟା ଥିଲେ ୟୁନିଅନ୍‌କୁ ସେକଥା ଜଣଉ । ମ୍ୟାନେଜମେଣ୍ଟ୍‌ ପାଖେ ଗୋଟେ ଝିଅର ଆବେଗିକ ସମସ୍ୟା ନେଇ ମୁଣ୍ଡ ଖେଳେଇବାକୁ ସମୟ ନାହିଁ । ନିହାତି ଅସୁବିଧା ହେଲେ ପ୍ରଭାତୀ ଇସ୍ତଫା ଦେଇ ଦେଉ ।

 

ପ୍ରଭାତୀ ଥକ୍‌କା ହେଇ ବସିପଡ଼େ । ବେଳେବେଳେ ମନ ଟାଣ କରେ । ଏଥର କେହି ତାକୁ କିଛି କହିଲେ ସେ ତାର ଜବାବ ଦେବ । ଚାକିରି କରିଛି ବୋଲି ତ ମୁଣ୍ଡଟା ବିକିଦେଇ ନାହିଁ ? ସେମାନେ ତାକୁ କଣ କୋଠିର ବେଶ୍ୟା ଭାବୁଛନ୍ତି ନା ଅପେରାର ନାଚବାଲୀ ? ଗୁଡ଼ାଏ ପର୍ଭର୍ଟ । ପରମୁହୂର୍ତ୍ତରେ ସେ ଦୁର୍ବଳ ହେଇଯାଏ । କେହି ଯଦି ତାକୁ ଧକ୍‌କାଟାଏ ଦେବ, ସେ ତାର ପ୍ରତିରୋଧ କରିପାରିବ ନାହିଁ । ପଛକୁ ନାନା ଦୁର୍ନାମ ଉଠିବ । ଅମୁକ ଝିଅ ଅମୁକ ସାଙ୍ଗରେ ଲଢ଼େଇ କଲା । କାହିଁକି ଲଢ଼େଇ କଲା ଝିଅଟି ? କେହି ଉତ୍ତର ସମ୍ପର୍କରେ ଖୋଳତାଡ଼ କରିବେ ନାହିଁ ।

 

ପ୍ରଭାତୀ ବ୍ୟସ୍ତ ବିବ୍ରତ ହେଇ ମୁଣ୍ଡବାଳ ଝିଙ୍କିହୁଏ । ତା ଚାରିପାଖେ ଗୁଡ଼ାଏ ଅଭଦ୍ର, ଅପରିଚ୍ଛନ୍ନ, ଗୁଣ୍ଡା, ବଦ୍‌ମାସ । ଯେଉଁମାନେ ତାର ଯିବା-ଆସିବା, ବସିବା-ଉଠିବା ଉପରେ ରଖିଥାନ୍ତି ସତର୍କ ଦୃଷ୍ଟି । ଅଥଚ ପ୍ରଭାତୀ ସେମାନଙ୍କୁ କିଛି କହିପାରେ ନାହିଁ । କାରଣ ଏଠି ଚରିତ୍ର ନାମକ ଯେଉଁ ଜିନିଷଟି ସେଇଟା କୁଆଡ଼େ କେବଳ ଝିଅ ହାତରୁ ହିଁ ହଜେ । ପୁଅ ହଜାଇଲେ ବି ହଜେ ନାହିଁ । ତାଙ୍କ ପାଖକୁ ସାଙ୍ଗେ ସାଙ୍ଗେ ତାହା ଫେରିଆସେ ।

 

ମନକୁ ମନ ସାନ୍ତ୍ୱନା ଦିଏ ପ୍ରଭାତୀ । ଏକଲା ଅସହାୟ ଝିଅଟେ କେବଳ ଗୋଟେ ସୁନ୍ଦର ଭବିଷ୍ୟତର ନକ୍‌ସା ଆଙ୍କିବା ଭିନ୍ନ ଆଉ କଣ ସୁଖଦାୟକ ଅନୁଭବ ଆପଣେଇ ପାରିବ ? ସେତେବେଳେ ଭାଦ୍ର ଆକାଶର ଭସା ଭସା ମେଘଖଣ୍ଡ ଭିତରୁ ଧଳା ପକ୍ଷୀରାଜ ଘୋଡ଼ା ଚଢ଼ି ଓହ୍ଲେଇ ଆସେ ତା ସ୍ୱପ୍ନର ମଣିଷ । ମହମହ ବାସୁଥାଏ ତାର ଦିବ୍ୟ ଚେହେରା । ଚାରିଆଡ଼େ ଶରତର ନିର୍ମେଘ ଆକାଶ । ମାଟି ଉପରେ ଧାନକ୍ଷେତ, ନଈ, ନଈକୂଳେ କିଆ କେତକୀ କାନକୋଳି ବଣ । ଉପରେ ଜହ୍ନ ଓ ତାରାମାନେ । ଚୁପ୍‌ଚାପ୍‌ ପ୍ରଭାତୀର ମନର ମଣିଷ ଓହ୍ଲେଇ ଆସେ ମାଟି ଉପରକୁ । ମହଣେ ଗୋଲାପର ବାସ୍ନା ପ୍ରଭାତୀର ଶୋଇବା ଘର ଭିତରେ ଖେଳେଇ ହେଇ ଯାଇଥାଏ । ଝର୍କା ଦେଇ ଆସୁଥାଏ ଭାଦ୍ରବର ଶୀତୁଆ ପବନ । ଝର୍କାର ପର୍ଦ୍ଦା ଆଡ଼େଇ କିଏ ଛୁଇଁଦିଏ ତାର ଚିବୁକ । ଉଷୁମ ଓଠ ଲାଗିଆସେ ପ୍ରଭାତୀର କପାଳକୁ । ଏବେ ପ୍ରଭାତୀର ସମଗ୍ର ଶରୀରରେ ଗୋଟେ ଭୂମିକମ୍ପ । ତା ଛାତି ଭିତରେ ଗୋଟେ ଜୁଆରିଆ ନଈର କୁଳୁକୁଳୁ । ସିଏ ଉଠିଆସେ ତାର ସେଇ ପୁରୁଣା ତେଲଚିକିଟା ଖଟ ଉପରୁ । ଜଡ଼େଇ ଧରେ ଦିବ୍ୟପୁରୁଷର ବାସ୍ନାମୟ ସ୍ଥିତିକୁ । ଜହ୍ନ ଲୁଚି ଯାଉଥାଏ ସେପଟେ, ମେଘ କୋଳରେ । ବେଶ୍‌ ସମୟ ଧରି ଏମିତି ଆବେଗ ଭିତରେ ରହେ ପ୍ରଭାତୀ । ସକାଳେ ଆବିଷ୍କାର କରେ, ଝରକାକୁ ଆଉଜି ପର୍ଦ୍ଦା ଆଡ଼େଇ ଛିଡ଼ା ହେଉଛି ପ୍ରଭାତୀ । ଉନ୍ନିଦ୍ର ପ୍ରଭାତୀ ବୁଝିନିଏ, ସେସବୁ ସ୍ୱପ୍ନ ଥିଲା, ଗୋଟେ ସୁନ୍ଦର ସ୍ୱପ୍ନ କେବଳ ।

 

ଆଗରେ ଗୋଟାଏ ସକାଳ, ବିରକ୍ତିକର ପୁନରାବୃତ୍ତି ।

 

ସବୁଦିନ ପରି ପ୍ରଭାତୀ ତା ଅଫିସ୍‌ କ୍ୟାମ୍ପସ୍‌ ପାଖେ ପହଞ୍ଚିଲାବେଳକୁ ଦେଖିଲା; ଅଧଘଣ୍ଟା ଡେରି ହେଇଗଲାଣି । ଆଜି ଲାଇବ୍ରେରୀର ପୁନର୍ବିନ୍ୟାସ ପାଇଁ ମିଟିଂଟିଏ ଡାକିଛନ୍ତି ପରିଚାଳନା ନିର୍ଦ୍ଦେଶକ । ପ୍ରଭାତୀ ଖୁବ୍‌ ତରତରରେ ଆସୁଥିଲା ଶିଡ଼ି ଉପର ଦେଇ । ଗୋଡ଼ ଖସିଗଲା ହଠାତ୍‌ । ନର୍ଭସ୍‌ ପ୍ରଭାତୀ ହାତରୁ ଛିଟିକି ପଡ଼ିଲା ତାର ପର୍ସ । ପର୍ସ ଭିତରର ଜଳଖିଆ ଡବା, ଖୁଚୁରା ପଇସା ଏବଂ ଚାବି ନେନ୍ଥାଟା । ଉପରକୁ ଗୋଟାଏ ଷ୍ଟେପ୍‌ ଶିଡ଼ି ବାକି, ତଳକୁ ଆଠଟା ଷ୍ଟେପ୍‌ । ବ୍ୟାଗ୍‌ଟା ହାତରୁ ପଡ଼ିଯିବାର ସମସ୍ତେ ଦେଖୁଛନ୍ତି । ଲକ୍ଷ୍ୟ କରୁଛନ୍ତି ପ୍ରଭାତୀ ବ୍ୟସ୍ତ ଓ ବିବ୍ରତ ହେଇପଡ଼ିବାର । ସେମାନେ ନିଜ ନିଜ ସିଟ୍‌ରେ ବସିରହି ମୁଣ୍ଡ ବୁଲେଇ ବେକଭାଙ୍ଗି ତାର ଅସହାୟତା ଲକ୍ଷ୍ୟ କରୁଛନ୍ତି । କିନ୍ତୁ କେହି ଜଣେ ଟିକିଏ ଆଗେଇ ଆସୁ ନାହିଁ ବଢ଼େଇଦେବାକୁ ସହଯୋଗର ହାତଟିଏ ।

 

କିନ୍ତୁ ପ୍ରଭାତୀ କାହିଁକି ବରାବର ଏଭଳି ପ୍ରତ୍ୟାଶା ରଖେ ସମସ୍ତଙ୍କ ପାଖରୁ ?

 

ନିଜେ ସେ ତରତର ହୋଇ ଶିଡ଼ିରେ ଓହ୍ଲେଇ ଯାଉଥିଲା । ଆକାଉଣ୍ଟ୍‌ସ ଡିପାର୍ଟମେଣ୍ଟ୍‌ର ଷ୍ଟାଫ୍‌ମାନେ ଲକ୍ଷ୍ୟ କରୁଥିଲେ ତାର ନଇଁପଡ଼ି ପଇସା ଗୋଟେଇବାର ଦୃଶ୍ୟ । ତାର ବ୍ଲାଉଜ୍‌ ଭିତରଦେଇ ତାର ଛାତିକୁ ଲକ୍ଷ୍ୟ କରୁଥିଲେ ସେମାନେ । ସେମାନେ ଲକ୍ଷ୍ୟ କରୁଥିଲେ ତାର ଅଣ୍ଟାକୁ । ତାର କହୁଣି ମୂଳକୁ ଏବଂ ପିଠିକୁ । ପ୍ରଭାତୀର ମନେପଡ଼ୁଥିଲା ଜିଅନ୍ତା କଉମାଛଟାକୁ ତା ସାନଭାଇ ସମସ୍ତଙ୍କ ସାମ୍ନାରେ ଖେଳଉଥିବାର ଦୃଶ୍ୟ ।

: ତମେ ଏଠି ଚୁପଚାପ୍‌ ଛିଡ଼ାହେଇ କଣ କରୁଛ ? ମାଡାମ୍‌ଙ୍କୁ ଟିକେ ସାହାଯ୍ୟ କରିପାରୁ ନାହିଁ । –ଆକାଉଣ୍ଟସ୍‌ ଡିପାର୍ଟମେଣ୍ଟ୍‌ର ପିଅନ ମୁକୁନ୍ଦକୁ କେହି ଜଣେ ବଡ଼ପାଟିରେ ଭର୍ତ୍ସନା କରୁଥିଲେ ।

: କିଏ ? କିଏ କହିଲା ? କେଉଁଠୁ ଆସିଲା ଏ ନହକା ପତଳା ଟୋକା ଖଣ୍ଡକ ? କାହାକୁ କହୁଛି ?

ଏବେ ସମସ୍ତଙ୍କର ଦୃଷ୍ଟି ପ୍ରଭାତୀଠୁ ଘୁଞ୍ଚିଯାଇ ସେଇ ଯୁବକଟି ପାଖରେ କେନ୍ଦ୍ରୀଭୂତ ହେଇ ଯାଇଥିଲା । ପେଟୁଆ ମଙ୍ଗରାଜବାବୁ, ଆଇଁଷିଣିଆ ମହାନ୍ତିବାବୁ, କ୍ୟାସିୟର ଶ୍ରୀବାସ୍ତବ, ସୁନୀଲ, ଚମ୍ପତିରାୟ ସମସ୍ତେ ଚାହିଁଥିଲେ ଏଇ ଅଚିହ୍ନା ଲୋକଟିକୁ । ଲୋକଟି କଣ ପ୍ରଭାତୀର କୌଣସି ସଂପର୍କୀୟ ? ଅଫିସ୍‌କୁ ନୂଆ ଆସିଛି ? ବାହାରର କେହି ଲୋକ ? ସେମିତି ନିର୍ଭୟ ହେଇ ନ ଥିଲେ ମୁକୁନ୍ଦକୁ ଗାଳିଦେଇ ପାରନ୍ତା ନାହିଁ । ସବୁଠୁ ଆଶ୍ଚର୍ଯ୍ୟ ହୋଇ ପ୍ରଭାତୀ ହିଁ ଚାହିଁଥିଲା ଏଇ ନୂଆ ଯୁବକଟିକୁ । ତାର ବିଶ୍ୱାସ ହେଉ ନ ଥିଲା ଯେ ଏ ଅଫିସ୍‌ ଭିତରେ ଏଭଳି କଥା କେହି କହିପାରେ ?

ସେହି ଅଚିହ୍ନା ଯୁବକଟି ନଇଁପଡ଼ି ପ୍ରଭାତୀର ଖୁଚୁରା ପଇସାମାନଙ୍କୁ ଗୋଟେଇ ଆଣୁଥିଲା । ଗୋଟେଇ ଆଣିଥିଲା ତାର ଟିଫିନ୍‌ ଡିବା ଓ ଚାବିନେନ୍ଥା । ଗୋଟେ ନାୟକୋଚିତ ଠାଣିରେ ଯୁବକଟି ଦିଶୁଥିଲା ଉଜ୍ଜ୍ୱଳ । ପ୍ରଭାତୀ ହାତକୁ ମୁକୁନ୍ଦ ଜରିଆରେ ତାର ଜିନିଷତକ ବଢ଼େଇଦେଇ ସେ ଭିତରକୁ ଚାଲିଗଲା । ଯିବା ପୂର୍ବରୁ କେବଳ ଗୋଟାଏ ରାଗ ରୋଷାୟିତ ଚାହାଣି ବୁଲେଇ ନେଇଥିଲା ଆକାଉଣ୍ଟସ୍‌ ଡିପାର୍ଟମେଣ୍ଟ୍‌ର ମଣିଷମାନଙ୍କ ଆଡ଼େ । ତରବାରିଟିଏ ଘୂରିଗଲା ପରି ଯୁବକଟିରେ ସେଇ ଚାହାଣି ହିଁ ସେମାନଙ୍କ ପାଇଁ ଯଥେଷ୍ଟ ଥିଲା । ସଭିଏଁ ଫେରିଯାଇ ନିଜ ନିଜ କାମରେ ଲାଗି ଯାଇଥିଲେ ।

ପ୍ରଭାତୀ ‘ଥ୍ୟାଙ୍କ୍‌ ୟୁ’ ବୋଲି ବି ପଦେ କହିପାରି ନ ଥିଲା ଯୁବକଟିକୁ । ଲୋକଟି ଖୁବ୍‌ ବ୍ୟସ୍ତ ଭଙ୍ଗୀରେ ଆସି ଚାଲିଯାଇଥିଲେ ।

ଚାରିଟା ସୁଦ୍ଧା ଯୁବକଟିର ପରିଚୟ ସମସ୍ତଙ୍କ ପାଖରେ ଜଣାପଡ଼ିଗଲା । ଯୁବକଟି ସପ୍ତର୍ଷି ମହାପାତ୍ର । ସେଇଦିନ ହିଁ ପର୍ସନେଲ୍‌ ଅଫିସର ଭାବେ ଜଏନ୍‌ କରିଛି । କେବଳ ସପ୍ତର୍ଷି ନୁହେଁ, ତାର ବାପା, ମାମୁ ଓ ତା ପରିବାର ସମ୍ପର୍କୀୟ ସବିଶେଷ ତଥ୍ୟ ବି ଅଫିସ୍‌ସାରା ଚର୍ଚ୍ଚା ହେବାରେ ଲାଗିଗଲା । ପ୍ରଭାତୀ କାନରେ ବି ବାଜିଥିଲା ସପ୍ତର୍ଷିର ପରିଚୟ । ସପ୍ତର୍ଷି ଦିଲ୍ଲୀରେ ପଢ଼ୁଥିଲା । ଅବିବାହିତ ।

ପ୍ରଭାତୀକୁ ଲାଗିଥିଲା, ତା ଚାରିପାଖର ଗୋଟେ ବୀଭତ୍ସ, ବିକୃତ, ଅସୁନ୍ଦର ପୃଥିବୀ ହଠାତ୍‌ ସୁନ୍ଦର, ସ୍ୱପ୍ନମୟ ଏବଂ ଶ୍ରଦ୍ଧାସିକ୍ତ ପୃଥିବୀ ପାଲଟିଯାଉଛି । ଗୋଟାଏ ଅପରିଚ୍ଛନ୍ନ ସଁବାଳୁଆ ପରି ତାର ଏ ଅଫିସ୍‌ ପାଲଟି ଯାଉଚି ଟିପିଟିପା ରଙ୍ଗିନ୍‌ ପ୍ରଜାପତିରେ । ଦୂରରେ ହେଲେ ବି, ଏଇଠି କୋଉଠି ଗୋଟେ ପୁରୁଷ ଏବେ ବି ରହିଛି, ଯିଏ ଆଉ ଅବଶିଷ୍ଟଙ୍କ ପରି ନୁହେଁ–ଏଇ ସାନ୍ତ୍ୱନାତକ ହିଁ ତାକୁ ନିର୍ଭୟ କରିଦେଇଥିଲା । ଏବେ ସେ ଟାଉନ୍‌ବସ୍‌ର ଲଜ୍ଜାକର ପରିସ୍ଥିତି, ଦପ୍ତରର ଅସ୍ୱସ୍ତିକର ପରିବେଶ ସବୁକିଛିକୁ ହସି ହସି ସାମ୍ନା କରିପାରୁଥିଲା ।

ହେଇ ସପ୍ତର୍ଷି ମହାପାତ୍ର ଆସୁଛି । ଲାଇବ୍ରେରୀକୁ ଯାଉଛି ନା କଣ ?

 

ପ୍ରଭାତୀ ଶୁଣିଲା । ଟେବୁଲ ଉପରୁ ମୁଣ୍ଡ ଉଠେଇ ଚାହିଁଲା । ହଁ ପର୍ସନେଲ୍‌ ଅଫିସର ସପ୍ତର୍ଷି ମହାପାତ୍ର ଛିଡ଼ା ହେଇଛନ୍ତି । ପ୍ରଭାତୀ ହସିଦେଲା ଏବଂ କହିଲା, “ଆପଣଙ୍କୁ ସେଦିନର ସାହାଯ୍ୟ ପାଇଁ ଧନ୍ୟବାଦ ।”

 

ସପ୍ତର୍ଷି ମହାପାତ୍ର ହସିଲା ନାହିଁ । ସେ ହସେ ନାହିଁ କି ? କହିଲା, “ଲାଇବ୍ରେରୀ ପାଇଁ କାଲିଠୁ ଆଉଜଣେ ଝିଅ ପିଅନଙ୍କୁ ନିଯୁକ୍ତି ଦିଆଯାଇଛି । ସେ ଆପଣଙ୍କୁ ସାହାଯ୍ୟ କରିବ । ଆଜି ସେ ଜଏନ୍‌ କରିବ । ମୁଁ ଆଶା କରୁଛି, ଆପଣଙ୍କୁ ଏଥର ଟିକେ ସୁବିଧା ହେବ ।”

 

ପ୍ରଭାତୀ ଉତ୍ତର ଫେରେଇବାବେଳକୁ ସପ୍ତର୍ଷି ମହାପାତ୍ର ଚାଲିଯାଇଥିଲା । ଆସିଥିଲା ତେବେ କାହିଁକି ? କଣ ଏଇ ଖବରଟିକକ ଦେବା ପାଇଁ ? ଏ ଖବରର ନୋଟିସ୍‌ ତ ପଠାଇ ଦେଇଥିଲେ ଚଳିଥାନ୍ତା । ସେଥିପାଇଁ ପର୍ସନେଲ୍‌ ଅଫିସରଙ୍କର ନିଜେ ଆସିବା କଣ ଦରକାର ଥିଲା-?

 

ସପ୍ତର୍ଷି ମହାପାତ୍ର କଣ ଆସିଥିଲେ ପ୍ରଭାତୀକୁ ଜଣେଇଦେବାକୁ ଯେ, ‘ତମର ଦୁର୍ଦ୍ଦିନ ସବୁ ଯାଇଛି । ଏ ଅଫିସ୍‌ରେ ଆଉ ତମକୁ କେହି ରାଗିଙ୍ଗ୍‌ କରିବେ ନାହିଁ । ତମକୁ ସାହାଯ୍ୟ କରିବାକୁ ଝିଅ ପିଅନଟେ ଦିଆଗଲା । ଆଉ ଯାହା ଅସୁବିଧା ପଡ଼ିବ, ମୋତେ କହିବ । ମୁଁ ଥିବାଯାଏ ତମର ଅସୁବିଧା ହେବାକୁ ଦେବି ନାହିଁ । ସବୁ ପୁରୁଷ ମହାନ୍ତି ନୁହନ୍ତି । ପୃଥିବୀର ସବୁ ଜାଗା ଟାଉନ୍‌ବସ୍‌ ଭିତର ନୁହେଁ ।’

 

କିମ୍ବା ସପ୍ତର୍ଷି ସେଇ ପ୍ରଥମଦେଖାରୁ ଭଲପାଇ ବସିଥିଲା କି ପ୍ରଭାତୀକୁ ? ପ୍ରେମର ସନ୍ଦେଶ ନେଇ ଆସିଥିଲା କି ସପ୍ତର୍ଷି ମହାପାତ୍ର ପ୍ରଣୟିନୀ ପାଖକୁ ? କିଏ ଜାଣେ ? ଅଫିସ୍‌ ସାରା ଗୁଜବ । କିନ୍ତୁ ଖୁବ୍‌ ଗମ୍ଭୀର ଦିଶୁଥିଲା ସପ୍ତର୍ଷିର ମୁହଁ । ଏମିତି କଣ କେହି କାହାକୁ ଭଲପାଇବାର ପ୍ରସ୍ତାବ ଦିଏ ?

 

ପ୍ରଭାତୀ ମଧ୍ୟ ବେଳେବେଳେ ସପ୍ତର୍ଷି-ମନସ୍କ ହେଇପଡ଼େ । ଜୀବନରେ ପ୍ରଥମ ଥର ପାଇଁ ଗୋଟେ ପୁରୁଷକୁ ସେ ସପ୍ତର୍ଷି ଭିତରେ ଭେଟେ, ଯିଏ ଆଉ ସମସ୍ତଙ୍କ ପରି ନୁହେଁ । ଠିକ୍‌ ଯେଉଁପରି ପୁରୁଷର ସାହାଯ୍ୟ ଲୋଡ଼େ ନାରୀଟିଏ, ସପ୍ତର୍ଷି ସେଇ ପୁରୁଷ । ସେ ଚେଷ୍ଟାକରେ ସପ୍ତର୍ଷିର ମନ ପଢ଼ିବା ପାଇଁ, ତାର ସେ ଗମ୍ଭୀର ଚେହେରା ଭିତରେ ଛପିଥିବା ଗୋଟେ କଅଁଳ ହୃଦୟର ଗତିବିଧି ଠଉରେଇବା ପାଇଁ । କିନ୍ତୁ ସପ୍ତର୍ଷି ସାଙ୍ଗେ ତାର ଦେଖା ହୁଏନା ।

 

ସପ୍ତର୍ଷି ମହାପାତ୍ର ସହ ତାର ପ୍ରଥମ ସାକ୍ଷାତ କଥା ପ୍ରଭାତୀ କହିଥିଲା ତା ବୋଉକୁ । ବୋଉ ଖୁସି ହେଇଥିଲା । ଅଦୃଶ୍ୟ ଦେବତା ପାଖେ ସପ୍ତର୍ଷି ପାଇଁ ଆଶୀର୍ବାଦ ଲୋଡ଼ିଥିଲା । ଶ୍ରାବଣୀକୁ ମଧ୍ୟ ସେ ସପ୍ତର୍ଷି କଥା କହିଥିଲା ବେଶ୍‌ ଆବେଗର ସହ । ସପ୍ତର୍ଷିର ଚାଲି, ତାର ଠାଣି, ତାର କଥାବାର୍ତ୍ତା, ଢଙ୍ଗ, ସବୁକିଛି ବନେଇ ଚୁନେଇ କହିଥିଲା ପ୍ରଭାତୀ । କଥା ଶେଷରେ ଶ୍ରାବଣୀ କହିଥିଲା, ତୁ ବୋଧହୁଏ ତାକୁ ଭଲପାଇ ବସିଲୁଣି । ପ୍ରଭାତୀକୁ ଏ କଥାଟା ଶୁଣିବାକୁ ଭଲ ଲାଗିଥିଲେ ବି ନାକ ଫୁଲେଇ ପ୍ରତିବାଦ କରିଥିଲା । କିନ୍ତୁ ପ୍ରଭାତୀ ପ୍ରକୃତରେ କଣ ଚାହୁଁଥିଲା ? ସିଏ ଚାହୁଁଥିଲା କେବଳ ଶ୍ରାବଣୀ ନୁହେଁ, ସହର ସାରା ସମସ୍ତେ ସପ୍ତର୍ଷି ଓ ତାକୁ ନେଇ ଗପ ଯୋଡ଼ନ୍ତୁ । ତାର ଦୁର୍ନାମ କରନ୍ତୁ । ବଦନାମ ପାଇଁ ଏବେ ତାର ଭୟ ନାହିଁ ।

 

ସପ୍ତର୍ଷି ମହାପାତ୍ର ଆସୁଛି ଚାଲି ଚାଲି । ରାସ୍ତା ନିର୍ଜନ । ସେ ଜାଣି ଜାଣି ହାତରୁ ଖସେଇଦେଲା ରୁମାଲଟା । ସବୁଜ ରୁମାଲଟି ଲାଖିଗଲା ରାସ୍ତାକଡ଼ ଘାସ ଦେହରେ । ପ୍ରଭାତୀ ଆଗେଇଗଲା ଏବଂ ଛକ ଉପରେ ଯାଇ ଅପେକ୍ଷା କଲା ଟାଉନ୍‌ବସ୍‌କୁ । ଅପେକ୍ଷା କଲା ସପ୍ତର୍ଷି ମହାପାତ୍ରକୁ ।

 

ସପ୍ତର୍ଷି ତା ସାମ୍ନା ଦେଇ ଚାଲିଗଲା । ଚାହିଁଲା ବି ନାହିଁ ଟିକିଏ । ଜାଣିଗଲା କି ପ୍ରଭାତୀର ଦୁର୍ବଳତା ? ପ୍ରଭାତୀ ମୁହଁ ଫେରେଇ ଚାହିଁଲା । ରୁମାଲଟି ସେଇପରି ଅସହାୟ ଭଙ୍ଗୀରେ ଗୁଗୁଚିଆ କଣ୍ଟାରେ ଫୋଡ଼ିହେଇ ପଡ଼ି ରହିଛି । ସପ୍ତର୍ଷି ଯେପରି ସବୁଜ ସଂକେତକୁ ଜାଣି ଜାଣି ଆଡ଼େଇ ଆସିଛି । ସପ୍ତର୍ଷି ଆଗେଇଗଲାଣି । ରୁମାଲଟାକୁ ଦେଖି ନ ଥିଲା କି ସେ ? ନା, ଠିକ୍‌ ଦେଖିଥିଲା । ପ୍ରଭାତୀ ଲକ୍ଷ୍ୟ କରିଥିଲା ସପ୍ତର୍ଷିକୁ । ସପ୍ତର୍ଷି କ୍ଷଣକାଳ ଅଟକି ରହିଥିଲା ସେଇ ରୁମାଲଟା ପାଖରେ । ନଇଁ ପଡ଼ିଥିଲା ବି ଟିକିଏ । କିନ୍ତୁ ପରମୁହୂର୍ତ୍ତରେ ସେ ରୁମାଲଟା ନ ଉଠେଇ ଅତିକ୍ରମ କରି ଆସିଥିଲା ତାକୁ ଏବଂ ପ୍ରଭାତୀକୁ ।

 

ପ୍ରଭାତୀ ଟିକେ ଦୁଃଖୀ ହେଲା, ସଂଶୟମୁକ୍ତ ବି ।

 

ସପ୍ତର୍ଷି ମହାପାତ୍ର ଏବେ ତା ଆଖିରେ ପୂର୍ବ ଠାରୁ ଆଉରି ବଡ଼ ହେଇଯାଇଥିଲା । ଢେର୍‌ ବଡ଼ ।

 

ପ୍ରଭାତୀକୁ ଏବେ ଆଉ ଅଫିସ୍‌ ଯିବା ସମୟ ହେଲେ ଭୟ ଲାଗୁ ନ ଥିଲା ।

Image

 

ପୁନରାବୃତ୍ତି

 

ଅନନ୍ତା ଆଖିରେ ନିଦ ନାହିଁ । ଆଠଘଣ୍ଟାର କ୍ଳାନ୍ତିରେ ବସ୍‌ଯାତ୍ରା ସତ୍ତ୍ୱେ ନିଦ ଆସୁ ନାହିଁ । କାହିଁକି ଗାଆଁକୁ ଯାଇଥିଲା କେଜାଣି, ସବୁଯାକ ଖରାପ ଖବର ଏଇଥର ଶୁଣିବାକୁ ଥିଲା । ଯିଏ ଯୁଆଡ଼େ ଯାଉ, ଯିଏ ଯାହାକୁ ଛାଡ଼ି ପଳଉ ସେଥିରେ ତାର ଯାଏ କେତେ ଆସେ କେତେ ?

 

କାଲି ସକାଲୁ ପୁଣି ବାବୁମାନେ ବୁଲି ବୁଲି ତାକୁ ଅନେଇବେ । ସେମାନଙ୍କର ଆଖିଗୁଡ଼ାକ ଲାଖି ଯାଉଥିବ ତା ଦେହରେ । ସେ ଚାହାଣିର ଅର୍ଥ ସିଏ ବୁଝେ । ବର୍ଷ ବର୍ଷ ଧରି ସେମାନଙ୍କର ପରିହାସ, ଥଟ୍ଟା ଟାପରାକୁ ସିଏ ଗମୁଆ ଚାଉଳର ଭାତଗୁଣ୍ଡା ପରି ଗିଳିଆସିଛି । ସିଏ କେବଳ ଗୋଟେ କଥା ବୁଝିଛି, ଗରିବ ମଣିଷ ପାଖେ ମାନ ଅଭିମାନର କିଛି ଅର୍ଥ ନାହିଁ ।

 

ସବୁଥର ଗାଆଁକୁ ଯିବାବେଳେ ଅନନ୍ତା ସ୍ଥିର କରେ ଆଉ ସେ ଫେରିବ ନାହିଁ । ଗାଆଁରେ ବା ତାର ଆଉ କିଏ ଅଛି ? ଚାରିଦଉଡ଼ି କଟା ସିଏ । ଯୁଆଡ଼େ ମନ ସିଆଡ଼େ ପଳେଇଯିବ । ଚିହ୍ନା ପରିଚୟ ମଣିଷଗୁଡ଼ାଙ୍କୁ ସିନା ଭୟ, ଅଚିହ୍ନା ଅଜଣା ଜାଗାକୁ ଚାଲିଗଲେ କିଏ ବା ପଚାରିବ ଏତେସବୁ ଅଡୁଆ ପ୍ରଶ୍ନ ।

 

କିନ୍ତୁ ଫେରିଆସେ ଅନନ୍ତା । ପେଟର ଦାଉ କିଛି କମ୍‌ ନୁହେଁ । ଆଚ୍ଛା ଆଚ୍ଛା ଜନ୍ତୁଙ୍କୁ ବି ସୁଧାର ବନେଇଦିଏ ଏଇ ଦାଉ । ପୁଣି ଫେରିଆସି ଖୋଜିହୁଏ ଏତେଟିକେ ନିର୍ଜନତା, ଯେଉଁଠି ସେ ଲୁଚି ଯାଆନ୍ତା, ଛପି ଯାଆନ୍ତା–କେହି ତାକୁ ଦେଖନ୍ତେ ନାହିଁ, ଚିହ୍ନନ୍ତେ ନାହିଁ । ଦିନ ଆଲୁଅକୁ ଅନନ୍ତାର ଭାରି ଭୟ । ତାର ଲୋଡ଼ା ନିରନ୍ତର ଅନ୍ଧାର । ଉଇର ହୁଙ୍କା ଅଛି, ଚଢ଼େଇର ବସା ଅଛି, ପିମ୍ପୁଡ଼ିର ବି ଗାତ ଅଛି । ଅନନ୍ତାର ସେତକ ନାହିଁ । ବାବୁମାନେ ଖାଇପିଇ ସାରିଲେ ସେ ଅଇଁଠା ବାସନକୁସନ ଗୋଟେଇ ନେଇ ନଳା ପାଖରେ ରଖିଦିଏ । ତାପରେ ରୋଷେଇ ଘର ବାରଣ୍ଡାରେ ଶୋଇଯାଏ ।

 

ଅନନ୍ତା ସମ୍ପର୍କରେ ବାବୁମାନେ ଯାହା ଯାହା କଥାବାର୍ତ୍ତା ହୁଅନ୍ତି ସେ ସେସବୁ ଜାଣେ । ସେମାନେ କହନ୍ତି, ଅନନ୍ତା କାଳେ ଗାଆଁରେ ଗୋଟେ କାହାକୁ ରଖିଛି । ସେ ଗୋଟେ ଖୁନୀ ଆସାମୀ । ଏକଥା ଜଣାପଡ଼ିଲାରୁ ବାହାଘର ଆଗରୁ କନିଆଁ ତାର ଘରୁ ବାହାରି ପଳେଇଗଲା ଆଉ କାହା ସାଙ୍ଗରେ । ସିଏ ଗଞ୍ଜୋଡ଼, ତନ୍ତ୍ର ସାଧିଛି । ନାଇଡ଼ୁ କହେ, ଅନନ୍ତା ଗୋଟେ ବିଶୁଦ୍ଧ ମାଇଚିଆ–ଚନ୍ଦ୍ରସେଣାଟାଏ ।

 

ଅନନ୍ତା ଭାତଥାଳି ପାଖରେ ପାଣି ଗିଲାସଟେ ରଖି କି ପଛ ପରଶା ତରକାରି ବାଢ଼ିଦେଇ ଫେରି ଆସୁ ଆସୁ ଏସବୁ ଶୁଣେ । ତାକୁ ଦେଖି ବାବୁମାନେ ଚୁପ୍‌ ହେଇଯାଆନ୍ତି । ସେମାନଙ୍କର ସେ ନିରବତା ପରିହାସଠାରୁ ଆଉରି କଷ୍ଟଦାୟକ । କିନ୍ତୁ ଏଇ ମେସ୍‌ର ପୂଜାରୀ କାମଟା ଛାଡ଼ିଦେଲେ ଅନନ୍ତା କରିବ କଣ ? ଯିବ କୁଆଡ଼େ ?

 

ସବୁଥର ଗାଆଁରୁ ଫେରିଲେ ସେମାନେ ଅନନ୍ତାକୁ ବୁଲି ବୁଲି ଅନାନ୍ତି । ବାରକଥା ପଚାରନ୍ତି । କାମ ବାହାନାରେ ପାଖକୁ ଡାକି ତା ପାଦଯୋଡ଼ିକୁ ଚାହାଁନ୍ତି । ବଡ଼ ବଡ଼ ପାଦ ଯୋଡ଼ିକ ତାର ପାଣି ଖାଇ ଶେତା ପଡ଼ିଯାଇଥାଏ । ସେଇ ପାଦକୁ ସେମାନେ ଚାହାଁନ୍ତି । ଆଖି ଫେରେଇ ନେଇ ପରସ୍ପର ଭିତରେ କଥା ହୁଅନ୍ତି । ହସନ୍ତି । ତାଙ୍କ ପାଇଁ ଅନନ୍ତା ଗୋଟେ କାଠ କି ପଥରର ଖେଳଣା । ଆମୋଦର ମାଂସଳ କଣ୍ଢେଇ । ନିପାରିଲା ଏକଲା ମଣିଷଟାଏ !

 

ବାବୁମାନେ ଶୋଇପଡ଼ିଲେଣି । ସକାଳୁ ଉଠିଲେ ଯାଇ ଦେଖାଚାହାଁ । ଅନନ୍ତା ତା ବିଛଣାକୁ ଦରାଣ୍ଡି ଦରାଣ୍ଡି ବିଛେଇ ଦେଲା । ଚିତ୍‌ ହେଇ ଶୋଇପଡ଼ି ପୁଣିଥରେ ଆପଣା ସାଙ୍ଗରେ ଦୁଃଖସୁଖ ହେଲା ।

 

କୁଆଡ଼େ ଚାଲିଗଲେ ସେ ଦୁହେଁ ?

 

କାହିଁକି ଛଡ଼ାଛଡ଼ି ହେଇଗଲେ ? ଭିତରେ ଭିତରେ ଟିକେ ଅନନ୍ତା ଖୁସି ହେଲା, ପୁଣି କାନ୍ଦ କାନ୍ଦ ।

 

ଏତେବଡ଼ ପୃଥିବୀରେ କେହି ଜଣେ ଥାଆନ୍ତା ! ଅନନ୍ତା ତା ପାଖରେ ଘଡ଼ିଏ ବସି ନିଜର ଦୁଃଖତକ କହିଯାଆନ୍ତା । ସବୁଠି ପରିହାସ, ଟିଟ୍ଟିକାରୀ । ଏଇ ମଣିଷମାନଙ୍କ ମେଳରେ ସେ ମନଖୋଲି ପଦେ କଥା ସୁଦ୍ଧା କହିପାରେ ନାହିଁ ।

 

ଦିନେ କିନ୍ତୁ ଅନନ୍ତାର ଗୋଟେ ଇଚ୍ଛା ଥିଲା । ସେ ଇଚ୍ଛାର ଯୋଡ଼ାଏ ଡେଣା ଥିଲା । ସେ ସ୍ୱପ୍ନର ରଙ୍ଗ ଥିଲା । କିନ୍ତୁ ସେମିତି ଗୋଟେ ସ୍ୱପ୍ନ ଦେଖିବା ଯେ ତା ପାଇଁ ନିଷିଦ୍ଧ, ଏହି କଥାଟିକୁ କେହି କାହିଁକି ବୁଝେଇ ଦେଇ ନ ଥିଲା ଅନନ୍ତାକୁ, ନିଜେ ବୁଝିଲାବେଳକୁ ଅନେକ ବିଳମ୍ବ ହେଇଯାଇଥିଲା ।

 

ବିଚରା କଇଁଚ ତାର ଦୁର୍ବଳତାକୁ ସାଙ୍ଗରେ ନେଇ ଜନ୍ମ ହୋଇଥାଏ । ଜୀବନସାରା ଗୋଟେ ଖୋଳପାକୁ ବୋହିବାର ଦୁଃଖରୁ କେହି ତାକୁ ନିଷ୍କୃତି ଦିଏ ନାହିଁ । କାହାର ଦୁଃଖ ନାହିଁ, କାହାର କଷ୍ଟ ନାହିଁ ? ଭିତରର ଦୁଃଖକଷ୍ଟକୁ ଲୁଚେଇ ଚାଲିବା ସହଜ । ମାତ୍ର ଅନନ୍ତାର ଦୁଃଖ ଓ ଦୁର୍ବଳତା କଇଁଚର ଖୋଳପା ପରି ଯେତେ ଲୁଚେଇଲେ ଲୁଚେନା, ବେଶି ବେଶି ଦୟନୀୟ ଦିଶେ ।

 

ଅନନ୍ତାର ରାଗ ହୁଏ ତା ମାଆ ଉପରେ । ତାଠୁଁ ବେଶି ରାଗ ତାର ବାପା ଉପରେ–ଯିଏ ଅନନ୍ତାକୁ ବର୍ଷଟିଏ ହେଇଥିଲାବେଳେ ନଈବଢ଼ିରେ ଭାସିଯାଇ ମରିଯାଇଥିଲା । ତାର ରାଗ ହୁଏ ତାର ଅଭାବୀପଣ ଉପରେ, ତାର ଶାରୀରିକ ଦୌର୍ବଲ୍ୟ ଓ ନିଜର ମୂର୍ଖାମି ଉପରେ । ସବୁ ମଣିଷଙ୍କ ଉପରେ ତାର ରାଗ । ସବୁରି ବିରୋଧରେ ଅଭିଯୋଗ । ଶାଳଗ୍ରାମଠୁଁ ନେଇ ଦିଅଁ, ଦେବତା, ଜ୍ୟୋତିଷ, ନାହାକ ଓ ପଣ୍ଡିତ ସମସ୍ତଙ୍କ ଉପରେ ।

 

ଦିନେ ଦିନେ ରାତିରେ ଅନନ୍ତା ଭୟଙ୍କର ସ୍ୱପ୍ନ ଦେଖେ । ଦୁଇ ହାତ ତାର ରକ୍ତ ସାଲୁବାଲୁ-। ଗୋଟେ ଲମ୍ବା ଓ ରକ୍ତାକ୍ତ ଛୁରୀ ଧରି ସେ ଅପନ୍ତରା ଭୂଇଁଟାରେ ଛିଡ଼ା ହୋଇଛି । ଏଇମାତ୍ର କାହାକୁ ହତ୍ୟା କରି ଆସିଛି ସେ । ଛୁରୀଧାରରୁ ନିଗିଡ଼ ପଡ଼ୁଛି ଟୋପା ଟୋପା ରକ୍ତ ! କିନ୍ତୁ ବହୁତ ଚେଷ୍ଟାକରି ନିହତ ମଣିଷଟିର ମୁହଁ ମନେପକେଇ ପାରେନା ଅନନ୍ତା । ତାକୁ ଡର ମାଡ଼େ । ମେସ୍‌ର ରୋଷେଇଶାଳ ବାରଣ୍ଡାରୁ ଉଠି ସେ କୂଅମୂଳକୁ ପଳାଏ ।

 

ଆକାଶରେ ଅସଂଖ୍ୟ ତାରା, ଅନନ୍ତା ଜୀବନର ଅସରନ୍ତି ଦୁଃଖ ପରି । ଉହ୍ମେଇ ଭିତର ରଡ଼ନିଆଁ ପରି ଏଇ ନିଉଛୁଣା ଜୀବନ । ଦିନସାରା ବାହାର ଲୋକଙ୍କ ପରିହାସ, ଅପମାନ–ରାତିସାରା ଭୋକ ଆଉ ଭୋକ । ମନ ଓ ଦେହର ଭୋକ । ଏ ବୟସରେ ବି ସେ ଭୋକକୁ ଅନନ୍ତା ଚାପି ରଖିପାରେ ନାହିଁ ।

 

ଥରେ ଅନନ୍ତା ପଚାରିଥିଲା ତା ବୋଉକୁ । ସେ ତା ପିଲାଦିନର କଥା । ଚାଟଶାଳୀର ପୁଅପିଲାଗୁଡ଼ିକ ଝିଅଙ୍କ ପାଖକୁ ଓ ଝିଅପିଲାଗୁଡ଼ିଏ ପୁଅପିଲାଙ୍କ ପାଖକୁ ଅନନ୍ତାକୁ କାହିଁକି ଠେଲି ଦିଅନ୍ତି ? ସିଏ କାହିଁକି ଗୋଟେ ବାଦୁଡ଼ି ପରି ଓହଳି ରହେ ମଝି ଆକାଶରେ ? କାହିଁକି ସେମାନେ ତାକୁ ଥଟ୍ଟା ଟାପରା କରନ୍ତି, ସାଙ୍ଗରେ ଖେଳାନ୍ତି ନାହିଁ ? ଅନନ୍ତାକୁ ଦେଖିଲେ କିଛି କାରଣ ନ ଥାଇ ଦୂର୍‌ଦୂର୍‌ ମାର୍‌ମାର୍‌ କରନ୍ତି ।

 

ସେଦିନ ଅନନ୍ତା ଭାବିଥିଲା, ବୋଉ ପାଖରେ ଏହାର ଉତ୍ତର ଥିବ । ଆଜି ବୁଝୁଛି, ଏହାର ଉତ୍ତର ବୋଉ ପାଖରେ ସେଦିନ ନ ଥିଲା । ବୋଉ ୟାର ଉତ୍ତର ଜାଣିଥିଲେ ଆଖି ବୁଜିବା ଆଗରୁ ନିଶ୍ଚୟ କହିଯାଇଥାଆନ୍ତା ତାର ଏକୋଇର ବଳା ବିଶିକେଶନକୁ ।

 

ମାଆ ପୁଅର ପ୍ରଶ୍ନ ଶୁଣି ଖାଲି ଡବଡବ କରି ଚାହିଁଥିଲା । ତାର ପେଜୁଆ ଓ ପରଳମଖା ଆଖି ଯୋଡ଼ିକରେ ସଫାହେଇ କିଛି ଦିଶେ ନାହିଁ । ପୁଅର ନଡ଼ବଡ଼ିଆ ହାତଗୋଡ଼କୁ ଆଉଁଶି ଦେଉ ଦେଉ ବିଳିବିଳେଇ ହେଲା ପରି କହିଥିଲା, ‘ବାପଛେଉଣ୍ଡ ପୁଅକୁ କେହି ସହିପାରନ୍ତି ନହିଁ । ପିଲା ହେଇଛି ବୋଲି ନରମା ହେଇଛି । ବଢ଼ିଗଲେ ହାତଗୋଡ଼ ମଜଭୁତ ହେବ । ସବୁ ଠିକ୍‌ ହେଇଯିବ-।’

 

ରାତି ଅନ୍ଧାରରେ ତେଲଚିକିଟା ମଳିଛିଆ କନ୍ଥା ତକିଆକୁ ଜାବୁଡ଼ି ଧରି ଅନନ୍ତା ନିଜର ଦେହ ହାତକୁ ଚାହେଁ । ପାଦ ଯୋଡ଼ିକକୁ ଆଉଁଶି ଆଣେ । ଏଇ ପାଦଯୋଡ଼ିକ ପାଇଁ ଦି ଧାର ଅଳତା ତାକୁ ଜୁଟିଲା ନାହିଁ ! ଥାଉ ପଇଁଚାଳିଶ ବର୍ଷର ଗୋଟେ ଦରବୁଢ଼ା ପାଇଁ ସେସବୁ କଥା ଚିନ୍ତା କରିବା ଠିକ୍‌ ନୁହେଁ । ନିଜକୁ ନିଜେ ଲାଜେଇଯାଏ । ଗୋଇଠି ଉପରକୁ ଗୋଟେ କଟା ଦାଗ-। ତାଆରି ଉପରେ ହାତ ବୁଲେଇ ଆଣିଲାବେଳେ ବହୁଦିନ ତଳର ପୁରୁଣା ଆଘାତଟା ସତେ ଅବା ଚେଇଁଉଠେ । ତା ସାଙ୍ଗେ ସାଙ୍ଗେ ମନେପଡ଼ିଯାଏ ଆଉ ଗୋଟେ ଗ୍ଳାନିକର, ଲଜ୍ଜାକର ଅନୁଭୂତି ।

 

ପାଣି ଗିଲାସଟା ନେଇ ନାଇଡୁବାବୁଙ୍କ ପାଖକୁ ସେଦିନ ସେ ଯାଉଥିଲା । ବାରଣ୍ଡାରେ ଟିଣ ଚଉକିଟାଏ ଝୁଣ୍ଟିପଡ଼ି ହାତରୁ ଗିଲାସଟା ତା ପାଦ ଉପରେ ପଡ଼ିଗଲା । ଟୁକୁଡ଼ା କାଚଟିଏ ଗଳିଯାଇଥିଲା ଏଇ ଗୋଇଠି ଉପରକୁ । ପିଚ୍‌ପିଚ୍‌ ରକ୍ତ ନିଗିଡ଼ି ଆସିଥିଲା ଦୁର୍ବଳିଆ ଅନନ୍ତାର ଗୋଡ଼ରୁ । ଅନନ୍ତା ଦେହର ରକ୍ତ ବି ଏତେ ଲାଲ୍‌ ? ପାଦର ତଳିପା ଲାଲ ପଡ଼ିଯାଇଥିଲା ଆପଣା ରକ୍ତରେ । ମିନୁ ଦିଦି କହିଥିଲେ, “ବାହାଘର ଅଳତା ନ ହେଲା ନାହିଁ, ଅନନ୍ତାର ପାଦଟା ତ ନାଲି ବନିଗଲା.... ।”

 

ଅନନ୍ତା ଆଖିରୁ ଲୁହ ସିନା ଝରି ନ ଥିଲା, ଭିତରେ ଭିତରେ ସେ ଢେର୍‌ କାନ୍ଦିଥିଲା । କୋହମାନଙ୍କୁ ଆକଟ କରି ସେ ଅଟକେଇ ଦେଇଥିଲା । ମିନୁଦିଦିଙ୍କୁ ସେ ଜାଣେ । ମେନେଜରଙ୍କ ସାଙ୍ଗରେ ତାଙ୍କର ମିଠା ସମ୍ପର୍କ । ସେଇଥିପାଇଁ ସେ ମେସ୍‌କୁ ବରାବର ଆସନ୍ତି । କିନ୍ତୁ ସ୍ତ୍ରୀଲୋକଟେ ବି ଏତେ ନିର୍ଦ୍ଦୟ ଓ ନୃଶଂସ ହୋଇପାରେ ? ତାକୁ ଲାଗେ ସେ ଯେମିତି ଧାନ କ୍ଷେତରେ ପଶି ଯାଇଥିବା ବିଚରା ବଳଦଟିଏ । ସଭିଏଁ ପାଞ୍ଚଣ ଉଠେଇ ତାକୁ ପିଟିବାକୁ ଧାଇଁ ଆସୁଛନ୍ତି । ଦଉଡ଼ି ଦଉଡ଼ି ସେଠୁ ପଳେଇ ଆସିଥିଲା ଅନନ୍ତା ରୋଷେଇଘରକୁ ।

 

ସିଏ କଣ ପାଦରେ ଅଳତା ପିନ୍ଧିବ ବୋଲି ଚାହିଁ ନ ଥିଲା ? ତାଠୁଁ ଆଉ କିଏ ଅଧିକ ଉଦ୍ୟମ କରିଥିଲା ନିଜର ବାହାଘର ପାଇଁ ? ସେଦିନମାନଙ୍କର ‘ବାହାଘର ଯୋଗାଡ଼ରେ ଯାଉଛି’, କହି ଅନନ୍ତା ଗୋଟେ ଅପୂର୍ବ ଠାଣିରେ ଛୁଟି ଦରଖାସ୍ତମାନ ବଢ଼େଇ ଦେଉଥିଲା ମେସ୍‌ ମେନେଜରଙ୍କ ହାତକୁ ଓ ଭିତରେ ଭିତରେ ଫୁଲି ଉଠୁଥିଲା । ପାଦଯୋଡ଼ିକ ତାର ଚଞ୍ଚଳ ହେଇ ଯାଉଥିଲା । ହସଗୁଡ଼ିକ ବିଞ୍ଚି ହେଇ ଯାଉଥିଲା ଖୁଚୁରା ପଇସାମୁଠାକ ପରି । ଅନନ୍ତା ବାହାହେବ । ଏ ହେଇ ପଡ଼ୁଥିଲା ସେଇ ମେସ୍‌ଟି ପାଇଁ ଗୋଟେ ତାଜା ଖବର ।

 

ପ୍ରତିଥର କିନ୍ତୁ ନିରାଶରେ ଫେରୁଥିଲା ଅନନ୍ତା । ବାହାଘର କଥା ସହଜରେ ଠିକଣା ହୁଏ ନାହିଁ । କନ୍ୟା, ସୁନା, ଭୂମି–ଏସବୁ ଭାଗ୍ୟର କଥା ବୋଲି ସେଟଲ୍‌ମେଣ୍ଟ୍‌ ଅଫିସର ନରି ଚପରାସୀ କହେ । ସେ ରିଟାୟାର୍ଡ କରି ଚାଲିଗଲାଣି ଅନେକ ଦିନ ତଳୁ । ଅନନ୍ତା ପୁଣି ଗୋଟେ ତିଥିକୁ ଅପେକ୍ଷା କରେ, ତାପରେ ଆଉ ଗୋଟେ । ତିଥି ପରେ ତିଥି ହୋଇ ସବାଶେଷ ଶ୍ରାବଣ ତିଥି ବି ଚାଲିଯାଏ । ଅନନ୍ତାର ପାଦଯୋଡ଼ିକ ଯେମିତିକୁ ସେମିତି ନୁଖୁରା ପଡ଼ି ରହନ୍ତି । ସେଥିରେ ଅଳତାର ଦାଗ ଲାଗେ ନାହିଁ ।

 

ଯେଉଁଦିନ ତାଠୁଁ ସାତବର୍ଷ ସାନ ସନ୍ତିଆ ଆସି ନାଲି କାଳିର ବାହାଘର ନିମନ୍ତ୍ରଣ କାର୍ଡ ସବୁ ଧାଇଁ ଧାଇଁ ମେସ୍‌ ସାରା ବାଣ୍ଟିଥିଲା, ସେଦିନ ଅନନ୍ତା ଟିକେ ମନକଷ୍ଟ କରିଥିଲା । ତାକୁ ଲାଗୁଥିଲା, ବାହା ବୟସଟା ଆସି ପଳେଇଗଲା ଯେମିତି ! ଆଉ କେହି ଏଣିକି ତା ପାଇଁ ପ୍ରସ୍ତାବ ଆଣିବେ ନାହିଁ, ତା ସାଙ୍ଗେ ବାହାଘର ସମ୍ବନ୍ଧ ନେଇ କଥାବାର୍ତ୍ତା କରିବେ ନାହିଁ । ଗୋଟେ ଜନ୍ମର ସେଇ ଯେ ସମ୍ଭାବନା, ସୂତା ଛିଡ଼ିଥିବା ଗୁଡ଼ି ପରି କୁଆଡ଼େ ଆକାଶରେ ହଜିଗଲା !

 

ତମେ ବାବା ବହୁତ ବିଳମ୍ବ କରିଦେଲ–ଏମିତି ନିର୍ଦ୍ଦୟ ଓ କର୍କଶ ଥିଲା ପଦ୍ମନାଭ ବ୍ରହ୍ମଚାରୀଙ୍କ ପ୍ରଥମ ବାକ୍ୟ । ଗୋଟେ ନିମ୍ବଗଛ ମୂଳେ ପଦ୍ମନାଭ ବ୍ରହ୍ମଚାରୀଙ୍କ ଆସ୍ଥାନ । ଏ ସହରର ସେ ବିଶିଷ୍ଟ ଜ୍ୟୋତିଷ । ମେସ୍‌ରେ ଚାକିରି କଲାର ଦ୍ୱିତୀୟ ମାସରେ ଅନନ୍ତା ନରି ଚପରାସୀଠୁ ଖବର ବୁଝି ବୁଝି ପହଞ୍ଚିଥିଲା ପଦ୍ମନାଭ ଜ୍ୟୋତିଷଙ୍କ ପାଖରେ । ପଦିଆ ବୁଝିଥିଲା ଗୋଟେ ବାହାଘର ପ୍ରସ୍ତାବ । ଜଗୁ ମଳିକର ଝିଅ ଫୁଲ । ଫୁଲକୁ ଅନନ୍ତା ଚିହ୍ନେ । ତାଠୁଁ ବୟସରେ ଢେର୍‌ ସାନ । କିନ୍ତୁ ପଦିଆ ବୁଝେଇ ଦେଇଛି, ହାଲ୍‌ ଫେସନ୍‌କୁ ଏତେ ସାନବଡ଼ ବଛା ଯାଉଛି, ନ ହେଲେ ତ କନିଆ ଦଶାକୁ ବର ତିରିଶା ହେବା ନିୟମ ଶାସ୍ତ୍ରରେ ଅଛି । ପଦିଆ କଥା ଅନନ୍ତାକୁ ଭଲ ଲାଗିଥିଲା ସେଦିନ ।

 

ପଦ୍ମନାଭ ବ୍ରହ୍ମଚାରୀ ଗୋଟେ ସିଲଟରେ ଗାର ଟାଣି ଅନନ୍ତାର ଭୂତ ଓ ଭବିଷ୍ୟତ କହି ଯାଇଥିଲେ । କହି ନ ଥିଲେ କେବଳ ବର୍ତ୍ତମାନ କାଳର କଥା । ସେଗୁଡ଼ା କହିଥିଲେ ଅନନ୍ତା କାଳେ ମନ ଦୁଃଖ କରିଥାଆନ୍ତା । ବ୍ରହ୍ମଚାରୀ କହିଥିଲେ, ଅନନ୍ତା ଆରଜନ୍ମରେ ଭାରି ନୃଶଂସ ଥିଲା । ତା ସ୍ତ୍ରୀକୁ ସେ ସବୁଦିନେ ବାଡ଼ଉଥିଲା, ନାନାଦି ନିର୍ଯାତନା ଦେଉଥିଲା । ସେଥିପାଇଁ ଏ ଜନ୍ମରେ ବିଧାତା ତାକୁ କୁତ୍ସିତ କରି ଗଢ଼ିଛି, ଚେହେରା ଓ କଥାବାର୍ତ୍ତାରେ ତାର ନପୁଂସକତ୍ୱ ଗ୍ରାସ କରି ରହିଛି । କିନ୍ତୁ ଏସବୁ ଠିକ୍‌ ହୋଇଯିବ ।

 

ଅନନ୍ତା ପାଟି କରି କହିବାକୁ ଚାହୁଁଥିଲା, ସେ ନପୁଂସକ ନୁହେଁ, ମାଇଚିଆ ନୁହେଁ । ତା ଚେହେରା ସୁନ୍ଦର ଅସୁନ୍ଦର ହେବାରେ ତାର କିଛି ଦୋଷ ନାହିଁ । ସେ ଦୋଷ ପାଇଁ ସିଏ କାହିଁକି କଷ୍ଟ ପାଇବ ? କିନ୍ତୁ କହିପାରିଲା ନାହିଁ । ବ୍ରହ୍ମଚାରୀଙ୍କ ନାଲି ନାଲି ଆଖି, ଜଟାଜୁଟଧାରୀ ଚେହେରା, ଦେହସାରା ବିଭୂତି-ତିଳକର ପ୍ରଲେପ ଓ ଝୁଲାମୁଣି ଭିତରେ ଶାସ୍ତ୍ରପୁରାଣର ଭିଡ଼ ଅନନ୍ତାକୁ ରୋକି ଦେଇଥିଲା ।

 

କିଛି ଜଡ଼ିବୁଟି ଓ ଡେଉଁରିଆ ଧରି ଅନନ୍ତା ସେଦିନ ଫେରିଥିଲା । ତାକୁ ଲାଗୁଥିଲା, ଏମିତି ହୁଏତ ହେବ ଯେ କାଲି ସକାଳକୁ ଉଠିବାବେଳକୁ ସେ ସଳଖ ସୁନ୍ଦର ଭେଣ୍ଡାଟେ ପାଲଟି ଯାଇଥିବ-। କୁବୁଜାକୁ ଶ୍ରୀକୃଷ୍ଣ ସୁନ୍ଦରୀ କରିଦେଲେ । ଅହଲ୍ୟା ତ ପଥରରୁ ମୋକ୍ଷ ପାଇଗଲା । ଅନନ୍ତା ରକ୍ତମାଂସର ମଣିଷ । ଓଠଟା ବେବାଗିଆ ହେଇ ଫର୍କଟା ହେଇଯାଇଛି । ଆଗଦାନ୍ତ ଦୁଇଟା ବେହେଡ଼ା । ସେତକ ଛାଡ଼ି ଆଉସବୁ ତ ମୋଟାମୋଟି ଠିକ୍‌ ଅଛି । ସେଦିନ ରାତିରେ ସେ ଗୋଟେ ଆଇନା କିଣି ପକେଇଥିଲା ଫୁଟ୍‌ପାଥ୍‌ରୁ । ତାକୁ କାଗଜରେ ମୋଡ଼ିମାଡ଼ି ରଖିଲା ବିଛଣା ପାଖରେ-। ରାତିରେ ଦେଖିବ ନାହିଁ । ରାତିରେ କେବଳ ଜଡ଼ିବୁଟି ଖାଇ ଶୋଇଯିବ । ସକାଳୁ ଉଠି ପହିଲେ ଆଇନାରେ ଦେଖିବ ନିଜର ନୂଆ ଚେହେରା । ମୁହଁରୁ ଛଉ ହଟିଯାଇଥିବ । ଦାନ୍ତ ଭାଡ଼ି ଯୋଡ଼ିକ ଦିଶୁଥିବ ସୁନ୍ଦର । ଓଠଟା ବି ଆଉ ଅବାଗିଆ ହେଇ ରହି ନ ଥିବ । ଜୀବନରେ ପ୍ରଥମ କରି ସେ ନିଜେ ନିଜକୁ ଆବିଷ୍କାର କରିବ ନୂଆ ଚେହେରାରେ !

 

ଅନନ୍ତା ଆଗରୁ ଆଇନା ଦେଖେ ନାହିଁ । ଗାଧୋଇ ଗଲାବେଳେ ଗାଆଁ ପୋଖରୀ ପାଣିରେ ନିଜର ଛବି ଦେଖି ତାର ଭୟ ହୁଏ । ନିଜକୁ ନିଜେ ଅଭିଶାପ ଦିଏ । କିନ୍ତୁ ଦୁଃଖର ଦିନ ସରିଗଲା । ଏଣିକି ସୁଖ ଆଉ ସୁଖ । ବ୍ରହ୍ମଚାରୀ ଗୋଟେ ରୁଦ୍ରାକ୍ଷ ମାଳ ଆଣିଦେବେ । ହରିଦ୍ୱାରରୁ ଆସିବ ସେ ମାଳ । ତାକୁ ପିନ୍ଧି ପକେଇଲେ ଅନନ୍ତା ଦେହରେ ସିଂହର ବଳ ଆସିଯିବ । ଫୁଲ ଆଉ ତାକୁ ପାଖରୁ ଛାଡ଼ିବ ନାହିଁ ।

 

ରାତିସାରା ଅନନ୍ତା ଦେଖିଥିଲା ମିଠା ମିଠା ସ୍ୱପ୍ନ । ତା ଚାରିପଟେ ସୁନ୍ଦରୀ ରୂପବତୀ ତରୁଣୀଙ୍କ ଭିଡ଼ । ଅନନ୍ତାର ରୂପଶ୍ରୀରେ ସେମାନେ ପାଗଳିନୀ । ପରସ୍ପର ଭିତରେ ଈର୍ଷା ଅନନ୍ତାକୁ ଜିଣିବାର ପ୍ରତିଯୋଗିତାରେ । ଘର ଭିତରଟା ମହକି ଉଠୁଛି ଗଜରା ଓ ଅତରର ବାସ୍ନାରେ । ଅନନ୍ତା ଦିଶୁଛି ଗୋଟେ ଯୁଦ୍ଧବିଜୟୀ ରାଜପୁତ୍ର ପରି ।

 

ଆଖିବୁଜି ଆଇନାକୁ କାଗଜପୁଡ଼ିଆ ଭିତରୁ ବାହାର କରିଥିଲା । ଅନନ୍ତା ଆଲୁଅକୁ ପିଠିକରି ଦୁଇହାତରେ ଆଇନାଟିକୁ ତୋଳି ଧରିନେଲା ଓ ଆଖି ଖୋଲି ଦେଇଥିଲା ଅନନ୍ତା ସକାଳେ । ତାପରେ ନୂଆ ଆଇନାଟା ଅନନ୍ତାର ଥର ଥର ହାତମୁଠାରୁ ଖସି ପଡ଼ିଥିଲା । ଭାଙ୍ଗିଯାଇଥିଲା ନୂଆ ଆଇନା । ନୂଆ ଆଶା । ଗୋଟେ ଦୀର୍ଘଶ୍ୱାସରେ ଆଉଥରେ ଚହଲି ଉଠିଥିଲା ଅନନ୍ତାର ବିକୃତ ଚେହେରା ।

 

ଆଶା ଭାଙ୍ଗି ନ ଥିଲା । ଆଶାମାନେ ଏହିପରି । ଭାଙ୍ଗିଗଲା ପରେ ବି ନୂଆ ହେଇ ପ୍ରଲୁବ୍‌ଧ କରୁଥାନ୍ତି ମଣିଷମାନଙ୍କୁ । ଆଜି ନ ହେଲେ କାଲି, ନ ହେଲେ ପହରିଦିନ ଜଡ଼ିବୁଟି ତାର ପ୍ରଭାବ ଅଲବତ୍‌ ଦେଖାଇବ । ଅନନ୍ତା ଭଙ୍ଗା ଆଇନାର କାଚକୁ ଗୋଟେଇ ନେଇ ବାହାରେ ଫିଙ୍ଗି ଦେଇଥିଲା, ପୁଳାଏ ଅଦରକାରୀ ନିରାଶା ଓ ହତାଶାକୁ ଫିଙ୍ଗିଦେଲା ପରି ।

 

ପ୍ରତି ସପ୍ତାହରେ ଅନନ୍ତା କିନ୍ତୁ ଭେଟୁଥିଲା ପଦ୍ମନାଭ ବ୍ରହ୍ମଚାରୀକୁ । ଗଣି ଗଣି ପାଞ୍ଚଟଙ୍କା ପଚିଶ ପଇସା ଦିଏ । ତାଠୁଁ ଅଧିକା ବ୍ରହ୍ମଚାରୀ ସ୍ପର୍ଶ କରନ୍ତି ନାହିଁ । ଜଡ଼ିବୁଟି, ତାବିଜ ଓ ଡେଉଁରିଆ ଯେଉଁଠୁ ଆଣିଥିଲେ ବି ଅନନ୍ତା ଟଙ୍କା ଦେଇଥାନ୍ତା । ପଦ୍ମନାଭ ବ୍ରହ୍ମଚାରୀ ସେଗୁଡ଼ିକ ଯୋଗାଇଦେଇ ଅନନ୍ତାକୁ ବହୁତ ସାହାଯ୍ୟ କରନ୍ତି । ସାହସ ଦିଅନ୍ତି, ଧୈର୍ଯ୍ୟ ହିଁ ପରମ ଧ୍ୟେୟ । ଧୈର୍ଯ୍ୟ ଧରି ରୁହ । କେତେ ଯୁଗ ଧୈର୍ଯ୍ୟ ଧରି ରହିଥିଲା କୁବୁଜା । କେତେ ଜନ୍ମ ଅପେକ୍ଷାରେ ପଡ଼ିରହିଥିଲା ପାଷାଣୀ ଅହଲ୍ୟା ।

 

ସାଷ୍ଟାଙ୍ଗ ପ୍ରଣିପାତ କରି ଅନନ୍ତା ଫେରିଆସେ ମେସ୍‌କୁ । ରୋଷେଇ ବସାଏ । କଳ ପାଖରେ ପକେଇଦେଇ ଯାଇଥାଏ ଅଇଁଠା ବାସନକୁସନ । ବାବୁମାନେ ଦପ୍ତରରୁ ଫେରି ଆସନ୍ତି ।

 

ଗୁଣ୍ଡୁଚିମୂଷାଟେ ପରି ପାଞ୍ଚଟଙ୍କା ଦଶଟଙ୍କା ସାଇତି ରଖେ ଅନନ୍ତା ଗୋଟେ ଭଙ୍ଗା ଟିଣ ବାକ୍‌ସରେ । ରାତିରେ ଶୋଇଲା ପୂର୍ବରୁ ସବୁଦିନେ ମିଳେଇ ଦେଖେ ହିସାବ । କାହାକୁ ବିଶ୍ୱାସ ଅଛି ? ଗାଆଁ ପାଖର ପିଲାଟେ ଥରେ ଆସିଥିଲା । ଅନନ୍ତା ଭାଇ, ଅନନ୍ତା ଭାଇ କହି ରାତିଟା ଆଶ୍ରୟ ଲୋଡ଼ିଥିଲା ମେସ୍‌ରେ । ଅନନ୍ତା ନିଜେ ବାରଣ୍ଡାରେ ଗାମୁଛା ପାରି ଶୋଇ ପିଲାଟାକୁ ଦେଇଥିଲା ତା କନ୍ଥା ଓ ତକିଆ । ପିଲାଟା ସକାଳୁ ପଳେଇଗଲା ଗାଆଁକୁ । କିନ୍ତୁ ଅନନ୍ତା ବାକ୍‌ସରୁ ଚଉରାଳିଶ ଟଙ୍କା ନେଇ ପଳେଇଥିଲା । ଅନନ୍ତା ସେଦିନ ଗୋଟେ ମଜଭୁତ ତାଲା କିଣି ଆଣିଥିଲା, ବାକ୍‌ସ ଭାଙ୍ଗିବ ପଛକେ ତାଲା ଫିଟିବ ନାହିଁ ।

 

ପଛକଥାଗୁଡ଼ାକ ପୁଣି ମନେପଡ଼େ ।

 

ପଦିଆ ଭରସା ଦେଇଥିଲା । ସେଦିନ ନିଶ୍ଚୟ ହୋଇଥାନ୍ତା ଅନନ୍ତାର ବାହାଘର । ଗଣି ଗଣି ଆଠଶହ ଟଙ୍କା ପଠେଇଥିଲା ପଦିଆ ପାଖକୁ । ଫୁଲର ରୂପ ବର୍ଣ୍ଣନା ଶୁଣି ଅନନ୍ତା ଖୁସିରେ ନାଚି ଯାଇଥିଲା ଘେରାଏ । ପଦିଆକୁ ସେଦିନ ସ୍ପେଶାଲ ଚା ପିଆଇ ସେ ଛାଡ଼ିଥିଲା ବସ୍‌ଷ୍ଟାଣ୍ଡ୍‌ରେ-

 

ପଦିଆଟା ଭାରି ଭଲ । ଗାଆଁଟି ଭିତରେ ଏଇ ପଦିଆ–ଗହଣା ଭିତରେ ନିମକାଠି ପରି ତାର ଏକମାତ୍ର ବନ୍ଧୁ । ସିଏ ତାକୁ ଦୁର୍‌ଦୁର୍‌ କରେ ନାହିଁ । ଅନ୍ୟମାନଙ୍କ ପରି ପାଖରୁ ତଡ଼ିଦିଏ ନାହିଁ କୁକୁର ବିଲେଇ ପରି । ତା ସାଙ୍ଗରେ ଦୁଃଖସୁଖ ହୁଏ । ଅନନ୍ତାର ଦୀର୍ଘଶ୍ୱାସ ସାଙ୍ଗେ ପଦିଆ ପରିଚିତ । ତାକୁ ସାହସ ଦିଏ–ସବୁ ଠିକ୍‌ ହେଇଯିବ ।

 

ଅନନ୍ତା ପଚାରେ ତା ବୋଉ କଥା । ଛୁଟି ପାଇଲେ ସେ ଗାଆଁକୁ ଯିବ । ଅନନ୍ତା ନ ଥିଲାବେଳେ ତା ବୋଉ ଖବର ବୁଝିବାକୁ ପଦିଆକୁ ବାରମ୍ବାର ନେହୁରା ହୁଏ । ପଦିଆ ସାହସ ଦିଏ । ବାଟଖର୍ଚ୍ଚ ଧରି ଗାଆଁକୁ ଫେରିଆସେ ପଦିଆ ।

 

କାମ ଜଞ୍ଜାଳରୁ ଘଡ଼ିଏ ଛୁଟି ପାଇଲେ, ଖରାବେଳ ଦ୍ୱିପହରେ କି ରାତିର ଅନ୍ଧାରରେ ଅନନ୍ତା ତା ବୋଉକଥା ଭାବି ହୁଏ । ମନେପଡ଼େ ନିଜର ଗାଆଁ ଭୂଇଁ କଥା । ଗାଆଁ ମୁଣ୍ଡରେ ତାର ଝୁମ୍ପୁଡ଼ି ଘର । ଦାଣ୍ଡକବାଟ ଚାହାପେଟୀ ପତଳା କାଠର ତ ବାଡ଼ିକବାଟ ଗୁଡ଼ାଖୁ ଟିଣର । ଇଏ କି ଘର ? ଆଗେ ବାହାଘରଟା ସରିଯାଉ । ସବୁ ସଜାଡ଼ିଦେବ ଅନନ୍ତା । ତା ବୋଉ ଆଉ ପରଘରେ ପାଇଟି କରିବ ନାହିଁ । ପୋଇ ସିଝେଇ କି ଅଟାଆଣ କରି ପିଇବ ନାହିଁ । ତତଲା କଷାଳିଆ ଚା ପାଣିରେ ଭୋକ ମାରିବ ନାହିଁ । କୁହୁଳା ଧୂଆଁରେ ଲୁହ ନିଗାଡ଼ି ରାତିସାରା କାଶି କାଶି ଦହଗଞ୍ଜ ହେବ ନାହିଁ ।

 

ପୁଣି ମନେପଡ଼େ ଫୁଲ କଥା । ଫୁଲବୋଉ ରାଜି ହେଇଛି । ଅନନ୍ତା ହାତରେ ତା ଝିଅକୁ ବାହା ଦେବ । ପୁରୁଷପୁଅର ରୂପରେ କଣ ଅଛି ? ତିନିଶ ଟଙ୍କା ପଦିଆ ହାତରେ ପଠେଇ ସାରିଥିଲା ଅନନ୍ତା । ସେ ସନ ଯୋଡ଼ା ବରଷ ଚାଲୁଥିଲା ଫୁଲକୁ । ଆସନ୍ତା ବର୍ଷକୁ ବାହାଘର ନିଶ୍ଚୟ ହେବ ।

 

ଡଉଲଡାଉଲ ଚେହେରାର ଝିଅ ଫୁଲ, ଖୁନ୍ଦିଦେଲା ପରି ଯୌବନ । କେତେଥର ପୋଖରୀରୁ ପାଣି ନେଇଥିଲାବେଳେ ଅନନ୍ତା ଦେଖିଛି ଫୁଲକୁ । ସାହସ ସଞ୍ଚିଛି, ଅଟକେଇ ପଦେ କଥା ହେବ । ଦୂରରୁ ଆସୁଥାଏ ଫୁଲ ହଲି ଦୋହଲି । ଅନନ୍ତା ହିଡ଼ ଉପରକୁ ଉଠିଆସେ । ଭାବିଚିନ୍ତି ଶବ୍ଦଗୁଡ଼ାକ ତିଆରି କରେ ନିଜ ଭିତରେ । ଓଠ ଶୁଖିଯାଏ । ଆଉଥରେ ଜିଭ ବୁଲେଇ ଆଣେ ଓସାରିଆ ଓଠ ଉପରେ । ଫୁଲ ଆସେ, ପୁଣି ଚାଲିଯାଏ । ଅନନ୍ତା ତୋଟି ପାଖରୁ ଶବ୍ଦଗୁଡ଼ାକ ଉଡ଼ି ପଳାନ୍ତି । ଫୁଲ ଚାଲିଗଲା ପରେ ବେଜାଏ ଅବସୋସ, ଅବସାଦ ।

 

ପଦିଆ ବୁଝେଇଦିଏ, ଆଉ କେତେଟା ଦିନ କି ମଝିରେ ? ତାପରେ ତୁ ଆଉ ଫୁଲ । ରାତି ରାତି ବିତିଯିବ ଗପ ଗପୁ ଗପୁ । ସେ କଣ କୁଆଡ଼େ ଚାଲିଯାଉଛି ?

 

ଅନନ୍ତା ଫେରିଆସେ ସହରକୁ । ତାର ସେ ପୁରୁଣା ମେସ୍‌କୁ । ଛୁଟି ସରି ଯାଇଥାଏ । ବାବୁମାନଙ୍କର ବାରକଥା, ନାଲି ଆଖି । ଏମିତି ବରାବର ଛୁଟିନେଲେ ଦୋସରା ପୂଜାରୀ ରଖିବୁ । ତେଣିକି ଆମକୁ ଦୋଷ ଦେବୁ ନାହିଁ । ମନଟା ଦବିଯାଏ ।

 

କାହାକୁ ଦୋଷ ଦିଏ ନାହିଁ ଅନନ୍ତା । ସବୁ ଦୋଷ ତା ଭାଗ୍ୟର । ଏତେବର୍ଷ ଗଲାଣି, ଆଉ କେଇଟା ମାସ ମଝିରେ । ସବୁ ରାତିର ଶେଷ ଅଛି, ସବୁ ଦୁଃଖ ଶେଷରେ ସୁଖ ଅଛି । ଦିନରାତି ତ ବିଧାତାର ନିୟମ ।

 

ପୁଳାଏ ନୂଆ ଆଶାକୁ ଛାତିରେ ଜାକିଧରି ଅନନ୍ତା ମେସ୍‌ର ରୋଷେଇ ଘର ଆଗ ଅଗଣାରେ ଶୋଇଯାଏ । ଶୋଉ ଶୋଉ ଆଖିରେ ବସା ବାନ୍ଧିଦିଏ ଗହଳ ନିଦ । ସକାଳୁ ଉଠି ଆଗେ ସେ ଦଉଡ଼େ ହନୁମାନ ମନ୍ଦିରକୁ ସବୁଦିନ । ତାବିଜ ଓ ରୁଦ୍ରାକ୍ଷ ମାଳଟିକୁ ତକିଆତଳୁ କାଢ଼ି ପିନ୍ଧିପକାଏ । ଶୌଚ ବେଳେ ମନ୍ତୁରା ମାଳ ପିନ୍ଧିବା ପାଇଁ ବ୍ରହ୍ମଚାରୀଙ୍କ ବାରଣ ।

 

ଦୁଆରମୁହଁରେ କଣ ଗୋଟାଏ ଖସ୍‌ ଖସ୍‌ ଶୁଭୁଛି । ଅନନ୍ତାର ନିଦ ଭାଙ୍ଗିଗଲା । ବାବୁମାନେ ତ ଆପଣା ଅପଣା କୋଠରିରେ ଶୋଇଛନ୍ତି । ଏତେ ରାତିରେ ମେସ୍‌କୁ କିଏ ଆସିଲା-?

 

ଅନନ୍ତାର ନିଦ ଭାଙ୍ଗିଗଲା । ମେସ୍‌ ସାମ୍ନାରେ ଦୂରଛଡ଼ା ହେଇ ଚମ୍ପାଗଛ । ଚମ୍ପାଗଛକୁ ବେଢ଼େଇ ପକ୍‌କା ଚଉତରା । କାଳିଜହ୍ନର ଆଲୁଅରେ ସଫା ଦିଶୁନାହିଁ । କୁକୁର ନୁହେଁ, ମଣିଷ ଦି ଜଣ ବସିଥିଲେ ? ଅନନ୍ତା ପାଟିକିର ଉଠିଲା–କିଏ ସେଠି ? ଛାୟାମୂର୍ତ୍ତି ଦିଇଟା ପଳେଇଗଲେ । ଅନନ୍ତା ଜାଣିଲା, ସେଇ ଆରପଟ ଘରର ଚାକରାଣୀଟା ନାଇଡୁ ପାଖକୁ ପୁଣି ଆସିଥିଲା ।

 

ଗୋଟେ ନିଷିଦ୍ଧ ଉତ୍ତେଜନାରେ ଗିନାଏ ଝାଳ ନିଗିଡ଼ିଗଲା ଅନନ୍ତାର । ପଇଁଚାଳିଶ ବର୍ଷର ଗୋଟେ ଦରବୁଢ଼ା ଦେହରେ ଏ ଉତ୍ତେଜନା ? ଛି, ଛି, ଲାଜକଥା । ଯିଏ ଯାହା କରିବାର କରୁ । ତାର ସେଥିରେ ଯାଏ କେତେ, ଆସେ କେତେ ?

 

କଳସୀରୁ ପାଣି ଗିନାଏ ନିଗାଡ଼ି ଅନନ୍ତା ପିଇଲା । ଟିକିଏ ଏଆଡ଼ ସେଆଡ଼ ଚାହିଁ ବିଛଣା ପାଖକୁ ଆସି ଶୋଇବାର ଉପକ୍ରମ କଲା । ରାତି ଆଉରି ଢେର୍‌ ବାକି ଅଛି । ଆଖିରେ ନିଦ କିନ୍ତୁ ଆସୁ ନାହିଁ ।

 

ପଦିଆ ଫୁଲକୁ ଦୁଇବର୍ଷ ତଳୁ ଛାଡ଼ି ଦେଇଥିବା ଖବର ଶୁଣିବା ପରଠାରୁ ଅନନ୍ତା ଅନ୍ୟମନସ୍କ ହୋଇପଡ଼ିଛି । ସେତେବେଳେ ଫୁଲ ପେଟରେ କୁଆଡ଼େ ଥିଲା ପାଞ୍ଚମାସର ପିଲାଟାଏ । ଫୁଲ ପ୍ରତି ସହାନୁଭୂତିରେ ଅନନ୍ତାର ଛାତି ତଳଟା ନରମିଗଲା । କିନ୍ତୁ କାହିଁକି ? ଫୁଲ ତାର କିଏ ? ସେ ଜିଇଁଲେ, କି ମରିଗଲେ ଅନନ୍ତା କାହିଁକି ଲୁହ ଗଡ଼େଇବାକୁ ଯିବ ? ଫୁଲ ତ ତା ପାଇଁ ପାଞ୍ଚବର୍ଷ ତଳୁ ମରିଯାଇଛି ।

 

ଏଇ ଫୁଲ ତା ଜୀବନର ଚରମ ଅବସୋସ । ତା ଅସହାୟ ପୁରୁଷାକାରର ଶେଷକଥା । ଅନନ୍ତା ସେସବୁ ମନେ ପକେଇବାକୁ ଚାହେଁ ନାହିଁ ।

 

ଆଖି ଆଗରେ ଆଉ ଗୋଟେ ଦୃଶ୍ୟ ପୁଣି ନାଚିଗଲା । ଗରମ ଚାହା ଢୋକ ତଳପେଟ ଯାଏ ଗଡ଼ିଗଲା ପରି ଗୋଟେ ଉତ୍ତେଜନା ସଞ୍ଚରିଗଲା ଦୁର୍ବଳ ଦେହ ଭିତରେ । ଅନେକ ଚେଷ୍ଟା କରି ସେ ଦୃଶ୍ୟଟିକୁ ସେ ଆଡ଼େଇ ପାରିଲା ନାହିଁ ।

 

ପାଞ୍ଚ ମାଇଲ ହିଡ଼ବନ୍ଧ ରାସ୍ତାର ଦୂରତା ସେଦିନ ଅନନ୍ତାକୁ ଲାଗିଥିଲା ଆଠ ଦଶ ପାହୁଣ୍ଡର ରାସ୍ତା ପରି । ହଳଦୀବସନ୍ତଟେ ଫୁର୍‌ କିନା ଉଡ଼ିଯାଇଥିଲା ଅନନ୍ତାର ରାସ୍ତା କାଟି । ଶୁଭ, ଶୁଭ ! ପଦ୍ମନାଭ ବ୍ରହ୍ମଚାରୀର କଥା ମିଛ ନୁହେଁ । ଫୁଲ କଥା ମନେ ପଡ଼ିଥିଲା ବାଟସାରା । ମୁହଁ ଖୋଲି କହିପାରେ ନାହିଁ ସିନା, ସାଙ୍ଗସୁଖରେ ସେ ଅନନ୍ତା କଥା କୁଆଡ଼େ ବରାବର ପଚାରେ । ସେ ଭଲପାଏ ଅନନ୍ତାକୁ । ପଦିଆ ଗୋପନରେ ଏ ଖବର ଯେଉଁଦିନ ଜଣେଇଥିଲା, ଅନନ୍ତା ଖୁବ୍‌ ଖୁସି ହେଇଥିଲା । ଏତେବଡ଼ ଦୁନିଆରେ ଜଣେ ହେଉ ପଛେ କିଏ ତ ଅଛି, ଯିଏ ଅନନ୍ତାକୁ ଭଲପାଏ । ବାହାରର ଚେହେରା ଅପେକ୍ଷା ଅନନ୍ତାର ଭିତରର ମଣିଷପଣିଆକୁ ମନ ଦେଇ ଭଲପାଏ । ଏତିକି ଭଲପାଇବା ନେଇ ସେ ଖୁସିରେ ବଞ୍ଚି ଯାଇପାରିବ ଅବଶିଷ୍ଟ ଜୀବନ ।

 

ଅନନ୍ତା ବେକର ରୁଦ୍ରାକ୍ଷମାଳକୁ ପଦାକୁ କାଢ଼ିଆଣି ମୁଣ୍ଡରେ ଲଗେଇଥିଲା । ଏସବୁ ତ ହରିଦ୍ୱାର ରୁଦ୍ରାକ୍ଷର ମହିମା !

 

ଘର ସାମ୍ନାରେ ପହଞ୍ଚିଲା ପରେ ହିଁ ଅନନ୍ତାର ମୋହଭଙ୍ଗ ହେଇଥିଲା । ଛାମୁଣ୍ଡିଆ ବନ୍ଧା ହେଇନାହିଁ, ଘର କାନ୍ଥରେ ଝୋଟି ନାହିଁ କି ପିଣ୍ଡାରେ କଳସ ନାହିଁ । ପଦିଆ ନିଜେ ଚିଠା କରି ଗଣି ଗଣି ଆଣିଥିଲା ବାହାଘର ଖର୍ଚ୍ଚ । କାହିଁକି ତାହେଲେ ସବୁଆଡ଼େ ନିରବତା, ଖାଁ ଖାଁ ଭାବ ? ସେ ହତାଶ ହେଇଯାଇଥିଲା ।

 

ଅନନ୍ତାର ସ୍ୱପ୍ନ ଯେ ପାହାଡ଼ଠାରୁ ଆଉରି ଉଚ୍ଚା ଥିଲା । ଉଚ୍ଚ ଥିଲା ବୋଲି ହିଁ ତ ଅନନ୍ତା କଚାଡ଼ି ପଡ଼ିଥିଲା ଘର ଅଗଣାରେ, ଯେତେବେଳେ ତା ବୋଉଠୁ ଶୁଣିଥିଲା ଫୁଲ ଓ ପଦିଆ ଦୁହେଁ ଗାଆଁରୁ ଫେରାର୍‌ ହେଇ ଯାଇଥିଲେ । ବୁଢ଼ୀମାଆଟି ବା କଣ କରିପାରିଥାନ୍ତା ? ଅନନ୍ତାର ଟଙ୍କାପଇସା ଓ ଫୁଲକୁ ନେଇ ପଳାଇଛି ପଦିଆ, ତାର ସାଙ୍ଗ, ତା ବାହାଘରର ମଧ୍ୟସ୍ଥ ।

 

ଗୋଟି ଗୋଟି କରି ଅନନ୍ତା ତାର ଝୁଲାମୁଣିକୁ ବାହାର କରି ଆଣିଥିଲା ଘରକରଣାର ଜିନିଷପତ୍ର । କାଚ ଓ ସିନ୍ଦୂର ଡବା, କଜ୍ୱଳ ଓ ପାନିଆ, ବୋହୂ ପାଇଁ ରୁପାର ହାର ଓ ନିଜ ପାଇଁ ନୂଆ ଚପଲ । କଚାଡ଼ି ଭାଙ୍ଗି ଦେଇଥିଲା ପାଣିକାଚ ଓ ଆଇନା, ଗୋଇଠା ମାରି ଦୂରକୁ ଫିଙ୍ଗି ଦେଇଥିଲା ପାଉଡର ଡବା ଓ ଅଳତା ଶିଶି । ସବୁ ମିଛ, ସବୁ ପ୍ରତାରଣା, ସବୁ ଖାଲି ମିଠା ମିଠା ପ୍ରଲୋଭନ... । ସାଙ୍ଗସାଥୀ ମିଛ, ଫୁଲ ମିଛ, ପଦ୍ମନାଭ ବ୍ରହ୍ମଚାରୀ ମିଛି, ରୁଦ୍ରାକ୍ଷ-ତାବିଜ-ଡେଉଁରିଆ ହନୁମାନ–ସବୁ ମିଛ ମିଛ ମିଛ ।

 

ରାତି ପାହିବା ପାହିବା ହେଲାଣି । ଅନନ୍ତା ଆଉ ଶୋଇପାରିବ ନାହିଁ । ଆଖିରେ କୋଉଦିନୁ ଜମି ଆସିଲାଣି ପରଳ । ନେଞ୍ଜରା ସାଙ୍ଗରେ ଲୁଣିଆ ଲୁହ ଆଉଥରେ ଜମାଟ ବାନ୍ଧିବାର ଉପକ୍ରମ କରୁଛି । ଅନନ୍ତା ତାକୁ ପୋଛିଦେଲା ପାପୁଲି ପିଠିରେ । ଦରବୁଢ଼ା ମଣିଷଟା ଆଖିରେ ଲୁହ ସାଜେ ନାହିଁ ।

 

ଅନେକ ଦିନ ପର୍ଯ୍ୟନ୍ତ ସେ ଅବଶ୍ୟ ଖୋଜିଥିଲା ପଦିଆକୁ, ଝୁରି ହେଇଥିଲା ଫୁଲକୁ । ବାରମ୍ବାର ଆଖି ଆଗରେ ନାଚି ଉଠିଥିଲା ଗୋଟେ ଅନୁଚିତ ଦୃଶ୍ୟ । କେଉଁ ଦୂର ସହରତଳି ବସ୍ତିରେ ପଦିଆ ଓ ଫୁଲ ପାଖାପାଖି ଶୋଇଚନ୍ତି ଉଧୁ ନଙ୍ଗଳା ହେଇ । ପଦିଆର ଟାଆଁସା ହାତ ଫୁଲର ଫୁଙ୍ଗୁଳା ପିଠି ଉପରେ ଧୀରେ ଧୀରେ ଖସି ଆସୁଛି, ଗଛ ଡାଳରୁ ସାପଟେ ତଳକୁ ଓହ୍ଲେଇବା ପରି । ଅନନ୍ତା ବିଛଣାରୁ ଉଠି ପଡ଼ୁଥିଲା, ଦୁଇହାତ ମୁଠା ମୁଠା କରି ପଦାକୁ ବାହାରି ପଡ଼ୁଥିଲା । ହାଣିଦେବ, କାଟିଦେବ କହି ନିଷ୍ଫଳ ଆକ୍ରୋଶରେ ପଳଉଥିଲା ବସ୍‌ଷ୍ଟାଣ୍ଡ୍‌ ଓ ଷ୍ଟେସନ୍‌ । ଭିଡ଼ ଭିତରେ ଖୋଜି ହେଉଥିଲା ଦୁଇଟି ବିଶ୍ୱାସଘାତକ ଚେହେରା । କାହାକୁ ପାଉ ନ ଥିଲା ସେଠି-। ନିଜେ ହିଁ କ୍ଳାନ୍ତ ହେଇ ଫେରୁଥିଲା ସଞ୍ଜବୁଡ଼େ ।

 

ଆଜି କିନ୍ତୁ ଅନନ୍ତା ନିଜକୁ ନିଜେ ବୁଝଉଥିଲା । ଫୁଲର ବା ଅପରାଧ କେଉଁଠି ? ସିଏ ତ କେବେ ଥରୁଟିଏ ପାଇଁ କହି ନ ଥିଲା ଅନନ୍ତାକୁ ଭଲପାଉଥିବା କଥା । ଏଇ ଚେହେରାର ଗୋଟେ ମଣିଷକୁ ଫୁଲ ପରି ଗୋଟେ ଝିଅ କଣ କେବେ ଭଲପାଇପାରେ ? ଦିନଟେ ପାଇଁ କାହିଁକି ସେ ନିଜେ ପଚାରିଲା ନାହିଁ ଫୁଲକୁ ? ସିଏ ଆପେ ଆପେ ଉପରେ ପଡ଼ି ଭଲପାଇଥିଲା ଫୁଲକୁ, ସେ ଦୋଷ ତାର । ଫୁଲ ଯଦି ଭଲପାଇଥିଲା ପଦିଆକୁ, ସେ ଭାଗ୍ୟ ପଦିଆର । ନିଜର ଦୋଷ ପାଇଁ ଆଉ କାହାର ଭାଗ୍ୟକୁ ଈର୍ଷା କରିବାର ଅର୍ଥ କିଛି ହୁଏ ନାହିଁ ।

 

ଗୋଟେ ଅଜବ ଖିଆଲରେ ଦିନେ ଅନନ୍ତା ନିଜ ହାତରେ ତା ପାଦରେ ନେସି ପକେଇବାକୁ ଚାହିଁଥିଲା ଦୁଇଧାର ଅଳତା । ପୁରୁଷପୁଅର ସେତକ ଚିହ୍ନ, ସେ ବାହା ହେଇଛି । ଆଉ କେହି ତାକୁ ପଚାରିବ ନାହିଁ ସେଇ ବିରକ୍ତିକର ପ୍ରଶ୍ନ–ସେ ବାହାହେଲା କି ନାହିଁ । ଏଥର ବି କୁଆଡ଼େ ପଳେଇଗଲା କି ତାର କନିଆଁ ବେଦୀ ଉପରୁ ? କାହିଁକି ପଳେଇଗଲା ? କାହା ସାଙ୍ଗରେ ପଳେଇଗଲା ? ଗୋଟେ ଛୋଟିଆ ମିଛ ସମସ୍ତଙ୍କୁ ନିରବ କରିଦିଅନ୍ତା ।

 

ସେଦିନ ଭଙ୍ଗା ଟିଣ ବାକ୍‌ସଟାକୁ ଗୋଟାଏ ଗୋଇଠାରେ ଦୂରକୁ ଠେଲି ଦେଇଥିଲା ଅନନ୍ତା । ବାକ୍‌ସଟା ଦୂରକୁ ଘୁଞ୍ଚିଗଲା । ହୁଏତ ସେ କହିବାକୁ ଚେଷ୍ଟା କରୁଥିଲା, ଯେତେ ରାଗ ଅଛି ସବୁ ସାରିଦେ ମୋ ଉପରେ । ମୋର ବି ତୋ ପରି ଭାଗ୍ୟ । ବାହାରେ ଝୁଲେଇ ରଖିଛୁ ବଡ଼ ତାଲାଟେ, ଭିତରେ ପୁଳାଏ ଶୂନ୍ୟତା । ଚାରିଆଡ଼ କଳଙ୍କି ଧରି ଆସିଲାଣି । ଆଉ ବା କେତେଦିନ-? କୁଆଡ଼େ ଯିବି ?

 

ଅନନ୍ତା ଉଠିପଡ଼ିଲା । ବାକ୍‌ସଟାକୁ ଆଦରରେ ଟେକି ଟେକି ଆଣି ଯଥା ସ୍ଥାନରେ ରଖିଥିଲା । କିଏ କଣ କହିବ ବୋଲି ସିଏ ନିଜ ହାତରେ ଅଳତା ପିନ୍ଧିବ ? ଛି, କାହାର ଦୁଃଖ ନାହିଁ ଯେ ! ପଦିଆର ନାହିଁ ? ଫୁଲର ନାହିଁ ? କୁଆଡ଼େ କୁଆଡ଼େ ବୁଲୁ ନ ଥିବ ବିଚାରୀ କଞ୍ଚା ବୟସରେ ଗୋଟେ କୋଡ଼ପୋଛା ଛୁଆକୁ ଧରି ? ମେସ୍‌ ମେନେଜର ନାଇଡୁବାବୁର ଦୁଃଖ ନାହିଁ ? ମିନୁଦିଦିର ଦୁଃଖ ନାହିଁ ? ସମସ୍ତଙ୍କର ଦୁଃଖ ଅଛି, ଟିଣ ବାକ୍‌ସର ବି ଦୁଃଖ ଅଛି ।

 

କଳରେ ପାଣି ଆସିଲାଣି । ରାତିରେ ଟ୍ୟାପ୍‌ଟା ବନ୍ଦ କରିଦେବାକୁ ଅନନ୍ତା ଭୁଲିଯାଇଥିଲା ହୁଏତ । ସେ ଉଠିପଡ଼ିଲା । ଆଉ ଗୋଟେ ନୂଆ ସକାଳ । ପୁଣି ତାକୁ ଚୁଲିରେ ନିଆଁ ଧରେଇବାକୁ ପଡ଼ିବ । ବାବୁମାନଙ୍କ ପାଇଁ ଚାହା ବସେଇବ । ମେନେଜରଙ୍କୁ ପଚାରିବ–ଆଜିର ତରକାରି କଣ ହେବ ? ବଜାରକୁ ଯିବ । ପରିବା ଓ ସଉଦା କିଣି ଫେରିବ । ରୋଷେଇ କରିସାରି ଖାଇବାକୁ ବାଢ଼ିଦେବ । ଏସବୁ ତା କାମ । ଶୋଇ ରହିଲେ କାମ ଅଟକିବ ନାହିଁ ।

 

ବାବୁମାନେ ଉଠିବେ । ପୁଣି ଥରେ ତାକୁ ସେଇକଥା ପଚାରିବେ । ପରସ୍ପରକୁ ଚାହିଁ ହସିବେ । ଏଇ ଥଟ୍ଟା, ପରିହାସ ତାଙ୍କ ଅଭ୍ୟାସ । ଅନନ୍ତା ଅଭିମାନ କରିବ ଓ ରାତିସାରା ପୁଣି ଭାବିହେବ ପୁରୁଣା କଥା । ଇଏ ତାର ଅଭ୍ୟାସ ।

 

ଜୀବନକୁ ବୁଝିବା ପାଇଁ ଜିଇଁବା ଭିନ୍ନ ଆଉ କଣ ବା ମାଧ୍ୟମ ଅଛି ଅନନ୍ତା ପାଖରେ ?

Image

 

ପୁନରାବୃତ୍ତି

ବିଲେଇ

 

ଏକଲା ସମୟ ସବୁ କିପରି ବିତେ ?

 

ରବିବାର ଛୁଟିଦିନ । ପିଲାମାନେ କେହି ଘରେ ନାହାନ୍ତି । ତାଙ୍କୁ ଘର ଜଗେଇଦେଇ ସେମାନେ ବୁଲି ଯାଇଛନ୍ତି । ତାଙ୍କୁ ସାଙ୍ଗରେ ଯିବା ପାଇଁ ଡାକୁଥିଲେ । ସେ ନାହିଁ କଲେ । ଏ ବୟସରେ ବୁଲିଯିବା ସାଜେ ନାହିଁ । ତାଙ୍କର ଏବେ ତୀର୍ଥ ଯିବା ବୟସ । ଆରବର୍ଷକୁ ତୀର୍ଥ ଚାଲିଯିବେ, ଆଉ ଫେରିବେ ନାହିଁ । ସଂସାରମାୟାକୁ ନ ମୂର୍ଚ୍ଛିଲେ ଏ ମାୟା ମଲା ପର୍ଯ୍ୟନ୍ତ ଗୁଡ଼େଇ ରହିଥିବ ।

 

କିନ୍ତୁ ବିଲେଇଟି ଗଲା କୁଆଡ଼େ ? ବୁଢ଼ୀ ଧନ୍ଦି ହେଲେ । ଏକଲା ଘରଟା ଭିତରେ ସେଇ ବିଲେଇଟା ତାଙ୍କର ସାଙ୍ଗ । ତାଆରି ସାଙ୍ଗରେ ସେ ସୁଖଦୁଃଖ ହୁଅନ୍ତି । ବିଲେଇ ସବୁ ଶୁଣିଲା ପରି ବସିରହେ । ଭାତ ଗଣ୍ଡେ ଆଗରେ ଥୋଇଦେଲେ ଚଙ୍ଗଚଙ୍ଗ ହୋଇ ଏଣେତେଣେ ଅନେଇ ତାପରେ ଖାଏ । ଘର ଭିତରେ ଭିଡ଼ ଥିଲେ ପାଖକୁ ଆସେ ନାହିଁ । ସଭିଏଁ ଚାଲିଗଲା ପରେ ତାଙ୍କ ପାଖକୁ ଆସେ ।

 

ରୋଷେଇଘରୁ ବାସନ ଖଣ୍ଡେ ପଡ଼ିବାର ଶବ୍ଦ ଶୁଭିଲା । କି ବିଲେଇ କେଜାଣି ? ଯେତେ ଯାଚିଦେଲେ ବି ଚୋରଣୀ ଖୋଇ ଛାଡ଼ିବ ନାହିଁ । ଚୋରଣୀ ଅଭ୍ୟାସ ତା ରକ୍ତରେ ଅଛି । ବୁଢ଼ୀ ଉଠିପଡ଼ି ବିଲେଇକୁ ତଡ଼ିଦେଲେ । ବିଲେଇଟି ଝରକା ଡେଇଁ ସେପଟକୁ ପଳେଇଗଲା । ବୁଢ଼ୀ ରୋଷେଇଘର କବାଟ ଆଉଜେଇ ଆଣିଲେ ।

 

ବିଲେଇଠୁ ଭାବନାତକ ଦୂରେଇ ଆଣି ବୁଢ଼ୀ କବାଟ ପାଖରେ ବସିପଡ଼ିଲେ । ଟିକିଏ ବୁଲାଚଲା କଲେ ଥକ୍‌କା ଲାଗୁଛି । ଆଖିକୁ ଦୂର ଜିନିଷ ଭଲ ଦିଶୁନାହିଁ । କେତେ ସଅଳ ଦିନଗୁଡ଼ାକ ବିତିଯାଉଛି ପୁଷମାସର ଦିନ ପରି, ଜାଣିହେଉ ନାହିଁ ।

 

ସେ ଆଖି ମୁଦିଦେଇ ପଛକୁ ଫେରିଯିବାକୁ ଚାହୁଥିଲେ । ଘର ଗହଗହ କମ୍ପୁଛି । କେତେ ଲୋକଙ୍କର ଭିଡ଼ । ପୁଅଝିଅଙ୍କ ସାଙ୍ଗମେଳରେ ଘରଟା ଉଠୁଛି ପଡ଼ୁଛି । ଝିଅ ଜନ୍ମଦିନ । ତା ଦାଦା ଖୁଡ଼ୀମାନେ ଆସିଛନ୍ତି ଦିଲ୍ଲୀରୁ, ପୁନାରୁ, ରାଉରକେଲାରୁ । ୟାଙ୍କ ଭଉଣୀ ଭିଣୋଇ ବି ଆସିଛନ୍ତି ଗାଁରୁ । ବଡ଼ପୁଅ ସବୁଠୁ ଗେହ୍ଲା । ସ୍ୱାମୀଙ୍କର ଯୁକ୍ତି–ପୁଅ ଜନ୍ମଦିନ ପାଳନ ହେଉ ନ ହେଉ ଝିଅ ଜନ୍ମଦିନ ନିଶ୍ଚୟ ହେବ । ଅଧାଜନମ ବିଚାରୀ ପରଘରେ ରହିବ । ସୁଖରେ ରହିବ କି ଦୁଃଖରେ ରହିବ, ଈଶ୍ୱର ଜାଣନ୍ତି । ସେ ତେଣୁ ବାପଘରେ ଅଧିକ ସ୍ନେହଶ୍ରଦ୍ଧା ପାଇବା କଥା । ସ୍ୱାମୀଙ୍କ ଯୁକ୍ତି ବୁଢ଼ୀଙ୍କୁ ଭଲ ଲାଗେ ।

 

: ମଲା ମୋର, ଦେଢ଼ ଲିଟର କ୍ଷୀର ଆଉଟା ହେଇ ରଖା ଯାଇଥିଲା, ଟୋପାଏ ବି ନାହିଁ-। କେତେଥର କହିଲିଣି ଏ କାଣୀ ବିଲେଇଟାକୁ ଅଖାରେ ବାନ୍ଧି ଏ ଗାଁ ପାରି କରିଦେଇ ଆସ, କେହି ମୋ କଥା ଶୁଣୁନାହାନ୍ତି । ସେତେବେଳେ ଘରର ମାଲିକାଣୀ ସେ । ଦୁମ୍‌ଦୁମ୍‌ କରି ରୋଷେଇଘରୁ ବାହାରି ଆସିଲେ । ଅଣ୍ଟାରେ ଚାବିନେନ୍ଥାଟା ଚାଲିଲେ ଝମ୍‌ଝମ୍‌ ଶୁଭେ । ଗୋଡ଼ରେ ଝୁଣ୍ଟିଆ । ଦେହସାରା ଗହଣା ମଣ୍ଡି ହୋଇଛନ୍ତି । ଅଣ୍ଟା ଚାରିପଟେ ମୋଟେଇ ଗଲେଣି କୋଉଦିନୁ । ଚାହିଁଲେ ସୁନ୍ଦର ଦିଶେ ସ୍ୱାମୀଙ୍କ ଆଖିକୁ । ଦରବୁଢ଼ା ବୟସରେ ବି ଘର ଭିତରେ କେହି ନ ଥିଲେ ସ୍ୱାମୀ ବାଘ ପରି ଝପଟି ଆସି ପଛଆଡୁ ଭିଡ଼ି ଧରନ୍ତି । କାନ ପାଖେ ପାଖେ କହନ୍ତି, "ମୋ ପୁଷି ବିଲେଇ ।' ଦୁନିଆଯାକର ଲାଜ ଶ୍ରାବଣର ମେଘ ହୋଇ ଘୋଟିଆସେ । ଛାଟିପିଟି ହେଇ ସେ ପଳେଇ ଆସନ୍ତି ।

 

ବିଲେଇର କଥାଟା ମୁଣ୍ଡରୁ ଯାଏ ନାହିଁ । କୋଉଠି ଥିବ, ଛପି ଛପି ଆସି ରୋଷେଇଘରୁ ନେଇଯିବ ମାଛ, ପିଇଯିବ ଆଉଟା କ୍ଷୀର । ବାସନକୁସନ ତଳେ ପକେଇ ଭାଙ୍ଗିଦେବ । ନଜରରୁ ବଞ୍ଚେଇବା ପାଇଁ ଆଉ କେତେ କୋଉଠି ଲୁଚେଇବେ ସେ ?

 

ତାଙ୍କ ପାଟିରୁ କଥା ନ ସରୁଣୁ ପିଲାମାନେ ବିଲେଇଟାକୁ ତଡ଼ିବାର ଉପାୟ ଚିନ୍ତା କରନ୍ତି-। ଖାଇବା ଟେବୁଲ୍‌ ଉପରେ ଯୋଜନା ପ୍ରସ୍ତୁତ ହୁଏ । କିଏ କହେ ବାଡ଼େଇ ଛୋଟା କରିଦେଲେ ହେବ, କିଏ କହେ ଅଖାରେ ପୂରେଇ ରାସ୍ତା ସେପଟେ ପକେଇଦେବା । ନିଜର ମୃତ୍ୟୁ ସଂକ୍ରାନ୍ତୀୟ ସବୁ ଯୋଜନାକୁ ବିରାଡ଼ିଟି ଶୁଣୁଥାଏ ଚୁପ୍‌ଚାପ୍‌, ଟେବୁଲ ତଳେ ଥାଇ । ମାଛ କଣ୍ଟାଟାଏ କି କ୍ଷୀର ଟିକେ ପଡ଼ିଗଲେ ଚାଟିଚୁଟି ଦିଏ । ତଡ଼ିଦେଲେ ଟିକିଏ ଦୂରକୁ ପଳେଇଯାଏ । ପୁଣି ଫେରିଆସି ସେଇଠି ବସେ ।

 

ସେ ଖଣ୍ଡେ ସରୁ ବେତ ଧରି ବିଲେଇକୁ ଗୋଡ଼େଇ ଆସନ୍ତି । ବିଲେଇ ଟେବୁଲତଳୁ ବାହାରି ରୋଷେଇଘର, ରୋଷେଇଘରୁ ଶୋଇବାଘର, ଶୋଇବାଘରୁ ଝରକାବାଟେ ଡେଇଁ ଶିଡ଼ିଘର ଓ ସେଠୁ ପୋର୍ଟିକୋ ଦେଇ ରାସ୍ତା ଉପରକୁ ଚାଲିଯାଏ । ତାଙ୍କର ଅସହାୟତା ଦେଖି ପିଲାଏ ହସନ୍ତି, ସେମାନଙ୍କ ବାପା ଥଟ୍ଟା କରନ୍ତି । ଚାକର ଚାକରାଣୀମାନେ ମୁହଁରେ ଲୁଗାଦେଇ ଠିଆହୋଇ ଏସବୁ ଦେଖୁଥାଆନ୍ତି । ହସିଦେଲେ ମାଙ୍କର ସବୁ ରାଗ ସେମାନଙ୍କ ଉପରେ ପଡ଼ିବ ।

 

ସେ ବିଲେଇକୁ ଜଗନ୍ତି ଡାଳେ ଡାଳେ, ବିଲେଇ ତାଙ୍କୁ ଠକି ଚାଲିଯାଏ ପତରେ ପତରେ-। କେବେ କେବେ ଗୋଟେ ଅଧେ ମୃଦୁ ପାହାର ଯେ ବିଲେଇ ପିଠିରେ ନ ପଡ଼େ ନୁହେଁ, କିନ୍ତୁ ଆୟୋଜନ ତୁଳନାରେ ସେ କିଛି ନୁହେଁ । ବିଲେଇଟା ହୋଇପଡ଼େ ତାଙ୍କ ଘରକରଣାର ଦୁର୍ବିନୀତ ପ୍ରତିଦ୍ୱନ୍ଦ୍ୱୀ ।

 

ସେଦିନ ଛାଇନେଉଟାଣି ବେଳ । ବିଲେଇଟାକୁ ଗୋଡ଼େଇଯାଇ ସେ ସିଧା ସେଠୁ ପହଞ୍ଚିଯାଇଥିଲେ ତା ଘରକରଣା ପାଖରେ । ପାଚେରି କଡ଼ରେ ଆଖି ଜୁଳୁଜୁଳୁ କରି ଚାହିଁଥିଲା ବିଲେଇଟି । ତା ଥନରେ ଓହଳିଥିଲେ ମୂଷାଛୁଆ ପରି ଦିଇଟା କଅଁଳା ବିଲେଇଛୁଆ । କାଲି କି ପଅରିଦିନ ସକାଳେ ଜନ୍ମ ହୋଇଥିବେ । ହାତରୁ ବେତଟା ତାଙ୍କର ଖସିପଡ଼ିଥିଲା । ଆହା, ବିଚାରୀ କେତେ କଷ୍ଟ ପାଇ ନ ଥିବ ! ସବୁ ରାଗ ସେ ଭୁଲିଯାଇଥିଲେ ।

 

ସେଇଠୁ ମନେପଡ଼ିଲା ବଡ଼ପୁଅ ଜନ୍ମ ହେବାବେଳର କଷ୍ଟ । ପେଟ ଚିରି ହେଇଯିବାର କଷ୍ଟ ମାଇପିଜାତିକୁ ଭୋଗିବାକୁ ପଡ଼େ । ସେଇଠୁ ସେଇ ବିଲେଇଟା ପ୍ରତି ସେ ସମଦୁଃଖୀ ହୋଇପଡ଼ିଲେ । ଚଢ଼େଇ ହେଉ କି ବିଲେଇ ହେଉ, ଛୁଆଜନ୍ମ କଷ୍ଟ ସବୁ ମା ପାଇଁ ସମାନ । ପୁରୁଷ କୁଆଡ଼ୁ ବୁଝିବ ସେ ଦୁଃଖ ! ବଡ଼ପୁଅ ଜନ୍ମବେଳକୁ ସେ ଯାଇଥାନ୍ତି ଟୁର୍‌ରେ । ଆସିକି ପହଞ୍ଚିଲାବେଳକୁ ପୁଅ ଦ ଦିନର ହେଲାଣି । ମରିଯାଇଥିଲେ ଟିକିଏ ଦେଖିପାରି ନ ଥାନ୍ତେ ହାତଧରି ବାହା ହୋଇଥିବା ମଣିଷଟିକୁ । ସେଇଠୁ ସେ ଅଭିମାନ ଆରମ୍ଭ ହୋଇଗଲା, ତୁଟିବାର ନୁହେଁ । ପୁଣି ମଝିଆଁ ପୁଅ ପେଟରେ ରହିବାଯାଏ ସବୁକଥାରେ ସେ ସେଇ ଉଲୁଗୁଣା ଦେଉଥିଲେ-। ମିଣିପିପୁଅ, କାମ ସରିଗଲେ ପୋଛିପାଛି ସଫାହେଇ ଚାଲିଯିବେ ।

 

ବିଲେଇଟିକୁ ଆଉଟା ଶୀତଳ କ୍ଷୀର ଆଣିଦେଲେ । ବିଚାରୀ କୁଆଡ଼କୁ ଯିବ କଣ ଟିକେ ଯୋଗାଡ଼ କରିବା ପାଇଁ ? ମଣିଷ ନୁହେଁ ତ କିଏ ପଥି ରାନ୍ଧିଦେବ । ତାର ମାଛଚାରି, କ୍ଷୀର ପିଇଯିବା ସବୁ ଭୁଲି ହେଇଗଲା ।

 

ମନେପଡ଼ିଲା ନୂଆ ବାହାହୋଇ ଆସିବାର ଦିନଗୁଡ଼ାକ । ଏକା ଏକା ଦିନ ବିତେ । ସେ ସକାଳୁ ଯାଇ ରାତିଅଧରେ ଆସନ୍ତି । ଘରେ ରାହାବାଳୀ ଶାଶୂ । ଶ୍ୱଶୁର ଦାଣ୍ଡ ଅଗଣାରେ ବସିଥିବେ ଯେ ତାଙ୍କର ସେ ଗୀତା ବହି ଖଣ୍ଡକ ଭଲ ତ ସେ ଭଲ । କାମଦାମ ସାରି ଖଟରେ ଗଡ଼ିପଡ଼ିଲାବେଳକୁ କୁଆଡୁ ଆସି ବିଲେଇଟା ପହଞ୍ଚି ଯାଉଥିଲା । ବିଲେଇ ଚିହ୍ନା-ଅଚିହ୍ନା ବାରେନା-। ଟିକିଏ ଆଉଁଶା, ଆହା ଚୁ-ଚୁ, କ୍ଷୀରଭାତ ଗିନାଏରେ ସେ ବଶ ହୋଇଯାଏ ।

 

କାହାପାଖେ ତ ନିଜ ମନକଥା ସବୁ କହିବାକୁ ହେବ ପୁଣି । ଖାଲି ଘରଟାରେ କିଏ ବା ଅଛି ଶୁଣିବ ? ନା ଯାଆ ନା ନଣନ୍ଦ ? ସେମାନେ ସବୁ ଦୂରଦୂରାନ୍ତରେ । କାହାକୁ କହନ୍ତେ ମାନ ଅଭିମାନ କଥା ? କିଏ ସେ ଶୁଣନ୍ତା ସେସବୁ ? କାହା ଆଗରେ କହିବେ ସ୍ୱାମୀଙ୍କ ଅବିଚାରର ଅସରନ୍ତି କଥା ? ବାପଘରର ସୁଖଦୁଃଖ ଅନୁଭୂତି ?

 

ବିଲେଇଟି ଶୁଣେ । ସବୁ ଶୁଣିଲା ପରି ଆଖିବୁଜି ବସିରହେ । କଥା ସରିଲେ ଧୀରେ ଧୀରେ ଚାଲିଯାଏ । ତାର ସେ ଛପିଛପିକା ଚାଲି ଭିତରେ ନିଜ କଞ୍ଚାବୟସର ଅନୁଭୂତି ଉକୁଟି ଉଠେ । ଗୋଟାଏ ଦୀର୍ଘଶ୍ୱାସ ଉଷୁମ କରିଦିଏ ଏରୁଣ୍ଡି ସେପଟର ପୃଥିବୀ । ବିଲେଇଟି ଚାଲିଯାଇଥାଏ ।

 

ଶାଶୂଘର ଗାଁ ଛାଡ଼ି ସେ ଆସିଲେ ସହରକୁ । ସହରରେ ସ୍ୱାଧୀନତା ବେଶି, ସେଇ ତୁଳନାରେ ନିଃସଙ୍ଗତା । ମେଘ ଅନ୍ଧାର ରାତି । ବିଜୁଳି ମାରୁଛି ତୁହା ତୁହା । ମୁହଁକୁ ମୁହଁ ଦିଶୁନାହିଁ । ସହର ଜାଗା । ଶାଶୂ ଶ୍ୱଶୁର ରହନ୍ତି ଗାଁରେ । ସ୍ୱାମୀ ଫେରି ନ ଥାନ୍ତି । ମନେ ମନେ ଚିଡ଼ିଉଠିଥିଲେ ସେ । ଏକଲା ସ୍ତ୍ରୀଟିକୁ ଛାଡ଼ି ଏମିତି କଣ କେହି କେହି ଅଧରାତିଯାଏ ବାହାରେ ରହେ ? ଏମିତି କାମିକା ଲୋକର ହାତ ଧରିବା ଅପେକ୍ଷା କେଉଁ ଅଳସୁଆର ହାତ ଧରିବା ଭଲ । ଅନ୍ତତଃ ଲୋକଟା ସାଙ୍ଗରେ ଦିନରେ ଚାରି ପାଞ୍ଚଘଣ୍ଟା ଦେଖା ତ ହୁଅନ୍ତା !

 

ଇଆଡ଼େ ସେଆଡ଼େ ସେ ଆଖି ବୁଲଉ ବୁଲଉ ସେଦିନ ନଜର ପଡ଼ିଥିଲା, ଝରକା କବାଟ ସେକଡ଼େ ବସିଥିବା ବିଲେଇ ଉପରେ । ଆଖିଯୋଡ଼ାକ ଚକ୍‌ଚକ୍‌ କରୁଥିଲା ନିଆଁଗୁଳା ପରି । ଚୁ-ଚୁ କରି ଡାକିଥିଲେ । କାହାଘରର ପୋଷା ବିଲେଇ ପରା ! କ୍ଷୀରଭାତ ଗଣ୍ଡେ ବାଢ଼ିଦେଇଥିଲେ । ବିଲେଇଟି ପାଖକୁ ଆସିଥିଲା । ଧରା ଦେଇଥିଲା । ତେଣିକି କୋଳରେ ପୂରେଇ ସମୟ ବିତେଇବାର ବାହାନା ସେ ପାଇଗଲେ । ସ୍ୱାମୀ ନ ଥିଲାବେଳେ ଆଉ ଏକା ଏକା ଲାଗେ ନାହିଁ ।

 

ଦୁଆରେ ଗାଡ଼ି ରହିବାର ଶବ୍ଦ ଶୁଭିଲା । ବୁଢ଼ୀ ଟିକିଏ ଚଞ୍ଚଳ ହେଲେ । ସ୍ୱିଚ୍‌ ଅନ୍‌ କରିଦେଲେ ଉଠିପଡ଼ି । ଯା-ଯା, ସମସ୍ତେ ଆସିଲେଣି । ବିଲେଇଟି ଯେମିତି ତାଙ୍କ କଥା ବୁଝିପାରେ-। ସେ ଉଠିପଡ଼ି ଝାଡ଼ିଝୁଡ଼ି ହେଲା । ପରିବାରର ଲୋକମାନେ ଦାଣ୍ଡଦୁଆର ଦେଇ ଘରକୁ ଆସୁ ଆସୁ ବିଲେଇ ବାଡ଼ିଦୁଆର ଦେଇ ଚାଲିଗଲା । ଏ ଘରେ ଏବେ ରହୁଛନ୍ତି ବୁଢ଼ୀଙ୍କର ବଡ଼ପୁଅ, ବଡ଼ପୁଅର ସ୍ତ୍ରୀ, ତାଙ୍କର ପୁଅ-ଝିଅ । ଝିଅ ବାହାହେଇ ଏବେ ହାଇଦ୍ରାବାଦରେ ରହୁଛି । ଦି ବର୍ଷ ତଳେ ଆସିଥିଲା । ତାପରେ ଆଉ ଚିଠିପତ୍ର ଦେଲାଣି କି ନାହିଁ ପୁଅ ଜାଣିଥିବ । ମଝିଆପୁଅ ରାଉରକେଲାରେ । ସେ ବି ସଂସାର କଲାଣି । ଆଉ ବେଶି ଯା ଆସ କରିପାରୁନାହିଁ ।

 

ଘର ଭିତରକୁ ପଶୁ ପଶୁ ନାତିନାତୁଣୀମାନେ ବଣଭୋଜିର ଅନୁଭୂତି ଜେଜେମାଙ୍କୁ ଶୁଣେଇବାକୁ ବସୁଥିଲେ । ଜେଜେମାଙ୍କ ଫିକାଚେହେରା ଟିକେ ଉଜ୍ଜ୍ୱଳି ଉଠିଲା । ପୁଣିଥରେ ଥୁଣ୍ଟା ଗଛଡାଳରୁ ଶୁଭିଗଲା କୁନି କୁନି ଚଢ଼େଇଙ୍କ କିଚିରି ମିଚିରି । ବୁଢ଼ୀ ମନଦେଇ ଶୁଣିବା ମୁଦ୍ରାରେ ବସିଥିଲେ ।

 

: ଏଠି ଏତେଗୁଡ଼ିଏ ମାଛ ଥିଲା, କିଏ ଖାଇଲା ? କ୍ଷୀର ବି କମିଗଲା ଭଳି ଦିଶୁଛି । ଏ ଘରେ ଆଉ ରହିହେବ ନାହିଁ ! ଫ୍ରିଜ୍‌ ଖୋଲୁ ଖୋଲୁ ବୋହୂ ଚିଡ଼ି ଉଠିଥିଲା । କଲେଜର ଅଧ୍ୟାପିକା ସେ । କୌଣସି କଥା ତା ନଜରରୁ ଖସିଯିବା ସମ୍ଭବ ନୁହେଁ ।

 

ପୁଅ ବାଥ୍‌ରୁମ୍‌ରୁ ଥାଇ କହୁଥିଲା, ‘କିଏ ଆଉ ଖାଇଥିବ, ସେଇ ବିଲେଇଟା ଖାଇଯାଇଥିବ, ଆଉ କିଏ ? ସେଥିରୁ ଆଉରି ଗୋଟାଏ ଆଣିରଖ ଯେ ତମ ଜିନିଷପତ୍ର ସବୁ ଠିକଣାରେ ରହିବ ।’ ମାଛ ଓ କ୍ଷୀର ଚିନ୍ତାରୁ ତଥାପି ଓହରି ନ ଥିବା ବୋହୂକୁ ସ୍ୱାମୀଙ୍କର ଏ ପ୍ରକାର କଥା ଭୟ ଲାଗିଲା ନାହିଁ । ଦୁମୁଦୁମୁ କରି ଚାଲି ଯାଉ ଯାଉ ଶାଶୂଙ୍କୁ ଶୁଣେଇ ଶୁଣେଇ କହିଲେ, ‘‘ଏ ଘରେ ତ ସବୁବେଳେ ଲୋକ ଅଛନ୍ତି । ବିଲେଇ ଆସି କେତେବେଳେ ଖାଇଲା ଯେ ଜାଣିପାରିଲେ ନାହିଁ । ବିଲେଇ କଣ ନିଜେ ଫ୍ରିଜ୍‌ ଖୋଲି ଖାଇଦେଲା ?’’

 

ସେମାନଙ୍କର ବଣଭୋଜି ଅଭିଜ୍ଞତା ବର୍ଣ୍ଣନାରେ ବାରମ୍ବାର ପ୍ରତିବନ୍ଧକ ସୃଷ୍ଟି ହେଉଥିବା ଦେଖି ସାନପିଲାମାନେ ମା ଉପରେ ଚିଡ଼ି ଉଠିଥିଲେ । ଓଃ, ମାଆ, ସବୁ ଛୋଟ ଛୋଟ କଥାରେ ତୁ କାହିଁକି ମୁଣ୍ଡ ବିନ୍ଧାଉଛୁ ? ତୋ କଥା କଣ ବିଲେଇ ଶୁଣୁଛି ଯେ ତାକୁ ଗାଳିଦେଉଛୁ ?

 

ବୋହୂ ଅବଶ୍ୟ ବିଲେଇକୁ କିଛି କହୁ ନ ଥିଲା । ବୋହୂର ଭାଷା ବିଲେଇ ବୁଝନ୍ତା ନାହିଁ । ଏସବୁ ତାଙ୍କୁ ହିଁ ଲକ୍ଷ୍ୟ କରି କୁହାହେଉଛି ବୋଲି ଶାଶୂ ବୁଝୁଥିଲେ । କିନ୍ତୁ କିଛି ଜବାବ ଦେବାକୁ ଚାହୁ ନ ଥିଲେ ବୁଢ଼ୀ । ତାଙ୍କ ଦିନକାଳ ସରିଛି ।

 

ବୁଢ଼ୀ ନିଜ ଜାଗାରୁ ଉଠି ଚୁପ୍‌ଚାପ୍‌ ନିଜ ଖଟ ପାଖକୁ ଚାଲିଗଲେ । ଖଟ ଉପରେ କଡ଼ମାଡ଼ି କିଛି ସମୟ ପଡ଼ିରହିଲେ । ଏତିକିବେଳକୁ ବିଲେଇଟା ନାହିଁ । ତା ସାଙ୍ଗରେ ପଦେଅଧେ କଥାଭାଷା ହୋଇଗଲେ ମନଟା ହାଲୁକା ଲାଗନ୍ତା । ଘରେ ପୁଅବୋହୂ ନାତିନାତୁଣୀ ସଭିଏଁ ଅଛନ୍ତି-। ତଥାପି ତାଙ୍କ ପାଇଁ ଘରଟା କିମିତି ଖାଁ ଖାଁ ନିର୍ଜନ ଜାଗା । ବିଛଣାଟା ଲାଗୁଛି ବରଫ ପରି ଶୀତଳ ।

 

ଏମିତି ବେଳେ ଦୀର୍ଘଶ୍ୱାସଟିଏ ଛାତିଥରେଇ ବାହାରି ଆସି କୁଆଡ଼େ ମିଶିଯାଏ । ସେଇ ଲୋକଟାର ସ୍ମୃତି ମନେପଡ଼େ, ଅଧାବାଟରୁ ଯିଏ ଚାଲିଗଲା । ବୁଢ଼ୀଙ୍କ ପରଳମଖା ଆଖି ଓଦା ହୋଇଆସେ ! ଝରକା ସେକଡ଼କୁ ଚାହିଁ ଲୁଗାକାନିରେ ଲୁହ ପୋଛିଦିଅନ୍ତି ।

 

ବୋହୂ ସେପଟେ ପୁଅକୁ କଣ କହୁଛି । ଅନୁଚିତ କୌତୂହଳ ବୁଢ଼ୀଙ୍କୁ କାନ୍ଥଯାଏ ଆଡ଼େଇ ନେଇଗଲା ।

 

: ଏ ବିଲେଇଟାକୁ ଆଉ ପାରିହେବ ନାହିଁ । ସତ୍ୟାନାଶୀ କୋଉଠିକାର ? ଏଇଟାକୁ କାଲି ବାଡ଼େଇ ବିଦାକର । ସବୁ ଖାଇଯାଉଛି । ମାଛ, କ୍ଷୀର, ପାଉଁରୁଟି କିଛି ଟିକେ ଘରେ ରଖେଇ ଦେଉନାହିଁ ।

 

: ସବୁବେଳେ ସେ ବିଲେଇ ଉପରେ ରାଗୁଛ କାହିଁକି ? ତମ ପିଲାମାନେ ବି ଖାଇଦେଇପାରନ୍ତି ।–ପୁଅ କହୁଥିଲା ।

 

: ମୋ ପିଲାମାନଙ୍କୁ ମୁଁ ଜାଣେ । ବିଲେଇ ଯଦି ନ ଖାଉଥିବ ତାହାହଲେ ତମେ ଖାଉଥିବ, ନ ହେଲେ ତମ ମା ଖାଉଥିବେ । ତାଙ୍କର ତ ବୁଢ଼ୀକାଳେ ବିଲେଇପଣ ବାହାରୁଛି । ବୋହୂ ଜବାବ ଫେରଉଥିଲା ।

 

ବୁଢ଼ୀ ଆଉ ଶୁଣିପାରନ୍ତି ନାହିଁ । କାନ୍ଥ ପାଖରୁ ପଳେଇ ଆସନ୍ତି । ଖଟ ଉପରେ ଚିତ୍‌ହୋଇ ଶୋଇ ଛାତକୁ ଚାହାଁନ୍ତି । ବିଲେଇ ସାଙ୍ଗେ ତାଙ୍କୁ ସମାନ କରିବା କଥାଟା କାହିଁକି କଷ୍ଟ ଦିଏ । ଶେଷକୁ ସେ କଣ ସତରେ ବିଲେଇ ପାଲଟିଗଲେ ?

 

ଅଭ୍ୟାସବଶତଃ ବୁଢ଼ୀ ଖଟତଳକୁ ଚାହାଁନ୍ତି । ବିଲେଇଟି କେତେବେଳୁ ଆସି ସେଇଠି ଶୋଇଥାଏ । ବୁଢ଼ୀ ନିଜର ଦୁର୍ବଳିଆ ଦୁଇହାତରେ ତାକୁ ଟେକିନେଇ ଶେଯରେ ବସାନ୍ତି । ତାକୁ କଣସବୁ କହନ୍ତି ।

 

ବିଲେଇ ଆଖିବୁଜି ଶୁଣୁଥାଏ ।

 

ବୁଢ଼ୀ କହନ୍ତି, ‘‘ବିଲେଇ ନ ହେଲେ କଣ ହେଲାରେ, ବିଲେଇପଣରୁ ମୁକ୍ତି ପାଇବା ଭାରି କଷ୍ଟ । ମନ ମାନିଗଲେ ଜିଭ ମାନେ ନାହିଁ । ଜିଭ ମାନିଗଲେ ପ୍ରକୃତି ଶୁଣେ ନାହିଁ ।”

 

ବିଲେଇ କିଛି କିଛି ବୁଝିବାର ମୁଦ୍ରାରେ ମୁଣ୍ଡ ହଲାଏ । ବୁଢ଼ୀ ଆଖି ବୁଜିଦିଅନ୍ତି । ପୁଣିଥରେ ମୂଳରୁ ବହିର ପୃଷ୍ଠା ଓଲଟାନ୍ତି । ଷାଠିଏ ବର୍ଷର କଥା ମୁହୂର୍ତ୍ତକରେ ନାଚିଯାଏ । ପିଲାଦିନେ ସେ ବିଲେଇମୁଣ୍ଡରେ ଅପବାଦ ଦେଇ ବାପଘରେ ମାଛ କି କ୍ଷୀର ଖାଇ ଦେଉଥିଲେ । ବୋଉ ଜାଣିପାରୁ ନ ଥିଲା । କିଶୋରୀ ବୟସର ସେ ଦୁଷ୍ଟାମିରେ ବିଲେଇର ଅସହାୟତା ବୁଝିବାର ସାମର୍ଥ୍ୟ ନ ଥିଲା । ତାପରେ ଶାଶୂଘର, ତାଙ୍କ ମୁହଁରୁ ‘ମୋ ପୁଷି ବିଲେଇ’ ପଦ ଶୁଣିବାର ସେ କି ପାଗଳୀପଣ । ରୋଷେଇଘରେ କାଚଗିଲାସ କି କପ୍‌ପ୍ଲେଟ୍‌ ହାତରୁ ପଡ଼ି ଭାଙ୍ଗିଗଲେ ଶାଶୂ ବିଗିଡ଼ି ଉଠନ୍ତି । ବିଲେଇ ଆସି ସେ ଦାୟିତ୍ୱ ନିଜର ଟିକି ମୁଣ୍ଡରେ ମୁଣ୍ଡେଇ ଚାଲିଯାଏ । ଭାଙ୍ଗିଯାଇଥିବା ପାଣିକାଚ ଦି ପଟକୁ କାଗଜରେ ଗୁଡ଼େଇ ସେ ଫିଙ୍ଗି ଦେଉଥିଲେ ନାଗଫେଣୀ ବୁଦାତଳକୁ । ତାଙ୍କ ହାତରୁ ଖସି ଗ୍ଲାସ୍‌ କି କପ୍‌ ଭାଙ୍ଗିଛି କେହି ଜାଣନ୍ତି ନାହିଁ ।

 

ଏମିତି ଭାବୁ ଭାବୁ ବୁଢ଼ୀଙ୍କୁ ନିଦ ହୋଇଯାଏ । ପୁଣି ସକାଳ ହୁଏ । ସକାଳ ହେଲେ ହିଁ ବିଲେଇ କଥା ପଡ଼େ ଖାଇବା ଟେବୁଲରେ । ବିଲେଇଟାକୁ ତଡ଼ିବାର ଯୋଜନା ପ୍ରସ୍ତୁତ ହୁଏ । ସେ ସେସବୁ ଶୁଣନ୍ତି । କହିବାକୁ ଚେଷ୍ଟା କରନ୍ତି, ‘‘ଥାଉ, ବିଲେଇଟା । କାହାର କଣ ନେଇଯାଉଛି ? ବିଲେଇ ଥିଲେ ମୂଷା ଆସିବେ ନାହିଁ ।’’

 

ପୁଅବୋହୂ ଚାହାଁନ୍ତି ବୁଢ଼ୀଙ୍କ ମୁହଁକୁ । ନାତିନାତୁଣୀମାନେ ଉଦାସୀନ ରହନ୍ତି ବିଲେଇ ସମ୍ବନ୍ଧୀୟ ଆଲୋଚନା ନେଇ । ବୁଢ଼ୀ କାହିଁକି ବିଲେଇଟାକୁ ତଡ଼ିବା ପାଇଁ ମନା କରୁଛନ୍ତି ସେମାନେ ବୁଝନ୍ତି ନାହିଁ ।

 

ସମୟ ନ ଆସିଲେ କେହି କିଛି ବୁଝନ୍ତି ନାହିଁ । ସେ ନିଜେ ବି କଣ ବୁଝିଥିଲେ ?

 

ପିଲାମାନେ ଖାଇସାରି ସ୍କୁଲ୍‌ ଯାଆନ୍ତି । ପୁଅ ତାର ଅଫିସ୍‌ ଯାଏ । ବୋହୂ ଫ୍ରିଜ୍‌ରେ ମାଛ, କ୍ଷୀର ସାଇତି ରଖି କଲେଜ ଯାଏ । ଗଲାବେଳେ ବୁଢ଼ୀଙ୍କୁ କହିଯାଏ; ‘‘ବିଲେଇଟାକୁ ଜଗିବ ବୋଉ-। କିଛି ରଖେଇ ଦେଉ ନାହିଁ ।’’

 

ବୁଢ଼ୀ ହଁ କରନ୍ତି । ନିଛାଟିଆ ଘର ଭିତରେ ସେ ଓ ବିଲେଇ । ବିଲେଇଟି ନିର୍ଭୟରେ ପାଖେଇ ଆସେ । ପାଖରେ ବସେ । ସେମାନେ କଥାଭାଷା ହୁଅନ୍ତି ! ପରସ୍ପରର ଦୁଃଖ ନିଜ ନିଜ ଭିତରେ ବାଣ୍ଟନ୍ତି । କଥା ହେଉ ହେଉ ବିଲେଇ କେତେବେଳେ ବୁଢ଼ୀ ପାଲଟିଯାଏ, ବୁଢ଼ୀ କେତେବେଳେ ବିଲେଇ ପାଲଟି ଯାଆନ୍ତି । କେତେବେଳେ ଉଭୟେ ବିଲେଇ ପାଲଟି ଯାଆନ୍ତି ତ କେତେବେଳେ ଉଭୟେ ବୁଢ଼ୀ ପାଲଟି ଯାଆନ୍ତି ।

 

କିନ୍ତୁ ଆଜି ବିଲେଇଟା କୁଆଡ଼େ ଉଭାନ୍‌ ହୋଇଗଲା ?

 

ବୁଢ଼ୀ ଅପେକ୍ଷା କରନ୍ତି । ଦିନେ, ଦି ଦିନ । ଭିତରେ ଭିତରେ ବ୍ୟସ୍ତ ହୋଇପଡ଼ନ୍ତି । ଅସ୍ୱସ୍ତିବୋଧ କରନ୍ତି । ବୋହୂ ଓ ପୁଅଙ୍କର ଆଶ୍ୱସ୍ତଭାବକୁ ଡେଇଁ ବୁଢ଼ୀଙ୍କର ସେହି ହାଇଁ ହାଇଁ ଭାବ ବିଲେଇଟିକୁ ଖୋଜି ହେଉଥାଏ ଗଳିମୋଡ଼ରେ, ଖଟତଳେ, ରୋଷେଇଘର କାନ୍ଥ ସେକଡ଼େ । କିନ୍ତୁ ବିଲେଇ ସେଠି ନ ଥାଏ । ଜିନିଷପତ୍ରଗୁଡ଼ାକ ବିରକ୍ତିକର ଭାବେ ଅପରିବର୍ତ୍ତିତ ରୁହନ୍ତି ନିଜ ନିଜ ଜାଗାରେ । ଖୋଜାଲୋଡ଼ା ହୁଏ ନାହିଁ ଗିନା ଭିତରର ମାଛ କି ଡେକ୍‌ଚିର କ୍ଷୀର । ସବୁ ଠିକ୍‌ଠାକ୍‌ ଥାଏ ।

 

ବୁଢ଼ୀ ଅପେକ୍ଷା କରନ୍ତି ।

 

 

ବିଲେଇ ଆସେ ନାହିଁ ।

 

ସକାଳୁ ସକାଳୁ ଦିନେ କେହି ଜଣେ ଖବର ଦିଏ, ଗୋଟେ ଶଙ୍କି ବିଲେଇ ମରି ପଡ଼ିଛି ରାସ୍ତା ସେପାଖ କଣ୍ଟାବୁଦା ମୂଳେ । ଖଣ୍ଡିଆଖାବରା ହେଇଯାଇଛି ବିଲେଇଟାର ମୁର୍ଦ୍ଦାର । ଗନ୍ଧଉଛି ସେ ଜାଗା ଅରାକ ।

 

ବୁଢ଼ୀ ବ୍ୟସ୍ତ ହୁଅନ୍ତି । ଅନ୍ୟମାନେ ବି ଆହା ଚୁ-ଚୁ କରନ୍ତି । ବିଲେଇ ପାଇଁ କି ମୃତ୍ୟୁ ପାଇଁ ସେମାନେ ଏପରି ଚୁ-ଚୁ କରନ୍ତି ଜାଣିହୁଏ ନାହିଁ । ଭିତରେ ଭିତରେ ଧନ୍ଦି ହୁଅନ୍ତି ସମ୍ପର୍କ । ଅଡୁଆଗଣ୍ଠି ଫିଟାନ୍ତି ମନେ ମନେ । ମେଘରାତିର ଉଷୁମ ଲୋଡ଼ୁତିବା ସମ୍ପର୍କ, ପିଲାଦିନର ହଜିଲା ସହୀସଙ୍ଗାତଙ୍କ ମେଳର ଚଞ୍ଚଳ ଅପରାହ୍‌ଣ, ବୁଢ଼ୀବୟସର ଟାକଳା ଆଉଟୁପାଉଟୁ ପ୍ରକୃତି ସବୁ ମନେପଡ଼େ । ବିଲେଇ କିନ୍ତୁ ଫେରେ ନାହିଁ ।

 

ବୁଢ଼ୀଙ୍କର ଇଚ୍ଛା ହୁଏ କହିଦିଅନ୍ତେ, କେହିଜଣେ ସେ ବିଲେଇଟାକୁ ନେଇ ପୋତିଦିଅନ୍ତାନି ଗାତଟେ ଖୋଳି । କହିପାରନ୍ତି ନାହିଁ କିନ୍ତୁ । କାଳେ ତାଙ୍କର କଥା ରହିବ ନାହିଁ ! ସ୍ୱାମୀଙ୍କ ପାଇଁ ସମାଧିଟେ ତୋଳିଦେବା ପାଇଁ କେତେବାର ତ ସେ କହିଥିଲେ । କଥା ରହିଲା କେଉଁଠି ?

 

ଛାର୍‌ ବିଲେଇଟା, କାହା ଉପରେ ଭରସା କଲା ନାହିଁ । ଅପେକ୍ଷା କଲା ନାହିଁ ଲୁହକୁ । କାହାର ଖୋଜିଲାପଣକୁ । ଅଥଚ ମଣିଷ ହେଇ ସେ ପଡ଼ିରହିଛନ୍ତି ଏଇ ଜଞ୍ଜାଳର ଚାରି କାନ୍ଥ ଭିତରେ ।

 

ନା ବିଲେଇ ନୁହେଁ, ବିଲେଇଠୁ ଅଲଗା ଆଉ କିଛି ପାଲଟି ଯାଇଛନ୍ତି ସେ ଏହା ଭିତରେ-

 

ବୁଢ଼ୀ ସେଇ ନୂଆ ପରିଚୟର ନାଁ ଖୋଜନ୍ତି ।

 

ଅପେକ୍ଷା କରନ୍ତି । ଆଉ ଗୋଟେ ବିଲେଇକୁ ।

 

ଦିନ ବିତୁଥାଏ ।

Image

 

ଚମ୍ପାଫୁଲ ଓ ଚଢ଼େଇ

 

ଝରକା ଖୋଲିଦେଲେ ପ୍ରଥମେ ସମ୍ବିତ୍‌ର ଯାହା ଉପରେ ରାଗ, ଈର୍ଷା, ଅଭିମାନ ହୁଏ ସିଏ ଗୋଟେ ଉଚ୍ଚା ପାହାଡ଼ । ସେପଟୁ ଆସୁଥିବା ପବନ-ଜହ୍ନ-ସୂର୍ଯ୍ୟ ଏପରିକି ବର୍ଷାକୁ ବି ବିନା କାରଣରେ ପାହାଡ଼ଟା ଅଧା ବାଟରୁ ଗିରଫ କରିନିଏ । ଆକାଶର ସେହି ବିସ୍ତୀର୍ଣ୍ଣ ଅଂଶତକ ଯେମିତି ପାହାଡ଼ର ପୈତୃକ ଜମିଦାରୀ । ବିରକ୍ତିରେ ସେ ଝରକା ବନ୍ଦ କରିଦିଏ ।

 

କିନ୍ତୁ ପାହାଡ଼ ସାଙ୍ଗରେ କେହି ବାଦ କରେ କି ?

 

ପାହାଡ଼ର ବି କୋଉ ଊଣା ଦୁଃଖ ! ପ୍ରଜାପତିର ଦୁଃଖ, ସିଏ ସ୍ଥିର ହେଇ ରହିପାରେ ନାହିଁ ଗୋଟାଏ ମୁହୂର୍ତ୍ତ । ପାହାଡ଼ର ଦୁଃଖ, ଗୋଟାଏ ମୁହୂର୍ତ୍ତ ପାଇଁ ବି ସିଏ ଚଞ୍ଚଳ ହୋଇପାରେ ନାହିଁ । ମୁଣ୍ଡ ଝୁଙ୍କେଇ ଦି ପଦ କଥା ହେଇ ହୁଏ ନାହିଁ ଓହଳିଥିବା ବାଦଲ ସାଙ୍ଗରେ କି ଡେଙ୍ଗା ଗଛଡ଼ାଳରେ ବସିଥିବା ଚଢ଼େଇ ସାଙ୍ଗରେ ।

 

ଦୁଃଖ କାହାର ନାହିଁ ?

 

ସମସ୍ତଙ୍କର ଅଛି ।

 

କମ୍ବଳଟାକୁ ମୁଣ୍ଡ ପର୍ଯ୍ୟନ୍ତ ଟାଣି ଆଣି ଆଉରି ଉପରକୁ ଭିଡ଼ି ନେଇ ମଥାତଳେ ଚାପିଦିଏ ସମ୍ବିତ୍‌ । ଗୋଡ଼ ଓ ପାଦଯୋଡ଼ିକ ଥାଏ ଫୁଙ୍ଗୁଳା । ଏଇ ଜିଦ୍‌ଖୋର କାଲୁଆ ଶୀତର କଣ କିଛି ଦୁଃଖ ନାହିଁ ? ହୁଏତ ଥିବ । ନିଶ୍ଚୟ ଥିବ । ଶୋଇପଡ଼େ ସମ୍ବିତ୍‌ ।

 

କାନ୍ଥ ପିଠିରେ ଫଡ଼ ଫଡ଼ ହେଉଥାଏ କ୍ୟାଲେଣ୍ଡରର ଡେଣା ।

ବିଗତ ତାରିଖମାନଙ୍କ ଚାରିପଟେ ସମ୍ବିତ୍‌ ବୁଲେଇ ଆଣିଛି ବଙ୍କାତେଢ଼ା ବୃତ୍ତ । ଅବାଧ୍ୟ ଆସାମୀକୁ ଗିରଫ କରି ଦେଇଛି ଅଧିକାରୀ । ସକାଳର ସେଇଟି ପ୍ରଥମ କାମ । ଗୋଟେ ଦିନ ଚାଲିଗଲା । ଜନ୍ମଠୁ ଆଉ ଗୋଟେ ଦିନର ଦୂରତ୍ୱ, ମୃତ୍ୟୁରୁ ଆଉ ଗୋଟେ ଦିନର ସାମୀପ୍ୟ । ସମ୍ବିତ୍‌ ତାପରେ ଦାନ୍ତ ଘଷିବ, ଦାଢ଼ି କାଟିବ, ଷ୍ଟୋଭ୍‌ରେ ଚା ବସେଇବ, ଡାଏରୀ ଦେଖିବ । ଚିଠି ଲେଖିବ ନାହିଁ, ଚିଠିକୁ ଅପେକ୍ଷା କରିବ ନାହିଁ, କାହାରିକୁ ଫୋନ୍‌ କରିବ ନାହିଁ, ସିଗ୍ରେଟ୍‌ ଟାଣିବ ନାହିଁ । ଖବରକାଗଜ ପୃଷ୍ଠା ଉପରେ ଆଖି ବୁଲେଇନେବ । ଅବିଚୁଆରୀ ଓ ମାଟ୍ରିମନିଆଲ୍‌ ସ୍ତମ୍ଭରୁ ଚିହ୍ନା ନାଆଁଗୁଡ଼ିକୁ ଖୋଜିବ । ତା ଜିଲ୍ଲାରେ କେଉଁଠି କଣ ଗଣ୍ଡଗୋଳ ହେଇଛି କି ନାହିଁ ତନଖି ଦେଖିବ ।

ଆଜିକାଲି ସମ୍ବିତ୍‌ର ଦିନସବୁ ଏମିତି ବିତେ । କିଛି ସମୟ ବିତିଯାଏ ଦପ୍ତରର ଫାଇଲମାନଙ୍କ ଭିତରେ । ଆଉ କିଛି ସମୟ ଲାଇବ୍ରେରୀ ନ ହେଲେ ପାର୍କର ସିମେଣ୍ଟ୍‌ ବେଞ୍ଚ୍‌ ଉପରେ । ସଞ୍ଜବୁଡ଼େ ପକ୍ଷୀଟିଏ ବସାକୁ ଫେରିବା ପରି ଫେରିଆସେ ସମ୍ବିତ୍‌ । ଅକସ୍ମାତ୍‌ ସ୍ମୃତିର ଆକାଶର ସେଇ ଦୂର କୋଣରେ, ଚେନାଏ କଳାମେଘର ଚାଦର ତଳୁ ଝଲସି ଉଠେ ଗୋଟେ ଚିକିମିକି ତାରା, ଝରକା ରେଲିଂ ପାଖରେ ଦୋହଲି ଉଠେ ଚମ୍ପାଗଛର ଝଙ୍କାଳିଆ ଡାଳ । ଫୁଲ ଫୁଟିବ । ବର୍ଷା ଆସିପାରେ ।

ରବିବାର ଓ ଛୁଟିଦିନଗୁଡ଼ିକ ଖୁବ୍‌ ଓଜନିଆ ଲାଗେ । ଟେବୁଲ୍‌ ଉପରେ ବାପାଙ୍କ ଚିଠି–ପୂଜାକୁ ଆସିବୁ । ଗୋଟେ ଓଦା ଓଦା ସ୍ପର୍ଶ ଶେଷ ଆଡ଼କୁ । ଦୁଇ ଆଖିରେ ମୁହଁଢାଙ୍କି ସମ୍ବିତ୍‌ ଫେରିଯାଏ ବିଛଣା ପାଖକୁ । ବାପାଙ୍କର ବି ଦୁଃଖ ଅଛି । ପ୍ରଥମେ ନିଜ କାନକୁ ବିଶ୍ୱାସ କରିପାରି ନ ଥିଲା ଚମ୍ପାଫୁଲ । ଇଏ ତୁ କେଉଁ ଅଜଣା ଗାଆଁର ଗୀତ ଗାଉଛୁରେ ଚଢ଼େଇ ? ପଚାରିଥିଲା ଚମ୍ପାଫୁଲ । ଆଜି ଫୁଟିଛି, ଦିନେ ଦି ଦିନ ରହିବି-। ଆଖି ମେଲେଇ ଦେଖିବିନି ଚାରିପାଖର ପୃଥିବୀ-। ଢେର୍‌ ଦିନ ଅପେକ୍ଷାରେ ବିତିଛି । ୟାକୁ କହନ୍ତି ରଙ୍ଗ । ନାଲି, ନେଳି, ସାବ୍‌ଜା ଓ ହଳଦିଆ ? ମୋ ଦେହସାରା ହଳଦୀ ରଙ୍ଗ । ଆସୁନୁ, ପାଖକୁ ଆସି ଦେଖ୍‌ । ବସିଯା ସେଇ ନହକା ଡାଳରେ ଦି ଘଡ଼ି । କହିବୁ ଯଦି କହ ରଜାପୁଅ ରଜାଝିଅଙ୍କ କଥା । ଦୁଃଖ କଥା କହିବୁନିରେ ଚଢ଼େଇ ? ଚମ୍ପାଫୁଲ କାନ୍ଦିବ ନାହିଁ । ଚମ୍ପାଫୁଲକୁ କାନ୍ଦିବାକୁ ମନା । କହ, କହ...ତୁନି ପଡ଼ିଲୁ କାହିଁକି ? କାଲିକି କଣ ଥିବି ମୁଁ ? ମଉଳି ଯାଇଥିବି । ଝଡ଼ି ଯାଇଥିବି ।

ଏମିତି ଚାହାଁନାରେ ଚଢ଼େଇ । ତୋ ଆଖିରେ ନିଶା କି ବିଷ କଣ ଅଛି କିରେ ? ମୋ ମୁହଁକୁ ଏମିତି କାହିଁକି ଚାହୁଁଛୁ ? ମୋ ଦେହ ଝାଳେଇ ଯାଉଛି । ମୋ ମୁହଁ ପୋଡ଼ିଯାଉଛି !

ସୁଲତାର ନିଦ ଭାଙ୍ଗିଯାଏ ।

ଝରକା ସେପଟେ ଅପରାହ୍‌ଣର ଖରା ମଉଳିଗଲାଣି । ଝର୍କା କବାଟ ଖୋଲିଦେଇ ପରଦା ଆଡ଼େଇଦିଏ । ଶୋଉ ଶୋଉ ଢେର୍‌ ବେଳ ଶୋଇଗଲା । ଖରାଦିନ ଦ୍ୱିପହରିଆ ନିଦ, ଘଡ଼ିକେ ବୁଲେଇ ନିଏ କାହିଁ କୁଆଡ଼େ । ଖାଲି ସ୍ୱପ୍ନ ଆଉ ସ୍ୱପ୍ନ । ଟିକିଏ ସତ ନାହିଁ । ଚମ୍ପାଫୁଲର ସ୍ୱପ୍ନ ଦେଖିବା ମଙ୍ଗଳ ନା ଅମଙ୍ଗଳ ? ସୋମବାରରେ ଶିବମନ୍ଦିର ଯାଇଥିଲା ? ହଁ ।

ଗୋଟେ ଦୀର୍ଘଶ୍ୱାସ ଛାତି ଭିତରୁ, ନା ନା ଆହୁରି ଗହୀରରୁ ଉଠିଆସେ । ବର୍ଷ ବର୍ଷର ଅସ୍ୱସ୍ତି କିଛି ସମୟ ପାଇଁ ଆବୋରି ଆସେ । ସୁଲତା କାନ୍ଥକୁ ଆଉଜି ବହି କି ମାଗାଜିନ୍‌ର ପୃଷ୍ଠା ଓଲଟାଏ । ବହିପୃଷ୍ଠାର ପାଚେରି ସେକଡ଼େ ଗୋଟେ ବାଇଶ ତେଇଶ ବର୍ଷର ତରୁଣର ମୁହଁ ଉଙ୍କିମାରେ । ଶାବନା ରଙ୍ଗର ସେଇ ଡେଙ୍ଗା ଯୁବକଟିର ବାବୁରିବାଳ କେରାକ ତଳକୁ ଦିଓଟି ଚକ୍‌ ଚକ୍‌ କରୁଥିବା ଆଖି, ଖଣ୍ଡାଧାର ପରି ନାକ ଓ ଥରିଲା ଓଠ । ସବୁକିଛି ସ୍ପଷ୍ଟ ଦିଶିଯାଏ ସୁଲତା ସାମ୍ନାରେ । କୁଆଡ଼େ ଅଛି ସେ ତରୁଣଟି ? କଣ କରୁଛି ସେ ଏତେବର୍ଷ ଧରି ? ଭୁଲିଯାଇଛି କି ରାସ୍ତା ? ଭୁଲିଯାଇଛି ସୁଲତା ପରି ଗୋଟେ ଝିଅର ଠିକଣା ?

ଆଖିବୁଜି ପଛକୁ ଫେରିଯିବାକୁ ଚାହେଁ ସୁଲତା । ଝରକା ଦେଇ ମହାନଦୀଠାରୁ ବୋହି ଆସୁଥିବା ପବନ ଶୁଷୁରି ବଜାଇ ଘୂରିବୁଲେ ଘର ଭିତରେ । ଯେଉଁସବୁ ଅନୁଭବକୁ ଚାଦରରେ ଢାଙ୍କିପକାଏ ଦିନ ଆଲୁଅରେ, ସେ ସବୁକୁ ଖୋଲି ଦେଖିବାକୁ ଖୁବ୍‌ ଇଚ୍ଛା ହୁଏ ନିଭୃତ କୋଠରିରେ-। ସନ୍ତର୍ପଣରେ ବାରମ୍ବାର ଉଚ୍ଚାରଣ କରିବାକୁ ଇଚ୍ଛା ହୁଏ ଚଢ଼େଇ ଓ ଚମ୍ପାଫୁଲର କଥା ।

ସାମ୍ନା ଧାଡ଼ିରେ ବସିଥିଲା ତରୁଣଟି । ବାରମ୍ବାର ଲକ୍ଷ୍ୟ କରିଥିଲା ସୁଲତା, ତରୁଣଟି କେବଳ ଚାହିଁ ରହିଛି ତାଆରି ଆଡ଼େ । ତାର ମୁହଁ, ଦେହ ଓ ପାଦ ଯାଏ ଘୂରି ବୁଲୁଛି ତରୁଣର ଆଖି ଯୋଡ଼ିକ । ପଢ଼ା ହେଉଥିବା ପାଠ ସେ ଶୁଣୁ ନାହିଁ । ମନଯୋଗ ସହକାରେ ସବୁକଥା ଶୁଣୁଥିବାର ବାହାନା କରୁଥିଲେ ବି ସୁଲତା ଠିକ୍‌ ଜାଣେ, କୌଣସିଟି କଥା ସେ ଶୁଣୁ ନାହିଁ । ତରୁଣଟି ପାଗଳ ନୁହେଁ ତ ?

ଢେର୍‌ ଦିନ ବିତିଯାଇଥିଲା ତା ଭିତରେ । ପୁରୁଣା ବି ହୋଇଯାଇଥିଲା ତରୁଣଟିର ଅଭ୍ୟାସ । ଏପରି ଗୋଟେ ଚରିତ୍ରହୀନକୁ ନେଇ କିଏ କଣ ମୁଣ୍ଡ ଖେଳାଏ ? ବାପାଙ୍କର ଅର୍ଥଶ୍ରାଦ୍ଧ ଭିନ୍ନ କଣ ଯେ କରୁଛି ପିଲାଟି ଏ ସହରରେ ? ପାଠ ପଢ଼ିବା ବାହାନାରେ ପ୍ରେମ କରୁଛି, ଛି ।

ରୁମ୍‌କୁ ଫେରିଆସି ସୁଲତା ଆଇନା ସାମ୍ନାରେ ଛିଡ଼ାହୁଏ । ଯୋଡ଼ିଏ ପ୍ରଲୁବ୍‌ଧ ଆଖି ଯେପରି ତା ପଛେ ପଛେ ପଶି ଆସିଛି ତା ରୁମ୍‌ ଭିତରକୁ । ସେ ଖୋଲିଥିବା ଲୁଗାପଟା ପୁଣି ପିନ୍ଧିନିଏ । ଗୋଟେ ଗୋପନ ପାପର ଅଙ୍କୁରୋଦ୍‌ଗମ କେଉଁଠି ନା କେଉଁଠି ହେଇ ସାରିଥାଏ ମନର ଭୂଗୋଳ ଭିତରେ ।

 

ଅପ୍ରେଲର ଗୋଟେ ଅପରାହ୍ନ । ସୁଲତା କମନ୍‌ରୁମ୍‌ ବାରଣ୍ଡାରେ ଠିଆହୋଇ ଡକେଇ ପଠେଇଥିଲା ତରୁଣଟିକୁ । ଆଶା କରୁଥିଲା, ଧରା ପଡ଼ିଯିବାର ଭୟରେ ତରୁଣଟି କ୍ଲାସ୍‌ରୁ ଉଭାନ୍‌ ହେଇଯିବ । ତା ବିରୋଧରେ ଅଭିଯୋଗ ଭିତ୍ତିହୀନ ବୋଲି ଦାବି କରିବ ।

 

ଅଧ୍ୟାପିକା ସୁଲତା ଅଳ୍ପବୟସୀ ହୋଇପାରେ, କିନ୍ତୁ କ୍ଷଣକୋପୀ ଭାବରେ ତାର ଦୁର୍ନାମ ଅଳ୍ପ ନୁହେଁ ।

 

ତରୁଣଟି ଆସୁଛି । କିଛି ନ ଜାଣିଲା ପରି ତାର ଢଙ୍ଗରଙ୍ଗ ।

 

: ତମେ ସବୁବେଳେ କ୍ଲାସ୍‌ରେ ଏପରି ବୋକାଙ୍କ ପରି ଚାହଁ କାହିଁକି ? କଲେଜକୁ ପଢ଼ିବା ପାଇଁ ଆସୁଛ ନିଶ୍ଚୟ ।

 

ତରୁଣଟି ନିରବ ।

 

: ମୋ କଥା ଶୁଣିପାରୁଛ କି ନାହିଁ ?

 

ତରୁଣଟି ନିରବ ।

 

: ମୋର ସମୟ ନାହିଁ ତମର ଏ ନିରବତାକୁ ବରଦାସ୍ତ କରିବା ପାଇଁ । ତମେ କ୍ଲାସ୍‌ରେ ମୋତେ ଅନ୍ୟମନସ୍କ କରୁଛ । ଏଣିକି ନିଜର ଅଭ୍ୟାସ ନ ବଦଳେଇଲେ ବାଧ୍ୟହୋଇ ମୁଁ ପ୍ରିନ୍‌ସିପାଲଙ୍କୁ ଜଣେଇବି ।

 

ତରୁଣଟି ତଥାପି ନିରବ । ପଥରର ମୂର୍ତ୍ତିଟେ ପରି ଚାହିଁଛି ସୁଲତାର ମୁହଁକୁ । ସୁଲତା ରାଗରେ ଲାଲ ପଡ଼ିଗଲା ।

 

: ତମେ କଣ ଚାହୁଁଛ ? ତମେ ଏ କଲେଜ ଛାଡ଼ି ଯିବ ନା ମୋତେ ହିଁ ଛାଡ଼ିଯିବାକୁ ପଡ଼ିବ ଏ ସହର ? ଅଭଦ୍ରାମିର ବି ସୀମା ଅଛି ।

 

ତରୁଣଟି ଗୋଟେ ଦୀର୍ଘଶ୍ୱାସ ନେଇଥିଲା । ଦୁର୍ବିନୀତି ଠାଣିରେ କହିଥିଲା, କାହାରିକୁ ଭଲପାଇ ବସିବା ପାଇଁ ତାଙ୍କଠାରୁ ଅନୁମତି ନେବା ଆବଶ୍ୟକ ପଡ଼େ ନାହିଁ । ମୋର ଯାହା କରିବାର ମୁଁ କରୁଛି । ତମର ଯାହା କରିବାର ତମେ କରିପାର ।

 

ଲଜ୍ଜା ଓ କ୍ରୋଧରେ ସୁଲତାର ମୁହଁ ପୋଡ଼ିଯାଇଥିଲା । ତାଠାରୁ ବୟସରେ ସାନ ଗୋଟେ ଅର୍ବାଚୀନ ତାକୁ ଭଲପାଇବାର ଦୁଃସାହସ କଲା କିପରି ? ତାକୁ ଭଲପାଇବାଟା କାହାର ଏକଚାଟିଆ ଅଧିକାର ହେଲା କେଉଁଦିନୁ ?

 

: ନିଜ ଯୋଗ୍ୟତା ସମ୍ପର୍କରେ ନିଜର କିଛି ଧାରଣା ତମର ନାହିଁ । ଯାଅ, ପ୍ରଥମେ ନିଜକୁ ଯୋଗ୍ୟ କର । ତାପରେ କୌଣସି ଝିଅ ସାମ୍ନାରେ ଏପରି ପ୍ରସ୍ତାବ ରଖିବ ।

 

ପାଦ କଚାଡ଼ି ସୁଲତା ଫେରିଆସିଥିଲା ନିଜର ରୁମ୍‌କୁ । ସେଦିନ କୌଣସି କ୍ଲାସ୍‌ ନେଇ ନ ଥିଲା । ମୁହଁମାଡ଼ି ବିଛଣାରେ କେବଳ କାନ୍ଦିଥିଲା । ଲଜ୍ଜାରେ ନା ଘୃଣାରେ, ଅଭିମାନରେ ନା ଅପମାନରେ ?

 

ତାପର ଦିନଠାରୁ ତରୁଣଟିକୁ ଆଉ ସେ ସହରରେ ଭେଟି ନ ଥିଲା ସୁଲତା ।

 

ଅନେକ ବର୍ଷ ବିତିଗଲାଣି । ପାଞ୍ଚବର୍ଷ କିଛି ତ କମ୍‌ ସମୟ ନୁହେଁ ମଣିଷର ସ୍ୱଳ୍ପାୟୁ ଜୀବନରେ । ଅଥଚ ସୁଲତା କାହିଁକି ମନେରଖିଛି ପାଞ୍ଚବର୍ଷ ତଳର ସେହି ମୁହୂର୍ତ୍ତକୁ । କି ସମ୍ପର୍କ ଥିଲା ତାର ତରୁଣଟି ସାଙ୍ଗରେ । ନାଆଁ ଛଡ଼ା ତା ଗାଆଁର ଠିକଣା ବି ସେ ଜାଣେ ନାହିଁ ।

 

ନିର୍ଭୁଲ ଠିକଣା କିନ୍ତୁ ମନେଅଛି ସମ୍ବିତ୍‌ର । ସେ ଠିକଣା ଗୋଟେ ଉଚ୍ଚା ପାହାଡ଼ର, ଯିଏ ଖାଲି ଦୂରକୁ ନୁହେଁ ପାଖରୁ ବି ଦିଶେ ସେତିକି ଭୟଙ୍କର, ସେତିକି ସୁନ୍ଦର । ଜୀବନରେ ଖାଲି ଗୋଟାଏ କୋମଳ ଆଗ୍ରହ, ସେ ସେହି ପାହାଡ଼ ଉପରକୁ ଉଠିଯିବ । ଖୁବ୍‌ ନିକଟକୁ ଯାଇ ପାହାଡ଼ କାନରେ ତୁନି ତୁନି ପଚାରିବ, ‘ତମେ ମୋତେ ଭଲପାଅ ସତରେ ?’

 

ସେଦିନ ପାହାଡ଼ ମୁହଁ ଲୁଚେଇବ ନାହିଁ । ସେଦିନ ପାହାଡ଼ ଆଖି ବଡ଼ ବଡ଼ କରି ହୁରୁଡ଼େଇ ଦେବ ନାହିଁ ତାକୁ । ଗଛପତ୍ର ଉହାଡ଼ରେ ପାହାଡ଼ ସନ୍ଧିରେ ମୁହଁ ଲୁଚେଇଦେବ ସେ । ଆକାଶରେ ଜହ୍ନ ଥିବ, ଜହ୍ନ ପାଖେ ବଉଦର ବୋଇତ । ବୋଇତ ଦି କଡ଼େ ଚିକିମିକି ତାରାଙ୍କର ପାଲ ଟଣା ଯାଇଥିବ । ଦୂରରୁ, ଅନେକ ଦୂରରୁ ବୋହି ଆସୁଥିବ ଦକ୍ଷିଣା ପବନ, ନାଁ ନ ଜଣା ଚଢ଼େଇର କିଚିରି ମିଚିରି ଶବ୍ଦ ପରି ରୁଣୁଝୁଣେଇ ଉଠୁଥିବ ପାହାଡ଼ କଚଟିର ପାଣିକାଚ ।

 

ପାଞ୍ଚ ବର୍ଷର ଦୀର୍ଘ ବନବାସ ପରେ ସମ୍ବିତ୍‌ ପୁଣି ଥରେ ଯାଇଥିଲା ଯୌବନର ପୁରୁଣା ସହରକୁ । ସେ ସହରରୁ ଠିକଣା ସଂଗ୍ରହ କରି ଯାଇଥିଲା ଆଉ ଗୋଟେ ନୂଆ ସହରକୁ । ସୁଲତାର ଠିକଣା ଖୋଜି ନୟାନ୍ତ ହେଇଥିଲା ରାଜ୍ୟର ଗୋଟେ ବରିଷ୍ଠ ଅଧିକାରୀ । ଅଧସ୍ତନମାନେ ପରସ୍ପରର ମୁହଁ ଚାହିଁଥିଲେ । ନୂଆ ହାକିମଙ୍କର ଇଏ କି ପୁରୁଣା ରୋଗ ? କୁଆଡ଼େ ଯାଉଛନ୍ତି, କାହିଁକି ଯାଉଛନ୍ତି, କାହା ପାଖକୁ ଯାଉଛନ୍ତି ?

 

ସବାଶେଷରେ ସମ୍ବିତ୍‌ ଦେଖା ପାଇଥିଲା ପ୍ରେମିକାର । କେତେଶହ ବର୍ଷ ପରେ, କେତେ ଯୁଗ ଓ ମନ୍ୱନ୍ତର ପରେ ପୁଣି ଭେଟିଥିଲା ମନର ମଣିଷଟିକୁ ! ଅଥଚ ଚେହେରାରେ ସେଇ ଔଜ୍ଜଲ୍ୟ, ଆଖିରେ ସେଇ ଦ୍ୟୁତି ।

 

ଯେଉଁଠି ଛାଡ଼ିଯାଇଥିଲା ପାଞ୍ଚବର୍ଷ ତଳେ ସେଇଠି ଅଟକି ଯାଇଛି ସୁଲତାର ବୟସ ।

 

ଆଖି ତଳେ ଅଧିକା ଗୋଟେ ନୀଳ ଦାଗ–ଅପେକ୍ଷାର ?

 

ଥାଉ ସେସବୁ । ସେ ସାକ୍ଷାତ ପର୍ବର ଅନୁଭୂତି ଶୁଣିବା ପାଇଁ କିଛି ସମୟ ଅପେକ୍ଷା କରାଯାଉ ।

 

ହାକିମ ଫେରିଆସିଲେ ନିଜ ସହରକୁ ।

 

ଅଧସ୍ତନମାନେ ପୁଣି ଛପିଛପି କଥାବାର୍ତ୍ତା ହେଲେ । ହାକିମଙ୍କର କଣ ହେଲା ? କାହିଁକି ହେଲା ? କିଏ ଭାଙ୍ଗିଦେଲା କି ତାଙ୍କ ଖେଳଘର ? ଚୋରେଇ ନେଲା ଆଦରର ଚିଜ ? ଏମିତି ଉଦାସ ଉଦାସ କାହିଁକି ସବୁଦିନେ ସଳଖ ସୁନ୍ଦର ଯୁବକଟେ ?

 

ସେହିଦିନ ରାତିରେ ସମ୍ବିତ୍‌ ଲେଖିଲା ଚିଠି । ବାପାଙ୍କ ପ୍ରସ୍ତାବରେ ସମ୍ମତି ଜଣାଇ ଲେଖିଥିବା ଏ ଚିଠିଟି ଥିଲା ତାର ଦୀର୍ଘ ନିରବତାର ଉଦ୍‌ଯାପନ ପର୍ବର ଘୋଷଣାନାମା । ତା ବାହାଘରରେ ଥିଲା ଗୋଟିଏ ସର୍ତ୍ତ । ସେ ଠିକ୍‌ କରିଥିବା ଝିଅ ସାଙ୍ଗରେ ହିଁ ବାହାଘର ହେବ । ଝିଅଟି ଅସହାୟା । କିଛି ଦେଇପାରିବେ ନାହିଁ ତାର ଦୂରସମ୍ପର୍କୀୟ ପିଇସୀ ।

 

ତାପରେ ବାହାଘର, ଫୁଲନୋଳ ବେଦୀ ଓ ମଧୁଚନ୍ଦ୍ରିକା ।

 

ମଧୁଚନ୍ଦ୍ରିକା, ଦାମ୍ପତ୍ୟ ଓ ଗୁଳାପକା ରାସ୍ତାର ଘରକରଣା ।

 

ହାତପାଆନ୍ତାରେ ପରିପୂର୍ଣ୍ଣ ସଂସାର, ସମ୍ଭାବନାମୟ ଉଜ୍ଜ୍ୱଳ କ୍ୟାରିଅର, ଦକ୍ଷ ଅଧିକାରୀ ଭାବେ ଗୋଛାଏ ପ୍ରଶଂସାପତ୍ର । ଜ୍ୟୋତ୍ସ୍ନା ପରି ସୁନାନାକୀ ବିଶ୍ୱସ୍ତ ପତ୍ନୀ । ନ ମିଳୁ ପଛେ ଯୌତୁକ, ପୁଅର ଘର ବସିଗଲା । ବାପା ଆଶ୍ୱସ୍ତ ହୋଇଥିଲେ ।

 

ସବୁ ଠିକ୍‌ ଚାଲେ । ଚାଲୁଥିବା ପରି ଦିଶେ ଅନ୍ତତଃ । କିନ୍ତୁ କେଉଁଠି କେଜାଣି ଗୋଟେ ଉଦାସୀ ବିରାଗୀ କେନ୍ଦରା ବାଜି ଉଠୁଥାଏ ରହି ରହି । ଖରାଦିନ ଦ୍ୱିପହରରେ ବାଉଁଶ ବଣରୁ ରାବି ଉଠୁଥାଏ ଗୋଟେ ନିଃସଙ୍ଗ କପୋତୀ । ଆଖିର କଜ୍ଜ୍ୱଳ ଚିବୁକର ଲୁହ ହୋଇ ବୋହି ଯାଉଥାଏ । ପାହାଡ଼େ ପ୍ରମାଣ ଦୁଃଖ, ଅସହାୟତା ଓ ଏକଲା ପଣକୁ ନେଇ କପୋତୀଟି ଉଡ଼ି ଯାଉଥାଏ ଏ ଡାଳରୁ ସେ ଡାଳ ନଈ ପାହାଡ଼ ଓ ଗଛ ଝରଣା ଡେଇଁ ।

ବହୁତ ସାହସ କରି ଜ୍ୟୋତ୍ସ୍ନା ସେଦିନ ପଚାରିଥିଲା ସେଇ ଉତ୍ପୀଡ଼କ ପ୍ରଶ୍ନ । ସେଦିନ ଥିଲା ଅଶିଣର ଶୁକ୍ଳପକ୍ଷ ରାତି । ଶୋଇବାଘରର ଲାଇଟ୍‌ ଲିଭେଇ ଝରକା ପାଖରେ ବସିଥିଲା ସମ୍ବିତ୍‌ । ଆଲୁଅକୁ ଏବେ ତାର ଭାରି ଡର । ଆଲୁଅ ଧରାପକେଇଦିଏ ମନ ତଳର ଦୁଃଖ । ଓଟାରିଆଣେ ମଣିଷର ଆବେଗ ଓ ଅବସୋସ । ସ୍ଥିର କଲା, ଜ୍ୟୋତ୍ସ୍ନାକୁ ସେ ସବୁକଥା କହିଦେବ-। ତାର ଏସବୁ ଜାଣିବାର ଅଧିକାର ଅଛି ।

ଝରକା ସେପଟେ ଜହ୍ନର ଇଲାକା ଡେଇଁ ଦୂରରେ କାଶତଣ୍ଡୀର ବଣ । ମାୟାଚ୍ଛନ୍ନ ଜ୍ୟୋତ୍ସ୍ନା ଚାରିଆଡ଼େ ।

ହଳଦୀବସନ୍ତଟେ କୁଆଡୁ ଉଡ଼ିଆସି ସକାଳ ପହରୁ ଘର ସାମ୍ନା ଚମ୍ପାଗଛ ଡାଳରେ ବସିଛି-। ବାଆଁ ଆଖିଟା ବାରମ୍ବାର ଫରଫର ହେଉଛି । କଣ ଆଉ ଶୁଭ ଖବର ଅଛି ସୁଲତା ଜୀବନରେ, ଯହା ଆସୁଥିବ ହଳଦୀବସନ୍ତର ଡେଣାରେ ଉଡ଼ି ଉଡ଼ି ଏଇ ଚିକ୍‌ ଚିକ୍‌ ସକାଳ ଆଲୁଅରେ ?

ଆଜିକାଲି କୁଆଡ଼କୁ ଯିବା ପାଇଁ ମନ ବଳେ ନାହିଁ ।

କଲେଜରେ କ୍ଲାସ୍‌ତକ ସାରିଦେଇ ସିଧା ଫେରିଆସେ ସୁଲତା । ଲାଇବ୍ରେରୀ କି କମନ୍‌ରୁମ୍‌କୁ ଯିବା ପାଇଁ ଇଚ୍ଛା ହୁଏ ନାହିଁ । ସବୁଠି ସେଇ ଉତ୍ପୀଡ଼କ ଅସ୍ୱସ୍ତିକର ପ୍ରଶ୍ନ । କାହିଁକି ବାହା ହେଉ ନାହାନ୍ତି ଇତିହାସର ମାଡାମ୍‌ ? କଣ କିଛି ପ୍ରେମ ଥିଲା କାହା ସାଙ୍ଗରେ ? କେହି ଠକିଦେଇ ଚାଲିଯାଇଛି ? ପିଲାଦିନୁ ବିଧବା ? ଡାଇଭର୍ସ ? ହଜାରେ ରକମର ଅନୁଚ୍ଚାରିତ ପ୍ରଶ୍ନ । କାନ୍ଥ ବାଡ଼ ଓ ପାଚେରିରେ ବଡ଼ ବଡ଼ ହରଫ୍‌ରେ ଯେମିତି ଲେଖାଯାଇଛି ସେହି ପ୍ରଶ୍ନ–ସୁଲତା ମହାପାତ୍ର, ତମେ ଏତେବର୍ଷ ଧରି ବାହାହେଇନା କାହିଁକି ? କାହାକୁ ଅପେକ୍ଷା କରିଛ ? କିଏ ସେ-? ସାଙ୍ଗ ଅଧ୍ୟାପିକାମାନେ ମୁହଁକୁ ବଲବଲ କରି ଚାହାଁନ୍ତି । କି ଦୁଃଖ ଥାଇପାରେ ଏଇ ଜାପାନୀ କଣ୍ଢେଇ ଚେହେରାର ଗୋଟେ ଝିଅର ? କାହିଁକି ଅକାରଣରେ ନିଜକୁ ଏପରି ନିଷ୍ପେଷିତ ହେବାକୁ ଦେଉଛି ? ଅନେକେ ସୁଲତାକୁ ପଚାରି ପାରନ୍ତି ନାହିଁ । ପ୍ରଶ୍ନ ପଚରାଯିବାର ମୁହୂର୍ତ୍ତ ବି ଯେପରି ଉତ୍ତୀର୍ଣ୍ଣ ହେଇଗଲାଣି ।

ବାହାରକୁ ନିରୁଦ୍‌ବିଗ୍ନ, ନିର୍ବିକାର, ନିସ୍ତରଙ୍ଗ ଟୁବିଗାଡ଼ିଆ ପରି ଶୀତଳ ମଣିଷଟି ଭିତରେ କିନ୍ତୁ ଅଜସ୍ର କୁନି କୁନି ଲହଡ଼ି । ହଜାରେ ଏକ ଅସମାହିତ ପ୍ରଶ୍ନର ଶୋଭାଯାତ୍ରା । ଏତେ ଟିକେ ହୋଇ ମଣିଷର ଜୀବନ ! ତାର ପୁଣି ଏତେ ଚିନ୍ତା, ଏତେ ସମସ୍ୟା ? ସୁଖ କଥା ମନେ ପକେଇଲେ ଦୁଃଖ ଆସି ଦରଜା ପିଟେ, ଦୁଃଖ ପାଇଁ ଲୁହ ଗଡ଼େଇ ବସିଲେ ସୁଖ ଆସି ଟାହୁଲି ଟାପରା କରି ବସେ ।

ତଥାପି ଭଲ ଲାଗେ ପିଲାଦିନ କଥା ଭାବି ବସିବାକୁ । ତାର ସବୁ ଅତ୍ୟାଚାର, ଅପମାନ, ସବୁ ନିର୍ଯାତନା ଭିତରେ ବି ସ୍ୱପ୍ନବୋଳା ସମୁଦ୍ରର ମହାର୍ଘ ସ୍ମୃତି ଭଲଲାଗେ, ଭଲଲାଗେ ଲୁଣିଆ ଲୁହର ସ୍ମୃତି ।

ପିଲାଦିନୁ ବିଧବା ବୋଉର ଧଳା ପଣତ ତଳେ ବଢ଼ି ଆସିଥିଲା ସୁଲତା । ଅଣ୍ଟିରେ ଅଣ୍ଟିଏ ଅଭାବ ନେଇ ବି ସ୍ୱପ୍ନର ତାରାମାନଙ୍କୁ ଗଣିବାର ଚେଷ୍ଟା କରୁଥିଲା । ତାର ବି ବାହାଘର ହେଇଥାନ୍ତା, ଝିଅର ପୂରିଲା ସଂସାର ଭିତରେ ବିଧବା ବୋଉ ତାର ଅପୂର୍ଣ୍ଣ ଘରକରଣାର ନୂଆଛବି ଦେଖିଥାନ୍ତା । ଅଥଚ ସେପରି କିଛି ହେଲା ନାହିଁ । ମଙ୍ଗୁଳାକନିଆଁ ବେଦୀକୁ ଗଲା ନାହିଁ । ଅବିବାହିତା ସୁଲତା ବିବାହର ଗୋଟେ ରାତି ଆଗରୁ ବିଧବା ହୋଇଗଲା । ଶରତର ନୀଳ ଆକାଶ ଶେତା ପଡ଼ିଗଲା । ବନ୍ଧ୍ୟା ପାଲଟିଲା ବସୁନ୍ଧରା ।

ସଞ୍ଚିତ ସଞ୍ଚୟ ଓ ସଦ୍ଭାବନାମୟ ସକାଳ ଉଭୟ ହିଁ ଗୋଟେ ଆକସ୍ମିକ ଢଙ୍ଗରେ ସେଇ ବିନ୍ଦୁରେ ସରିଯାଇଥିଲେ ।

ଅଲକ୍ଷଣୀ, ଅଶୁଭ କନ୍ୟା ଓ ନାନାଦି ଅଭିସମ୍ପାତରେ ଗୋଟେ ଅଭିଶାପ ପାଲଟି ଯାଇଥିଲା ସୁଲତାର ଯୌବନ ।

ବୋଉ ଆଖି ବୁଜିବା ପରଠାରୁ ସେ ଗାଆଁକୁ ଫେରି ନାହିଁ । ଗୋଟେ ସମ୍ପର୍କହୀନ ପୃଥିବୀ ହିଁ ତାର ଉପନିବେଶ । ସେଠି କାହାର ସ୍ନେହ ନାହିଁ, ସୋହାଗ ନାହିଁ, କାହାର ଶାସନ ନାହିଁ କି ନାଲିଆଖି ନାହିଁ ।

ଆଇନା ସାମ୍ନାରେ ସାଦା ସିନ୍ଥିକୁ ଚାହିଁ ଅନେକ ଥର ଅନ୍ୟମନସ୍କ ହେଇଛି ସୁଲତା । କୁଙ୍କୁମ ଓହ୍ଲେଇ ସିନ୍ଦୂର ଚେନାଏ ଥୋଇଦିଅନ୍ତା ନାହିଁ କେହି ଜଣେ ସେଇ ସାଦା କପାଳରେ ?

ଛାତି ଭିତରେ ଗୋଟେ ଚୁଲି, ଚୁଲି ଉପରେ ଚା କେଟିଲ୍‌ । ଗରମ ବାମ୍ଫରେ ଢାଙ୍କୁଣି ଉଠୁଛି ପଡ଼ୁଛି । ସୁଲତା ଢାଙ୍କୁଣିକୁ ଚାପିଧରେ, ଚାପି ଧରିବାର ଚେଷ୍ଟା କରୁ କରୁ ଏ ସହରରୁ ସେ ସହର, ବଦଳି ଓ ବଦଳି ବାତିଲର ନିର୍ଦ୍ଦେଶନାମାକୁ ନେଇ ଜୀବନ ଗଡ଼ୁଥାଏ । ସୁଲତା ଇସ୍ତ୍ରୀକରା ଶାଢ଼ି ଓ ବହିମାନଙ୍କ ଭିତରେ ନିଜର ଦୁଃଖକୁ ଲୁଚେଇ ଦିଏ ।

କିନ୍ତୁ ଆଜି ସତକୁ ସତ ବାଆଁ ଆଖିଟା ଫରଫର ହେଉଛି କାହିଁକି ?

ହଳଦୀବସନ୍ତଟା ଫର୍‌କିନା ଚମ୍ପାଗଛର ଡାଳରୁ ଉଠି ଫେରାର ହୋଇଗଲା ।

ଘର ଆଗରେ ଠିଆ ହେଇଛନ୍ତି କିଏ ସେ ଭଦ୍ରଲୋକ ? ପାନ ଦୋକାନ ସାମ୍ନାରେ କାହା ଠିକଣା ପଚାରୁଛନ୍ତି ? କଲେଜର କେହି ନୂଆ ଅଧ୍ୟାପକ ? ନା, ତା ଘରକୁ ସେ ଆସୁ ନାହାନ୍ତି । କିଏ କାହିଁକି ଆସିବ ତା ପାଖକୁ ?

କିନ୍ତୁ ସୁଲତା ଅପେକ୍ଷା କରୁଛି କାହିଁକି ? କାହାକୁ ଅପେକ୍ଷା କରୁଛି ? ତାଠୁ ବୟସରେ ଚାରି ଚାରି ବର୍ଷ ସାନ ଗୋଟେ ତରୁଣକୁ ? ଅଲକ୍ଷଣ ଆଉ କାହାକୁ କହନ୍ତି ସୁଲତା ? ତମ ପରି ଡାଆଣୀ ଝିଅଙ୍କୁ ? ବାହା ଆଗରୁ ଜଣକର ମୁଣ୍ଡ ମୋଡ଼ି ଖାଇଛି । ଅନହୁତି ରାସ୍ତା ଦୁର୍ଘଟଣାରେ ମରିଛି ଗୋଟେ ସଳଖ ସୁନ୍ଦର ଭେଣ୍ଡା ତମର ହୀନକର୍ମ ପାଇଁ, ପ୍ରାରବ୍‌ଧର ପାପ ପାଇଁ । ପୁଣି କେଉଁ ଜନ୍ମ ପାଇଁ ସଞ୍ଚି ଯାଉଛ ଏ ମହାପାତକ ?

ଅନ୍ଧାର ସୁଡ଼ଙ୍ଗ ଭିତରେ ପାଦ ଖସୁଥିବା ରାସ୍ତା, କେହି କୁଆଡ଼େ ନାହାନ୍ତି । ଗୋଟେ ପୁରୁଣା ଅଶ୍ୱତ୍‌ଥ ଗଛ ଡାଳରେ ବାହୁନୁଛି ଗୋଟେ ବିଧବା । ତା ଚାରିପାଖେ ଶହେ ସରିକି ଯମଦୂତ ।

ସୁଲତାର ସ୍ୱପ୍ନ ଭାଙ୍ଗିଯାଏ । ଯେତେସବୁ ଅର୍ଥଶୂନ୍ୟ କୁସଂସ୍କାର । ରକ୍ଷଣଶୀଳତାର ବିକୃତି । ସେ କିଛି ଦୋଷ କରି ନାହିଁ । ପୁରୁଷଟେ ନାରୀକୁ ଭଲପାଇବ–ତା ଭିତରେ ବୟସ ଗୋଟେ ଗୌଣ ବ୍ୟବଧାନ । ବ୍ୟବଧାନ ମାନସିକତାରେ ଥାଏ, ବୟସରେ ନୁହେଁ । ଏ ପାପ-ପୁଣ୍ୟକୁ ନେଇ ସେ ତା ଜୀବନଟାକୁ ଏଇମିତି ଜଳିଯିବାକୁ ଦେବ କି ?

 

: ଦିଦି, ଦିଦି, ତମକୁ କିଏ ଜଣେ ଖୋଜୁଛନ୍ତି ।

 

ରୋଷେଇବାସ କରି ନେଉଥିବା ଚାକରପିଲାଟି ଦାଣ୍ଡ ଦୁଆରମୁହଁରୁ କହୁଥିଲା ।

 

: କିଏ ସମ୍ବିତ୍‌ ?

 

ଦୁଆର ସେପାଖ ସମ୍ବିତ୍‌, ଏ ପାଖେ ସୁଲତା । ମଝିରେ ଖାଲି ଅପେକ୍ଷା ଶେଷ ଦୀର୍ଘଶ୍ୱାସ, କ୍ଷୁଧାର କ୍ଷାନ୍ତି ଓ ତୃଷ୍ଣାର ତୃପ୍ତି ଭାବପ୍ରବଣତାର ସମୁଦ୍ର କୂଳ ଲଙ୍ଘୁଛି । ଉଜାଣି ବୋହୁଛି ଯମୁନା । ଉଭୟେ ନିରବ । ସୁଲତା କହିପାରୁ ନାହିଁ, ତମେ ଆସ ସମ୍ବିତ୍‌ । ଭିତରକୁ ଆସ । ମୋ ପାଖକୁ ଆସ, କେତେ ବର୍ଷ ହେଲା ତମକୁ ଦେଖିବା ପାଇଁ ଅପେକ୍ଷା କରିଛି ।

 

ସମ୍ବିତ୍‌ କହିପାରୁ ନାହିଁ, ମୋତେ ଚିହ୍ନୁଛ ସୁଲତା । ଏମ୍‌.ଏ. କ୍ଲାସ୍‌ର ସେହି ଅଭଦ୍ର ତରୁଣ-। ତମରି ଭର୍ତ୍ସନା ଯୋଗୁ ଯିଏ ଛାଡ଼ିଥିଲା ଭଦ୍ରକ କଲେଜ ସେହିଦିନ । ତାପରେ ପାଞ୍ଚବର୍ଷ କେମିତି ବିତିଛି ଜାଣେନା । କେଉଁଠି ରହିଛି, କେତେ କଷ୍ଟରେ ପଢ଼ିଛି ଓ ପରୀକ୍ଷା ସବୁ ଦେଇଛି ଜାଣେନା । କିନ୍ତୁ ଫେରିଆସିଛି ତମ ପାଖକୁ । ଏଇ ନିଅ, ତମ ସାମ୍ନାରେ ସମ୍ବିତ୍‌ ।

 

ଆଉ ଟିକେ ଛିଡ଼ାହୁଅ । ଆଉଥରେ ଦେଖିନିଏ ତମକୁ । କଣ ଆଉ କହିବାର ଅଛି ଦେଖାହେଲା ପରେ ? ରୁହ ରୁହ–ହଲଚଲ ହୁଅ ନାହିଁ । ସେଇଠି ଗୋଟେ ସ୍ତବ୍‌ଧ ଫଟୋଗ୍ରାଫ୍‌ ପରି ଠିଆହୁଅ ।

 

: ମୋତେ ଚିହ୍ନିପାରୁ ନାହଁ ?

 

: ଆସ । ଭିତରକୁ ଆସ । ଆଗେ ଟିକେ ଥକ୍‌କା ମାର ।

 

ତାପରେ ?

 

ଜ୍ୟୋତ୍ସ୍ନା କଣ୍ଠରେ ଫୁଟି ଉଠିଛି କାହାଣୀ ଶୁଣିବାର ବ୍ୟଗ୍ରତା ।

 

ସମ୍ବିତ୍‌ ଝରକା ପାଖରେ ଆସି ବସିଲା ।

 

ଜହ୍ନ ଲୁଚିଗଲାଣି କଳା ବାଦଲ କୋଳରେ । ପୃଥିବୀ ଉପରେ କଳା ଜହ୍ନର ଛାଇ । ଘର ଭିତରଟା ବି ଅନ୍ଧାର । ଜ୍ୟୋତ୍ସ୍ନା ନିଶ୍ଚୟ ଦେଖିପାରୁ ନାହିଁ ସମ୍ବିତ୍‌ ଆଖିରେ ଚକ୍‌ ଚକ୍‌ କରୁଥିବା ଲୁହ-

 

ଝିଅଟିର ଭଲପାଇବାରେ ଏତେ ଟିକିଏ ବି ଛଳନା ନ ଥିଲା । ନା ଥିଲା ପୁଅଟିର ଭଲପାଇବାରେ । ଭଲପାଇବା ବି କି ଅଦ୍ଭୁତ ଆବେଶ ? ସବୁ ଥାଇ କିଛି ନ ଥିଲା ପରି ଲାଗେ । କିଛି ନ ଥାଇ ସବୁ ଥିବାର ଅନୁଭବ ହୁଏ ।

 

ଝିଅଟି ଥିଲା ଖୁବ୍‌ ଦୁଃଖୀ । କହିଥିଲା, ତମେ ଯୋଗ୍ୟ ହେଇଛ, ଖୁବ୍‌ ଯୋଗ୍ୟ କରିଛ ନିଜକୁ, ଯେଉଁଠିକୁ ମୁଁ ଚାହିଁଥିଲେ ବି ତମକୁ ପଠେଇ ପାରି ନ ଥାନ୍ତି । ପ୍ରେମ ବଡ଼, ପ୍ରେମିକା ନୁହେଁ କି ପ୍ରେମିକ ନୁହେଁ । ପ୍ରେମ ଏକ ଅପରାଜେୟ ପାହାଡ଼ । ଯାହାର ଶୀର୍ଷ କେହି ଦେଖି ନାହିଁ । ତମ ପରି ଅନ୍ୟମନସ୍କ ମଣିଷଟେ ଯୋଗ୍ୟ ହେଇ ସମାଜର ପାଞ୍ଚ ଦଶଜଣଙ୍କ ମେଳରେ ଛିଡ଼ା ହେଇପାରିଲା । ଗୋଟେ ଜନ୍ମର ଜୀବନ ପାଇଁ ଏହାଠୁ ବଳି ବଡ଼ ଉଦ୍ଦେଶ୍ୟ କଣ ହେଇପାରନ୍ତା ?

 

ଝିଅଟିର ଅଦ୍ଭୁତ ଯୁକ୍ତିରେ ସ୍ତବ୍‌ଧ ହୋଇ ଯାଇଥିଲା ପୁଅଟି । ଗଲା ପାଞ୍ଚବର୍ଷ କାଳ, ଦିନ ଗଣି ଗଣି ବିତେଇଛି ଗୋଟିଏ ମୁହଁକୁ କଳ୍ପନାର ଦେବୀ କରି । ଏମିତି କଥା ଶୁଣିବ ବୋଲି ତ ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ଇଏତ ନ ଥିଲା ସର୍ତ୍ତ ତାଙ୍କ ଭଲପାଇବାର ? ସୁଲତାର ଏ ଭାବାନ୍ତର କାହିଁକି ?

 

ତଥାପି ତମକୁ ସେପରି ଯିବାକୁ ଦେବି ନାହିଁ ଖାଲି ହାତରେ । ତମ ଉପରେ ଦାବି ଅଛି ନିଶ୍ଚୟ । ତମେ ବି ସ୍ୱୀକାର କରିବ । କଥା ଦିଅ–ଗୋଟେ ଅସହାୟା ଝିଅକୁ ତମେ ସ୍ତ୍ରୀର ମର୍ଯ୍ୟାଦା ଦେବ, ମୋତେ ଦାୟମୁକ୍ତ କରିବ ।

 

ରାତି ଅନିଦ୍ରା ଓ କଠୋର ପରିଶ୍ରମ ହେତୁ ସମ୍ଭବତଃ ଅକାଳ ବାର୍ଦ୍ଧକ୍ୟର ଧୂସରିମା ନଇଁ ଆସିଲାଣି ସୁଲତାର କପାଳରେ । କିମିତି ହଜିଲା ହଜିଲା ଭାବ କଣ୍ଠରେ ? କୁଆଡ଼େ ଗଲା ବଣ ହରିଣୀର ସେ ଚଞ୍ଚଳତା ? ଇଏତ ପାଞ୍ଚବର୍ଷ ତଳର ସୁଲତା ନୁହେଁ ।

 

ପୁଅଟି ଝିଅର ପାଖକୁ ଲାଗି ଆସିଥିଲା । ଝିଅଟି ଘୁଞ୍ଚି ଯାଇଥିଲା । ଏତେ ଟିକେ ଅହଙ୍କାରକୁ ଭାଙ୍ଗିଯିବାକୁ ଦିଅ ନାହିଁ । ପାଟହାତୀ ସମର୍ପି ଦେଇଥିବା ରଜାଟିଏ ହାତୀ ପିଠିର ଶେଯକୁ କାହିଁକି ଲୋଭ କରିବ ?

 

ଫେରିଆସିଥିଲା ପୁଅଟି । ଢେର୍‌ ଦିନ ରହିଥିଲା ଆତ୍ମ ନିର୍ବାସନରେ । ଝିଅଟିକୁ କଥା ଦେଇଥିଲା, ସେକଥା ସେ ରଖିଲା । ବାହାଘରର ନିମନ୍ତ୍ରଣ ପତ୍ର ପାଇଲା ଝିଅଟି । ଆସିଲା ନାହିଁ । ଆସନ୍ତା ବା କିପରି ?

 

ଏବେ ଝିଅଟି ସେ ସହର ଛାଡ଼ି ଚାଲି ଯାଇଛି । କେଉଁଠି ଅଛି ପୁଅ ଜାଣେ ନାହିଁ । ଖବର ନ ରଖିବାକୁ ବାରମ୍ବାର କହିଥିଲା ଶେଷ ଦେଖା ବେଳେ । ପୁଅ ଚେଷ୍ଟା କରୁଛି ପ୍ରଥମ ପ୍ରେମର ଶେଷ ସର୍ତ୍ତ ପୂରଣ ପାଇଁ ।

 

ଜ୍ୟୋତ୍ସ୍ନା ସମ୍ବିତ୍‌ ସାମ୍ନାରେ ଏବେ ।

 

ପଚାରୁଛି, “ତମେ ସୁଲତା ମାଡାମ୍‌ଙ୍କ କଥା କହୁନାହଁ ତ ?”

 

: କାହିଁ ? କେତେବେଳେ କହିଲି ମୁଁ ତାଙ୍କ କଥା ?

 

ସମ୍ବିତ୍‌ ଆଖିରେ ଅସରାଏ ଶ୍ରାବଣ ।

 

ଜହ୍ନ ସାମ୍ନାରୁ ବାଦଲ ହଟି ଯାଇଥିବାରୁ ବାହାରର ଆକାଶ ପୂର୍ବାପେକ୍ଷା ଉଜ୍ଜ୍ୱଳ ଦିଶୁଥିଲା-

Image

 

ପ୍ରଥମା

 

ବର ବାହାରିଲାଣି । ମଫସଲ ଗାଆଁ ବାହାଘରରେ ସମୟର କିଛି ଠିକ୍‌ ଠିକଣା ନ ଥାଏ-। ଯେତେବେଳେ ସାହିଭାଇ, ବାଜା, ଲାଇଟ୍‌ବାଲା ସମସ୍ତେ ପହଞ୍ଚିବେ, ସେତେବେଳେ ବର ଉଠିବ-। ଗୌତମ ଟିକିଏ ବିରକ୍ତ ହେଇଯାଇଥିଲା ମନେ ମନେ । ଗାଆଁ କଥା ଏଇଆ । ଚାରିଆଡ଼େ ଝାପ୍‌ସା ଝାପ୍‌ସା ଅନ୍ଧାର । ସକାଳ ପହରୁ ଏ ଗାଆଁରେ ବିଜୁଳି ନାହିଁ । ଜେନେରେଟରଟେ ଚାରି ପାଞ୍ଚଘଣ୍ଟା ଚାଲି ବନ୍ଦ ହେଇଗଲାଣି । ଏବେ ଦିଇଟା ପେଟ୍ରୋମାକ୍‌ସ ଲାଇଟ୍‌ ଉପରେ ଯାହା ଭରସା ।

 

ସେପଟୁ ଝିଅଟିଏ କିଏ ଟୁପୁରଟାପର୍‌ ହେଇ କଣ କହୁଛି । ବାହାଘରିଆ କାମ କାର୍ଯ୍ୟରେ ଝିଅମାନେ ଟିକିଏ ଅଧିକ କ୍ଷମତା ପାଇଥାଆନ୍ତି । ଗୌତମ ସେଇ ଛାଇଛାଇଆ ଆଲୁଅ ଭିତରେ ନିଜର ଆଖିଯୋଡ଼ିକ ପହଁରେଇ ଆଣିଲା । ନା, ପାଇଲା ନାହିଁ ଯାହାକୁ ସେ ଖୋଜୁଥିଲା । ଖୋଜିବା ମଣିଷ ମିଳେ ନାହିଁ । ମିଳେ ନାହିଁ ହଜିଥିବା ଠିକଣା ।

 

ଟିକିଏ ଦୂରରେ ଟଙ୍ଗା ହେଇଥିବା ପେଟ୍ରୋମାକ୍‌ସ ଲାଇଟ୍‌ର ଚାରିକଡ଼େ ହାଉଯାଉ ପୋକ । ଲାଇଟ୍‌ର ଆଲୁଅ ବି ମହଳଣ ପଡ଼ି ଆସିଲାଣି । କାହାରି ନଜର ନାହିଁ ସେଆଡ଼େ । ଅନାବଶ୍ୟକ ଭାବେ ଚିତ୍କାର କରି ଗୋଟାଏ ବ୍ୟାଟେରି ଚାଳିତ ମାଇକ୍‌ ବାଜୁଛି । ଶ୍ରୁତିକଟୁ ଉଚ୍ଚ ସ୍ୱରରେ ହିନ୍ଦୀ ଗୀତ ବାଜୁଛି । ତା ସଙ୍ଗେ ଆଉ କେତେଜଣ ଉତ୍ସାହୀ ସ୍ଥାନୀୟ କିଶୋର କଳାକାର ସୁର ଧରିଛନ୍ତି, ବେଳେବେଳେ ନାଚି ଯାଉଛନ୍ତି ।

 

ଦାଣ୍ଡ ପିଣ୍ଡା, ବାରଣ୍ଡା ସବୁଆଡ଼େ ହାଉଯାଉ ଲୋକ । ବାଜାବାଲାଏ ଏଠିସେଠି ଶୋଇପଡ଼ିଛନ୍ତି । ଘରର କୁଣିଆଁ ମଇତ୍ର ବି ଯିଏ ଯେଉଁଠି ପାରିଛନ୍ତି ବସି ଘୁମଉଛନ୍ତି, ନ ହେଲେ କାନି ପାରିଦେଇ ପଡ଼ିଯାଇଛନ୍ତି । ରାଧାଶ୍ୟାମ ଭିତରେ କେଉଁଠି ବେଶ ହେଉଛି । ବାରଟା ପରେ ଅନୁକୂଳ ।

 

କିନ୍ତୁ ମାଳତୀ କାହିଁ ?

 

ମାଳତୀର ସ୍ମୃତି ମନେପଡ଼ିଲେ ଗୌତମ ଦୁର୍ବଳ ହେଇଯାଇଥିଲା । ମାଳତୀ ତାହେଲେ ଆସିନାହିଁ ! ସେ ନ ଆସିବାର କାରଣ କଣ ହୋଇପାରେ ? ବିଚାରୀ କଣ ? ନା, ନା, ସେମିତି କଣ ହୋଇପାରେ ? ମାଳତୀ ଯେଉଁଠି ଥିଲେ ବି ଭଲରେ ଥିବ । ନିଶ୍ଚୟ ଭଲରେ ଥିବ । ସଂସାର ଜଞ୍ଜାଳ ଯୋଗୁ ହୁଏତ ଆସିପାରି ନ ଥିବ ।

 

କିଏ ଜଣେ ଆସି ଗୌତମ ହାତରେ ପାନ ଦି ଖଣ୍ଡ ଦେଇ ଚାଲିଗଲା । ଏଠିକି ଆସିବା ପରଠୁ ସେ କ୍ରମାଗତ ଭାବେ କେବଳ ପାନଗୁଡ଼ିଏ ଚୋବେଇ ଚାଲିଛି । ହାତରେ କାମ କିଛି ନାହିଁ; ଚୁପ୍‌ଚାପ୍‌ ସବୁ ଦେଖିବା କଥା କେବଳ ।

 

ରାଧାଶ୍ୟାମ ତାଠୁ ଚାରିବର୍ଷ ବଡ଼ ବୟସରେ । ଏକା ସ୍କୁଲରେ କିଛିକାଳ ଦିହେଁ ପଢ଼ୁଥିଲେ-। ପୂନେଇଁ ପର୍ବରେ ରାଧାଶ୍ୟାମ ଗୌତମକୁ ଡାକି ନେଉଥିଲା ତାଙ୍କ ଘରକୁ ।

 

ପ୍ରବାସୀ ଗୌତମର ପିଲାଦିନ ବିତିଥିଲା ଦୁଃଖରେ । ସ୍କୁଲ ଛୁଟି ହେଲା ପରେ ବି ସେ ଗାଆଁକୁ ଯାଇପାରେ ନାହିଁ । ଗାଆଁରେ ତା ବାପାକୁ ଦେଖିଲେ ତାର ଭୟ ଆସେ । ବୋଉ ଚୁପ୍‌ଚାପ୍‌ ସହିଥାଏ ତା ବାପାର ଅଦଉତି । ସ୍କୁଲ ଛୁଟିଦିନ ଗୁଡ଼ାକ ତେଣୁ ଗୌତମ ହଷ୍ଟେଲରେ ନ ହେଲେ ରାଧାଶ୍ୟାମର ଗାଆଁରେ ବିତେଇଦିଏ । ପ୍ରଥମେ ପ୍ରଥମେ ସେ ରାଧାଶ୍ୟାମର ଘରକୁ ଯାଉ ନ ଥିଲା । ଛୁଟି ପୂର୍ବଦିନ ସକାଳୁ ସେ ବିଛଣାରେ ପଡ଼ିରହି ଲକ୍ଷ୍ୟ କରେ, ଜଣକ ପରେ ଜଣେ ପିଲା ଖୁସି ମନରେ ଗାଧୋଇପାଧୋଇ, ମୁଣ୍ଡ କୁଣ୍ଡେଇ ଗାଆଁକୁ ବାହାରନ୍ତି । କାହାକୁ ନେବା ପାଇଁ ବାପା ଆସିଥାନ୍ତି ତ ଆଉ କାହାକୁ ନେବା ପାଇଁ ତା ଭାଇ ଆସିଥାନ୍ତି । କ୍ରମେ ହଷ୍ଟେଲର ସବୁ ଘରଗୁଡ଼ାକରେ କୋଲପ ପଡ଼ିଯାଏ । ସମସ୍ତେ ଆସନ୍ତି ଗୌତମର ରୁମ୍‌କୁ । ‘ଆମେ ଯାଉଛୁ ଗୌତମ’ କହି ସେମାନେ ଚାଲିଯିବା ପରେ ଗୌତମ ଆଖିର ଲୁହ ଉବୁକିପଡ଼େ । ତା ପାଇଁ କେହି ଆସୁ ନାହିଁ, କେହି ଯାଉ ନାହିଁ । ତାର ବାପା ଥାଇ ନ ଥିଲା ପରି, ଗାଁ ଥାଇ ନ ଥିଲା ପରି, ମାମୁ ଘର କଣ ସେ ତ ଜାଣେ ନାହିଁ ଆଦୌ । ପୂବେଇ ପବନ ହେଉ କି ଦକ୍ଷିଣା ପବନ ହେଉ ହଷ୍ଟେଲର ସେପଟ ଝରକାରେ ଆସି ଏପଟ ଝରକା ଦେଇ ଚାଲିଯାଏ । କବାଟ ଓ ଝରକା ପିଟି ହେଉଥାଏ ତୁହାକୁ ତୁହା । ଗୌତମ ସେଗୁଡ଼ିକୁ ବନ୍ଦ କରେ ନାହିଁ । ନିବୁଜ ଘର ତାକୁ ଭୟଙ୍କର ମନେହୁଏ ।

 

ଏମିତି ଦିନେ ଆସିଥିଲା ରାଧାଶ୍ୟାମ । ସମସ୍ତଙ୍କ ପରି ସିଏ ବି ଗୌତମ ପାଖରୁ ଉପରଠାଉରିଆ ଢଙ୍ଗରେ ବିଦାୟ ମାଗିବାକୁ ଆସିଥିଲା । କିନ୍ତୁ ଗୌତମର ଥମ ଥମ ମୁହଁ, ନାଲି ପଡ଼ିଯାଇଥିବା ଆଖିଯୋଡ଼ିକୁ ଦେଖି ସେ ତା ପ୍ରସଙ୍ଗ ବଦଳେଇ ଦେଇଥିଲା । ପଚାରିଥିଲା, ତୁ ଗାଆଁକୁ ଯିବୁ ନାହିଁ ଗୌତମ ?

 

ଗୌତମ ଟିକିଏ ନିରବ ରହିଥିଲା ।

 

ରାଧାଶ୍ୟାମ ସେଇଠୁ ତାକୁ ଭିଡ଼ି ଓଟାରି ସାଙ୍ଗରେ ନେଇ ଯାଇଥିଲା ତା ଗାଁକୁ । ରାଧାଶ୍ୟାମର ବାପା, ବୋଉ ଖୁବ୍‌ ଭଲଲୋକ । ସଞ୍ଜବୁଡ଼େ ରାଧାଶ୍ୟାମ ଓ ସେ ମୁଣ୍ଡଘୂରା ଜାଲ ନେଇ ଯାଇଥିଲେ ମାଛଧରି । ପ୍ରଥମ ଥରପାଇଁ ସେ ଅନୁଭବ କରିଥିଲା ଗୋଟେ ଗାଁର ସ୍ୱପ୍ନବୋଳା ଅନୁଭବ କିଛି । ସେଥର ଛୁଟିଟା କେମିତି ବିତିଗଲା ଗୌତମ ଜାଣିପାରିଲା ନାହିଁ ।

 

ଏବଂ ତାପର ଛୁଟିରେ ଦେଖାଦେଇଥିଲା ମାଳତୀ ।

 

‘ଉଠ, ଉଠ, ବାରଟା ବାଜିଲାଣି । କିଏ ଜଣେ ବଡ଼ ପାଟିରେ ବାଜାବାଲାଙ୍କୁ ଉଠଉଥାନ୍ତି । ଇଏ ଶ୍ୟାମଭାଇ । ରାଧାଶ୍ୟାମର ବଡ଼ଭାଇ । ଗୌତମ ଉଠିପଡ଼ିଲା ଚଉକିରୁ । ପଛ କଥାଗୁଡ଼ା ଭାବିବସିବା ଭିତରେ ସେ ଦିନତମାମର କ୍ଳାନ୍ତି ଭୁଲିଯାଇଥିଲା ।

 

ଭୁବନେଶ୍ୱରରୁ ଲକ୍ଷ୍ମୀପୁର ତିନିଶହ ମାଇଲ ରାସ୍ତା । ଖୁବ୍‌ କଷ୍ଟ ହେଇଛି ଦିନସାରା । ଖାଇବା ପିଇବାରେ ବି ଠିକଣା ନାହିଁ ।

 

ସେ ରାଧାଶ୍ୟାମ ବେଶ ହେଉଥିବା ଘରଆଡ଼କୁ କଣ ହେଉଛି ଦେଖିବାକୁ ଗଲା । ରାଧାଶ୍ୟାମର ଭିଣୋଇ ବୋଲି ପରିଚୟ ଦେଇଥିବା ଜଣେ ଭଦ୍ରଲୋକ ସବୁବେଳେ ତା ପାଖାପାଖି ଥାଆନ୍ତି । ଭଦ୍ରଲୋକଙ୍କର ରାଜନୀତିରେ ବଡ଼ ଆଗ୍ରହ । ଗୌତମ ଯେହେତୁ ଭୁବନେଶ୍ୱରରେ ରହିଛି, ସେଇହେତୁ ଭଦ୍ରଲୋକ ରାଜ୍ୟ ରାଜନୀତି ସମ୍ପର୍କରେ କେତେକ ମୌଳିକ ପ୍ରଶ୍ନ ଗୌତମକୁ ପଚାରି ଚାଲିଥାନ୍ତି । ଗୌତମ ରାଜନୀତିର ଧାର୍‌ ଧାରେ ନାହିଁ; ମାତ୍ର ସେପରି ଦୟନୀୟ ଭାବରେ ତ କାହାର ମୋହଭଙ୍ଗ କରାଯାଏ ନାହିଁ ।

 

ରାଧାଶ୍ୟାମ କପାଳ ଉପରେ ଚନ୍ଦନ ଟିପା । ଲଲାଟ ମଝିରେ ରକ୍ତଚନ୍ଦନ ଓ କୁଙ୍କୁମ । ଗଳାରେ ମୋଟା ଗଜରାମାଳ । ଚିକ୍‌ ଚିକ୍‌ କରୁଛି ମଠା ପଞ୍ଜାବି ଓ ଚୁଡ଼ିଦାର । ରାଜା ପରି ଦିଶୁଛି ରାଧାଶ୍ୟାମ ।

 

ରାଧାଶ୍ୟାମ ଗୌତମକୁ ଦେଖୁ ଦେଖୁ ବ୍ୟସ୍ତ ହେଇପଡ଼ିଲା । ‘କୁଆଡ଼େ ଯାଇଥିଲୁ ? ଖିଆପିଆ କଲୁ ନା ନାହିଁ ।’ ଏଠିତ ତୋର ନିଶ୍ଚୟ ଅସୁବିଧା ହେଉଥିବ । କଣ କରିବି କହିଲୁ... ?’

 

ଗୌତମ ରାଧାଶ୍ୟାମକୁ ଅଧିକ କିଛି କୁହାଇ ନ ଦେଇ କହିଲା, ‘କିଛି ବ୍ୟସ୍ତ ହେବାର ନାହିଁ । ସବୁ ଠିକ୍‌ଠାକ୍‌ ଚାଲିଛି ।’ ରାଧାଶ୍ୟାମ କିନ୍ତୁ ଛାଡ଼ିବା ଲୋକ ନୁହେଁ । ଭିତର ଖଞ୍ଜାଆଡ଼େ ନଜର ରଖି ପାଟିକରି ଉଠିଲା, ‘ଗୌତମକୁ ବାଟରେ ଭୋକ ଲାଗିବ । କଣ ଅଛି ଆଣ ।’

 

ଜଣେ କିଏ ମଧ୍ୟବୟସ୍କା ସ୍ତ୍ରୀଲୋକ ଗୋଟେ ଥାଳିଆରେ ଚାରିଟି ରସଗୋଲା ଓ କଦଳୀ ଦୁଇଟା ରଖିଦେଇ ଗଲା । ଗୌତମ ଲକ୍ଷ୍ୟ କରିଛି ଏହି ସ୍ତ୍ରୀଲୋକ ଜଣକ ଗୌତମ ଦ୍ୱିପ୍ରହରେ ଆସିବା ପରଠୁ ବରାବର ତା ଖାଇବା ପିଇବାରେ ଯତ୍ନ ନେଉଛନ୍ତି । ରାଧାଶ୍ୟାମର କକାଝିଅ, ମାମୁଝିଅ ହେଇ ଚାରି ପାଞ୍ଚ ଭଉଣୀ । ତାଙ୍କରି ଭିତରୁ କିଏ ଜାଣେ ହେଇଥିବ !

 

ରାତି ସାଢ଼େ ବାରଟାବେଳକୁ ବର ବାହାରିଲା । ଲକ୍ଷ୍ମୀପୁରରୁ ବର ରାଜବସ୍ତ ଯିବ । ସାତ ଆଠ କିଲୋମିଟର ରାସ୍ତା ହେବ ପରା– ? ରାଧାଶ୍ୟାମର ସେଇ ଭିଣୋଇ ଜଣକ ଗୌତମକୁ ପଚାରୁଥିଲେ । ଗୌତମ କିଛି ସମୟ ହେଲା ଏଇ ଭିଣୋଇ ମହାଶୟଙ୍କ ପ୍ରତି ନଜର ଦେଇପାରି ନ ଥିଲା । ବର୍ତ୍ତମାନ ତାଙ୍କୁ ପଚରା ଯାଇପାରେ କିଛି କଥା । କିନ୍ତୁ ମାଳତୀ କଥା ସେ ପଚାରିପାରୁ ନ ଥିଲା । ବହୁ ଚେଷ୍ଟାକରି ସେ ପ୍ରସଙ୍ଗରେ ଉଠେଇ ପାରୁ ନ ଥିଲା । ଭଦ୍ରଲୋକ କୁସୁପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ଗଣିତ ଓ ଇଂରାଜୀ ପଢ଼ାନ୍ତି ପିଲାମାନଙ୍କୁ । ଭଦ୍ରକରେ ଆଇ.ଏ. ପାସ୍‌ ପରେ ଟ୍ରେନିଂ ଯାଇଥିଲେ । ତାଙ୍କର ଗୋଟେ ପୁଅ ଓ ଦୁଇ ଝିଅ ।

 

‘ମୁଁ ତ ବହୁତ କିଛି କହିଲିଣି । ଭାରତୀୟ ରାଜନୀତି ଏବଂ ବିଶେଷ କରି ବି.ଜେ.ପି.ର ଅଭ୍ୟୁଦୟ ସମ୍ପର୍କରେ ଆପଣଙ୍କର କି ଧାରଣା ?’ –ଏମିତି ଏକ ପ୍ରଶ୍ନଟେ ପଚାରି ସାରିବା ପରେ ଉତ୍ତରକୁ ଅପେକ୍ଷା ନ କରି ଗୌତମ ଶେଷଥର ପାଇଁ ରାଧାଶ୍ୟାମର ଘରଟିକୁ ଆଉଥରେ ଦେଖି ନେଉଥିଲା । କୋଡ଼ିଏ ବର୍ଷ ପରେ ଏ ଗାଆଁକୁ ସେ ଆସିଛି । ଆଉ କେବେ ଜୀବନରେ ଆସିବ, ନ ଆସିବ ଜାଣେ ନାହିଁ । ଗୁଡ଼ିଏ ମିଠା ସ୍ମୃତି ଏଇ ଗାଁକୁ ନେଇ । ସେସବୁ ଭୁଲିହୁଏନା । ବର ଦାଣ୍ଡକୁ ବାହାରିଗଲାଣି । ଗୌତମ ଦାଣ୍ଡ ଅଗଣାକୁ ବାହାରିଆସି ଜୋତା ପିନ୍ଧିଲା ।

 

ଦାଣ୍ଡଟାରେ ବର । ତାକୁ ଘେରି ଛୋଟ ଓ ବଡ଼ ସମସ୍ତେ । ବାଜା, ଲାଇଟ୍‌ ସବୁ ସେଇଠି । ରାଧାଶ୍ୟାମର ଘର ଖଞ୍ଜାଟା ପୂରା ଅନ୍ଧାର । ଦାଣ୍ଡ ଆଲୁଅରୁ ଯାହାକିଛି ଛିଟିକି ଆସିଛି ଘର ଭିତରକୁ ।

 

କିଏ ଜଣେ ଆସି ଗୌତମର ହାତରେ ପୁଣି ବଢ଼େଇ ଦେଇଗଲା ଦି ଖଣ୍ଡ ପାନ । ତାକୁ ଲାଗିଲା କିଏ ଜଣେ କହୁଛି, ‘ତମେ ଆସିବ ବୋଲି ଜାଣିଥିଲି । କିନ୍ତୁ ଚିହ୍ନିପାରିବ ନାହିଁ ବୋଲି କଦାପି ଜାଣି ନ ଥିଲି ?’

 

କିଏ ? କିଏ କହିଗଲା ଏ ଦି ପଦ କଥା ? ଗୌତମ ଆଗକୁ ପଛକୁ, ଦାଣ୍ଡକୁ, ଭିତର ଖଞ୍ଜାକୁ ଚାରିଆଡ଼କୁ ଚାହିଁଲା । ତା ଭିତରେ ଗୋଟାଏ ଅବୋଧ କିଶୋର ପିଲାଦିନର ସ୍ମୃତି ସବୁକୁ ଖୋଜି ହେଉଛି । ଫୁଲଡ଼ାଳରୁ ଖସିପଡ଼ୁଛି ଫୁଲ । ଗାଈ ପହ୍ନାରୁ ଝରିଯାଉଛି କ୍ଷୀର । କୃଷ୍ଣଚୁଡ଼ାର ଡାଳରୁ ଖସିପଡ଼ୁଛି ନେନ୍ଥା ନେନ୍ଥା ନାଲିଫୁଲ । ନଈରେ ଜୁଆର ଉଠିଛି । ଜହ୍ନ ଡେଉଁଛି ମେଘ କୋଳରୁ ।

 

ଗୌତମ ଖୋଜୁଛି କିଏ, କିଏ କହିଗଲା ଏସବୁ । ସେଇ ତ ମାଳତୀର ସ୍ୱର । ମାଳତୀ ଭିନ୍ନ ଆଉ କେହି କଦାପି କହିପାରିବ ନାହିଁ ଏ ଦି ପଦ କଥା । କିନ୍ତୁ ମାଳତୀ କାହିଁ ?

 

ଘର ଭିତରେ ଅନେକ ଦୂରରେ ଗୌତମକୁ ପିଠିକରି ଧାଇଁ ଧାଇଁ ଚାଲିଯାଉଛି ନୀଳ ଶାଢ଼ିପିନ୍ଧା ସ୍ତ୍ରୀ ଲୋକଟି । ସେଇ ହିଁ ଦ୍ୱିପହର ପ୍ରହରୁ ଗୌତମର ଖିଆପିଆ ଖବର ବୁଝୁଥିଲା । ଆଉ କେହି ନାହିଁ କେଉଁଠି ? ତାହେଲେ ସେଇ କଣ ମାଳତୀ ? ଗୌତମ ଖଞ୍ଜା ଭିତରକୁ ଧାଇଁଯିବ କି ? କିନ୍ତୁ ଗୋଟାଏ ପ୍ରାପ୍ତବୟସ୍କ ମଣିଷ ସେସବୁ କରିପାରେ ନାହିଁ, ଯାହା ଦଶମ ଶ୍ରେଣୀର କିଶୋରଟେ ଖୁବ୍‌ ସହଜରେ କରିପାରିଥାଆନ୍ତା ।

 

“ଆସନ୍ତୁ, ସମସ୍ତେ ଚାଲିଗଲେଣି ପରା । ଗୁଡ଼ାଏ ବାଟ ଚାଲି ଚାଲି ଯିବାକୁ ପଡ଼ିବ । ବେଗି ବେଗି ଚାଲିବା ଆସନ୍ତୁ ।” –ଭଦ୍ରଲୋକ ଡାକୁଥିଲେ ।

 

: ସମସ୍ତେ ଗଲେଣି ? ଠିକ୍‌ ଅଛି, ଚାଲନ୍ତୁ । ମୁଁ ତ ସେଇବାଟେ କାଲି ସକାଳୁ ଭୁବନେଶ୍ୱର ଫେରିଯିବି । କାଳେ କଣ ଛାଡ଼ିଥିବି, ମନେ ପକାଉଥିଲି । –ଗୌତମ ଉତ୍ତର ଦେଲା ।

 

କିନ୍ତୁ କଣ ଖୋଜି ହେଉଥିଲା ଗୌତମ ?

 

ଗୌତମ ଚମକି ପଡ଼ିଲା । କିଏ ପଚାରିଲା ଏକଥା ? ସେ ରାଧାଶ୍ୟାମର ଭିଣୋଇଙ୍କୁ ପଚାରିଲା–‘ମୋତେ କିଛି କହିଲେ କି ?’

 

ଭଦ୍ରଲୋକ ଟିକିଏ ବିସ୍ମିତ ହେଲେ ଓ କହିଲେ, ‘ମୁଁ ? କାହିଁ ନାହିଁ ତ!’

 

: ଆଚ୍ଛା, ଆଚ୍ଛା, ମୋତେ ସେମିତି ଲାଗିଲା ଟିକିଏ ।

 

: କଣ ହେଲା ଗୌତମ ? ତମେ ଏମିତିକା ଅନ୍ୟମନସ୍କ ହେଇପଡ଼ୁଛ ଯେ ? ଗୌତମ କାନ ଡେରିଲା । ନା, ବାହାରୁ କେହି ନୁହେଁ, ତା ଭିତରୁ କିଏ ଗୋଟେ ତାକୁ ଏ ପ୍ରଶ୍ନ କରୁଥିଲା ।

 

“ଆଉ କଣ କରିଥାନ୍ତି ? ସମସ୍ତଙ୍କ ସାମ୍ନାରେ ଯାଇ ଭିଡ଼ି ଧରିଥାନ୍ତି ମାଳତୀକୁ ? ସିଏ ତ ନିଜେ ତା ପରିଚୟ ଦେଲା ନାହିଁ ? ସେ କଣ ଜାଣି ନ ଥିବ; କେବଳ ତାକୁ ଥରୁଟେ ଦେଖିବା ପାଇଁ ଆସିଥିଲା ଏତେ ବାଟ ? ସବୁଦିନେ ସେ ସେଇପରି ।

 

ଅଥଚ ସେ ତ ଦିନତମାମ ସବୁରି ମୁହଁରେ ମାଳତୀକୁ ହିଁ ଖୋଜୁଥିଲା ? ଦିନେ ଯେମିତି ତାକୁ ଅନୁଭବ କରିବାର ଚେଷ୍ଟା କରୁଥିଲା ଧାନକ୍ଷେତ, ଫୁଲଗଛ, ବିଛଣା, ବହିପତ୍ର ଓ ପେନ୍‌ସିଲ୍‌ ରବର ଭିତରେ ? ଅଥଚ ମୁଁ ନିଜେଇ ଜାଣିପାରୁନି, ତାର ଆଖି ଯୋଡ଼ିକକୁ କଣ ହେଇଗଲା ? ମାଳତୀକୁ ସେ କେମିତି ଚିହ୍ନିପାରିଲା ନାହିଁ ?

 

କେଉଁ ଅନୁଭବ କଥା କହୁଥିଲ ଗୌତମ ? ମାଳତୀକୁ ଭଲ ପାଇବା କଥା ?

 

ନାହିଁ, ମୁଁ ତାହେଲେ ମୂଳରୁ କହିଦିଏ: ଗୌତମ ପୁଣି ଥରେ ନିଜ ନିଜ ପାଇଁ ପୁରୁଣା ପୃଷ୍ଠାଗୁଡ଼ିକ ଲେଉଟଉଥିଲା ।

 

ସେଇ ସ୍କୁଲ ପଢ଼ାଦିନର କଥା । ରାଧାଶ୍ୟାମ ସାଙ୍ଗରେ ବିଭିନ୍ନ ଛୁଟିରେ ଲକ୍ଷ୍ମୀପୁର ବୁଲିଆସିବା ଗୌତମର ଗୋଟେ ସଉକ୍‌ ପାଲଟି ଯାଇଥିଲା । ରାଧାଶ୍ୟାମର ଭାଇ ଭାଉଜ, ବାପା ବୋଉ, ଭାଇ ଭଉଣୀ ସମସ୍ତେ ଗୌତମକୁ ଭଲପାଆନ୍ତି । ଆଉ ରାଧାଶ୍ୟାମର କକାଝିଅ ସାନଭଉଣୀ ମାଳତୀ ତାକୁ ସବୁଠୁ ବେଶୀ ଭଲପାଉଥିଲା ।

 

ଗୌତମ ଏତକ ଯାଏ ମନେପକେଇ ସାରି ଅନ୍ୟମନସ୍କ ହେଇଯାଏ । ଫର୍ଦ୍ଦ ଫର୍ଦ୍ଦ ମେଘସବୁ ଆକାଶରୁ ଓହ୍ଲେଇ ଆସନ୍ତି । ଚାରିପଟ ପାଲଟିଯାଏ ଶାଗୁଆ ଧାନକ୍ଷେତ । ସେଇଠି, ସେଇ ଦୁଇ ନଈପଠାରୁ କିଏ ଜଣେ ତା ନାଆଁ ଧରି ଡାକେ–

 

ଗୌ-ତ-ମ, ଗୌ-ତ-ମ ?

 

କିଏ, ମାଳତୀ ନା ? ଏମିତି ବର୍ଷା ସଞ୍ଜରେ ମାଳତୀ ସେଠି କଣ କରୁଛି ?

 

ଗୌତମ ମାଳତୀ ପାଖକୁ ଯିବାବେଳକୁ ମାଳତୀ ସେଠୁ ଉଭାନ୍‌ ହୋଇଯାଇଥାଏ । ଦଶମ ଶ୍ରେଣୀର ଗୋଟେ ପୁଅ ଓ ଅଷ୍ଟମ ଶ୍ରେଣୀର ଗୋଟେ ଝିଅ ଭିତରେ ଏ ଲୁଚକାଳି ଖେଳକୁ କଣ କୁହାଯାଇପାରିବ ? ପ୍ରେମ ?

 

ସେ ବର୍ଷ ଦଶରା ଛୁଟିର ଗୋଟେ ରାତି । ତିନି ଚାରିଦିନ ପରେ ଗୌତମ ସ୍କୁଲକୁ ଫେରିଯିବ । ରାତି ଆଠଟା ହୋଇଗଲାଣି । ରାଧାଶ୍ୟାମ କୁଆଡ଼େ ଯାଇ ଗାଆଁ ପିଲାଙ୍କ ସାଙ୍ଗେ ତାସ୍‌ ପିଟୁଥିବ । ଗୌତମ ପଡ଼ିରହିଛି ରାଧାଶ୍ୟାମର ଦାଣ୍ଡ ଖଟଟା ଉପରେ । କେହି କୁଆଡ଼େ ନାହାନ୍ତି । ଚୁପ୍‌ଚାପ୍‌ । ଆଖିକୁ ଟିକେ ଛାଇ ନିଦ ମାଡ଼ିଆସିଛି ।

 

ହଠାତ୍‌ ତାର କାନ ଭିତରଟା ପୋଡ଼ିଗଲା ପରି ଲାଗିଲା ଓ ଗୌତମ ‘ବୋଉଲୋ’–କହି ଚିତ୍କାର କରିଉଠିଲା । କ୍ଷଣକ ଭିତରେ ସେ ପାଲଟିଗଲା ଗୋଟେ ପ୍ରଦର୍ଶନୀର ବସ୍ତୁ ଓ ତା ଚାରିପଟେ ଛଅ ସାତ ମଣିଷଙ୍କ ଭିଡ଼ ।

 

ତା କାନ ଭିତରେ ଗୋଟେ ପିମ୍ପୁଡ଼ି ପଶିଯାଇଥିଲା । କିନ୍ତୁ ସେତେବେଳେ ଗୌତମ ଜାଣି ନ ଥିଲା ଯେ, ପିମ୍ପୁଡ଼ିଟାକୁ କେହି ଜଣେ ତା କାନ ଭିତରେ ପୂରେଇ ଦେଇଥିଲା । ପାଣି ଢଳାଗଲା କାନକୁ ଅଣେଇ । ବେଶି କିଛି ସମୟ କସରତ ପରେ ଦୁର୍ବୃତ୍ତ ପିମ୍ପୁଡ଼ିଟି ବାହାରି ଆସିଲା । ଦୁଃଖ, ଲଜ୍ଜା ଓ ଯନ୍ତ୍ରଣାରେ ଗୌତମର ସେ ସଞ୍ଜଟି ମାଟି ହେଇଗଲା ।

 

ରାଧାଶ୍ୟାମ ଖୁବ୍‌ ବ୍ୟସ୍ତ ହେଇପଡ଼ିଥିଲା । କିନ୍ତୁ ଗୌତମ ଲକ୍ଷ୍ୟ କରିଥିଲା, ତାର ଏ ପିମ୍ପୁଡ଼ି ଆତଙ୍କରେ ଦୁଃଖୀ ଦିଶୁ ନ ଥିଲା କେବଳ ଜଣେ, ସିଏ ମାଳତୀ । ବରଂ ଗୌତମର ମୁହାଁମୁହିଁ ହୋଇଗଲା ବେଳକୁ ମାଳତୀ ମୁହଁରେ ଦୁଷ୍ଟାମିର ହସ ଫୁଟିଉଠୁଥିଲା ।

 

ପରେ ସେ ଜାଣିଥିଲା, ମାଳତୀର ଥିଲା ଏ କାଣ୍ଡକାରଖାନା ।

 

ପରଦିନ ସକାଳୁ ସେମିତି ଉଠିଲାବେଳକୁ ଗୌତମ ବେକରେ ଗୋଟେ କାହାର ପୁରୁଣା ରୁପା ଚେନ୍‌ । ନିଦ ଭାଙ୍ଗୁ ଭାଙ୍ଗୁ ତା ବେକରେ ଚେନ୍‌ଟିକୁ ଦେଖି ସେ ଏପରି ଲାଜେଇଗଲା ଯେ ତୁରନ୍ତ ସେଇଟିକୁ ତକିଆ ତଳେ ଲୁଚେଇଦେଲା, ହେଡ୍‌ମାଷ୍ଟରଙ୍କୁ ଦେଖି ଗପବହି ଲୁଚେଇ ଦେଲାପରି । ଅଥଚ ଘଣ୍ଟାଏ ପରେ ଫେରି ସେଇଟିକୁ ସେ ଆଉ ପାଇଲା ନାହିଁ । ହାରଟାକୁ କିଏ ତକିଆତଳୁ ନେଇ ଯାଇଥିଲା । ୟା ପଛରେ ଯେ ମାଳତୀର ହାତ, ସେକଥା ଅବଶ୍ୟ ସେ ତୁରନ୍ତ ବୁଝିପାରିଥିଲା ।

 

ସେ ବର୍ଷ ଛୁଟିର ଶେଷ ରାତି ।

 

ଗୌତମର ସେବର୍ଷ ଏକାଦଶ ଶ୍ରେଣୀ, ହାଇସ୍କୁଲର ଶେଷ ବର୍ଷ । ଆଉ ମାସ ଛଅଟା ପରେ ଏ ସ୍କୁଲ, ଏ ଗାଁରୁ ତୁଟିଯିବ ସବୁ ସମ୍ପର୍କ । ପୁଣି କେବେ କେଉଁଠି କାହା ସାଙ୍ଗେ ଦେଖା ହେବ, କାହାର ସ୍ମୃତି ମନେପଡ଼ିବ ରହି ରହି, କୌଣସି ଅସତର୍କ ମୁହୂର୍ତ୍ତରେ, କିଏ ଜାଣେ ?

 

କୁଆଁର ପୂନେଇଁର ଚିକ୍‌ ଚିକ୍‌ ରାତି । ଚଉଁରାକୁ ବେଢ଼ି ଯାତରା । ବାଉଁଶଗଛ ଫାଙ୍କରେ ଝରିଆସୁଛି ଜହ୍ନ ଆଲୁଅ । ଗୌତମ ରାଧାଶ୍ୟାମର ପଢ଼ାଘରେ ଚିତ୍‌ ହେଇ ଗପ ବହିଟେ ପଢ଼ୁ ପଢ଼ୁ ଶୋଇଯାଇଛି । ୟା ଭିତରେ ଲାଇନ୍‌ କେତେବେଳକୁ ଚାଲିଯାଇଛି ସେ ଜାଣି ନାହିଁ ।

 

କିଏ ତା ଉପରେ ପାଣି ଦି ବୁନ୍ଦା ପକେଇଦେଲା ପରି ଗୌତମର ମନେହେଲା । କିଏ ? ରାଧାଶ୍ୟାମ ଯାଇଛି ହାଟକୁ । ଫେରିନାହିଁ । ଗୌତମ ପାଟିକରି ଉଠୁଥିଲା । କେହି ଜଣେ ତା ଓଠ ପାଖେ ହାତ ଚାପି ତାକୁ ନିରବ କରିଦେଲା । ଗୌତମ ଅଣ୍ଡାଳି ଅଣ୍ଡାଳି ଅନୁଭବ କଲା, ତା ଉପରେ ଅଜାଡ଼ି ହେଇ ପଡ଼ିଛି ଯେଉଁ କିଶୋରୀର ବାସ୍ନାମୟ ଦେହ, ତାହା ମାଳତୀର । ଏକ ଅଜଣା ଆଶଙ୍କାରେ ଜୁଡ଼ୁବୁଡ଼ୁ ଗୌତମ । ମାଳତୀର କି ଦୁଃସାହସ ! ଏତେବେଳେ ଯଦି କିଏ ଏ ପଢ଼ାଘରକୁ ପଶିଆସେ କିମ୍ବା ହଠାତ୍‌ ଲାଇନ୍‌ ଚାଲିଆସେ ତାହେଲେ କି ଭୟଙ୍କର କଥା ନ ହେବ ସତରେ ?

 

ପୁଣି ଗୌତମ ଭିତରେ କେଉଁଠି ଫୁଲ ଫୁଟିବାର ମୁଗ୍‌ଧ ଅନୁଭବ । ବତୁରି ଯାଉଥିବା ଘାସ ଉପରେ ନାଲି ସାଧବବୋହୂ ଥରି ଥିରି ପାଦରେ ଚାଲିଯାଉଛି । ମାଳତୀ ଦେହରେ ଏତେ ବାସ୍ନା ଆସେ କେଉଁଠୁ ? ତା ମୁଣ୍ଡର ରେଶମୀ ବାଳ କେରାକ ଅଜାଡ଼ି ହେଇପଡ଼ିଛି ଗୌତମର ବ୍ୟାନିଅନ ପିନ୍ଧା ଛାତି ଉପରେ । ଗୌତମ କେବଳ ମାଳତୀର କୋମଳ ଆଲିଙ୍ଗନର ସ୍ପର୍ଶ ଅନୁଭବୁଥିଲା ସେ ଅନ୍ଧାର ଭିତରେ ।

 

...ମାଳତୀକୁ ସେତେବେଳେ ପନ୍ଦର ବର୍ଷ । ତା ବାହାଘର ପାଇଁ ଘରେ ସମସ୍ତେ ତତ୍ପର । ସେ କିନ୍ତୁ ମନ ଏବଂ ପ୍ରାଣଦେଇ ଭଲପାଉଛି ଗୌତମକୁ । ତେଣୁ ଗୌତମ ଏ ପରିସ୍ଥିତିରୁ ତାକୁ ଉଦ୍ଧାର କରିବା ଦରକାର ।

 

ଏ ସବୁ ଥିଲା ମାଳତୀର କୋହମିଶା ଭଙ୍ଗା କିଛି ଉଚ୍ଚାରଣର ଭାବାର୍ଥ ।

 

ଗୌତମ ଏକ ମୃଦୁ ଆଘାତରେ ନିଜକୁ ମୁକୁଳେଇ ନେଇଥିଲା ମାଳତୀଠୁ । ତା ଭିତରେ ହଜାରେ ଏକ ପାପବୋଧର ପ୍ରଶ୍ନ ।

 

ଦାଣ୍ଡୁଦୁଆରେ କାହାର ପାଦଶବ୍ଦ । ରାଧାଶ୍ୟାମ ଫେରିଲା ବୋଧହୁଏ । ମାଳତୀ ଚୁପ୍‌ଚାପ୍‌ କରି କହିଲା, “କାଳୀ ମନ୍ଦିର ପଛପଟେ ଦେଖାହେବ, ସଞ୍ଜବେଳେ ଏବଂ ତାପରେ ସେଇ ରାହାବଳୀ ବଡ଼ପାଟିରେ ଚିଲେଇ ‘ପିଠା ବଢ଼ାହେଲା ଖାଇବ ଆସ’ କହି ଦ୍ରୁତ ପାଦରେ ଘରୁ ବାହାରିଗଲା ।

 

ରାଧାଶ୍ୟାମ ଆସିଲାବେଳକୁ ଗୌତମ ଝାଳରେ ଜୁଡୁବୁଡୁ । ରକ୍ଷା ହେଇଛି, ଅନ୍ଧାର । ନ ହେଲେ ସେହିଦିନ ଗୌତମର ମୁଣ୍ଡ ରାଧାଶ୍ୟାମ ଆଗରେ ତଳକୁ ହେଇଯାଇଥାନ୍ତା । ତା ପରଦିନ ଥିଲା ଗୌତମର ପାଗଳ ହେଇଯିବାର ଦିନ । ଗୋଟାଏ ସଞ୍ଜରେ ମାଳତୀ ସହ ପାଞ୍ଚ ଦଶ ମିନିଟ୍‌ର ସାନ୍ନିଧ୍ୟ ତାକୁ ପ୍ରାପ୍ତବୟସ୍କ କରି ଦେଇଥିଲା । ଇଚ୍ଛାମାନେ ଅନ୍ତସତ୍ତ୍ୱା ହୋଇପଡ଼ୁଥିଲେ ସୁନ୍ଦର ସମ୍ଭାବନାରେ । ସେ ଥରେ ମାଳତୀର ଆଲୁଳାୟିତା କେଶ, ବିଷଣ୍ଣ ଚେହେରା ଓ ପୁଣି ଥରେ ତାର ରାହାବାଳୀ ଦୁଷ୍ଟ ଗ୍ରାମ୍ୟଲଳନା ଚେହେରା ମନେପକାଇ ମାଳତୀ କେତେ ଚତୁର ଓ ଝିଅମାନେ ବଡ଼ ହେଲେ କେମିତି ଚାଲାକ ହେଇଯାଆନ୍ତି, ସେଇଆ ଚିନ୍ତାକରି ବେଳ ବିତାଇଥିଲା । ଦିନତମାମ ସେ ଧାନଗଛ, ମନ୍ଦାରଫୁଲ, ରବର, ତକିଆ, ବହିପତ୍ର ଓ ବ୍ଲାକ୍‌ବୋର୍ଡ ଡଷ୍ଟରକୁ ଛୁଇଁ ଛୁଇଁ ଯାଉଥିଲା ଓ ପ୍ରତିଟି ସଜୀବ ନିର୍ଜୀବ ବସ୍ତୁ ଭିତରେ ମାଳତୀ ଦେହର ପେଲବ ମୃଦୁଳତା ଖୋଜି ପାଇବାର ଅପଚେଷ୍ଟା କରୁଥିଲା । ନା, ନା, ମାଳତୀ ଦେହର ବାସ୍ନା ଫୁଲରେ ନାହିଁ, ମାଳତୀ କେଶର ବିନ୍ୟାସ ଧାନକେଣ୍ଡାରେ ନାହିଁ । ମାଳତୀ ଦେହର କୋମଳତା କାଗଜ କି ତକିଆରେ ନାହିଁ । ତାକୁ ପୃଥିବୀଟା ଲାଗୁଥିଲା ମାଳତୀମୟ । ସେ ଉଚ୍ଚାଟ ଚିତ୍ତରେ ଅପେକ୍ଷା କରୁଥିଲା ସନ୍ଧ୍ୟାକୁ ।

 

ମାତ୍ର ସକାଳୁ ହିଁ ରାଧାଶ୍ୟାମ ଦେଲା ଦୁଃସମ୍ବାଦଟି । ତାର ମାଈଁ ପିଣ୍ଡାତଳକୁ ଗଡ଼ିପଡ଼ି ପିଠିହାଡ଼ ଭାଙ୍ଗିଯାଇଛି । ସେମାନଙ୍କୁ ସାଙ୍ଗେ ସାଙ୍ଗେ ଯିବାକୁ ପଡ଼ିବ । “ତୁ ଏକୁଟିଆ ହଷ୍ଟେଲ ଚାଲିଯାଆ । ମୁଁ କାଲିଆଡ଼କୁ ଫେରିବି । ଦେଖାହେବ ।”

 

ଗୌତମ ଖୁବ୍‌ କଷ୍ଟ ପାଇଲା । ମାଳତୀ ବି କଣ ଯିବ ? ନା, ଏ ପ୍ରଶ୍ନଟା ସେ ରାଧାଶ୍ୟାମକୁ ପଚାରି ପାରିଲା ନାହିଁ । ଗାଧୋଇପଡ଼ି ହଷ୍ଟେଲକୁ ବାହାରି ଆସିବାବେଳେ ସେ ଦେଖିଥିଲା, ମାଳତୀର ଥର ଥର ଓଠ । କୂଅମୂଳେ ଛିଡ଼ା ହୋଇ ସେ ନିର୍ନିମେଷ ନୟନରେ ଚାହିଁଥିଲା । କାଳେ କିଏ ଦେଖିବ ବୋଲି ବିଚାରୀ ହାତ ହଲେଇ ତାକୁ ବିଦାୟ ସୁଦ୍ଧା ଜଣେଇ ପାରୁ ନ ଥିଲା ।

 

ସେଇ ଦୁର୍ଘଟଣାରେ ରାଧାଶ୍ୟାମର ମାଈଁ ଚାଲିଗଲେ । ମାଳତୀ ରହିଲା ଛଅମାସ କାଳ ତା ମାମୁ ଘରେ । ରାଧାଶ୍ୟାମକୁ ଗୌତମ ପଚାରିପାରେ ନାହିଁ ମାଳତୀର ଭଲ ମନ୍ଦ । ଯାଇ ପାରେ ନାହିଁ ରାଧାଶ୍ୟାମର ମାମୁ ଘରକୁ । ଗୋଟେ ଅଜବ ନିଷ୍କ୍ରିୟତା ଭିତରେ ସେ ନିଃଶେଷ ହେଇଯାଉଥାଏ ।

 

ଲକ୍ଷ୍ମୀପୁର ସ୍କୁଲ ଛାଡ଼ିବା ଭିତରେ ଆଉ ମାଳତୀ ସାଙ୍ଗରେ ଦେଖାହେଲା ନାହିଁ ଗୌତମର । ହାଇସ୍କୁଲ ପରୀକ୍ଷାବେଳେ ଜଣେ କିଏ ମାଳତୀର କକାପୁଅ ଭାଇ ତାକୁ ଆଣି ଚିଠି ଖଣ୍ଡେ ଦେଇଥିଲା । ବଙ୍କା ଦେଢ଼ିଆ ଅକ୍ଷରରେ ମାଳତୀ ଲେଖିଥିଲା ତାକୁ ଭୁଲି ନ ଯିବାକୁ । ତା କଥା ଆଜି ବି ତ ଭୁଲିନି ଗୌତମ । ଅଥଚ ମାଳତୀ ?

 

ସେଇ ମାମୁଘରେ ଥିବା ଭିତରେ ହିଁ ମାଳତୀର ବାହାଘର ଠିକ୍‌ ହେଇଯାଇଥିଲା । ସତର ବର୍ଷର କିଶୋରଟେ ସେ କଥାରେ କଣ ମୁଣ୍ଡ ଭର୍ତ୍ତି କରିପାରିଥାନ୍ତା ? କିନ୍ତୁ ମାଳତୀ ରାଜି ହେଲା କିପରି ସେ ବାହାଘରରେ ? ତାର ଖୁବ୍‌ ରାଗ ହୋଇଥିଲା ସେଦିନ । ରାଗ ହେଇଥିଲା ରାଧାଶ୍ୟାମ ଉପରେ, ରାଧାଶ୍ୟାମର ମାମୁ ଏବଂ ତାର ପରଲୋକଗତା ମାଈଁ ଉପରେ । ଏମାନଙ୍କର ଏ ଗୋଟେ ମିଳିତ ଷଡ଼ଯନ୍ତ୍ର ।

 

: ସେଇଥିପାଇଁ ମୁଁ କହୁଛି ଯେ ବିଜେପି ଏଥର ନିଶ୍ଚେ କ୍ଷମତାକୁ ଆସିଯିବ । ନା କଣ ?

 

ଗୋଟାଏ ଦୀର୍ଘ ଭାଷଣର ଶେଷ ବାକ୍ୟଟି କହିସାରି ଗୌତମର ମତାମତ ଜାଣିବା ପାଇଁ ରାଧାଶ୍ୟାମର ଭିଣୋଇ ଚକ୍ରଧର ପଚାରୁଥିଲେ ।

 

: ଆଁ, କଣ କହିଲେ ?

 

ନିଜର ମୂଲ୍ୟବାନ ଭାଷଣଟି ଏକମାତ୍ର ଶ୍ରୋତା ଗୌତମ ଉପରେ କୌଣସି ପ୍ରଭାବ ପକେଇପାରି ନ ଥିବା ଲକ୍ଷ୍ୟ କରି ଭଦ୍ରଲୋକ ଦୁଃଖ ଓ ଅସହାୟ କଣ୍ଠରେ ପଚାରିଲେ, ‘ମୁଁ ଏତେସବୁ କହିଲି, ଆପଣ କଣ କିଛି ଶୁଣି ନାହାନ୍ତି ?’

 

: ନା, ନା, ମୁଁ ସବୁ ଶୁଣିଛି । ମଝିରେ ଟିକିଏ ଅନ୍ୟମନସ୍କ ହେଇପଡ଼ିଥିଲି । କ୍ଷମା କରିବେ-

 

: ଓ-ହୋ, ଆପଣ ବଡ଼ ଅନ୍ୟମନସ୍କ ଲୋକ । ମୁଁ ରାଧାଶ୍ୟାମଭାଇଙ୍କ ଠାରୁ ଆପଣଙ୍କ ବିଷୟରେ ଶୁଣିଥିଲି । କହିଲେ ଭଦ୍ରଲୋକ ।

 

: ରାଧାଶ୍ୟାମର କକାଝିଅ ଭଉଣୀ ମାଳତୀ କେଉଁଠି ବାହା ହେଉଛି ? ସେ ଖୁବ୍‌ ବୁଢ଼ୀ ହେଇଗଲା ପରି ଦିଶୁଛି ତ ?

 

ଚକ୍ରଧର ବରଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଓ ତାଙ୍କ ପାଖେ ମହଜୁଦ ସିଗ୍ରେଟ୍‌ ପ୍ୟାକେଟ୍‌ରୁ ଆଉ ଖଣ୍ଡିଏ ସିଗ୍ରେଟ୍‌ ବାହାର କରି ସିଗାରେଟ୍‌ ପ୍ୟାକେଟ୍‌ ଉପରେ ସେଇଟିକୁ ଦି ଥର ଠୁକ୍‌ ଠୁକ୍‌ କଲେ ଓ କହିଲେ–‘ମାଳତୀ କୁସୁପୁରରେ ବାହା ହେଇଛି ।’

 

: ତା ବର କଣ କରୁଛନ୍ତି ?

 

: ଏବେ ତ ଆପଣଙ୍କ ସାମ୍ନାରେ ଛିଡ଼ା ହୋଇ ସିଗ୍ରେଟ୍‌ ଟାଣୁଛନ୍ତି । ସେ ବୃତ୍ତିରେ ସ୍କୁଲ ଶିକ୍ଷକ ।

 

: ଆପଣ...! କ୍ଷମା କରିବେ । ମୁଁ ତ ପନ୍ଦର ବର୍ଷ ହେଲା ଏଠିକା ଖବର କିଛି ରଖିପାରିନି-। ତେଣୁ ଏସବୁ ଜାଣିପାରି ନ ଥିଲି । ଭଲ ହେଲା ଆପଣଙ୍କ ସାଙ୍ଗେ ଦେଖାହେଲା ।

 

: କିନ୍ତୁ ଆମେ ଆପଣଙ୍କର ଖବର ସବୁ ରଖିଛୁ ।

 

ଭଦ୍ରଲୋକ ଏଇ ‘ସବୁ’ ଶବ୍ଦଟି ଉପରେ ଏତେ ଗୁରୁତ୍ୱ ଦେଇ କହୁଥିଲେ ଯେ ଗୌତମକୁ ଲାଗିଲା, ସେ ଯେମିତି ପନ୍ଦର ବର୍ଷ ପରେ ଧରାପଡ଼ିଯାଇଛି ମାଳତୀ ବରର ହାତରେ ।

 

: ସବୁ–ମାନେ ?–ସେ ପଚାରିଲା ।

 

: ଆପଣ ଭଲ ଗୀତ ଗାଉଥିଲେ । ଏବେ ଭୁବନେଶ୍ୱରରେ ଅଛନ୍ତି । ଭଲ ଡାକ୍ତର ହେଇଛନ୍ତି ଏଇ ସବୁ କଥା ।

 

: ଓ-ହୋ, ମୁଁ ଭାବିଲି... କଥାଟାକୁ ସଂପୂର୍ଣ୍ଣ କରିପାରିଲା ନାହିଁ ଗୌତମ । ସେମାନେ ସେତେବେଳକୁ ପିଚୁ ରାସ୍ତା ଉପରକୁ ଉଠି ଆସିଥିଲେ । ଭଦ୍ରଲୋକ ଟିକିଏ ଆଗେଇଯାଇ ନିଦରେ ଚୁର୍‌ ରିକ୍‌ସାବାଲାଟିଏକୁ ଉଠେଇବାର ଉପକ୍ରମ କରୁଥିଲେ ।

 

ଗୌତମ ଭିତରେ ଆଷାଢ଼ର ଖୁନ୍ଦାଖୁନ୍ଦି ମେଘଖଣ୍ଡ ପରି ସଜଳ ସ୍ମୃତି । ମାଳତୀ ସାଙ୍ଗେ ପଦେ କଥାବାର୍ତ୍ତା ସେ କରିପାରିଲା ନାହିଁ । ପଚାରିପାରିଲା ନାହିଁ କାହିଁକି ସେ ପନ୍ଦର ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତିକୁ ପାଣିର ଗାର ପରି ଭୁଲିଯାଇପାରିଲା । ସେଇ ତ ଦିନେ ଗୌତମକୁ ପଢ଼େଇଥିଲା ପ୍ରେମର ଖଡ଼ିପାଠ ।

 

ପ୍ରଥମାର ପୁରୁଣା ସ୍ମୃତି ପ୍ରାପ୍ତବୟସ୍କ ଗୌତମକୁ କାନ୍ଦ କାନ୍ଦ କରି ଦେଉଥିଲା ।

Image

 

ଅନନ୍ତ ଅପେକ୍ଷା

 

ଆକାଶ ଅପେକ୍ଷାକୃତ ନିର୍ମଳ, ଫୁଲମାନେ ସୁନ୍ଦର ଓ ଚଢ଼େଇମାନେ ପୂର୍ବାପେକ୍ଷା ଚଞ୍ଚଳ ମନେ ହେଉଥିଲେ । ପରେଶ ଓଠର ଶୁଷୁରି ଖଣ୍ଡ ଖଣ୍ଡ ହୋଇ ପବନରେ ମିଳେଇ ଯାଉଥିଲେ, ଫୁଲମାନଙ୍କୁ ଛୁଇଁ ଛୁଇଁ ଚଢ଼େଇମାନଙ୍କ ଡେଣାରେ ଉଡ଼ି ଯାଉଥିଲେ ।

 

ଗେଟ୍‌ ପାଖରୁ ହିଁ ସେ ଦେଖିପାରୁଥିଲା ଘରର ଏରୁଣ୍ଡିବନ୍ଧ ପାଖରେ ତା ଅପେକ୍ଷାରେ ଥିବା ରାନୀକୁ । ରାନୀର ଆଖିରେ ଆଖିଏ ଉତ୍କଣ୍ଠା ।

 

କବାଟ ବନ୍ଧରେ ବାଁ ହାତ ଭରାଦେଇ ଡାହାଣପାଦ ନଖରେ ରାନୀ ଚଟାଣରେ ଅଦୃଶ୍ୟ ରେଖାମାନ ଟାଣୁଛି ଅନ୍ୟମନସ୍କ ଭାବରେ । ଆଗଦିନ ଠାରୁ ଆହୁରି ସୁନ୍ଦରୀ ଦିଶୁଛି, ଟିକିଏ ମୋଟୀ ବି । ସାମ୍ପୁଦେଇ ବାଳ ଧୋଇଛି ରାନୀ । ଢେଉ ପରି ଲହରେଇ ଯାଉଛି ରାନୀର ଦୀର୍ଘକୁନ୍ତଳ ତା ପିଠି ସାରା ।

 

ରାନୀକୁ ସାନ ସୂର୍ଯ୍ୟଟେ କରିଦେଇ ତା ଚାରିପଟେ ଘୂରୁଛନ୍ତି ବୁନା ଓ ଲୁନା । ପରେଶ ଓ ରାନୀ ସଂସାରର ଗ୍ରହ-ଉପଗ୍ରହ, ପୃଥିବୀ ଓ ଚନ୍ଦ୍ର । ପରେଶ ମୋଟରସାଇକେଲ ଥୋଇ ଷ୍ଟାଣ୍ଡ୍‌ ଦେଲା । ଶୁଷୁରି ମାରି ରାନୀ ଆଡ଼କୁ ଆଗେଇଗଲା । ତା ଗାଲରେ ଦେଲା ବୋକଟିଏ । ଅପ୍ରତିଭ ରାନୀ ଲାଜରେ ଜୁଡ଼ୁବୁଡ଼ୁ ହେଇଗଲା । ଏଆଡ଼େ ସେଆଡ଼େ ଚାହିଁଲା । କାଳେ କେହି ଦେଖି ନେଇଛି କି ପରେଶର ବୋକ ଦେବା ଦୃଶ୍ୟ! ପରେଶ ଚେନ୍‌ଲଗା ମୋଟରସାଇକେଲ ଚାବିଟିକୁ ରାନୀର ପାପୁଲିରେ ଥୋଇ ପିଲାଯୋଡ଼ିକଙ୍କୁ ଉଠେଇନେଲା କୋଳକୁ । ସେମାନଙ୍କୁ ଶୂନ୍ୟେ ଶୂନ୍ୟେ ଘୂରେଇ ଆଣିଲା । ଚକାଚକା ଭଉଁରୀ ଖେଳିଲା । ରାନୀ ବାରଣ କରୁଥିଲା । ସେମିତି ଘୂରାଅନି । ଲୁନା ଏବେ କ୍ଷୀର ଖାଇଛି । ବାନ୍ତି କରିଦେବ ।

 

ପରେଶ ପିଲାଯୋଡ଼ିକଙ୍କୁ ଓହ୍ଲାଇ ଆଣିଲା । ରାନୀ କହିଲା, ମୁହଁହାତ ଧୋଇବ ଆସ, ମୁଁ ଜଳଖିଆ ଆଣୁଛି ! ବୁନା, ଲୁନା ତମେ ଭିତରକୁ ଚାଲ । ବହୁତ ଖେଳିଲଣି ।

 

ଏହାପରେ ରାନୀ ଚା ଜଳଖିଆ ଦେବ । ଗୋଡ଼ହାତ ଧୋଇ ପୂଜାରେ ବସିବ । ଧୂପଟେ ଜାଳିଦେବ ଶିଡ଼ିଘର ପାଖ ସେଇ ଅରାଏ ଜାଗାରେ । ସେଇଟିକୁ ରାନୀ ଠାକୁରଘର ବୋଲି କହେ-। ଠାକୁରମାନଙ୍କୁ ଏତେ କମ୍‌ ଜାଗାରେ ଅଥଚ ଏତ ଶାନ୍ତିଶୃଙ୍ଖଳାର ସହ ରାନୀ ହିଁ ରଖିପାରେ । ଜଗନ୍ନାଥଙ୍କଠାରୁ ତାରେଶ୍ୱର ଓ ଶାରଳାଙ୍କଠାରୁ ଦକ୍ଷିଣକାଳୀ ସମସ୍ତେ ସେଇଠି ରାନୀର ବୋଲମାନି ଅଛନ୍ତି । ସଞ୍ଜବତିଟେ ଜାଳିଦେଇ ଆସିବ ରାନୀ । ଗୋଟାଏ ପବିତ୍ର ପବିତ୍ର ଭାବ ଖେଳେଇ ହୋଇଯିବ ଘରସାରା ।

 

ପରେଶର ଅନ୍ୟମନସ୍କତା ହଟିଗଲା । ଏହା ଭିତରେ ଆଲୁଅ ଫେରି ଆସିଛି । ଏତେକାଳ ସେ ଅନ୍ଧାରଟାରେ ଛିଡ଼ା ହୋଇଥିଲା । କାହାକୁ ଅପେକ୍ଷା କରୁଥିଲା ? ଆଲୁଅକୁ ନା ସ୍ମୃତିକୁ ? ରାନୀଦାସକୁ ନା ତା ନିଜର ଅପୂର୍ଣ୍ଣ ଇଚ୍ଛାମାନଙ୍କୁ । ପରେଶ ମନକୁ ମନ ହସିଲା । ଧେତ୍‌, ଯେତେସବୁ ପିଲାଳିଆମି । ସେ ତାର ଦାଢ଼ି ଓ ମୁଣ୍ଡ ଉପରର ଅବଶେଷ ବାଳକେରାକକୁ ସ୍ନେହରେ ସାଉଁଳି ଆଣିଲା । ରୋଗିଣାପିଲାକୁ ମା ଆଉଁଶି ଦେବାପରି । ‘ଠିକ୍‌ଠାକ୍‌ ଥାଅ ହେ ତମେମାନେ’ ବୋଲି କହିଲା ଏବଂ ଘରର ଚାବି ଖୋଲିଲା ।

 

ଚାବି ଖୋଲିବା ଶବ୍ଦରେ ତା ଚାରିପାଖରୁ ନିରବତା ଟିକେ ଚହଲିଗଲା ଓ ଏକାସାଙ୍ଗରେ ପାଖ ଘରମାନଙ୍କର ଝରକାମାନେ ।

 

ଘର ଭିତରେ ଧୂପଗନ୍ଧ ନାହିଁ । କେମିତି ଗୋଟାଏ ପଚାଗନ୍ଧ ଆସୁଛି । ପରେଶ କବାଟ ଆଉଜେଇ ଆଣି ଭିତରୁ ହୁକ୍‌ ଦେଇଦେଲା । ଏବେ ଏହି ଘର ଭିତରଟାରେ କେବଳ ପରେଶ ଓ ପୁଳାଏ ନିଃସଙ୍ଗତା । ବିତୁ ନ ଥିବା କିଛି ସମୟ ଓ ଥଣ୍ଡାରାତି । ଫ୍ରିଜ୍‌ ଚାଲିବାର ଶବ୍ଦ, ଘଣ୍ଟାର ଟିକ୍‌ଟିକ୍‌, ବାଥ୍‌ରୁମ୍‌ର ଟ୍ୟାପ୍‌ରୁ ଟପ୍‌ଟପ୍‌ ହୋଇ ସମୟେ ସମୟେ ପଡ଼ୁଥିବା ପାଣିଟୋପାର ଶବ୍ଦ ଭିନ୍ନ ଆଉ କୌଣସି ଶବ୍ଦ ଶୁଭେ ନାହିଁ ଘରଟା ଭିତରେ । ଚାରିପଟେ ମଶାଣିର ନିର୍ଜନତା । ପରେଶ ଆଗେଇଯାଇ ଟି.ଭି.ର ସ୍ୱିଚ୍‌ ଅନ୍‌ କରିଦେଲା । ଟି.ଭି. ଦେଖିବାର ଇଚ୍ଛା ନ ଥାଇ ବି ଭଲ୍ୟୁମ୍‌ ବଢ଼େଇଦେଲା । ଧୀରେ ଯାଇ କବାଟ ଆଉଜେଇ ଆଣିଲା ଓ ଚୌକି ଉପରେ ଦେହ ଅଜାଡ଼ି ବସିପଡ଼ିଲା ।

 

କେଉଁଠୁ ଦୂରରୁ ବଂଶୀର କରୁଣ ସ୍ୱରଟେ ଭାସି ଆସୁଥିଲା । ପରେଶ ଆଖିବୁଜି ଦେଖିପାରୁଥିଲା କୁହୁଡ଼ିର ଗୋଟେ ପତଳା ଆସ୍ତରଣ ଢାଙ୍କିଦେଇଛି ଶାଳବଣର ଜଙ୍ଗଲ । ସେଇ ଜଙ୍ଗଲ ଉହାଡ଼ରୁ ଭାସି ଆସୁଛି ବଇଁଶୀର ସୁର । ଧୀରେ ଧୀରେ ରାତି ନଇଁ ଆସୁଛି । କୁହୁଡ଼ି ହଜିଯାଉଛି ଅନ୍ଧାର ଭିତରେ । ଶାଳବଣର ପତ୍ର ଉପରୁ ଓହ୍ଲେଇ ଆସୁଛି ରାତି । ଗହଳ ବଣ ଭିତରୁ ଓହ୍ଲେଇ ଆସୁଛି ରାତି । ଛପି ଛପି, ପାଦ ଟିପିଟିପି ଆସୁଛି ରାନୀ ସେଇ ଜଙ୍ଗଲ ଭିତରୁ । ଏଥର ପିନ୍ଧିଛି ସେ କସ୍ତା ଶାଢ଼ି ଖଣ୍ଡେ । ଦଉଡୁଛି ରାନୀ । ଗୋଇଠି ଉପରକୁ ଦିଶୁଛି କସ୍ତାଶାଢ଼ିର ଧଡ଼ି । ମୁଣ୍ଡରେ ଗୁଡ଼େଇଛି ନାଲି ମନ୍ଦାରର ମାଳ । ପରେଶ ଆଖି ଖୋଲିଦିଏ । ରାନୀଦାସର ମୁହଁ ଦିଶେ ନାହିଁ ଅନ୍ଧାର ଭିତରେ । ସେ ପୁଣି ଝରକା କବାଟ ଖୋଲିଦେଇ ବସିପଡ଼େ ।

 

ପାଖ ପଡ଼ିଶାଘର ଝରକାମାନ ଦେଇ, ଗ୍ରୀଲ୍‌ ଦେଇ ଯୋଡ଼ା ଯୋଡ଼ା ଆଖି ତାକୁ ଅନୁସରଣ କରୁଥାଏ । ଯେମିତି ପରେଶ ଗୋଟେ ସାଧାରଣ ମଣିଷ ନୁହେଁ, ଆତଙ୍କବାଦୀ କିମ୍ବା ଅଣ୍ଡରଗ୍ରାଉଣ୍ଡରେ ଆତ୍ମଗୋପନ କରିଥିବା ଗୋଟେ ନିଷିଦ୍ଧ ସଂଗଠନର କର୍ମୀ । ପରେଶର ଯିବାଆସିବା, ତାର ଘର ଖୋଲିବା ଓ ବନ୍ଦ କରିବା, ଏପରିକି ତା ଘରକୁ ଯା ଆସ କରୁଥିବା ସଭିଙ୍କ ଉପରେ ପ୍ରତିବେଶୀଙ୍କର ଆଖି । ସେମାନଙ୍କର ବଦ୍ଧମୂଳ ଧାରଣା, ଲୋକଟା ନର୍ମାଲ୍‌ ନୁହେଁ-

 

ପରେଶର ଘର ଭିତରେ ଟିକିଏ ଖୁଡ଼୍‌ କରି ଶବ୍ଦ ହେଲେ ହଳହଳ ଝରକା ଖୋଲିଯାଏ । ପରେଶ ବିରକ୍ତ ହୁଏ । ମନେ ମନେ ଚିଡ଼ିଉଠେ । ପ୍ରତିବେଶୀମାନଙ୍କର ଅନୁଚିତ କୌତୂହଳକୁ ଭର୍ତ୍ସନା କରେ । କାହିଁକି ଏ ଲୋକମାନେ ବରାବର ତାକୁ ଏମିତି ଅନୁସରଣ କରୁଥାଆନ୍ତି ? କଣ ଭାବନ୍ତି ତା ବିଷୟରେ ଏତେସବୁ ? ତା ବିଷୟରେ ଭାବିବା ଭିନ୍ନ କଣ ଅନ୍ୟ କିଛି କାମ ନାହିଁ ଏମାନଙ୍କର ?

 

ପରେଶ କଲୋନି ଛାଡ଼ି ବାହାରକୁ ଚାଲିଗଲା ମାତ୍ରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଏ । ଶ୍ରୀମତୀ ମହାନ୍ତି, କୁମାରୀ ମହାପାତ୍ର, ଶ୍ରୀମତୀ ଦେ ଓ ମିସେସ୍‌ ଖୁରାନାମାନେ ଗପ ଯୋଡ଼ିଦିଅନ୍ତି । ଲୋକଟା କିଏ ? କଣ କରେ ? ତା ଘର କେଉଁଠି ? ବାପା ମା ଅଛନ୍ତି ନା ନାହିଁ ? ବାହା ହେଇଛି ନା ହେଇ ନାହିଁ ? କାହିଁକି ଏଡ଼େବଡ଼ ଘରଟା ନେଇ ଏକୁଟିଆ ରହୁଛି ? ପିଲାଛୁଆଙ୍କୁ ଆଣୁ ନାହିଁ କାହିଁକି ? ବାହା ନ ହୋଇଥିଲେ କାହିଁକି ହେଇ ନାହିଁ ? କଣ ଲଭ ଫଭ୍‌ କିଛି ଅଛି ? ଏକ୍ସଟ୍ରା ମ୍ୟାରିଟାଲ୍‌ ରିଲେସନ୍‌ସିପ୍‌ ? ମୁଣ୍ଡ ଦୋଷ ? ଲୋକଟା ନ ହେଲେ କଣ କ୍ରିମିନାଲ୍‌ ? ଟେରରିଷ୍ଟ୍‌ ? ଇତ୍ୟାଦି ଇତ୍ୟାଦି ଇତ୍ୟାଦି...

 

କେହି ପରେଶଙ୍କୁ ସମ୍ବୋଧନ କରେ ଚନ୍ଦା, କେହି ଶେଉଳ, କେହି ଧୂମକେତୁ । ଏସବୁ ଖବର ଉଡ଼ି ଉଡ଼ି ଆସି, ବାରମ୍ବାର ରଙ୍ଗ ବଦଳେଇ ପରେଶ ପାଖେ ପହଞ୍ଚେ । ବେଳେବେଳେ ଖବରକାଗଜ ଦେଉଥିବା ବାଲକଟି ମାଧ୍ୟମରେ, ଆଉ କେତେବେଳେ କାଁ ଭାଁ ଚିଠି ଆଣି ଦେଉଥିବା ଡାକପିଅନ ମାଧ୍ୟମରେ ।

 

ପରେଶ ଏ ସବୁର ପ୍ରତିବାଦ କରିବାକୁ ଚାହେଁ । କହିବାକୁ ଚାହେଁ ଯେ ସେମାନେ ମୋ ବିଷୟରେ ଯାହା ଭାବନ୍ତି ମୁଁ ପ୍ରକୃତରେ ସେମିତି ନୁହେଁ । ମୁଁ ଆଦୌ ଆବ୍‌ନର୍ମାଲ ନୁହେଁ । ନର୍ମାଲ ମଣିଷ ମୁଁ । ମୁଁ ଆତଙ୍କବାଦୀ ନୁହେଁ କି ରାଜନୈତିକ କର୍ମୀ ନୁହେଁ । କିନ୍ତୁ ନିଜ ବିଷୟରେ ଏତେକଥା କହିବାକୁ ସମୟ ନ ଥାଏ ତାର । ଏତେ କମ୍‌ ସମୟ ଭିତରେ ସବୁକଥା ବୁଝେଇ କହିବା ସମ୍ଭବ ନୁହେଁ । ସେ ନିଜକଥା କହିପାରେ ନାହିଁ ଏବଂ କିଛି କହିପାରେ ନାହିଁ ବୋଲି ଗମ୍ଭୀର ହୋଇଯାଏ । ବେଳେବେଳେ ଚିଡ଼ିଉଠେ । ମୋ ବିଷୟରେ ଯାହାର ଯାହା ଇଚ୍ଛା କହୁ, ତମକୁ ସେଥିରୁ କଣ ମିଳୁଛି ? ତମେ ବି ଯାଇ ସେମାନଙ୍କ ସାଙ୍ଗେ ଯୋଗଦିଅ । ମୁଁ କେୟାର୍‌ କରେ ନାହିଁ-

 

କିନ୍ତୁ ପରେଶ ଚାହୁଁ ନ ଚାହୁଁ ଖବରମାନେ ତା ପାଖେ ପହଞ୍ଚନ୍ତି । ତା ସମ୍ପର୍କରେ ଧାରଣାମାନ ଅଦ୍ଭୁତରୁ ଅଦ୍ଭୁତତର ହେଉଥାନ୍ତି । ସାନ ସାନ ପିଲାମାନେ ତା ପାଖକୁ ଆସନ୍ତି ନାହିଁ-। ଶ୍ରୀମତୀମାନେ ଦୂରେଇ ଦୂରେଇ, ପର୍ଦ୍ଦା ସେପଟୁର କବାଟ ଉହାଡ଼ରୁ ଚାହାନ୍ତି । ଶ୍ରୀମାନ୍‌ମାନେ ପରେଶକୁ ଦେଖିବାକ୍ଷଣି କୌଣସି ଏକ ଜରୁରି କାମ ଭୁଲିଗଲା ପରି ବ୍ୟସ୍ତତା ଦେଖେଇ ବାଟ ଭାଙ୍ଗି ଚାଲିଯାଆନ୍ତି ।

 

ପରେଶର ରାଗ ଆସେ । ନିଜ ଉପରେ ଦୟା । ବେଳେବେଳେ ପୁଣି ସେ ଏସବୁ ବେଶ୍‌ ଉପଭୋଗ କରେ । ସେଦିନ ତା ଅଫିସ୍‌ର ସହକର୍ମୀ ମିସ୍‌ ଲୀନା ଆସିଥିଲା ପରେଶର ଘରକୁ । ଲୀନା ଚାହିଁଥିଲା ପରେଶର ଘରୁ ଫୋନ୍‌ କରିବ ତାଙ୍କ ପାଖକୁ । ପରେଶ ଲୀନାକୁ ବସେଇ ଆଣିଥିଲା ମୋଟର ସାଇକେଲରେ । ଲୀନାସହ ସେ ଘରେ ପହଞ୍ଚୁ ପହଞ୍ଚୁ କଲୋନିର ହଳ ହଳ ଆଖି ସେମାନଙ୍କୁ ସମ୍ବର୍ଦ୍ଧନା ଜଣେଇଥିଲା । ଶ୍ରୀମତୀ ଦାସ ଓ ଶ୍ରୀମତୀ ରାୟ ତାଙ୍କ ପିଲାମାନଙ୍କୁ ଧରି, ମିସେସ୍‌ ଖୁରାନା ନିଜ ପୋଷା କୁକୁରକୁ ଧରି ପରେଶର ଘରକୁ ଆସିଥିଲେ ବନ୍ଧୁତା ଯୋଡ଼ିବାକୁ । ଘଟଣାଟା ଏପରି ଲଜ୍ଜାକର ହୋଇ ପଡ଼ିଥିଲା ଯେ ପରେଶ ଲୀନାକୁ ଧରି ତୁରନ୍ତ ପଳେଇ ଯାଇଥିଲା । ଲୀନା ସମ୍ପର୍କରେ କଲୋନୀବାଲାଏ କଣ ଭାବିଥିବେ ? ଲୀନା ତାର ସ୍ତ୍ରୀ ? ତାର ପ୍ରେମିକା ? ତାର ରକ୍ଷିତା ? ଛି ଛି, କି ଅଶ୍ଳୀଳ ଏମାନଙ୍କ କାରବାର ! ପରେଶର ବ୍ୟସ୍ତତା ଲୀନା ବୁଝି ନ ଥିଲା । ତେବେ କିମିତି ରହସ୍ୟମୟ ଲାଗିଥିଲା ପରେଶର ହାବଭାବ ।

 

ଏହି ପ୍ରକାର ଅନୁଚିତ କୌତୂହଳ, ଅଶ୍ଳୀଳ ଅନୁସନ୍ଧିତ୍ସା ପାଇଁ ପରେଶ ଏକାଧିକ ଭଡ଼ାଘର ବଦଳେଇଛି । ଏଠିକି ଆସିବା ଦିନ, ସହର ଠାରୁ ଦୂର ଏହି କଲୋନିଟା ନିହାତି ଖରାପ ଲାଗି ନ ଥିଲା । କିନ୍ତୁ କ୍ରମେ କ୍ରମେ ସେ ଜାଣିପାରିଥିଲା ଯେତେ ଯୋଉଠି ଦୂରକୁ ଗଲେ ବି ସବୁ ମଣିଷ ଏକା ପ୍ରକାରର, ଧାରଣାଗୁଡ଼ିକ ମଧ୍ୟ ନିର୍ଦ୍ଦିଷ୍ଟ ପର୍ଯ୍ୟାୟର ।

 

କଲୋନୀକୁ ଆସିବା ଦିନ ପ୍ରଥମେ ଭେଟ ହୋଇଥିଲା ଶ୍ରୀଯୁକ୍ତ ଅଲ୍ଲୀଙ୍କ ସହ । (ପରେଶ ଜାଣେ ନାହିଁ ଶ୍ରୀଯୁକ୍ତ ଅଲ୍ଲୀ ତାଙ୍କ ନାଁ ପୂର୍ବରୁ ଶ୍ରୀଯୁକ୍ତ ସମ୍ବୋଧନକୁ ଗ୍ରହଣ କରିବେ କି ନାହିଁ ।) ଶ୍ରୀଯୁକ୍ତ ଅଲ୍ଲୀ ଗୋଟାଏ ମୁମୂର୍ଷୁ କୁକୁର ପାଖରେ ଛିଡ଼ା ହୋଇଥାଆନ୍ତି ଓ ତାଙ୍କ ପାଖରେ ତାଙ୍କର ପୁଅଝିଅ । ଜଣେ ପିଲା ଗୋଟାଏ କାଠିରେ ସୁକୁସୁକୁ ହେଉଥିବା କୁକୁରଟାର ପାଟି ମେଲାକରି ଧରିଥାଏ ଓ ଆର ପିଲାଟି କୁକୁରର ମେଲାପାଟିରେ ଟୋପାଏ ଟୋପାଏ କରି ଦେଉଥାଏ ଉଷୁମ କ୍ଷୀର । ପରେଶ କୌତୂହଳୀ ହୋଇ ପଚାରିଥିଲା–କୁକୁରଟାର କଣ ହୋଇଛି କି ?

 

ଶ୍ରୀ ଅଲ୍ଲୀ ଯଥାସମ୍ଭବ ନିଜର କୋହମାନଙ୍କ ଉପରେ କାବୁରଖି କହିଲେ, ‘କଣ କହିବି ? ଏ କୁକୁରର ଉପକାର, ଏହାର ଋଣ ଆମେ ଜୀବନରେ କେବେ ଶୁଝିପାରିବୁ ନାହିଁ । କେତେ ସୁସ୍ଥସବଳ ଥିଲା ଏଇ କୁକୁରଟି । ଅଥଚ ଆଜି ବିଚରାର ଏ କି ଦଶା ?’

 

ଶ୍ରୀଯୁକ୍ତ ଅଲ୍ଲୀଙ୍କ ପରି ଜଣେ ବୟସ୍କ ମଣିଷ କୁକୁରଟି ପ୍ରତି ଏପରି ସମ୍ବେଦନଶୀଳ ହୋଇପଡ଼ିବାର କାରଣ ତଥାପି ବୁଝି ନ ଥିଲା ପରେଶ । ଶ୍ରୀଯୁକ୍ତ ଅଲ୍ଲୀ କହିଥିଲେ, ‘ବୁଝିଲେ ବାବୁ-। ଆଜକୁ ନଅ ବର୍ଷ ତଳର କଥା । ସେତେବେଳେ ଏହି କଲୋନି ତିଆରି ହେଉଥାଏ । ଆମର ସମବାୟ ସଂସ୍ଥା ଏଠି ଆଣି ପକେଇ ଯାଉଥାଏ ଇଟା, ସିମେଣ୍ଟ ଓ ଲୁହାଛଡ଼ । ଜଗିବ କିଏ-? ହଠାତ୍‌ ଦିନେ ଆଲ୍ଲାଙ୍କ ପ୍ରେରିତ ଏହି କୁକୁରଟି କାହୁଁ ଆସି ପହଞ୍ଚିଗଲା ଓ ସାଙ୍ଗେ ସାଙ୍ଗେ ସେସବୁ ଜଗିବାର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇଗଲା । କଣ କହିବି ? ତା ଦାୟିତ୍ୱରେ ସେ ଏତେ ନିଷ୍ଠାବାନ୍‌ ଥିଲା ଯେ, ଏ କଲୋନୀ ଭିତରକୁ ବିଲେଇଛୁଆ ତ ଦୂରର କଥା ମୂଷାଛୁଆକୁ ମଧ୍ୟ ସେ ପୂରେଇ ଦେଉ ନ ଥିଲ । ତା ଋଣ ଆମେ କଦାପି ଶୁଝିପାରିବୁ ନାହିଁ ଆଜ୍ଞା । କଣ କହିବି-? ଆଜି ତାର ଏ ଦଶା ଦେଖି ଆଖିରେ ପାଣି ଆସିଯାଉଛି ।

 

ପରେଶ ଶ୍ରୀଯୁକ୍ତ ଅଲ୍ଲୀଙ୍କୁ କୁକୁରର ସେବାରେ ଛାଡ଼ିଦେଇ ଚାଲି ଆସିଥିଲା । ତାର ଗୋଟାଏ ଚିନ୍ତା ଥିଲା ଯେ କୁକୁରଟା ତା ଘର ସାମ୍ନାରେ ଅନ୍ତତଃ ମରି ନ ଯାଉ । ନ ହେଲେ ତାକୁ ଅଯଥା ହଇରାଣ ହରକତ ହେବାକୁ ପଡ଼ିବ ।

 

ସେସବୁ ଦିନରେ ଜଣେ ଅଧେ ତା ଘରକୁ ଆସୁଥିଲେ । ଦୁଃଖସୁଖ ହେଉଥିଲେ । ଅଥଚ କାଳକ୍ରମେ ସେମାନଙ୍କ ଆସିବା ବନ୍ଦ ହୋଇଗଲା । ବାପାମାନେ ସେମାନଙ୍କ ପୁଅଙ୍କୁ, ମାଆମାନେ ସେମାନଙ୍କ ଝିଅଙ୍କୁ ପରେଶ ଘରଆଡ଼େ ଯିବାକୁ ମନା କରିଦେଲେ । କ୍ରମେ ପରେଶର ଘରଟା ହେଇପଡ଼ିଲା ଗୋଟେ ନିଷିଦ୍ଧ ଇଲାକା ଓ ତା ଭିତରେ ପରେଶ ଏକ ନିର୍ବାସିତ ପୁରୁଷ ।

 

ଛୁଟିଦିନମାନଙ୍କରେ ପରେଶର ସମୟ ଆଦୌ ବିତେ ନାହିଁ । ସମୟ ତାକୁ ମନେହୁଏ ଏକ ଅଚଳ କାନ୍ଥଘଣ୍ଟା । ମଧ୍ୟାହ୍ନ ସବୁ ପ୍ରଲମ୍ବିତ ମନ୍ୱାନ୍ତର । ଆଖି ଖୋଲି ବସିଲେ ଅସୁମାରୀ କଳ୍ପନା ତାକୁ ଗୋଡ଼ାଇ ଆସନ୍ତି । ଆଖି ବୁଜିଦେଲେ କଳ୍ପନା ସବୁ ସ୍ୱପ୍ନ ହୋଇ ଫେରିଆସନ୍ତି । ଅପୂର୍ଣ୍ଣ ଇଚ୍ଛାମାନେ ତାକୁ ଗୋଡ଼େଇ ଯାଆନ୍ତି ରାନୀଦାସର ସ୍ମୃତି ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ।

 

ପରେଶ ପାଇଁ ଏବେ ବାହାଘର ପ୍ରସ୍ତାବ ଆସେ ନାହିଁ । ଦିନେ କିନ୍ତୁ ଅନେକ ପ୍ରସ୍ତାବ ଆସୁଥିଲା । ସାଙ୍ଗସାଥୀ, ଗାଁଲୋକ, କଲୋନୀର ପ୍ରତିବେଶୀ ସମସ୍ତେ ଉତ୍ସୁକ ଭାବେ ଚାହୁଁଥିଲେ ପରେଶକୁ, ତାର ସମ୍ମତି ଅସମ୍ମତିକୁ । କିନ୍ତୁ କୌଣସି ଗୋଟିଏ ପ୍ରସ୍ତାବରେ ବି ରାଜି ହେଇପାରି ନ ଥିଲା ପରେଶ । ତାକୁ ଲାଗିଥିଲା, ସେ ଖୋଜୁଥିବା ରାନୀଦାସକୁ ସେ ଦିନେ ନା ଦିନେ ଭେଟିବ । ତାକୁଇ ବାହାହେବ ସେ । ତା ପୂର୍ବରୁ କୌଣସି ପ୍ରସ୍ତାବକୁ ସେ ଗ୍ରହଣ କରିପାରିବ ନାହିଁ ।

 

କାହାର ଆଖି, କାହାର ଓଠ, କାହାର ଚିବୁକ ସାଙ୍ଗେ ରାନୀଦାସର ସାମଞ୍ଜସ୍ୟ ଦେଖେ ପରେଶ । କିନ୍ତୁ ସଂପୂର୍ଣ୍ଣ ରାନୀଦାସ ସହ ଭେଟ ହୁଏ ନାହିଁ । ଔପଚାରିକ ଦେଖାଚାହାଁ ସରିଯାଏ । ସିଙ୍ଗଡ଼ା, ଗୋଲାପଜାମୁ ଓ ସର୍ବତ୍‌, ଚା ଖାଇପିଇ ପରେଶ ଫେରିଆସେ । ପ୍ରସ୍ତାବ ଭାଙ୍ଗିଯାଏ ।

 

କ୍ରମେ ବ୍ୟାପାରଟା ଅସହ୍ୟ ହୋଇ ଉଠିଥିଲା । ପରେଶର ଅବସରପ୍ରାପ୍ତ ଅଧ୍ୟାପକ ବାବା, ଆଲାଏଡ଼ ଭାଇ, ଡାକ୍ତରାଣୀ ଭଉଣୀ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ । ସବୁଠୁ ବ୍ୟସ୍ତ ହୋଇଥିଲେ ପରେଶର ମା ଏବଂ ପରେଶର ତଳ ସାନଭାଇ । ମାର ବ୍ୟସ୍ତତା ଥିଲା ଅକୃତ୍ରିମ । ପୁଅ ମୁଣ୍ଡରେ ଫୁଲମାଳ ଦେଖିବାର ଜବରଦସ୍ତ ଇଚ୍ଛାଟେ ସେଠି ବରାବର ମୁଣ୍ଡ ଟେକୁଥିଲା । ପ୍ରସ୍ତାବ ସବୁ ଭାଙ୍ଗିଯିବା ପର୍ବରେ ସେ ଲୁହପୋଛି ରାତି ବିତଉଥିଲା । ସାନଭାଇର ଦୁଃଖ କରିବାର କାରଣ ଥିଲା ଭିନ୍ନ । ବଡ଼ଭାଇ ବାହା ନ ହେବା ପର୍ଯ୍ୟନ୍ତ ସେ ବାହା ହେଇପାରିବ ନାହିଁ, ଏଇଟା ଥିଲା ସମସ୍ୟା । ଏ ସମସ୍ୟାଟା ବି କିଛି ଗୁରୁତ୍ୱହୀନ ନୁହେଁ ।

 

ଅଥଚ ସେମାନଙ୍କୁ ପରେଶ କିଛି ବୁଝେଇପାରୁ ନ ଥିଲା । କେମିତି କହନ୍ତା ଯେ, ମୁଁ ଯୋଉ ଝିଅକୁ ବାହା ହେବି ବୋଲି କଥାଦେଇଛି ତାକୁ ଛାଡ଼ି ଆଉ କାହାକୁ ବାହା ହୋଇପାରିବି ନାହିଁ । ରାନୀ ଦାସ ଭିନ୍ନ ଅନ୍ୟ କାହାରିକୁ ସ୍ତ୍ରୀ ଭାବେ ଗ୍ରହଣ କରିପାରିବି ନାହିଁ । ସେ କିଛି କହିପାରେନା । ସେମାନଙ୍କର ଦୁଃଖ ଦେଖେ । ନିରବରେ ଉଠି ଚାଲିଆସେ । ଶେଷକୁ ସାନଭାଇ ରେଜିଷ୍ଟ୍ରୀ ମ୍ୟାରେଜ କରି ପକେଇଲା । ପରେଶ ଆପତ୍ତି କଲା ନାହିଁ । ଆପତ୍ତି କରିବାର କିଛି କାରଣ ନ ଥିଲା । କାରଣ ସେ କୋଉଦିନ ରାନୀଦାସକୁ ବାହା ହେବ, ସେଦିନ ପର୍ଯ୍ୟନ୍ତ ସାନଭାଇକୁ ଅପେକ୍ଷା କରିବା ପାଇଁ ସେ ବାଧ୍ୟ କରିପାରିନ୍ତା ନାହିଁ । ଘରଲୋକ ଚୁପ୍‌ଚାପ୍‌ ରହିଲେ-। ଏବେ ଆଉ କେହି ପରେଶର ବାହାଘର ପ୍ରସ୍ତାବ ନେଇ ଆସନ୍ତି ନାହିଁ । ସେସବୁ ଘଟଣା ଇତିହାସ ପାଲଟିଗଲାଣି ।

 

ପରେଶ ସେହିଦିନୁ ଏ ସହରରୁ ସେ ସହର, ଏ କଲୋନିରୁ ସେ କଲୋନି, ଏ ସାହିରୁ ସେ ସାହି, ଏ ଘରରୁ ସେ ଘର ନିଜର ଠିକଣା ବଦଳେଇ ଚାଲିଛି । କାନ୍ଧରେ ବେତାଳର ଶବ ପରି ଓହଳିଛି ରାନୀ ଦାସର ସ୍ମୃତି । କିଛି ଅପୂର୍ଣ୍ଣ ଇଚ୍ଛା । ପାଖରେ ଆଶାବାଡ଼ି ପରି ଚାକିରିଖଣ୍ଡିକ । ଆଗରେ କେହି ନାହିଁ, ପଛରେ ବି କେହି ନାହିଁ ।

 

ନୂଆ କଲୋନିରେ ଦୁଇ ଚାରି ସପ୍ତାହ ନିରୁପଦ୍ରବ ଭାବରେ ବିତିଯାଏ । କିନ୍ତୁ ତାପରେ ସେସବୁର ପୁନରାବୃତ୍ତି । ପରେଶ ପୁଣି ଘର ବଦଳାଏ, ପୁଣି ବଦଳାଏ ଠିକଣା ।

 

ଅନ୍ଧାରରେ, ଏକାକୀ ଘର ଭିତରେ ଥିବାବେଳେ କେହି ଜଣେ ପଚାରେ, ‘ତୁମେ କୁଆଡ଼େ ଯାଉଛ ପରେଶ ? କେଉଁ ରାନୀ ଦାସକୁ ଅପେକ୍ଷା କରୁଛ ନିଜର ଜୀବନ ଓ ଯୌବନ ବିନିମୟରେ-? ଗୋଟେ ନାରୀ କଣ ତମର ବାପା-ମା, ଘର-ପରିବାର, ସାଙ୍ଗସାଥୀଙ୍କଠାରୁ ଏତେ ମୂଲ୍ୟବାନ ? କେତେକାଳ ଅପେକ୍ଷା କରିବ ରାନୀଦାସକୁ ? କେଉଁଠି ସେ ରହେ ? କଣ କରେ ରାନୀଦାସ ?’

 

ରାନୀଦାସ

 

ରାନୀଦାସ

 

ରାନୀଦାସ

 

ପରେଶ ନିରବ ରହେ । କାରଣ ସେ ନିଜେଇ ଜାଣେନା ରାନୀଦାସର ଠିକଣା । ନିଜେଇ ଜାଣେନା ରାନୀଦାସ କେଉଁ ସହରର କି ଗାଁରେ ରହେ । ସେ କଣ କରେ ? ସେ ଏକଥା ବି ଜାଣେନା ଯେ ରାନୀଦାସ ତାକୁ ଭଲପାଏ କି ନାହିଁ ? ତାକୁ ବାହାହେବ ନା ନାହିଁ ?

 

ଅଥଚ ପ୍ରତି ରାତିରେ ସେ ରାନୀଦାସକୁ ହିଁ ସ୍ୱପ୍ନ ଦେଖେ । ତା ସାଙ୍ଗରେ କଥାବାର୍ତ୍ତା କରେ । ତାକୁ ନେଇ ପୁଣି ନୂଆ ସ୍ୱପ୍ନ ଦେଖେ । ଘରକରଣାର ମାନଚିତ୍ର ଆଙ୍କେ । ରାନୀଦାସ ସାଙ୍ଗରେ ମିଶି ସେହି ମାନଚିତ୍ର ପେଟରେ ରଙ୍ଗ ଦିଏ । ଦୁହେଁ ମିଶି ସେ ଚିତ୍ରଟିକୁ କାନ୍ଥରେ ଟଙ୍ଗେଇ ଦିଅନ୍ତି । ଯୋଉଠି ଆଗରୁ ଗୋଟିଏ ଘରର ଚିତ୍ର ଟଙ୍ଗା ହୋଇଥାଏ ଏବଂ ତାର ଠିକ୍‌ ତଳକୁ ଲେଖା ଯାଇଥାଏ–‘ଆୱାର ସୁଇଟ୍‌ ହୋମ୍‌ ।’

 

ଆଖି ବୁଜିନେଲେ ସେ ରାନୀଦାସର ରକ୍ତମାଂସର ସମୁଦାୟ ଚେହେରା ହିଁ ଦେଖିପାରେ-। ତାର ଦୀର୍ଘ କେଶ, ତାର କପାଳ, ନାକ, ଓଠ, ଗ୍ରୀବା, ଉଚ୍ଚା ଛାତି, ଅଣ୍ଟା, ଗୋଇଠି, ପାଦ ନଖ ସବୁ ଦେଖିପାରେ । ତା ଶାଢ଼ିର କୁଞ୍ଚ, ତା କପାଳର ବିନ୍ଦି ସବୁ ଦେଖିପାରେ । ଅଥଚ ଆଖି ଖୋଲିଦେଲେ ରାନୀଦାସ ଅଦୃଶ୍ୟ ହୋଇଯାଏ ।

 

କଲିଂବେଲ୍‌ ବାଜୁଛି ।

 

ପରେଶ ଚଉକି ଉପରୁ ଉଠିଲା । କିଏ ଆସିଛି ? କାହିଁକି ଆସିଛି ସେ ଜାଣେନା । ଜାଣିବାର ଆଗ୍ରହ ମଧ୍ୟ ନାହିଁ । ସେ ଆଜିକାଲି କେବଳ ଦୁଇଜଣଙ୍କୁ ଅପେକ୍ଷା କରେ । ପ୍ରଥମଜଣକ ବାରମ୍ବାର ଆସନ୍ତି ଓ ଘର ଛାଡ଼ିଦେବା ପାଇଁ ଅନୁରୋଧ ଅଥବା ନିର୍ଦ୍ଦେଶ ଦିଅନ୍ତି । ସେ ଘରମାଲିକ । ପରେଶ ତାଙ୍କୁ ଚିହ୍ନେ । ଆରଜଣଙ୍କୁ ମଧ୍ୟ ଚିହ୍ନେ ପରେଶ । କିନ୍ତୁ ସେ ଆସେ ନାହିଁ । ରାନୀଦାସ ଆସେ ନାହିଁ । କଦାପି ଆସେ ନାହିଁ । ହୁଏତ ଘରମାଲିକ ହିଁ ବାରଣ୍ଡାରେ ଛିଡ଼ାହେଇଛି । ଘର ଛାଡ଼ିବାକୁ ହୁଏତ କହିବ । କାରଣ ସ୍ୱରୂପ କିଛି ମିଛ କଥା କହିବ । ଅସଲ କଥା ହେଲା ସେ ପରେଶକୁ ସନ୍ଦେହ କରୁଛି । ତାକୁ ଆବନର୍ମାଲ୍‌ ମଣିଷଟେ ବୋଲି ଭାବୁଛି । ଆତଙ୍କବାଦୀ କି ଖୁନୀ ଆସାମୀ ବୋଲି ଭାବୁଛି ।

 

ପରେଶକୁ ହୁଏତ ଏ ଘର ଛାଡ଼ିଦେବାକୁ ପଡ଼ିବ । ପୁଣି ଖୋଜିବ ସେ ନୂଆ ଘର, ନୂଆ ଠିକଣା । ଯେମିତି ଅନେକ ବାର ବଦଳେଇଛି ଠିକଣା । ବଦଳେଇଛି ସହର ଓ ପରିଚୟ । କାନ୍ଧରେ ଓହଳିଥିବ ରାନୀଦାସର ସ୍ମୃତି । କେବଳ ରାନୀଦାସର ସ୍ମୃତି ।

 

ହୁଏତ ଏ ଜନ୍ମରେ ବି ସେ ପାଇବ ନାହିଁ ତାକୁ । ପାଇବ ନାହିଁ ରାନୀଦାସ ଘରର ଠିକଣା-। ବାରମ୍ବାର ଫେରିବାକୁ ପଡ଼ୁଥିବ ଏହି ପୃଥିବୀକୁ ରାନୀଦାସକୁ ଖୋଜି ଖୋଜି ।

 

ଅବସନ୍ନ ପାଦଯୋଡ଼ିକ ଘୋଷାରି ଘୋଷାରି ପରେଶ ଦୁଆରଯାଏ ଗଲା ଓ କବାଟ ଖୋଲିଦେଲା ।

Image